• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମୃତ୍ୟୁ କେତେବେଳେ କାହା ଜୀବନରେ କେମିତି ଆସିବ ତାହା କେହିବି କହିପାରିବେନି। ହେଲେ କିଛି ଲୋକ ନିଜ ମୃତ୍ୟୁକୁ ନେଇ ମିଛ ଅଭିନୟ କରିଥାନ୍ତି। ଉଦ୍ଦେଶ୍ୟ ଭିନ୍ନ ଭିନ୍ନ ଥିବାବେଳେ ସତ ଜଣାପଡ଼ିବା ପରେ ସେମାନଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଥାଏ। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯେଉଁଠି ଜଣେ ଜୀବନ୍ତ ବ୍ୟକ୍ତିଙ୍କ ଅନ୍ତିମ ଯାତ୍ରା କରାଯାଇଛି। ସବୁଠାରୁ ବଡ଼ କଥା, ସମ୍ପୃକ୍ତ ବ୍ୟକ୍ତିଙ୍କ ଇଚ୍ଛାରେ ଏସବୁ କରାଯାଇଥିଲା। ଏହା ପଛର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରକୃତରେ ଘଟଣା ହେଲା, ବ୍ୟକ୍ତି ଜଣକ ଜାଣିବାକୁ ଚାହୁଁଥିଲେ ତାଙ୍କ ମୃତ୍ୟୁ ପରେ ଅନ୍ତିମ ଯାତ୍ରାରେ କେଉଁ କେଉଁମାନେ ଯୋଗଦେବେ। ନିଜ ପରିଜନ ଓ ବନ୍ଧୁଙ୍କୁ ପରଖିବା ପାଇଁ ଜୀବନ୍ତ ଥାଇ ସେ ନିଜର ଫେକ୍‌ ଅନ୍ତିମ ଯାତ୍ରା କରାଇଥିଲେ। ହେଲେ ପରେ ତାଙ୍କର ଏଭଳି କାରନାମା ଜଣାପଡ଼ିବା ପରେ ତାଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଛି।

ମିଛ ଥିଲା ମୃତ୍ୟୁ, ଅନ୍ତିମ ଯାତ୍ରା...

ଦ ମିରର୍‌ ରିପୋର୍ଟ ଅନୁସାରେ, ନିଜ ମୃତ୍ୟୁର ମିଛ ଅଭିନୟ କରିଥିବା ବ୍ୟକ୍ତିଙ୍କ ନାଁ ବାଲ୍ଟାଜାର୍‌ ଲେମୋସ। ୬୦ ବର୍ଷୀୟ ଲେମୋସ ବ୍ରାଜିଲର କୁର୍ତିବାରେ ରୁହନ୍ତି। ପ୍ରଥମେ ସେ ନିଜ ମୃତ୍ୟୁର ମିଛ ଖବର ପ୍ରଚାର କରିଥିଲେ। ପରେ ନିଜ ଫେକ୍‌ ଅନ୍ତିମ ଯାତ୍ରା କରାଇଥିଲେ। କିନ୍ତୁ ପରେ ଯେତେବେଳେ ନିଜ ଅନ୍ତିମ ସଂସ୍କାର ବେଳେ ଲୋକଙ୍କ ସାମ୍ନାକୁ ଆସିଥିଲେ, ହଠାତ୍‌ ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ଲେମୋସ କହିଛନ୍ତି, ‘ମୁଁ କେବଳ ଏହା ଜାଣିବାକୁ ଚାହୁଁଥିଲି ଯେ, କେତେ ଲୋକ ମୋ ମୃତ୍ୟୁ ଖବର ଶୁଣି ଅନ୍ତିମ ଯାତ୍ରାରେ ଯୋଗଦେବେ।’ ହେଲେ ତାଙ୍କର ଏଭଳି ଚିନ୍ତାଧାରାକୁ ଲୋକମାନେ ନାପସନ୍ଦ କରିବା ସହ ଏହା ଠିକ୍‌ ନୁହେଁ ବୋଲି କହିଛନ୍ତି। କାହାର ଭାବନା ସହ ଖେଳିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି। 

ଫେସ୍‌ବୁକ୍‌ରେ ପ୍ରଚାର କରିଥିଲେ ନିଜ ମୃତ୍ୟୁ ଖବର...

ଗତ ସପ୍ତାହରେ ଲେମୋସଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରାଯାଇଥିଲା। ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ତାଙ୍କର ଦେହାନ୍ତ ହୋଇଛି। ପୋଷ୍ଟରେ ଉଲ୍ଲେଖ ଥିଲା- ସବୁଦିନ ପାଇଁ ଆମକୁ ଲେମୋସ ଛାଡ଼ି ଚାଲି ଯାଇଛନ୍ତି। ଏହାସହ ଅନ୍ତିମ ଯାତ୍ରାର ସେଡ୍ୟୁଲ ସମ୍ପର୍କରେ ମଧ୍ୟ କୁହାଯାଇଥିଲା। ଶେଷରେ ଫେସ୍‌ବୁକ୍‌ରେ ଅନ୍ତିମ ସଂସ୍କାରର ଏକ ଭିଡିଓ ପୋଷ୍ଟ କରାଯାଇଥିଲା। ଏଥିରେ ଲେମୋସଙ୍କ ବନ୍ଧୁ ଓ ପରିଜନ ନଜର ଆସିଥିଲେ।  

ଏସବୁ ଭିତରେ ହଠାତ୍‌ ଲେମୋସଙ୍କ ଏଣ୍ଟ୍ରି ଦେଖି ଲୋକମାନେ ଚକିତ ହୋଇଯାଇଥିଲେ। ତାଙ୍କୁ ଜୀବନ୍ତ ଅବସ୍ଥାରେ ଦେଖି ଲୋକଙ୍କ ହୋସ୍‌ ଉଡ଼ି ଯାଇଥିଲା। ଏନେଇ ଲେମୋସ କହିଛନ୍ତି, ଗତ ଦୁଇ ବର୍ଷ ମଧ୍ୟରେ ମୁଁ ଶହ ଶହ ଲୋକଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଛି। ତେଣୁ ମୁଁ ଜାଣିବାକୁ ଚାହୁଁଥିଲି, ମୋର ଅନ୍ତିମ ସଂସ୍କାରକୁ କେଉଁ କେଉଁମାନେ ଆସି ଶୋକ ପ୍ରକାଶ କରିବେ।