ଭାରତର ୧୪୦ କୋଟି ଜନତା ଖାଦ୍ୟ ମୂଲ୍ୟସ୍ଫୀତି ଓ ମୁଦ୍ରାସ୍ଫୀତିର ବିଷବଳୟ ଭିତରେ ରହିଛନ୍ତି। ଏହାକୁ ରୋକିବା ପାଇଁ ବୈଠକ ପରେ ବୈଠକ ବସୁଛି, ମାତ୍ର ତାହାର ସଫଳ ରୂପାୟନ ହୋଇପାରୁନାହିଁ। କେତେକ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଏବେ ବି ଚଢ଼ା ରହିଛି। ପିଆଜର ମୂଲ୍ୟ ମଧ୍ୟ ଅସ୍ୱାଭାବିକ୍ ଭାବେ ବୃଦ୍ଧି ପାଇଛି। ଆରବିଆଇ ପକ୍ଷରୁ କୁହାଯାଇଛି ଯେ ଖାଦ୍ୟ ମୂଲ୍ୟସ୍ଫୀତି ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ଅର୍ଥନୈତିକ ପ୍ରଗତିରେ ବାଧକ। ସରକାରଙ୍କ ଭୁଲ ନୀତି ପ୍ରଣୟନ ପାଇଁ ଏପରି ହେଉଛି ବୋଲି କୁହାଯାଉଛି। ଅର୍ଥନୀତି ଓ ନୀତି ପ୍ରଣୟନ କ୍ଷେତ୍ରରେ ଅଧିକ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ଏହି ବିଭାଗରେ ନିଯୁକ୍ତି ଦିଆଗଲେ ହୁଏତ ଏଥିରେ କିଛିଟା ପରିବର୍ତ୍ତନ ଘଟନ୍ତା । ମାତ୍ର ସେପରି ହେଉନାହିଁ। ସରକାର ଖାଲି ଆଶ୍ୱାସନା ଦେଇଚାଲିଛନ୍ତି। ଆଶ୍ୱାସନାରେ ଗରିବ ଖଟିଖିଆ ମେହନତୀଙ୍କ ପେଟ ପୁରିବନି। ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟବୃଦ୍ଧିର କାରଣ ବି ଏଥିପାଇଁ ଅନେକାଂଶରେ ଦାୟୀ। ସୀମିତ ଆୟରେ ଏବେ ସାଧାରଣ ଜୀବନ ବ୍ୟତିବ୍ୟସ୍ତ ହେଉଛି। ଉଚ୍ଚ ମୁଦ୍ରାସ୍ଫୀତି ମଧ୍ୟବିତ୍ତଙ୍କୁ ସଙ୍କଟ ଆଡ଼କୁ ଠେଲିଦେଲାଣି।
ଦେଶର ଅଭିବୃଦ୍ଧିରେ ଏହା ବାଧକ। ଦେଶର ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ଉଭୟ ଊଦ୍ଧ୍ୱର୍ମୁଖୀ । ଦରଦାମ୍ ନିୟନ୍ତ୍ରଣକୁ ଆଣିବାକୁ ଆଗକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଏହାର ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧହାର ହ୍ରାସ କରିନପାରେ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି। ଜୀବନକୁ ସ୍ବାଭାବିକ ଢ଼ଙ୍ଗରେ ଜୀଇଁବାକୁ ମଧ୍ୟବିତ ବି ନିଜର ଖର୍ଚ୍ଚ କମାଇବାରେ ଲାଗିଲାଣି। ଭାରତର ୧୪୦ କୋଟି ଜନସଂଖ୍ୟା ମଧ୍ୟରୁ ଏକ ତୃତୀୟାଂଶ ହେଉଛନ୍ତି ମଧ୍ୟବିତ୍ତ । ଦେଶର ବିକାଶରେ ଏମାନଙ୍କ ବଡ଼ ଯୋଗଦାନ ରହିଛି । ଏମାନଙ୍କ ଆର୍ଥିକ ସ୍ଥିତି ଖରାପ ହେଲେ, ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ମଧ୍ୟବିତ୍ତ ହତାଶ ହେଲେ ଦେଶର ରାଜନୀତି ଗଣିତକୁ ମଧ୍ୟ ବିଗାଡ଼ିପାରନ୍ତି। ଅତୀତରେ ଏପରି ଅନେକବାର ହୋଇଛି। ଅବଶ୍ୟ କିଛିଟା ଏଜେନ୍ସିଂ ଆକଳନ କରିଛନ୍ତି ଚଳିତ ଆର୍ଥିକବର୍ଷ ଏସିଆର ତୃତୀୟ ବୃହତ୍ ଅର୍ଥନୀତି ଭାରତ ୭.୨% ବଢ଼ିବ। କିନ୍ତୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ନ ରଖିଲେ ଦେଶର ଅର୍ଥନୀତିକୁ ସୁଧାରିବା ସମ୍ଭବ ନୁହେଁ। ଭାରତର ଅର୍ଥନୀତି ନେଇ ଅନ୍ତର୍ଜାତୀୟ ମୁଦ୍ରା କୋଷ ସମେତ ବିଭିନ୍ନ ବିଦେଶୀ ସଂସ୍ଥା ୭ ପ୍ରତିଶତ ଅଭିବୃଦ୍ଧି କରିବ ବିଭିନ୍ନ ରେଟିଂ ଏଜେନ୍ସି ପକ୍ଷରୁ ଆକଳନ କରାଯାଇଛି। ଲୋକସଭା ନିର୍ବାଚନ କାରଣରୁ ସରକାର ପୁଞ୍ଜି ବ୍ୟୟ ହ୍ରାସ କରିଛନ୍ତି। ଯାହାର ପ୍ରଭାବ ଦେଶର ଜିଡିପି ଅଭିବୃଦ୍ଧି ହାରରେ ମଧ୍ୟ ଦେଖାଯାଉଛି ବୋଲି ବଜାର ବିଶେଷଜ୍ଞ ମତ ଦେଇଛନ୍ତି।
କାହିଁକି କମୁଛି ଅଭିବୃଦ୍ଧି ?
ଅଭିବୃଦ୍ଧି ହାର ହ୍ରାସ ପାଇଁ ମୁଖ୍ୟତଃ ଦୁଇଟି କାରଣ ଦାୟୀ। ପ୍ରଥମତଃ ସରକାରୀ ପୁଞ୍ଜି ବିନିଯୋଗରେ ହ୍ରାସ, ଦ୍ୱିତୀୟତଃ ସହରୀ କ୍ଷେତ୍ରରେ ଚାହିଦାର ଅଭାବ। ଏଥର ବିଧାନସଭା ନିର୍ବାଚନ ହେତୁ କେନ୍ଦ୍ର ଏବଂ ରାଜ୍ୟ ସରକାର କମ୍ ପୁଞ୍ଜି ବିନିଯୋଗ କଲେ। ଯାହାଦ୍ୱାରା କିଛି ଅଞ୍ଚଳରେ ସାମୟିକ ମାନ୍ଦାବସ୍ଥା ଘନେଇଲା। ଅନ୍ୟପଟେ ସହରରେ ଚାହିଦାର ଅଭାବ ଯୋଗୁ ଅର୍ଥନୀତି ଉପରେ ଏହାର କୁପ୍ରଭାବ ମଧ୍ୟ ପଡ଼ିଲା। ମନ୍ଥର ଅଭିବୃଦ୍ଧି ପାଇଁ ଖରାପ ମୌସୁମୀ ଦାୟୀ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସଫେଇ ଦିଆଗଲା। ଆଇସିଆରଏ ଏହାର ରିପୋର୍ଟରେ କହିଛି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ର ଅଭିବୃଦ୍ଧି ହାର ୬.୮ ପ୍ରତିଶତ ହୋଇପାରେ। ୨୦୨୩-୨୪ରେ ଏହା ୮.୨ ପ୍ରତିଶତ ଥିଲା। ସେହିପରି ଗ୍ରସ ଭାଲ୍ୟୁ ଆଡେଡ୍ (ଜିଭିଏ) ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।
ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି, ଚିନ୍ତାରେ ରିଜର୍ଭ ବ୍ୟାଙ୍କ
ଅକ୍ଟୋବରରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୬.୨୧ ପ୍ରତିଶତରେ ପହଞ୍ଚିଛି ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ସେପ୍ଟେମ୍ୱରରେ ମୁଦ୍ରାସ୍ଫୀତି ୯ ମାସର ଉଚ୍ଚ ସ୍ତର ୫.୪୯ ପ୍ରତିଶତରେ ଥିଲା। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ)ର ଆଧାରରେ, ଅକ୍ଟୋବର ୨୦୨୩ରେ ମୁଦ୍ରାସ୍ଫୀତି ୪.୮୭ ପ୍ରତିଶତ ରେକର୍ଡ କରାଯାଇଛି। ଦେଶର ରାଜଧାନୀ ଦିଲ୍ଲୀରେ ମୁଦ୍ରାସ୍ଫୀତିର ହାର ୪.୦୧ ପ୍ରତିଶତ ରେକର୍ଡ କରାଯାଇଛି। ଆନ୍ଧ୍ର ପ୍ରଦେଶରେ ସବୁଠୁ ଅଧିକ ମୁଦ୍ରାସ୍ଫୀତି ୬.୧୭ ପ୍ରତିଶତ ଥିବାବେଳେ ଜାମ୍ମୁ ଓ କାଶ୍ମୀରରେ ସବୁଠୁ କମ୍ ୫.୫ ପ୍ରତିଶତ ରେକର୍ଡ କରାଯାଇଛି। ଅକ୍ଟୋବରେ ଡାଲି ଓ ଉତ୍ପାଦ, ଅଣ୍ଡା , ଚାଇନା ଓ କନଫେକ୍ସନାରୀ ଓ ମସଲାର ସବଗ୍ରୁପ ଗୁଡ଼ିକରେ ମୁଦ୍ରାସ୍ଫୀତିରେ ଉଲ୍ଲେଖନୀୟ ହ୍ରାସ ହେଉଥିବା ରିପୋର୍ଟରୁ ଜଣାପଡ଼ିଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାର ଯଥାକ୍ରମେ ୬.୬୮ ପ୍ରତିଶତ ଓ ୫.୬୨ ପ୍ରତିଶତ ଥିଲା । ତେବେ ଖାଦ୍ୟ ମୂଲ୍ୟରେ ବୃଦ୍ଧି କାରଣରୁ ଆଗାମୀ ରିପୋର୍ଟରେ ମୁଦ୍ରାସ୍ଫୀତି ଆହୁରି ବଢ଼ିପାରେ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି।
ଲାଭରେ କମ୍ପାନି, ସଙ୍କଟରେ ଆମ୍ ଆଦ୍ମୀ
ସମ୍ପ୍ରତି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ନିମ୍ନ ସ୍ତରରେ ରହିଛି। ରାଷ୍ଟ୍ରାୟତ୍ତ ଇଣ୍ଡିଆନ୍ ଅଏଲ୍ କର୍ପୋରେଶନ୍ (ଆଇଓସି), ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍ (ବିପିସିଏଲ୍) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍ (ଏଚ୍ପିସିଏଲ୍) ଲିଟର ପିଛା ପେଟ୍ରୋଲରେ ୧୫ ଟଙ୍କା ଆଉ ଡିଜେଲ ଉପରେ ୧୨ ଟଙ୍କା ଲାଭ କରୁଛନ୍ତି । କିନ୍ତୁ ଉପଭୋକ୍ତାଙ୍କୁ ଏହାର କୌଣସି ଫାଇଦା ମିଳୁନାହିଁ । ଅଶୋଧିତ ତୈଳ ଦର ବଡ଼ ଆକାରରେ ଖସିଥିଲେ ବି ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ଯେତିକି ଥିଲା, ଏବେ ସେତିକିରେ ଅଟକିଛି। ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦର ବୃହତ୍ ମାତ୍ରାରେ ବଢ଼ିଥିବାବେଳେ ଇନ୍ଧନ ବାବଦ ବୋଝ କମୁନି। ୨୦୨୪ ମାର୍ଚ୍ଚରୁ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଉକ୍ତ ସମୟରେ ଅର୍ଥାତ୍ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଲିଟର ପିଛା ଉଭୟ ଇନ୍ଧନ ଦରରେ ୨ ଟଙ୍କା ଲେଖାଏଁ ହ୍ରାସ କରାଯାଇଥିଲା। ଏହାର ପ୍ରଭାବ ସିଧାସଳଖ ମୁଦ୍ରାସ୍ଫୀତି ଉପରେ ପଡ଼ୁଛି। ପରିବହନଠାରୁ ଆରମ୍ଭ କରି ବିମାନ ଚଳାଚଳ ଶିଳ୍ପ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ପ୍ରଭାବିତ । ୨୦୨୩-୨୪ ଆର୍ଥିକବର୍ଷରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଙ୍କ ମୋଟ ଲାଭ ୮୬,୦୦୦ କୋଟି ଟଙ୍କା ରହିଛି, ଯାହାକି ୨୦୨୨-୨୩ ତୁଳନାରେ ୨୫ ଗୁଣା ଅଧିକ । ଏତେ ମାତ୍ରାରେ ଲାଭ ସତ୍ତ୍ବେ ଉପରୋକ୍ତାଙ୍କୁ ଏଯାଏ ଏହାର ସେଭଳି ଫାଇଦା ମିଳିନାହିଁ । ତୈଳ କମ୍ପାନିଗୁଡ଼ିକ ପାଇଁ ଏବେ ଦର ହ୍ରାସ କରିବା ପରିବର୍ତ୍ତେ ଏ ନେଇ କୌଣସି ଯୋଜନା ପ୍ରସ୍ତୁତ କରୁନାହାନ୍ତି।
ଟ୍ରମ୍ଫଙ୍କ ବିଜୟ ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବ !
ଅନ୍ୟପକ୍ଷରେ ଟ୍ରମ୍ପଙ୍କ ବିଜୟ ଭାରତ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ଏହାର କାରଣ ହେଉଛି ଭାରତର ଘରୋଇ ଚାହିଦା-ପରିଚାଳିତ ଅଭିବୃଦ୍ଧି ମଡେଲ । କମୋଡିଟି ଦର ହ୍ରାସ, ସପ୍ଲାଏ ଚେନ୍ ସିଫ୍ଟ ଏବଂ ବୈଦେଶିକ ନୀତିର ସୁବିଧା ଭାରତକୁ ମିଳିବ। ଅଶୋଧିତ ତୈଳ ଦର କମିବା ଦ୍ୱାରା ବିପିସିଏଲ୍, ଆଇଓସିଏଲ୍ ଏବଂ ଏଚ୍ପିସିଏଲ୍ ଭଳି ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ ପାଇଁ ଟ୍ରମ୍ପଙ୍କ ବିଜୟ ସକାରାତ୍ମକ ରହିବ ବୋଲି ବଜାର ବିଶେଷଜ୍ଞ ମତ ଦେଇଛନ୍ତି। ଓଏନ୍ଜିସି, ଅଏଲ୍ ଇଣ୍ଡିଆ ଏବଂ ଗେଲ୍ ପାଇଁ ଏହା ନକାରାତ୍ମକ ରହିବ। ଟ୍ରମ୍ପଙ୍କ ସୁରକ୍ଷାବାଦୀ ନୀତି ଏବଂ ବାଣିଜ୍ୟିକ କଟକଣା ଆମେରିକାର ଅଭିବୃଦ୍ଧିକୁ ମଜଭୂତ କରିପାରେ ବୋଲି ଆଶା କରାଯାଉଛି।
ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସିବା ଜରୁରୀ
ମୁଦ୍ରାସ୍ଫୀତି ରୋକିବାକୁ ହେଲେ କୃଷି ଉତ୍ପାଦିତ ସାମଗ୍ରୀ ପର୍ଯ୍ୟାପ୍ତ ହେବା ଦରକାର। ତେଲ ମୂଲ୍ୟ କମିବା ସହିତ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ବଢ଼଼ିବା ଦରକାର। ଅଧିକ ରପ୍ତାନି କରି ଆମଦାନୀ କମାଇବା ପାଇଁ ଚେଷ୍ଟା କରିବା ନିହାତି ଜରୁରୀ। ସରକାର କୃଷିକ୍ଷେତ୍ରରେ ଅଧିକ ଧ୍ୟାନ ନ ଦେଇ ସେଇ ପୁରୁଣା ନୀତିକୁ ଅବଲମ୍ବନ କରୁଛନ୍ତି। ବଜାରମୂଲ୍ୟକୁ ହେରଫେର କରୁଥିବା ମହଜୁଦକାରୀ ଏବଂ କଳାବଜାରୀଙ୍କୁ ବିରୁଦ୍ଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। କୃଷିଜାତ ଉତ୍ପାଦନ ଉପରେ ସରକାର ଧ୍ୟାନ ନ ଦେଇ ଖାଲି ସୁଧହାର ବୃଦ୍ଧି କରିବାକୁ ରିଜର୍ଭ ବ୍ୟାଙ୍କ ଉପରେ ଚାପ ପକାଉଛନ୍ତି। ଯୋଗାଣ ଓ ଚାହିଦା ମଧ୍ୟରେ ତାରତମ୍ୟ ରହୁ ନଥିବାରୁ ଏପରି ସମସ୍ୟା ହେଉଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ସରକାର ତୁରନ୍ତ ଏ ସମସ୍ୟାର ସମାଧାନ କରିବା ଆବଶ୍ୟକ।
E-mail id: serveforthenation@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)