/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666760522.jpg)
Indian origin Rishi Sunak
ବ୍ରିଟେନରେ ରିଷି ସୁନକ୍ ନୂଆ ପ୍ରଧାନମନ୍ତ୍ରୀ ହେବା ପରେ ଭାରତରେ ବି ଉତ୍ସାହର ଲହରି । କାରଣ ସୁନକଙ୍କର ଭାରତ ସହ ରହିଛି ନିଗୂଢ ସଂପର୍କ। ବ୍ରିଟେନ୍ ନାଗରିକ ହୋଇଥିଲେ ବି ଗୋଟିଏ ପ୍ରକାରେ ସେ ଭାରତର ପୁଅ, ଅନ୍ୟପଟେ ଭାରତର ଜ୍ୱାଇଁ ବି ।
ରିଷି ସୁନକ୍ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହେବାରେ ଅନେକ କ୍ଷେତ୍ରରେ ପ୍ରଥମ । ପ୍ରଥମ ଭାରତୀୟ ବଂଶୋଦ୍ଭବ, ପ୍ରଥମ ଅଣଶ୍ୱେତାଙ୍ଗ ଏବଂ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ। ପଞ୍ଜାବର ମୂଳ ବାସିନ୍ଦା ସୁନକ୍ ପରିବାର ବିଗତ ତିନି ପିଢ଼ି ଧରି ବ୍ରିଟେନ୍ରେ ରହି ଆସୁଛନ୍ତି । ଅବିଭାଜିତ ଭାରତରୁ ପ୍ରଥମେ କେନିୟା ଓ ସେଠାରୁ ୬୦ ଦଶକରେ ବ୍ରିଟେନକୁ ସ୍ଥାନାନ୍ତର ହୋଇଥିଲେ ତାଙ୍କ ପରିବାର । ରିଷି ସୁନନଙ୍କ ବାପା ୟଶବୀର ଜଣେ ଅବସରପ୍ରାପ୍ତ ଡାକ୍ତର ଓ ମାଆ ଉଷା ଜଣେ ଫାର୍ମାସିଷ୍ଟ ।
ଅଧିକ ପଢ଼ନ୍ତୁ: ବ୍ରିଟେନ୍ ରାଜନୀତିର ସାପଶିଢ଼ି ଖେଳରେ ଜଣେ ଓସ୍ତାଦ୍ ଖେଳୁଆଡ଼ ରିଷି ସୁନକ
୧୯୮୦ ମେ’ ୧୨ରେ ସାଉଥମ୍ପଟନ୍ରେ ରିଷିଙ୍କ ଜନ୍ମ । ଓ୍ୱିଞ୍ଚେଷ୍ଟର କଲେଜରୁ ରାଜନୀତି ବିଜ୍ଞାନ, ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଦର୍ଶନ ଓ ଅର୍ଥନୀତି ଶିକ୍ଷାଲାଭ ପରେ ଷ୍ଟାନ୍ଫୋର୍ଡ ୟୁନିଭର୍ସିଟିରୁ ଏମ୍ବିଏ କରିଥିଏ। ଇନ୍ଫୋସିସ୍ ପ୍ରତିଷ୍ଠାତା ଏନ୍. ଆର୍. ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି ରିଷି ସୁନକ୍। ରିଷିଙ୍କ ସଂପତ୍ତିର ପରିମାଣ ପ୍ରାୟ ୭୩ କୋଟି ପାଉଣ୍ଡ୍ ବା ୬ ହଜାର ୮ଶହ କୋଟି ଟଙ୍କା ।
ରିଷି ସୁନକଙ୍କ ରାଜନୈତିକ କ୍ୟାରିୟର
୨୦୧୫ରେ ୟର୍କସାୟାରର ରିଚମଣ୍ଡରୁ ସାଂସଦ ହୋଇଥିବା ରିଷି ସୁନକଙ୍କୁ ଫେବୃଆରୀ ୨୦୨୦ରେ ଚାନ୍ସେଲର ଅଫ୍ ଦି ଏକ୍ସଚେକର୍ ଭାବେ ନିଯୁକ୍ତ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ। ଏହା ତାଙ୍କର ପ୍ରଥମ ପୂର୍ଣ୍ଣ କ୍ୟାବିନେଟ୍ ପଦ ଥିଲ। ଡିସି ରିଷି ଭାବେ ପରିଚିତ ଏହି ନେତାଙ୍କ ଲୋକପ୍ରିୟତା ଆଶାତୀତ ବୃଦ୍ଧି ପାଇଥିଲା କରୋନା ଲକ୍ଉଡାନ ସମୟରେ । ବିଚକ୍ଷଣ ଦୂରଦୃଷ୍ଟିସଂପନ୍ନ ଆର୍ଥିକ ପ୍ୟାକେଜ୍ ଘୋଷଣା କରି ସେ ସବୁ ବର୍ଗର ଆଦୃତି ସାଉଁଟି ପାରିଥିଲେ । କେବଳ ଅର୍ଥମନ୍ତ୍ରୀ ନୁହେଁ, ଜନ୍ସନ ସରକାରରେ ଅନ୍ୟତମ ପ୍ରମୁଖ ଚେହେରା ଥିଲେ ରିଷି । ବୋରିସଙ୍କ ପାଖେ ପାଖେ ରହୁଥିଲେ, ଗୁରୁତ୍ୱପୂର୍ଣ୍ଣ ପ୍ରେସ୍ ବ୍ରିଫିଂରେ ଅଧିକାଂଶ ସମୟରେ ଆଗକୁ ଆସୁଥିଲେ । ଅଥଚ ସେ ହିଁ ପ୍ରଥମେ ବୋରିସଙ୍କୁ କ୍ଷମତା ଛାଡ଼ିବାକୁ ଆହ୍ୱାନ ଦେଇଥିଲେ ।
ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ରିଷି ସୁନକ୍ ନିଜର ଆସ୍ଥାକୁ ନେଇ ସର୍ବଦା ଖୋଲାଖୋଲି ମତ ପ୍ରକାଶ କରି ଆସିଛନ୍ତି। ରିଷି ଭଗବଦ୍ ଗୀତାକୁ ଛୁଇଁ ହାଉସ୍ ଅଫ୍ କମନ୍ସରେ ସାଂସଦ ଭାବେ ଶପଥ ନେଇଥିଲେ। ନିଜର ପୂର୍ବତନ ସରକାରୀ ବାସଭବନ ୧୧-ଡାଉନିଂ ଷ୍ଟ୍ରିଟ୍ରେ ଦୀପାବଳି ପାଳିଥିଲେ । ଏଣିକି ସେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଭବନ ୧୦-ଡାଉନିଂ ଷ୍ଟ୍ରିଟ୍ରେ ରହିବେ । ସେଠାରେ ରହିବାରେ ସେ ପ୍ରଥମ ହିନ୍ଦୁ।
ରିଷି ସୁନକ ତାଙ୍କ ଜନ୍ମସ୍ଥାନ ସାଉଥମ୍ପଟନ୍ରେ ମନ୍ଦିର ପ୍ରତିଷ୍ଠା କରିଥିଲେ । ତାଙ୍କ ଜେଜେବାପା ରାମଦାସ୍ ସୁନକ୍ ପ୍ରତିବର୍ଷ ସେଠାକୁ ବ୍ରାହ୍ମଣ ଭୋଜନ କରାଇବାକୁ ଯାଆନ୍ତି। ଗତ ଜୁଲାଇରେ ନିଜେ ସୁନକ୍ ସେଠାକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ଜନ୍ମାଷ୍ଟମୀ ବେଳେ ମଧ୍ୟ ପତ୍ନୀ ଅକ୍ଷତାଙ୍କ ସହ ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତି ରିଷି । ରିଷି ସୁନକ୍ ନିଜ ଟେବୁଲରେ ସବୁବେଳେ ଗଣେଶଙ୍କ ମୂର୍ତ୍ତି ରଖିଥାନ୍ତି ଏବଂ ଏହାକୁ ଶୁଭ ମାନିଥାନ୍ତି । କଠିନ ସମୟରେ ଗୀତା ହିଁ ତାଙ୍କୁ ସମାଧାନର ବାଟ ଦେଖାଏ ବୋଲି ବିଭିନ୍ନ ସମୟରେ କହି ଆସିଛନ୍ତି ସୁନକ୍ । ତେବେ ରୋଚକ କଥା ହେଉଛି ଏଣିକି ଜଣେ ହିନ୍ଦୁ ପ୍ରଧାନମନ୍ତ୍ରୀ ଚର୍ଚ୍ଚ ଅଫ୍ ଇଂଲଣ୍ଡରେ ଧାର୍ମିକ ନିଯୁକ୍ତି ନେଇ କିଙ୍ଗ୍ ଚାର୍ଲସ୍ଙ୍କୁ ପରାମର୍ଶ ଦେବେ। ଅବଶ୍ୟ ସୁନକ୍ ଚାହିଁଲେ ଏହି ଦାୟିତ୍ୱ ତାଙ୍କର ଜଣେ ମନ୍ତ୍ରୀଙ୍କୁ ହସ୍ତାନ୍ତର କରିପାରନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)