Advertisment

ଦୀପାବଳିରେ ଦେଖି ନ ଥିବେ ଏମିତି ଉପହାର, ୨ ପରିବାରରେ ଫେରାଇ ଆଣିଲା ଖୁସି

ଦୀପାବଳିରେ ଏକ ପରମ୍ପରା ରହିଛି । ତାହା ହେଉଛି ଉପହାର ଆଦାନପ୍ରଦାନ । ଏହି ଅବସରରେ ମୁମ୍ବାଇର ଜଣେ ବ୍ୟବସାୟୀ ଦୀପାବଳିରେ ଯେଉଁ ଉପହାର ଦେଇଛନ୍ତି ତାହା ବୋଧହୁଏ ସବୁଠାରୂ ମୂଲ୍ୟବାନ ଉପହାର । ସେ ଉପହାରର ମୂଲ୍ୟ ଆପଣ ଆକଳନ କରିପାରିବେ ନାହିଁ ।

author-image
Minati Mishra
ଅଦ୍ୟତନ ହୋଇଛି
Organ Transplantation On Diwali

man donates his organs as diwali gift

ଅଜ୍ଞାନ ରୂପକ ଅନ୍ଧାରକୁ ହଟାଇ ଜ୍ଞାନର ଆଲୋକରେ ଉଦ୍ଭାସିତ ହେବାର ପର୍ବ ଦୀପାବଳି। ଧୂମଧାମ୍‌ରେ ପାଳିତ ହୋଇ ଯାଇଛି ଏହି ପର୍ବ । ବାଣ ଫୁଟାଇବା, ଦୀପ ଜାଳିବା ବ୍ୟତୀତ ଦୀପାବଳିରେ ଆଉ ଏକ ପରମ୍ପରା ରହିଛି । ତାହା ହେଉଛି ଉପହାର ଆଦାନପ୍ରଦାନ । ଛୋଟ ହେଉ ବା ବଡ, ଆପଣାର ମଣିଷକୁ କିଛି ଗୋଟିଏ ଉପହାର ଦିଆଯାଇଥାଏ। ହେଲେ ମୁମ୍ବାଇର ଜଣେ ବ୍ୟବସାୟୀ ଦୀପାବଳିରେ ମୂଲ୍ୟବାନ ଉପହାର ଦେଇଛନ୍ତି । ସେ ଉପହାରର ମୂଲ୍ୟ ଆପଣ ଆକଳନ କରିପାରିବେ ନାହିଁ ।  ବ୍ୟବସାୟୀ ଜଣକ  ଦୀପାବଳିରେ  ନିଜ ଅଙ୍ଗ ଦାନ କରି ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ମୋଦି ସରକାରଙ୍କ ଦୀପାବଳି ଉପହାର ! ୭୫୦୦୦ ଯୁବପିଢ଼ିଙ୍କୁ ମିଳିବ ଚାକିରି

ମୁମ୍ବାଇର ଏଇ ବ୍ୟବସାୟୀ ଜଣକ ହେଉଛନ୍ତି ପ୍ରଦୀପ ଗାନ୍ଧି। ୬୬ ବର୍ଷ ବୟସ୍କ ପ୍ରଦୀପ ସବୁବେଳେ ତାଙ୍କ ପିଲାମାନଙ୍କୁ କୁହନ୍ତି, ମୋର ପ୍ରତ୍ୟେକଟି କାମ ନିଶ୍ଚିତ ଭାବେ ସମାଜର ହିତ ପାଇଁ ହେବା ଉଚିତ । ଏପରିକି ମୃତ୍ୟୁ ପରେ ବି ମୁଁ ସେମିତି କିଛି କରିବାକୁ ଚାହେଁ। ପିଲାମାନେ ତାଙ୍କୁ ସାନ୍ତ୍ୱନା ଦେଉଥାନ୍ତି, ତାଙ୍କ କଥା ନିଶ୍ଚୟ ରହିବ। ସେଥିପାଇଁ ମୃତ୍ୟୁ ପରେ ତାଙ୍କ ଶରୀର ଦାନ କରିବା ପାଇଁ ପିଲାମାନେ ତାଙ୍କୁ ପ୍ରତିଶ୍ରତି ଦେଇଥିଲେ। ଆଉ ଦୀପାବଳିରେ ତାଙ୍କର ଅଙ୍ଗଦାନ କରାଯାଇଛି। ସେହି ଅଙ୍ଗ  ଆଜି ଦୁଇଟି ପରିବାରରେ ଫେରାଇ ଆଣିଛି ଅଫୁରନ୍ତ ଖୁସି ।

Advertisment

ଗାନ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ଶନିବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେ ଚେତାଶୂନ୍ୟ ଥିଲେ ଏବଂ ତାଙ୍କ ମସ୍ତିଷ୍କରୁ ରକ୍ତସ୍ରାବ ହେଉଥିଲା। ପରେ ପରେ ଡାକ୍ତର ବି ତାଙ୍କୁ ବ୍ରେନ ଡେଡ ଘୋଷଣା କରିଥିଲେ। ତା ପରେ ତାଙ୍କର ଅଙ୍ଗ ଦାନ କରାଯାଇଥିଲା। 

ପ୍ରଥମେ ଗାନ୍ଧିଙ୍କ ପୁଅ ପ୍ରଣୀତ ବାପାଙ୍କ ଅଙ୍ଗଦାନ କରିବା ପାଇଁ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ମିଶି ନିଷ୍ପତ୍ତି ନେଲେ ତାଙ୍କର ଲିଭର ଏବଂ କିଡ୍‌ନୀ ଦାନ କରିବେ। ତ୍ୱଚା ସଂଗ୍ରହ କରିବା ପାଇଁ ବି ନିଷ୍ପତ୍ତି ନେଇଥିଲେ । ପ୍ରଦୀପ ଗାନ୍ଧିଙ୍କ ପ଼ତ୍ନୀ ଜୟଶ୍ରୀ, ଭାଇ ଦେବାଙ୍ଗ ଏବଂ ଅନ୍ୟ ସଭ୍ୟମାନେ ତୁରନ୍ତ ଅଙ୍ଗ ଦାନ କରିବା ପାଇଁ ନିଷ୍ପତ୍ତି ନେଲେ। ପ୍ରଣୀତ ଆହୁରି କହିଥିଲେ ତାଙ୍କ ବାପାଙ୍କ ଶରୀର ଅଲଜାଇମର ରୋଗର ଗବେଷଣା ପାଇଁ ଦାନ କରିବାକୁ ଚାହୁଁଥିଲେ। କିନ୍ତୁ ସେତେବେଳେ ସମ୍ଭବ ହୋଇ ପାରି ନ ଥିଲା। କାରଣ ପରିବାର ଲୋକେ ଚାହୁଁଥିଲେ ଆମେରିକାରେ ଥିବା ତାଙ୍କର ପୁଅ ଦେବାଙ୍ଗ ପହଞ୍ଚିବା ପରେ ଏହି କର୍ଯ୍ୟକ୍ରମ ଆରମ୍ଭ ହେଉ। ହେଲେ ଦେବାଙ୍ଗ ପହଞ୍ଚିବା ବେଳକୁ ପ୍ରଦୀପଙ୍କୁ ଡାକ୍ତର ବ୍ରେନଡେଡ୍‌ ଘୋଷଣା କରି ସାରିଥିଲେ। ଯଦ୍ୱାରା ଅଙ୍ଗ ସଂଗ୍ରହ ସମ୍ଭବ ହୋଇ ପାରି ନ ଥିଲା।

ଯାହା ବି ହେଉ, ଅଙ୍ଗଦାନ ପାଇଁ ପରିବାର ଲୋକେ ରାଜିହେବା ପରେ ଡାକ୍ତର ପରୀକ୍ଷା କରି ଦେଖିଲେ, ତାଙ୍କର ହାର୍ଟ ଏବଂ ଲଙ୍ଗସ୍‌ ଟ୍ରାନ୍ସପ୍ଲାଣ୍ଟ ହୋଇପାରିବ ନାହିଁ। ତେବେ ନାଭି ମୁମ୍ବାଇସ୍ଥିତ ନାଶନାଲ ବର୍ଣ୍ଣ ସେଣ୍ଟରର ଡାକ୍ତରମାନେ ତାଙ୍କର ତ୍ୱଚାକୁ ସଂଗ୍ରହ କରି ନେଇଛନ୍ତି। ଏଥିସହିତ ତାଙ୍କର ଗୋଟିଏ କିଡ୍‌ନୀ ମଧ୍ୟ କୋକିଲାବେନ୍‌ ଧୀରୁବାଈ ଅମ୍ବାନୀ ହସ୍‌ପିଟାଲକୁ ପଠାଯାଇଛି। ଏଥିସହିତ ତାଙ୍କର ଲିଭରର ଟ୍ରାନ୍ସପ୍ଲାଣ୍ଟ ହୋଇସାରିଛି। ସୋମବାର ହିରାନନ୍ଦନି ହସ୍‌ପିଟାଲରେ ଜଣେ ୩୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଏହାକୁ ପ୍ରତ୍ୟାରୋପଣ କରାଯାଇଛି। ଏହି ବ୍ୟକ୍ତି ଜଣକ ୬ ମାସ ହେଲା ସିରୋସିସ ଆକ୍ରାନ୍ତ ଥିଲେ । ସେହି ଡାକ୍ତରଖାନାର ଜଣେ ୩୯ ବର୍ଷ ବୟସ୍କା ମହିଳାଙ୍କ ଶରୀରରେ ତାଙ୍କର କୀଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଛି। ୨୦୧୯ରୁ ତାଙ୍କ ଡାୟଲୋସିସ୍ ହେଉଥିଲା।

ଡାକ୍ତରଙ୍କ କହିବା ଅନୁଯାୟୀ, ଗାନ୍ଧିଙ୍କ ପରିବାରଙ୍କ ସମେତ ୪ ଜଣ ଅଙ୍ଗଦାନ ପାଇଁ କହିଥିଲେ। ହେଲେ କେବଳ ପ୍ରଦୀପଙ୍କ ପରିବାର ହିଁ ତାଙ୍କ ଶରୀର ଦାନ କରିବାକୁ ରାଜି ହୋଇଥିଲେ। ଅନ୍ୟମାନେ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନେଇଥିଲେ। ଅନେକ ସମୟରେ ପରିବାର ଲୋକେ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେବା ବେଳକୁ ବହୁତ ଡେରି ହୋଇଯାଏ। ଫଳରେ ରୋଗୀଙ୍କ ଅଙ୍ଗ ସଂଗ୍ରହ କରାଯାଇ ପାରେ ନାହିଁ। ତେବେ ଦୀପାବଳିରେ ଏଭଳି ଉପହାର ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

Doctors Diwali 2022 Organ Transplantation
Advertisment
Advertisment