• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସନ୍ତାନ ନାହାନ୍ତି ବୋଲି ପିଲାଙ୍କୁ ମାଗଣା ଶିକ୍ଷା ଦେଉଛନ୍ତି ଦମ୍ପତି । ବିବାହ ପରେ ସନ୍ତାନ ଆଶାରେ ଦୀର୍ଘ ଦିନ ଗଲା, କିନ୍ତୁ ସନ୍ତାନ ଆଶା କ୍ଷୀଣ ହୋଇଗଲା । ସନ୍ତାନକୁ ଶିକ୍ଷା ଦେବାର ସ୍ୱପ୍ନ ସାକାର କରିବା ପାଇଁ ଅଭିନବ ପଦକ୍ଷେପ ନେଲେ ଦମ୍ପତି, ଶେଷରେ ଗାଁର ଅବହେଳିତ ଓ ଗରିବ ପରିବାରର ପିଲାଙ୍କୁ ଶିକ୍ଷାଦାନ ଆରମ୍ଭ କଲେ । ନିଜସ୍ୱ ଅର୍ଥ ସହ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଟ୍ରଷ୍ଟ ମାଧ୍ୟମରେ ୬୦ରୁ ଅଧିକ ଅଧିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଆରମ୍ଭ କରିଛନ୍ତି ଦମ୍ପତି ।

ଭଦ୍ରକ ଜିଲ୍ଲା ଗେଲଟୁଆ ପଞ୍ଚାୟତ ଅଧିନ ବଗମରା ଗାଁର ମହେଶ୍ବର ନାୟକ ଓ ଜୟଶ୍ରୀ ନାୟକ । ଦୁହେଁ କିନ୍ତୁ ନିଃସନ୍ତାନ । ମନରେ ସନ୍ତାନ ନଥିବାର ଦୁଃଖ ନାହିଁ, କାରଣ ଏବେ ତାଙ୍କ ସଂସାରରେ ଯୋଡି ଯାଇଛନ୍ତି ୬୦ରୁ ଅଧିକ ପିଲା । ବିବାହ ପରେ ଦୀର୍ଘ ଦିନ ପରେ ମଧ୍ୟ ସନ୍ତାନ ନହେବାରୁ ଏବେ ସେ ନିଜକୁ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଗାଁର ବହୁ ଗରିବ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନିଜର ସନ୍ତାନ ଭାବି ନେଇଛନ୍ତି । ମାଆ ମଙ୍ଗଳା ଏଜୁକେସନ ଚାରିଟେବୁଲ ଟ୍ରଷ୍ଟ ଗଠନ କରି ୬୦ରୁ ଅଧିକ ଛାତ୍ର ଛାତ୍ରୀଙ୍କୁ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଶିକ୍ଷାଦାନ କରୁଛନ୍ତି । ଗାଁ ନିକଟ ମାଆ ମଙ୍ଗଳାଙ୍କ ମନ୍ଦିର ଠାରେ ଏକ ଚାଳିଆ କରି ପାଠ ପଢ଼ାନ୍ତି ମହେଶ୍ୱର ।

ତାଙ୍କର ଏହି କାମକୁ ସହଯୋଗ ଓ ସମର୍ଥନ ଜଣାଇଛନ୍ତି ତାଙ୍କ ସ୍ତ୍ରୀ ଜୟଶ୍ରୀ । ୨୦୨୧ ମସିହା ଅକ୍ଟୋବର ମାସ ୧ ତାରିଖରୁ ୬ଟି ପିଲାଙ୍କୁ ନେଇ ଶିକ୍ଷାଦାନ ଆରମ୍ଭ କରିଥିଲେ । ଧିରେ ଧିରେ ପିଲା ସଂଖ୍ୟା ବଢିବାରେ ଲାଗିଛି ୬ରୁ ଆଜି ୬୦ରୁ ଅଧିକ ହେଲେଣି । ଗାଁ ଛାଡି ଦୁହେଁ ଏବେ ସହରରରେ ରହୁଛନ୍ତି । ପ୍ରତ୍ୟେକ ଦିନ ଅପରାହ୍ନରେ ଗାଁକୁ ଆସି ଶିକ୍ଷାଦାନ କରି ପୁନଃ ସହରରକୁ ଫେରି ଯାଆନ୍ତି । ମନରେ କିନ୍ତୁ ଆତ୍ମତୃପ୍ତି ସ୍ପଷ୍ଟ ବାରି ହୋଇ ପଡୁଛି । ଦୁହେଁ ଆପଣେଇ ନେଇଛନ୍ତି ସେହି କୁନି କୁନି କୋମଳମତୀ ପିଲାମାନଙ୍କୁ । ନିଜର ଭାବି ପିଲାଙ୍କୁ ପାଠ ପଢାନ୍ତି ଆବଶ୍ୟକତା ଓ ସକ୍ଷମତା ଅନୁସାରେ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି । ଏହି ଦମ୍ପତ୍ତିଙ୍କ ପାଇଁ ଯେଉଁ ପିଲାମାନେ ସ୍କୁଲ ଯିବାକୁ ଭୟ ପାଇଉଥିଲେ ସେମାନଙ୍କର ମଧ୍ୟ ବିଦ୍ୟାଳୟରେ ଉପସ୍ଥାପନ ବଢିଲାଣି ।

ଦମ୍ପତିଙ୍କ ଏମିତି ଉଦ୍ୟମକୁ ସହଯୋଗ ଜଣାଇଛନ୍ତି ଗ୍ରାମବାସୀ । ସ୍ଥାନୀୟ ଶିକ୍ଷିତ ଯୁବତୀ ମଧ୍ୟ ନିଜେ ପାଠ ପଢିବା ସହ ସନ୍ଧ୍ୟା ସମୟରେ ପାଠ ପଢ଼ାଉଛନ୍ତି । ତେବେ ୬୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ସହୃଦୟ ବ୍ୟକ୍ତି ସହଯୋଗ କରିଥାନ୍ତି । ଅନେକ ସମୟରେ ଖାଦ୍ୟ ସହ ଡ୍ରେସ, ଖାତା ବହି ମଧ୍ୟ ମଧ୍ୟ ଯୋଗାଇଥାନ୍ତି । ତେବେ ବିଦ୍ୟାଳୟରୁ ଆସିବା ପରେ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ କରିବା ସହ ଆଦିବାସୀ ପିଲାଙ୍କୁ ପାଠ ପଢ଼ାଇବା ଓ ପାଠ ପ୍ରତି ଆକୃଷ୍ଠ କରିବା ହେଉଛି ମୁଖ୍ୟ ଲକ୍ଷ ରହିଛି । ତେବେ ଅଭିଭାବକମାନେ କୁହନ୍ତି ଯେ ସମସ୍ତ ପରିବାର ପିଲାଙ୍କୁ ଟ୍ୟୁସନ ଦେବା ସମ୍ଭବ ନୁହେଁ କି ଅନେକ ଅଭିଭାବକ ପିଲାଙ୍କୁ ଘରେ ପାଠ ପଢ଼ାଇ ପାରନ୍ତି ନାହିଁ, ତେଣୁ ସାରଙ୍କର ଏହି ପ୍ରୟାସ ପାଇଁ ଛାତ୍ରଛାତ୍ରୀ ବେଶ ଭଲ ପାଠ ପଢୁଛନ୍ତି । ଦମ୍ପତିଙ୍କର ଏହି ପ୍ରୟାସ ପାଇଁ ଅନେକ ସହଯୋଗ ମିଳୁଛି ସତ, କିନ୍ତୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଘରଟିଏ ହେଲେ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ହୁଅନ୍ତା ।

(ଭଦ୍ରକରୁ ପ୍ରାର୍ଥସାରଥୀ ନାୟକ)