/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679146357.jpg)
special story
ବିବାହ କଲେ ବିଶ୍ୱର ସବୁଠାରୁ ବାମନ ବଡିବିଲ୍ଡର୍ (shortest bodybuilder) । ଚାରି ବର୍ଷର ପ୍ରେମ ସମ୍ପର୍କ ପରେ ହାତକୁ ଦିହାତ ହୋଇଛନ୍ତି ୨୮ ବର୍ଷୀୟ ପ୍ରତୀକ ବିଠଲ ମୋହିତେ(Pratik Vitthal Mohite) । ଇନଷ୍ଟାଗ୍ରାମରେ ସେ ତାଙ୍କର ବିବାହ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ବିବାହ ରୀତିନୀତି ଏବଂ ଖୁସିରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି ।
ଭାରତକୁ ପ୍ରତିନିଧିତ୍ୱ କରୁଥିବା ବିଶ୍ୱର ସବୁଠାରୁ ବାମନ ବଡିବିଲଡର ପ୍ରତୀକଙ୍କ ଉଚ୍ଚତା ୩ ଫୁଟ ୩ ଇଞ୍ଚ । ସେ ୨୨ ବର୍ଷିୟା ଜୟାଙ୍କୁ ବିବାହ କରିଛନ୍ତି । ଜୟାଙ୍କ ଉଚ୍ଚତା ୪ ଫୁଟ ୨ଇଞ୍ଚ । ପ୍ରତୀକ ୨୦୨୧ରେ ଗିନିଜ ୱାର୍ଲ୍ଡ ରେକର୍ଡସରେ ବିଶ୍ୱର ସବୁଠାରୁ ବାମନ ବଡିବିଲଡର(ପୁରୁଷ) ଭାବେ ସ୍ଥାନ ପାଇଥିଲେ।
ମହାରାଷ୍ଟ୍ରରେ ଜନ୍ମ ଗ୍ରହଣ କରିଥିବା ପ୍ରତୀକ ୪ ବର୍ଷ ତଳେ ଜୟାଙ୍କୁ ଭେଟିଥିଲେ । ପ୍ରଥମ ଦେଖାରେ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହାପରେ ସେମାନଙ୍କ ନିର୍ବନ୍ଧ ହୋଇଥିଲା । ଏବେ ଉଭୟ ସାତ ଜନ୍ମ ପାଇଁ ପରସ୍ପରକୁ ଜୀବନସାଥୀ ରୂପେ ବାଛିଛନ୍ତି ।
ଭିଡିଓରେ ଦେଖିବାକୁ ମିଳୁଛି, ପ୍ରତୀକ ବର ବେଶରେ ସଜବାଜ ହୋଇ ଡିଜେର ତାଳେ ତାଳେ ଧୂଆଁଧାର ଡାନ୍ସ କରୁଛନ୍ତି । ତାଙ୍କ ସହ ବରଯାତ୍ରୀମାନେ ମଧ୍ୟ ରାସ୍ତାରେ ନାଚୁଥିବା ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ପ୍ରତୀକ ତାଙ୍କ ପତ୍ନୀଙ୍କ ପାଖରେ ଛିଡ଼ା ହୋଇଛନ୍ତି । ଏହି ଫଟୋରେ ଉଭୟଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ରହିଛନ୍ତି ।
୨୦୧୬ରେ ପ୍ରଥମ ଥର ପାଇଁ ସେ ବଡିବିଲଡିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହାପରେ ସେ ଗିନିଜ ୱାଲର୍ଡ ରେକର୍ଡ ପାଇଁ ଆବେଦନ କରିଥିଲେ। ତାଙ୍କୁ ୨୦୨୧ରେ ବିଶ୍ୱର ସବୁଠାରୁ ଗେଡ଼ା କମ୍ପିଟେଟିଭ ବଡିବିଲଡର ଭାବେ ଗିନିଜ ୱାଲର୍ଡ ରେକର୍ଡସରେ ସ୍ଥାନ ମିଳିଥିଲା।
ପ୍ରତୀକ ୪ ବର୍ଷ ହେଲା ଜୟାଙ୍କୁ ପ୍ରେମ କରୁଥିଲେ ମଧ୍ୟ ବିବାହ କରିବାକୁ ଭୟ କରୁଥିଲେ । ପ୍ରଥମେ ସେ ଚାକିରି କରିବାକୁ ଚାହୁଁଥିଲେ । ଏହା ଦ୍ୱାରା ସେ ପତ୍ନୀଙ୍କ ସହ ଖୁସିରେ ରହିପାରିବେ ବୋଲି ଭାବିଥିଲେ । ଏବେ ସେ ପତ୍ନୀଙ୍କୁ ଚଳାଇବାକୁ ସକ୍ଷମ ହୋଇଥିବାରୁ ଚଳିତ ସପ୍ତାହରେ ହିଁ ଜୟାଙ୍କୁ ମରାଠୀ ପରମ୍ପରା ଅନୁସାରେ ବାହା ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)