ଆଜିକାଲି ପ୍ରାୟ ଯୁବାବସ୍ଥାରୁ ନେଇ ପ୍ରାପ୍ତ ବୟସ୍କ ସମସ୍ତଙ୍କଠାରେ ଡାଇବେଟିସ୍ ପରେ ଆଉ ଏକ ସାଧାରଣ ସମସ୍ୟା ହେଉଛି ଥାଇରଏଡ୍ ଜନିତ ସମସ୍ୟା। ଆପଣମାନେ ପିଲାଦିନେ ବିଜ୍ଞାନ ବହିରେ ପଢ଼ିଥିବେ ଶରୀରରେ ଆୟୋଡିନ୍ ଅଭାବରେ ଗଳଗଣ୍ଡ ରୋଗ ହୁଏ ଯାହା ଦ୍ୱାରା ଗଳା ଫୁଲିଯାଏ। ଏହା ପ୍ରକୃତରେ ଥାଇରଏଡ଼୍ ଗ୍ରନ୍ଥି ଫୁଲିବାର ହିଁ ଲକ୍ଷଣ। ଥାଇରଏଡ଼୍ ମନୁଷ୍ୟ ଗଳାରେ ଥିବା ଏକ ଅତ୍ୟନ୍ତ ଆବଶ୍ୟକ ଅନ୍ତଃସ୍ରାବୀ ଗ୍ରନ୍ଥି ଯାହା ଥାଇରକ୍ସିନ୍(T4)ଓ ଟ୍ରିଡୋଥାଇରୋନାଇନ୍ (T3) ନାମକ ହରମୋନ୍ କ୍ଷରଣ କରେ।
ଏହି ହରମୋନ୍ ଆମ ଶରାରର ସମସ୍ତ ତନ୍ତ୍ରକୁ ସୁ ନିୟନ୍ତ୍ରିତ କରେ। ତେବେ ଏହାର କାର୍ଯ୍ୟକାରିତା ଆମର ଖାଦ୍ୟରେ ଥିବା ପୋଷକ ଓ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଉପରେ ନିର୍ଭର କରେ। ଏହି କାରକଗୁଡ଼ିକର ପ୍ରଭାବରେ ଥାଇରକ୍ସିନ୍ କ୍ଷରଣରେ ପରିବର୍ତ୍ତନ ହେଲେ ହାଇପରଥାଇରଏଡିଜିମ୍ ରୁ ଆରମ୍ଭ କରି ଥାଇରଏଡ୍ କ୍ୟାନସର ପରି ଅନେକ ରୋଗ ହେବାର ସମ୍ଭାବନା ରହିଥାଏ।
ଶରୀରର ପ୍ରତି ଆଭ୍ୟନ୍ତରୀଣ ବ୍ୟବସ୍ଥା ଓ ଜୈବ-ରାସାୟନିକ ପ୍ରକ୍ରିୟାଗୁଡ଼ିକ ପାଇଁ ଉପଯୁକ୍ତ ପରିମାଣର ଭିଟାମିନ୍, ଆୟୋଡିନ୍, ସେଲେନିୟମ୍ ଓ ଆଇରନ୍ ପରି ମାଇକ୍ରୋନ୍ୟୁଟ୍ରିଏଣ୍ଟ ଏବଂ ଲିପିଡ୍, ପ୍ରୋଟିନ୍ ତଥା କାର୍ବୋହାଇଡ୍ରେଟ୍ ପରି ମାକ୍ରୋନ୍ୟୁଟ୍ରିଏଣ୍ଟ ଆବଶ୍ୟକ ହୋଇଥାଏ। ଏବେ ନିମ୍ନରେ କେତେକ ଅତ୍ୟାବଶ୍ୟକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଓ ଅନ୍ୟପୋଷକ ବିଷୟରେ ଜାଣିବା।
Also Read
ଆୟୋଡିନ୍-
ଏହା ଥାଇରକ୍ସିନ୍ ମେଟାବୋଲିଜମ୍ରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହା ଆମ ଖାଦ୍ୟରୁ ଆୟୋଡିନ୍ ଆୟନ ରୂପେ କ୍ଷୁଦାନ୍ତ୍ର ବା ଇଣ୍ଟେଷ୍ଟାଇନ୍ରେ ଅବଶୋଷିତ ହୁଏ ଏବଂ ରକ୍ତ ପ୍ରବାହ ମାଧ୍ୟମରେ ଥାଇରଏଡ୍ରେ ପହଞ୍ଚେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁପାରିଶ ଅନୁଯାୟୀ ଜଣେ ପ୍ରାପ୍ତ ବୟସ୍କ ଦିନକୁ ୧୫୦ ମାଇକ୍ରୋ ଗ୍ରା. ଆୟୋଡିନ୍ ସେବନ କରିବା ଜରୁରୀ। ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହା ବଢ଼ି ୨୫୦ ହୋଇଥାଏ। ଗର୍ଭାବସ୍ଥାରେ ଆୟୋଡିନ୍ ସେବନରେ ଅନିୟମିତତା କାରଣରୁ ଶିଶୁଠାରେ ସ୍ନାୟୁ ଜନିତ ସମସ୍ୟା ମଧ୍ୟ ଦେଖାଯାଏ। ତେବେ ଆୟୋଡିନ୍ ଦରକାରଠୁ ଅଧିକ ମାତ୍ରରେ ସେବନ ଦ୍ୱାରା ମଧ୍ୟ ହାଇପରଥାଇରଏଡିଜିମ୍ ହେବାର ଆଶଙ୍କା ରହେ।
ଏଣୁ ଆମର ଦୈନନ୍ଦିନ ଲୁଣ ଖାଇବା ମାତ୍ରା ପ୍ରତି ସଚେତନ ରହିବା ଜରୁରୀ। ଅତ୍ୟଧିକ ଲବଣଯୁକ୍ତ ଖାଦ୍ୟ, ବ୍ରାସିକାସିଏ ବର୍ଗ ଅନ୍ତଭୁକ୍ତ ପନିପରିବା ଯେପରିକି କୋବି, ମୂଳା, ଅତ୍ୟଧିକ ମିଲେଟ୍ ଇତ୍ୟାଦି ଖାଇବା ଦ୍ୱାରା ଆୟୋଡିନ୍ର ଶୋଷଣରେ ଅନିୟମିତତା ଲକ୍ଷ୍ୟ କରାଯାଏ। ଏଥିସହିତ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ସିଗାରେଟ୍ ନିର୍ଗତ ଧୂଆଁରେ ଥାୟୋସିଆନେଟ୍ସ ମାତ୍ରା ଅଧିକ ଥାଏ ଯାହା ଗଏଟର ପାଇଁ ଦାୟୀ ଅଟେ। ଥାଇରକ୍ସିନ୍ ଅନିୟମିତତା ଶରୀରର ମେଟାବୋଲିଜିମ୍ କୁ ପ୍ରଭାବିତ କରି ମୋଟାପଣ ବଢ଼ାଇବାର କାରଣ ହୁଏ।
ସେଲେନିୟମ୍-
ଥାଇରଏଡ୍ ପାଇଁ ଏକ ଜରୁରୀ ଟ୍ରେସ୍ ଏଲିମେଣ୍ଟ କୁହାଯାଉଥିବା ସେଲେନିୟମ୍ ମାନବ ଶରୀରରେ 14 ମାଇକ୍ରୋ ଗ୍ରା.ର ଉପଲବ୍ଧ ଥାଏ। ଏହା ଗ୍ଲୁଟାଥାୟୋନ୍ ଓ ଆୟୋଡୋଥାଇରୋନାଇନ୍ ନାମକ ଏନ୍ଜାଇମ୍ ଉତ୍ପାଦନରେ ଏକ ଗୁରୁତ୍ୱପୂର୍ଣ୍ଣ କାରକ। ଏହି ଏନଜାଇମ୍ କୋଷଗୁଡ଼ିକରେ ହାଇଡ୍ରୋଜେନ୍ ପେରକ୍ସାଇଡ୍ ଭାଙ୍ଗି ଜାରଣ ହ୍ରାସ କରି କୋଷ ନଷ୍ଟ ହେବା ପ୍ରକ୍ରିୟାକୁ ମନ୍ଥର କରେ। ତେବେ ଏଥିରେ ବ୍ୟବହୃତ ଏନଜାଇମ୍ ଥାଇରଏଡ୍ ପେରକ୍ସିଡେଜ୍ ଥାଇରଏଡ୍ କୁ ନିଷ୍କ୍ରିୟ କରିଦେବାର ପ୍ରମାଣ ଦେଖାଯାଏ। ଗର୍ଭାବସ୍ଥାରେ ସେଲେନିୟମ୍ର କମ୍ ହେବା ଦ୍ୱାରା ଛୁଆର ହାଇପୋଥାଇରଏଡିଜିମ୍ ହେବାର ଆଶଙ୍କା ରହେ।
ଆଇରନ୍ ବା ଲୌହ-
ଏକ ପ୍ରାପ୍ତ ବୟସ୍କ ବ୍ୟକ୍ତି ଶରୀରରେ ୪ ଗ୍ରା ଲୌହ ରହିବା ଜରୁରୀ ଅଟେ। ରକ୍ତରେ ଥିବାହେମୋଗ୍ଲୋବିନ୍ ଦ୍ୱାରା ଆଇରନ୍ ପରିବାହିତ ହୁଏ ଏବଂ ରକ୍ତର କମ୍ ହେବା ବା ହେମୋଗ୍ଲୋବିନ୍ କମ୍ ହେବା ଦ୍ୱାରା ଲୌହର ପରିମାଣ କମିଥାଏ। ଆଇରନ୍ ଅଭାବ ଓ ଆନିମିଆ ସିଧାସଳଖ ହାଇପୋଥାଇରଡିଜିମ୍ ହେବାର କାରଣ ହୋଇପାରନ୍ତି ଏହା ଶରୀରର ସ୍ୱୟଂଚାଳିତ ରୋଗପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରନ୍ତି।
ଭିଟାମିନ୍ ଡି ଓ ଜିଙ୍କ୍-
ଭିଟାମିନ୍ ଡି ଥାଇରଏଡ୍ ଗ୍ରନ୍ଥିର କାର୍ଯ୍ୟକାରିତା ପାଇଁ ଉଲ୍ଲେଖନୀୟ। ଏହା ଇନ୍ନେଟ୍ ଇମ୍ୟୁନୋ ରେସପନ୍ସ ବା ଜନ୍ମଗତ ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବାରେ ସହାୟକ ହୋଇଥିବାରୁ କୌଣସି ଅଟୋ ଇମ୍ୟୁନୋ ସମସ୍ୟାକୁ ଏଡ଼େଇବାରେ ଏହା ଥାଇରଏଡ଼୍ରେ ଇମ୍ୟୁନୋ ସହନଶୀଳତା ବା ଇମ୍ୟୁନୋ ଟଲେରାନ୍ସ ବିକାଶ କରେ।
ଜିଙ୍କ୍ ଏକ ଏପରି ଟ୍ରେସ୍ ଏଲିମେଣ୍ଟ ଯାହା କୋଷ ବୃଦ୍ଧି ଓ ଅନ୍ୟ ଶାରୀରିକ କ୍ରିୟା ପାଇଁ ଆବଶ୍ୟକ ଏନଜାଇମ୍ ଗୁଡ଼ିକର କୋଫ୍ୟାକ୍ଟର ରୂପେ କାର୍ଯ୍ୟକରେ। ଜିଙ୍କ୍ ଅଭାବ ରହିଲେ ଛୋଟ ଛୁଆ ଓ ବୟସ୍କମାନଙ୍କର ଥାଇରଏଡ଼୍ ଗ୍ରନ୍ଥି ବୃଦ୍ଧି ପାଇବା ପରି ସମସ୍ୟା ଦେଖାଯାଏ।
କପର୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ଏ ଓ ଭିଟାମିନ୍ ବି ୧୨ ପରି ମାଇକ୍ରୋନ୍ୟୁଟ୍ରିଏଣ୍ଟ
ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗ ଯେପରିକି ଲିଭର୍ ଇତ୍ୟାଦି, ମାଛ, ପୂର୍ଣ୍ଣାଙ୍ଗ ଶସ୍ୟ, ମଞ୍ଜିଜାତୀୟ ଖାଦ୍ୟ, ଚକୋଲେଟ୍ ଓ ପତ୍ରଜାତୀୟ ପରିବାରେ କପର୍ ପ୍ରଚୁର ରହିଥାଏ। ଏହା ଥାଇରକ୍ସିନ୍ ହରମୋନ୍ ଉତ୍ପାଦନରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ। ଏହା ଶରୀରର କ୍ୟାଲସିୟମ୍ ସ୍ତର ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୁଏ।
ମ୍ୟାଗ୍ନେସିୟମ୍ ଶାଗ, ଡାଲି, ନଟ୍ସ, ମଞ୍ଜି, କ୍ଷୀର, ହୋଲ୍ ଗ୍ରେନ୍ ଆଦିରୁ ପ୍ରଚୁର ମିଳେ। ଏହା ଏ.ଟି.ପି ପ୍ରସ୍ତୁତି ଓ ଡି.ଏନ୍.ଏ ପ୍ରତିରୂପଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ। ଥାଇରଏଡ୍ ହରମୋନ୍ ମେଟାବୋଲିଜିମ୍ରେ ଜଡ଼ିତ ଏନ୍ଜାଇମ୍ ପ୍ରତିକ୍ରିୟାରେ ମଧ୍ୟ ସହାୟକ ହୁଏ। କିନ୍ତୁ ମ୍ୟାଗ୍ନେସିୟମ୍ ଅଧିକ ପରିମାଣର ହେଲେ ମଧ୍ୟ ଥାଇରଏଡ୍ କାର୍ଯ୍ୟକାରିତା ବୃଦ୍ଧି ହୁଏ।
ସ୍ନେହସାରରେ ଦ୍ରବଣୀୟ ଭିଟାମିନ୍ ଏ ଥାଇରଏଡ୍ ଗ୍ରନ୍ଥି ହୋମିଓଷ୍ଟାସିସ୍ରେ ଉପାଦେୟ। ଟି୩ ର ଟି୪କୁ ରୂପାନ୍ତରଣରେ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ଏହାର ଅଭାବରେ ଟି.ଏସ୍.ଏଚ୍ ହରମୋନ୍ ସମ୍ବେଦନଶୀଳତା ହରାଏ। ଏହା ଇମ୍ୟୁନେୋ କାର୍ଯ୍ୟକାରିତା ନିୟନ୍ତ୍ରଣ କରିବା ସହ ଥାଇରଏଡ୍ ହରମୋନ୍ ପରିବହନ ଓ ବିତରଣରେ ସହାୟକ ହୁଏ।
ଭିଟାମିନ୍ ବି୧୨ ମଧ୍ୟ ଏକ ପ୍ରମୁଖ କାରକ ଭାବେ ଥାଇରଏଡ୍ କାର୍ଯ୍ୟକାରିତାକୁ ପ୍ରଭାବିତ କରେ। ଏହା ମାଂସ, ଦୁଗ୍ଧଜାତ ଦ୍ରବ୍ୟ ତଥା ଅଣ୍ଡା ଆଦିରେ ଉପଲବ୍ଧ ଥିବା ବେଳେ ଏହାର ଅଭାବରେ ଆନିମିଆ ପରି ଲକ୍ଷଣ ଦେଖାଯାଏ ଯାହା ପ୍ରକାରାନ୍ତରେ ଥାଇରଏଡ୍ ଅନିୟମିତତାର କାରଣ ହୁଏ।
ଖାଦ୍ୟରେ ଯଥେଷ୍ଟ ପରିମାଣର ଆୟୋଡିନ୍ ରହିଲେ ଥାଇରଏଡ୍ କାର୍ଯ୍ୟକାରିତା ସହଜ ହେବା ସହ ଏହା ସମ୍ବନ୍ଧିତ କୌଣସି ବ୍ୟାଧି ସୃଷ୍ଟି ହେବ ନାହିଁ। ହାଇପୋଥାଇରଏଡ୍ ରହୁଥିବା ବ୍ୟକ୍ତିମାନେ ଆଇରନ୍, ଭିଟାମିନ୍ ଓ ଭିଟାମିନ୍ ବି୧୨ର ଉପଲବ୍ଧତା ଯାଞ୍ଚ କରିନିଅନ୍ତୁ। ପୋଷକ ଓ ଶରୀରର ହରମୋନ୍ କାର୍ଯ୍ୟକାରିତା ସର୍ବଦା ନିର୍ଭରଶୀଳ। ଏଣୁ ଉପଯୁକ୍ତ ଖାଦ୍ୟାହାର ସହ ଜଳପାନ ହିଁ ଥାଇରଏଡ୍ ପରି ସମସ୍ୟା ଏଡାଇବାରେ ସକ୍ଷମ ହେବ।
ଇମେଲ୍ - jmohapatra13@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)