• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଜା ବାଜୁଛି, କୀର୍ତ୍ତନ ବି ଚାଲିଛି । ସମସ୍ତେ ପରସ୍ପରକୁ ଫୁଲ ଦେଇ ଆଲିଙ୍ଗନ କରୁଛନ୍ତି । ନିଜ ନିଜ ଭିତରେ ଜୁହାର ଭେଟ ବି ହେଉଛନ୍ତି । ନା ଅଛି ମନରେ ରାଗ ନା ଅଛି ମନ ମାଳିନ୍ୟ । ସବୁ ଭେଦ ଭାବକୁ ଭୁଲି ସମସ୍ତେ ସମସ୍ତଙ୍କୁ ଫୁଲ ଦେଇ ଜୁହାର ଭେଟ ହେଉଛନ୍ତି । ଏମିତି କି ମହିଳାଙ୍କ ହୁଳହୁଳିରେ କମ୍ପୁଛି ପୂରା ପରିବେଶ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ବେଲପଡା ବ୍ଲକ ତେନ୍ତୁଳିମୁଣ୍ଡା ଗାଁରେ ।

ବିଶ୍ୱାସ ରହିଛି ଏଇ ସମୟରେ ମାଆ ବନଦୁର୍ଗାଙ୍କ ପୂଜା କଲେ ବିଜୟ ସୁନିଶ୍ଚିତ ହୁଏ । ତେଣୁ ପ୍ରତିବର୍ଷ ଏଇ ସମୟରେ ମାଆଙ୍କୁ ବିଶେଷ ଭାବରେ ଆରଧାନ କରନ୍ତି ବ୍ରତଧାରୀ । ନାମସଂକୀର୍ତ୍ତନ ସହ ଭକ୍ତି ଭାବରେ ବିଭୋର ହୋଇଥାନ୍ତି ହବିଷ୍ୟାଳି । ଇଶ୍ୱରଙ୍କୁ ନେଇ ଏମାନେ ଏତେ ଭାବପ୍ରବଣ ହୋଇଥାନ୍ତି ଯେ, ସଂସାରରେ କଣ ଚାଲିଛି ସତେ ଯେମିତି ଏମାନଙ୍କୁ ଜଣାନାହିଁ ।

ପ୍ରାଚୀନ ପରମ୍ପରାକୁ ମନେ ରଖି ହବିଷ୍ୟାଳିମାନେ ଜଙ୍ଗଲ ଭିତରେ ଥିବା ବନଦୁର୍ଗାଙ୍କ ପାଖରେ ଧୁମ୍‌ ଧାମ୍‌ରେ ପୂଜାର୍ଚ୍ଚନା କରନ୍ତି । ପରେ ନାଚଗୀତ କରି ପରସ୍ପରକୁ ସିରିଆଲ ଫୁଲ ମଖାଇ ଜୁହାର ଭେଟ ବି ହୁଅନ୍ତି । ବ୍ରତଧାରୀମାନେ କୁହନ୍ତି, ଆମ ପୂର୍ବପୁରୁଷମାନେ ବନଦୁର୍ଗାଙ୍କୁ ପୂଜା କରୁଥିଲେ ସେଥିଲାଗି ଆମେ ବି କରୁଛୁ ।

ଗାଁ ଲୋକଙ୍କ କହିବା ଅନୁସାରେ, ଲଙ୍କାପତି ରାବଣର ପୁଅ ଇନ୍ଦ୍ରଜିତ୍ ହବିଷ ସମୟରେ ବଣରେ ରହି ମାଆଙ୍କୁ ଆବାହନ କରିଥିଲେ । ଆଉ ମାଆ ପ୍ରସନ୍ନ ହେବା ପରେ ସିରିଆଲ ଫୁଲକୁ ଧରି ଇନ୍ଦ୍ରପୁର ଆକ୍ରମଣ କରିଥିଲେ ଇନ୍ଦ୍ରଜିତ୍ । ଆଉ ବିଜୟ ବି ହୋଇଥିଲେ । ତେଣୁ ସେବେଠାରୁ ଜଙ୍ଗଲକୁ ଯାଇ ମାଆଙ୍କର ପୂଜାର୍ଚ୍ଚନା କରିବା ପରେ ସିରିଆଲ ଫୁଲକୁ ଧରି ଘରକୁ ଫେରନ୍ତି ବ୍ରତଧାରୀ । ଏମିତିକି ସାଙ୍ଗରେ ଆଣିଥିବା ଫୁଲକୁ ଘରର ଇଷ୍ଟଦେବୀଙ୍କୁ ସମର୍ପଣ କରନ୍ତି ବ୍ରତଧାରୀ ।

(ରିପୋର୍ଟ- କରୁଣାକର ବୁଡେକ, ପାଟଣାଗଡ଼)