• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଓଡ଼ିଶାର ପାରମ୍ପରିକ ଗଣପର୍ବ ରଜ। ତିନିଦିନ ଧରି ରଜ ପାଳନ କରାଯାଇଥାଏ। ରଜରେ ଘରେ ଘରେ ପିଠା ପଣା, ଦୋଳି ଖେଳ ସହ ରଜ ପାନର ମଜା ଉଠାଇଥାନ୍ତି ଲୋକମାନେ। ଯେମିତି ସଜବାଜ ହେବା, ପୋଡ଼ ପିଠା ଖାଇବା ଆଉ ଦୋଳି ଖେଳିବା ରଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ଠିକ୍‌ ସେମିତି ପାନ ଖିଆ ବି ଏହି ଗଣପର୍ବର ଏକ ଅବିଚ୍ଛିନ୍ନ ଅଙ୍ଗ। ଅନ୍ୟ ଦିନମାନଙ୍କରେ ପାନ ନ ହେଲେ ନାହିଁ, କିନ୍ତୁ ରଜରେ ଝିଅମାନେ ପାନ ଖାଇବା ଥୟ। ସେଇଥି ପାଇଁ ତ ପ୍ରତି ବର୍ଷ ରଜ ଆସିଲେ ଜମି ଉଠେ ପାନ ବଜାର। ରଜ ପୂର୍ବରୁ ଛକ ଛକରେ ଲାଗେ ଭେରାଇଟି ପାନ ଦୋକାନ। କିଏ ବନାରସି ମସଲା ପାନ ବିକ୍ରି କରେ ତ ଆଉ କିଏ କଲିକତାର ସ୍ପେଶାଲ ମସଲା ପାନ ତିଆରି କରେ।

ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ପ୍ରୀତିର ବନ୍ଧନ ହେଉଛି ପାନ। ଭୋଜନ ଶେଷରେ ତାମ୍ବୁଳ(ପାନ) ସେବା ଏକ ନିଆରା ଓଡିଆ ବ୍ୟବସ୍ଥା। ଓଡ଼ିଆ ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନ ଶେଷରେ ତାମ୍ବୁଳ ସେବା କରି ନିଦ୍ରା ଯିବା ପରମ୍ପରା ରହିଛି।

ପାନ ହେଉଛି ମୁଖବାସ ଓ ପରିତୋଷ। ରଜ ସହିତ ପାନର ସଂପର୍କ ନିଆରେ। କୁହାଯାଏ ଯେ ଏହା ବନ୍ଧୁତାର ଡୋରିକୁ ସୁଦୃଢ କରେ। ଏନେଇ ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି।

ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ। ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ (କ୍ୟାଲ୍‌ସିୟମ) ଓ ଖଇର ଦାନ୍ତକୁ ମଜବୁତ କରିଥାଏ। ରଜପାନର ମହକ ସାରାବର୍ଷର ପାନକୁ ବଳିଯାଏ। ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ୍‌ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ଦିଆହୁଏ।

ଖାଲି ଏତିକି ନୁହେଁ, ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଭଙ୍ଗାଯାଏ ଓ ଥାଳିରେ ସଜାଇ ଦିଆଯାଏ। ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ନିଆରା। ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢିଯାଏ। ରଜ ସହିତ ପାନର ସଂପର୍କକୁ ନେଇ ଢଗରେ ଅଛି-

‘ପାନଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଗଲା ଶିରରେ, ରାଜା ହୋଇଗଲା ରଜରେ’।

OTV is now on Whatsapp

Join and get latest news update delivered to you via whatsapp

Join Now