• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରଜ ଉତ୍ସବର ଆଜି ଅନ୍ତିମ ଦିନ । ଆଜି ଭୂମି ଦହନ । ଆସନ୍ତାକାଲି ହେବ ବସୁମତୀ ସ୍ନାନ । ଶେଷ ରଜକୁ ଖୁବ୍ ଧୁମଧାମରେ ପାଳନ କରୁଛନ୍ତି ରାଜ୍ୟବାସୀ । ତିନି ଦିନ ଧରି ପାଳନ ହେଉଥିବା ଏହି ଗଣପର୍ବକୁ ଆହୁରି ସ୍ମରଣୀୟ କରିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ।

ସଜେଇ ହୋଇ ଦୋଳି ଖେଳରେ ମାତିଛନ୍ତି କୁଆଁରୀ ଝିଅଠାରୁ ଆରମ୍ଭ କରି ବିବାହିତା ନାରୀ । ପିଲାଠୁ ବୁଢା ସମସ୍ତେ ରଜପର୍ବରେ ନିଜକୁ ସାମିଲ କରି ମଜା ଉଠାଉଛନ୍ତି । ସୁସ୍ୱାଦୁ ପିଠାପଣାର ମଜା ଉଠାଉଛନ୍ତି ସମସ୍ତେ । ବିଶେଷ କରି ଉପକୂଳ ଜିଲ୍ଲା ଗୁଡ଼ିକରେ ପିଠା, ମିଠା, ପାନ ଓ ଦୋଳିର ଆସର ସାଙ୍ଗକୁ ପାରଂପରିକ ନାଚଗୀତର ପ୍ରତିଯୋଗିତା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ରଜ ମାହୋଲକୁ ଆହୁରି ରଙ୍ଗୀନ କରିଛି ।

ସେହିପରି ଗତକାଲି ରଜ ସଂକ୍ରାନ୍ତି ଥିଲା । ଦ୍ୱିତୀୟ ରଜରେ ମଧ୍ୟ ବେଶ୍ ଜମିଥିଲା ଆସର । ପିଠା, ମିଠା, ପାନର ବାସ୍ନାରେ ଗାଁଠୁ ସହର ମହକି ଉଠିଥିବା ବେଳେ ଦୋଳି ଖେଳ ଓ ପାରମ୍ପରିକ ନାଚଗୀତରେ କମ୍ପିଥିଲା ପରିବେଶ । ରାଜ୍ୟର କିଛି ସ୍ଥାନରେ ଆୟୋଜିତ ହୋଇଛି ୟୁନିକ୍ ରଜ ସେଲିବ୍ରେସନ୍ ।

ସେହି ସମାନ ଉତ୍ସାହ, ସେଇ ସମାନ ସରାଗ । କାଲି ଭଳି ଆଜି ବି ସକାଳୁ ନୂଆ ପୋଷାକ ଆଉ ନୂଆ ପରିଧାନ ସହ ଗାଁ ଆମ୍ବତୋଟା ନିକଟରେ ଜମିଛି କୁଆଁରୀ ଝିଅଙ୍କ ଭିଡ଼ । ଗତକାଲି କେନ୍ଦ୍ରାପଡ଼ା ପୁରୁଷୋତ୍ତମପୁର ବଟରେ ରଜ ସଂକ୍ରାନ୍ତି ଅବସରରେ ହୋଇଥିଲା ବିଶାଳ ଆୟୋଜନ । ଦୋଳି ଖେଳ ସାଙ୍ଗକୁ ଝୋଟି ଓ ଅନ୍ୟ ପାରମ୍ପରିକ କ୍ରୀଡ଼ା ପ୍ରତିଯୋଗିତାରେ ମଜ୍ଜି ଯାଇଥିଲେ ଝିଅ ବୋହୁ ।

ସେପଟେ ରଜ ସଂକ୍ରାନ୍ତିରେ କଟକ ପ୍ରତାପ ନଗରୀ ନିକଟ ଧାକୁଲେଇ ପୀଠରେ ମନୋରଞ୍ଜନର ବ୍ୟାପକ ଆୟୋଜନ ହୋଇଥିଲା । ଗୋଟିଏ ସ୍ଥାନରେ ଲାଗିଛି ୨୦ରୁ ଅଧିକ ଦୋଳି । ଦୁଇଟି ସେଲ୍ପି ପଏଣ୍ଟରେ ବି ବେଶ୍ ଭିଡ଼। ତା ସାଙ୍ଗକୁ ରଙ୍ଗୀନ ମସଲାଯୁକ୍ତ ବାସନା ପାନର ମହକ । ଆଉ ଜମୁଛି ତାସ୍, ବାଗୁଡ଼ି ଓ ପଶାପାଲିର ଆସର ।

ରାଜଧାନୀ ଉପକଣ୍ଠ କଲ୍ୟାଣପୁରରେ ବି ନିଆରା ରଜ ଉତ୍ସବ । ଗାଁ ମୁଣ୍ଡ ପଡ଼ିଆରେ ଗୋଟିଏ ଲାଇନରେ ଲାଗିଛି ୨୦୦ରୁ ଅଧିକ ଦୋଳି । ରଜ ମହୋତ୍ସବରେ ସାମିଲ ହୋଇଥିଲେ ଗାଁର ପିଲାଠୁ ବୁଢା । ପିଲାଏ ଲାଗି ଦୋଳି ଖେଳରେ ମାତିଥିବା ବେଳେ ପଶାପାଲିରେ ମଜ୍ଜି ରହିଥିଲେ ପୁରୁଖା ଲୋକେ ।

OTV is now on Whatsapp

Join and get latest news update delivered to you via whatsapp

Join Now