• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରହିଛି ଅନେକ ସେବା। ଆଉ ପ୍ରତି ସେବା କିମ୍ବଦନ୍ତୀ ସମ୍ବଳିତ । ଭକ୍ତ ସହ ଜଡିତ। ସେଇଥି ପାଇଁ ତ ସେ ଭକ୍ତର ଭଗବାନ। ତାଙ୍କ ଲୀଳା ଖେଳାର ଆଧାର ହେଲା ଭକ୍ତ ।

ପୁରୀ ଜିଲ୍ଲାର ବାଲିଗାଁ । ଭକ୍ତ ଦାସିଆଙ୍କ ଜନ୍ମସ୍ଥାନ । କିମ୍ୱଦନ୍ତୀ କୁହେ, ଜଗନ୍ନାଥ ମହାପ୍ରଭୁଙ୍କ ପରମଭକ୍ତ ଦାସିଆ ପଠାଇ ଥିବା ନଡିଆକୁ ହାତ ବଢାଇ ନେଇଥିଲେ ମହାବାହୁ । ଯେଉଁଥି ପାଇଁ ଏହି ଗାଁର ରହିଛି ସ୍ୱତନ୍ତ୍ର ପରିଚୟ । ଭକ୍ତ ଓ ଭଗବାନଙ୍କ ସମ୍ପର୍କର ଅନନ୍ୟ ନିଦର୍ଶନ ଦେଖିବାକୁ ମିଳେ ପୁରୀରେ । ରଥଯାତ୍ରାରେ ଭକ୍ତ ଦାସିଆ ପୀଠରୁ ତୁଳସୀ ଯାଇଥାଏ । ଯାହାକୁ ମଣିମାଙ୍କ ଚୂଡାରେ ଲାଗି ହେବା ପରେ ରଥ ଗଡେ। ପ୍ରଶସ୍ତ ସ୍ଥାନରେ ତୁଳସୀ ବନ ସ୍ଥାପନା ବି କରାଯାଇଛି ପୀଠ ସମ୍ମୁଖରେ । ଆଉ ଏହି କିମ୍ୱଦନ୍ତୀକୁ ଆଜି ବି ସାଇତି ରଖିଛନ୍ତି ଗ୍ରାମବାସୀ । ଭକ୍ତ ଦାସିଆଙ୍କ ସମାଧି ସ୍ଥଳକୁ ପ୍ରତିଦିନ ପୂଜା କରାଯାଏ । ଏହାସହ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇ ଏହା ସମ୍ମୁଖରେ ଭକ୍ତ ଦାସିଆଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି । ପ୍ରତ୍ୟେକ ଦିନ ଏଠାରେ ଦୀପ, ଧୂପ ଓ ନୈବେଦ୍ୟ ଲାଗି କରାଯାଉଛି । ଆଜି ବି ଦାସିଆଙ୍କ ସ୍ମୃତିକୁ ସାଉଁଟୁଛନ୍ତି ଗ୍ରାମବାସୀ ।

ସେ ଦାରୁ ଦିଅଁ । ଦାରୁ ଦେବତା । କୋଟି ପ୍ରାଣର ପ୍ରତିଷ୍ଠାତା । ତାଙ୍କ ଲୀଳା ଯେମିତି, ସେବା ବି ସେମିତି । ଜଗନ୍ନାଥ ମନ୍ଦିରର ସେବା ପରମ୍ପରାର ସମ୍ପର୍କ କେବଳ ଦେଉଳ ଭିତରେ ସୀମିତ ତାହା ନୁହେଁ । ସେନାପଟା ଓ ବାହୁଟ ପାଇଁ ସତ୍ୟବାଦୀରୁ ଆସିଥାଏ ବଉଳ କାଠ। ରଥଯାତ୍ରା ସମୟରେ ମହାପ୍ରଭୁ ମନ୍ଦିରରୁ ବାହାରିଥାନ୍ତି । ଶ୍ରୀଅଙ୍ଗ ଯେପରି ସୁରକ୍ଷିତ ରହିବ ସେଥିଲାଗି ବଉଳ କାଠର ପଟା ଶ୍ରୀଅଙ୍ଗରେ ଲାଗି କରାଯାଏ । ତେବେ ଶ୍ରୀଅଙ୍ଗରେ ବଉଳ କାଠ ଲାଗିବା ପଛରେ ବି ରହିଛି କିମ୍ୱଦନ୍ତୀ ।

ଯୁଗେଯୁଗେ ଜଗନ୍ନାଥଙ୍କ ସେବା ଲାଗି ଭକ୍ତ ମନ ସବୁବେଳେ ଆତୁର । ସେ ଅବତାରୀ, ସେ ଯୁଗ ପୁରୁଷ । ଜଗନ୍ନାଥ ସଂସ୍କୃତିରେ ସେବା ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି । ସେବା ପରମ୍ପରା ମଧ୍ୟରେ ଓଡିଶୀ ଅନ୍ୟତମ । ଯାହାର ଆରମ୍ଭ ଶ୍ରୀମନ୍ଦିରରୁ । ଆଉ ରଥ ଯାତ୍ରାରେ ବଡ ଦାଣ୍ଡରେ ଓଡିଶୀ ନୃତ୍ୟାଙ୍ଗନା ଓ ନୃତ୍ୟଶିଳ୍ପୀଙ୍କ ନୃତ୍ୟ ପରିବେଷଣ ବିଭୂ ସେବାର ଆଉ ଏକ ନିଦର୍ଶନ । କଳା ଠାକୁରଙ୍କ ଆଗରେ ନୃତ୍ୟ ପରିବେଷଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ନୃତ୍ୟଶିଳ୍ପୀ । ମହାପ୍ରଭୁଙ୍କୁ ସ୍ମରଣ କରି ତାଙ୍କରି ଉଦ୍ଦେଶ୍ୟରେ ପାଦରେ ଘୁଙ୍ଗୁର ଓ ପାରମ୍ପରିକ ବସ୍ତ୍ର ପରିଧାନ କରି ବିଭୋର ହୋଇ ନାଚିବାକୁ ଅପେକ୍ଷା କରି ରହିଛି ଭକ୍ତ । 

 

 

  • Reported by:
  • JAGDISH DAS