Advertisment

କେଉଁଠି ଅବିକଳ ଅଯୋଧ୍ୟାର ରାମମନ୍ଦିର ତ ଆଉ କେଉଁଠି କୋଏମ୍ବଟୁରର ଆଦିଯୋଗୀଙ୍କ ସୁଉଚ୍ଚ ପ୍ରତିମା !

ପେଣ୍ଡାଲ ବାହାରେ ଲାଗିଛି କୁନି ଝିଅଙ୍କ ମୁକୁଟ ପିନ୍ଧା ହସ ହସ ଫଟୋ । ଆଉ ପଶୁ ପଶୁ ଲେଖାଯାଇଛି ଚାଇ ନା ହୋତେ ଉମା ।

author-image
Satyendu Shekher Mishra
Kolkata Puja Mandap

Kolkata Puja Mandap

ଜାକଜମକ ନୁହେଁ ସଜେଇ ହୋଇଛି ଯନ୍ତ୍ରଣା । ଆଡ଼ମ୍ବର କି ଉଲ୍ଲାସ ନୁହେଁ, ଅନେକ ଅକୁହା ଉତ୍ପୀଡ଼ନର କଥା । କିଛି ନକହି ବି, ଅନେକ କଥା କହୁଛି ଦୁର୍ଗାପୂଜା ମଣ୍ଡପ। ମୁଣ୍ଡ ଉପରେ ଝୁଲୁଛି ବିରାଟ ଅଖାବସ୍ତା, ସେଥିରୁ ବାହାରି ଝୁଲୁଛି କୁନିକୁନି ହାତଗୋଡ଼ ଓ ଉକୁଟି ଉଠିଛି ଏକ ଯନ୍ତ୍ରଣାସିକ୍ତ ମୁଖମଣ୍ଡଳ । ପେଣ୍ଡାଲ ବାହାରେ ଲାଗିଛି କୁନି ଝିଅଙ୍କ ମୁକୁଟ ପିନ୍ଧା ହସ ହସ ଫଟୋ । ଆଉ ପଶୁ ପଶୁ ଲେଖାଯାଇଛି ଚାଇ ନା ହୋତେ ଉମା ।

Advertisment

ହଁ... ଉମା ଅର୍ଥାତ୍ ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା ପାଇଁ କୋଲକାତା କାଶୀ ବୋଷ୍ ଲେନର ଏହି ମଣ୍ଡପର ଥିମ୍ ବା ବାର୍ତ୍ତା ରହିଛି- ମୁଁ ଉମା ହେବାକୁ ଚାହେଁନି। କିନ୍ତୁ କାହିଁକି... କାରଣ ଯେଉଁ ନାରୀ ଦେବୀ ରୂପରେ ପୂଜା ପାଉଛି, ସେହି ନାରୀ ହିଁ ମାନବ ଚାଲାଣ ଓ ଯୌନ ଶୋଷଣର ଶିକାର ହେଉଛି । ତାପୁଣି କୋମଳମତି ବୟସରେ । ମଣ୍ଡପ ଭିତରେ ରେଡ୍ ଲାଇଟ ଏରିଆର ପ୍ରତିକୃତି । 

କେଉଁଠି କୁନିଝିଅଙ୍କ ନିଲାମୀ ଚାଲିଛି, ସୁସ୍ବାଦୁ ଫଳ ଚାଖିବାକୁ ବେଢ଼ି ବସିଛନ୍ତି କ୍ଷୁଦାର୍ଥ ଓ ନିଶାସକ୍ତ ଶାଗୁଣା। ତ ଆଉ କେଉଁଠି କୋଠିର ଝିଅଟିଏ ଶେଯ ପାଖରେ ଛିଡ଼ା ହୋଇ ଦର୍ପଣକୁ ଦେଖୁଛି, ଆଉ କଷୁଛି ନିଜ ଅତୀତ ଓ ଭବିଷ୍ୟତର ଅଙ୍କ । କେଉଁଠି ନିଜେ ଦେବୀ ତାରଜାଲିରେ ଭିତରେ ବନ୍ଦୀ, ତ ଆଉ କେଉଁଠି ଝିଅଟିଏ ଦେଖୁଛି ମୁକ୍ତିର ସ୍ୱପ୍ନ । ଏଭଳି ହଜାର ହଜାର ଝିଅଙ୍କ ଚିତ୍ର ଲାଗିଛି ଏଠାରେ । ଆଉ ସମସ୍ତେ କହୁଛନ୍ତି, ହେ ମା... ମୋତେ ଆଗଜନ୍ମରେ ଯାହା କରୁଛ କର, ଝିଅଟିଏ କରନି, ଉମାଟିଏ କରନି।

Advertisment

କୋଲକାତାରୁ ସିଧା ଚାଲନ୍ତୁ ଯିବା ଅଯୋଧ୍ୟା। ଅଯୋଧ୍ୟାର ରାମ ମନ୍ଦିର। ନା... ଇଏ ଉତ୍ତରପ୍ରଦେଶ ଅଯୋଧ୍ୟା ନୁହେଁ, କି ସତସତିକା ନବନିର୍ମିତ ରାମ ମନ୍ଦିର ବି ନୁହେଁ। ଇଏ ବି କୋଲକାତାର ଏକ ଦୁର୍ଗାପୂଜା ପେଣ୍ଡାଲ୍ । ଅଯୋଧ୍ୟାର ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ ତାର ଝଲକ ଦେଖିବାକୁ ମିଳିଛି ସନ୍ତୋଷ ମିତ୍ର ଷ୍ଟ୍ରିଟରେ, ଯାହାର ଚିତାକର୍ଷକ ଦୃଶ୍ୟକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ହଜାର ହଜାର ଲୋକଙ୍କ ଭିଡ଼କୁ କାଟି ପହଞ୍ଚିଥିଲା ଓଟିଭି ଟିମ୍ ।

ବିଶାଳ ମନ୍ଦିରସମ ମଣ୍ଡପ, ଆକର୍ଷଣୀୟ ଥ୍ରୀ-ଡି ଲାଇଟ୍ ସୋ, ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ପ୍ରତିମୂର୍ତ୍ତି ଏବଂ ମଣ୍ଡପ ଭିତରେ ପୂଜା ପାଉଥିବା ମହାମାୟାଙ୍କ ମୃଣ୍ମୟୀ ପ୍ରତିମା। ଏସବୁକୁ ଦେଖି ଭକ୍ତିରେ ଗଦ୍-ଗଦ ଶ୍ରଦ୍ଧାଳୁ । ଏସବୁକୁ ତିଆରି କରିବାକୁ ଲାଗିଛି ୩ ମାସ। ଗତ ୧୬ ତାରିଖରେ ଏହାକୁ ଉଦଘାଟନ କରିଥିଲେ ନିଜେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଖାଲି ଅଯୋଧ୍ୟା ନୁହେଁ, କୋଲକାତା ବି ଦେଉଛି କୋଏମ୍ବଟୁରର ଭ୍ରମ । ସଲ୍ଟଲେକ୍ ପୂଜା ମଣ୍ଡପରେ ସୁଉଚ୍ଚ ଆଦିୟୋଗୀ ବା ଦେବଦେବ ମହାଦେବଙ୍କ ଆବକ୍ଷ ପ୍ରତିମା। ତାମିଲନାଡ଼ୁ କୋଏମ୍ବଟୁରର ଆଦିୟୋଗୀ ପ୍ରତିମା ୧୧୯ ଫୁଟ୍ ଉଚ୍ଚ ହୋଇଥିବା ବେଳେ, ଏହା ତାହାର ୬୦ ଫୁଟ୍ ଉଚ୍ଚ ପ୍ରତିକୃତି । ତା ସହ ସ୍ଥାନ ପାଇଛି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ପ୍ରତୀକ। ଖର୍ଚ୍ଚ ହୋଇଛି ୨୫ ଲକ୍ଷ ଟଙ୍କା।

Advertisment
Advertisment