• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାୟୁସେନାର ଅବସରପ୍ରାପ୍ତ ଅଧିକାରୀଙ୍କୁ ୩୫ ଲକ୍ଷ ଟଙ୍କାର ଚୂନ ଲଗାଇଦେଲା ଯୁବକ । ସାଙ୍ଗ ହେବା ବାହାନାରେ ଆକାଉଣ୍ଟରୁ ପୋଛି ନେଲା ସାରା ଜୀବନର କମେଇ । ଡାଟା ସାଇନ୍ସ ଡିପ୍ଲୋମାଧାରୀ ସଂପୃକ୍ତ ଯୁବକକୁ ଲୁଟ୍ ଅଭିଯୋଗରେ ଗିରଫ କରାଯାଇଛି । ସେପଟେ ଲୋନ୍ ଆପରୁ ଲୋନ୍ ନେଇ ଫସିଛନ୍ତି ଅନ୍ୟ ଜଣେ ଯୁବକ ।

ଟଙ୍କା ଲୋଭରେ ବନ୍ଧୁ ସାଜିଲା ଲୁଟେରା । ସାଇବର ଲୁଟ୍ ର ଶିକାର ହେଲେ ବାୟୁସେନାର ପୂର୍ବତନ ଗ୍ରୁପ୍ କ୍ୟାପଟେନ । ଏମ୍ସ ହସ୍ପିଟାଲରେ ପ୍ରଥମେ ଉଭୟଙ୍କର ଦେଖା ହୋଇଥିଲା । କିଛି ସମୟର ମିଳାମିଶା ଭିତରେ ଦୁହେଁ ବନ୍ଧୁ ବନିଥିଲେ । ହେଲେ ବିଶ୍ୱାସ ଜନ୍ମାଇ ଜୀବନ ତମାମ ରୋଜଗାର କରିଥିବା ସବୁ ଟଙ୍କା ପୋଛି ନେଇଗଲା ସାଇବର ଲୁଟେରା ସାଙ୍ଗ । ଅନଲାଇନ୍ ଗେମିଂ ଆପରେ ଟଙ୍କା ହରାଇ ମାନସିକ ଚିନ୍ତାରେ ଥିଲେ ଗ୍ରୁପ କ୍ୟାପଟେନ କିଶୋରଚନ୍ଦ୍ର ଗନ୍ତାୟତ । ଠିକ୍ ସେତିକିବେଳେ ଟେନସନ୍ ଦୂର କରିଦେବ କହି ସାଙ୍ଗ ହୋଇଥିଲା ଡାଟା ସାଇନ୍ସରେ ଡିପ୍ଲୋମା କରିଥିବା ଯୁବକ ସନ୍ତୋଷ ସାହୁ ।

ସାହାଯ୍ୟ କରିବା ଆଳରେ କିଶୋରଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଡାଟା ନେଇ ଯାଇଥିଲେ । ପରେ ବିଭିନ୍ନ ଆକାଉଣ୍ଟକୁ ଟ୍ରାନସଫର କରି ଲୁଟି ନେଇଥିଲେ ୩୫ ଲକ୍ଷ ଟଙ୍କା । ଗତ ଅକ୍ଟୋବର ୧୯ରେ ଏ ନେଇ ଅଭିଯୋଗ ହେବା ପରେ ସାଇବର ଲୁଟେରା ସନ୍ତୋଷକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ । ତା’ ଠାରୁ ନଗଦ ୬ ଲକ୍ଷ ଟଙ୍କା, ଚେକ୍ ବୁକ୍ ସହ ବ୍ୟାଙ୍କ୍ ପାସବୁକ୍ ଜବତ କରାଯାଇଛି । ଦଫା ୪୧୯, ୪୨୦ ଓ IT Actରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ସେପେଟେ ଲୋନ୍ ଆପ୍ ରେ ମାତ୍ର ୨୨ ଶହ ଟଙ୍କା ଲୋନ୍ ନେଇ ସାଇବର ଲୁଟେରାଙ୍କ ଜାଲରେ ପଡିଛନ୍ତି ଯୁବକ । ୨୨ ଶହ ଟଙ୍କା ନେଇ ୨୮ ଶହ ଟଙ୍କା ଶୁଝିବା ପରେ ମଧ୍ୟ ସୁଝୁନି ଋଣ । ଅଧିକ ଟଙ୍କା ଦାବି କରିବା ସହ ଟଙ୍କା ନ ଦେବାରୁ ସଂପୃକ୍ତ ଯୁବକଙ୍କ ଫଟୋ ଓ ପ୍ୟାନ କାର୍ଡ ବ୍ୟବହାର କରି ନ୍ୟୁଡ୍ ଫଟୋ ପଠାଉଛି ସାଇବର ଲୁଟେରା ।

ଟଙ୍କା ନ ଦେଲେ ସେସବୁ ଫଟୋ ସୋସିଆଲ ମିଡିଆରେ ଛାଡିବାର ଧମକ ଦେଉଛି । ଶେଷରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ସଂପୃକ୍ତ ଯୁବକ । ବାରମ୍ବାର ସଚେତନ କରାଯିବା ପରେ ବି ଲୋକେ ସଚେତନ ହେଉନାହାନ୍ତି । ଆଉ ବଢ଼ି ଚାଲିଛି ସାଇବର୍ ଠକେଇ ମାମଲା ।

  • Reported by:
  • CHANDAN PAIKRAY