/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666167094.jpg)
Special story
ଦୃଢ ଇଚ୍ଛା ଶକ୍ତି ଥିଲେ ଦୁନିଆର କୌଣସି ବି ପ୍ରତିବନ୍ଧକ ବାଟ ରୋକିପାରିବନି । ଏହାର ଉଦାହରଣ ପାରଳାଖେମୁଣ୍ଡି ସହରର କଟିକା ସାହି ବାସିନ୍ଦା ଦିବ୍ୟାଙ୍ଗ ନୃସିଂହନାଥ ପାଢୀ । ସେ ଜଣେ ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ନିଜର ଅଧ୍ୟବସାୟ ବଳରେ ସେ ନିଜେ ସଂଗୀତ ଶିକ୍ଷା କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଇ ପାରୁଛନ୍ତି । କେବଳ ସଂଗୀତ ନୁହେଁ, ତବଲା ଏବଂ ହାରମୋନିୟମ ଆଦି ମଧ୍ୟ ଶିକ୍ଷା ଦିଅନ୍ତି ।
ଅଧିକ ପଢ଼ନ୍ତୁ: ମହାନ୍ ଦିବ୍ୟାଙ୍ଗ ଶିକ୍ଷକ : ମାଗଣାରେ ଖୋଲିଛନ୍ତି ମଣିଷ ତିଆରି କାରଖାନା
ପାରଳାଖେମୁଣ୍ଡି ସହରର କଟିକା ସାହି ବାସିନ୍ଦା ନୃସିଂହ ନାଥ ପାଢୀ । ଜନ୍ମରୁ ସେ ଦୃଷ୍ଟି ଶକ୍ତି ହରାଇଛନ୍ତି । ନିଜ ଆଖିରେ ସିନା ଦୁନିଆର ସୁନ୍ଦରତାକୁ ଦେଖିନାହାନ୍ତି, ହେଲେ ନିଜ କଣ୍ଠର ଯାଦୁ ସମସ୍ତଙ୍କୁ ବିମୋହିତ କରୁଛି । ଅନ୍ୟମାନଙ୍କ କଣ୍ଠରେ ସଂଗୀତ ଗାଇବାର କଳା ଶିଖାଇ ଦୁନିଆକୁ ଅଧିକ ରଙ୍ଗୀନ କରୁଛନ୍ତି । ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିବା ନୃସିଂହ ବଡ ହେଲେ କଣ କରିବେ । ସେନେଇ ପରିବାର ଲୋକେ ଚିନ୍ତାରେ ଥିଲେ ।
ହେଲେ ଅଳ୍ପ ଶିକ୍ଷା ଲାଭ କରିଥିବା ନୃସିଂହଙ୍କ ବୟସ ବଢିବା ସହ ତାଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣକୁ ଚିହ୍ନିପାରିଥିଲେ ତାଙ୍କ ଅଭିଭାବକ । ହାରମୋନିୟମ ହେଉ କି ତବଲା ସବୁ ବଜାଇବାରେ ବେଶ ସିଦ୍ଧହସ୍ତ ନୃସିଂହ । ଅନେକ ପିଲାଙ୍କୁ ଏସଂପର୍କରେ ଶିକ୍ଷା ମଧ୍ୟ ଦେଉଛନ୍ତି ନୃସିଂହ ।
ସେହିପରି ତବଲା ବଜାଇବା ଠାରୁ ଆରମ୍ଭ କରି ଅଭିନୟ କରି ପାଠ ପଢାଉଛନ୍ତି ଆଉ ଜଣେ ଶିକ୍ଷକ । ଜନ୍ମରୁ ଦିବ୍ୟାଙ୍ଗ ହେଲେ ବି ସବୁଥିରେ ସେ ପାରଙ୍ଗମ । ଠିକ୍ ଭାବରେ ଚାଲି ପାରୁନାହାନ୍ତି । ତଥାପି ଦୀର୍ଘ ୧୨ ବର୍ଷ ହେଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅରିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଆସି ମାଗଣାରେ ସାହିତ୍ୟ ଓ ଗଣିତ ଶିକ୍ଷାଦାନ କରୁଛନ୍ତି । ତାଙ୍କ ନାଁ ଗୋପିନାଥ ମହାକୁର । ବୟସ ୫୬ ବର୍ଷ । ନିତିଦିନ ତବଲା ବଜାଇ ପିଲାଙ୍କୁ ସେ ଶିକ୍ଷା ଦେଇଥାନ୍ତି ।
ଗୋପିନାଥ ସାରଙ୍କ ନିଆରା ଢଙ୍ଗରେ ପାଠ ପଢାଇବାର ଶୈଳୀ ଏକ ଆଦର୍ଶ ଶିକ୍ଷକ ଭାବେ ତାଙ୍କୁ ପରିଚିତ କରାଇପାରିଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୭୫ ଜଣ ଛାତ୍ରଛାତ୍ରୀଙ୍କୁ ବିନା ବେତନରେ ସେ ପାଠ ପଢାଉଛନ୍ତି । ଦୃଢ ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ, ଏହା ପ୍ରମାଣ କରିଦେଖାଇଛନ୍ତି ଦୁଇ ଦିବ୍ୟାଙ୍ଗ ଶିକ୍ଷକ
(ରିପୋର୍ଟ- ଗଜପତିରୁ ଆଦର୍ଶ ଦାଶ ଓ ବିନିକାରୁ ଦିଲୀପ କୁମାର ସାହୁ )
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)