• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିଜେ ଗୋଡ଼ରେ ଠିଆ ହୋଇପାରୁ ନାହାନ୍ତି, ସିଧା ହୋଇ ଚାଲିବା ତାଙ୍କ ପାଇଁ କଷ୍ଟକର । ତଥାପି ଦିବ୍ୟାଙ୍ଗ ଶିକ୍ଷକ ଜଣକ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସୁନାର ଭାରତ ତିଆରି କରିବା ପାଇଁ  ମାଗଣାରେ ମଣିଷ ତିଆରି କାରଖାନା ଖୋଲିଛନ୍ତି । ଯେଉଁଠି ବର୍ତ୍ତମାନ ପିଲାଏ ଓଡ଼ିଆରେ ଧାଡ଼ିଏ ଲେଖି ପାରୁନାହାନ୍ତି, ସେହି ଅଞ୍ଚଳରେ ସେ ପିଲାଙ୍କୁ ଇଂରାଜୀ ଓ ଓଡ଼ିଆରେ ପାଠ ପଢ଼ାଉଛନ୍ତି।

ମୟୁରଭଞ୍ଜ ଜିଲ୍ଲାର ପାହାଡି ତଳ କୁସୁମ ଘାଟି ଗାଁ । ଶାନ୍ତ ବଣ ପାହାଡ ଘେରା ଏହି ଗାଁରେ ସକାଳ ହେଲେ ଭାସି ଆସେ ଛୋଟ ପିଲାଙ୍କ ପଣିକିଆ ଡାକିବାର ଶବ୍ଦ । ଏହି ଗାଁରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଦିବ୍ୟାଙ୍ଗ ଶିକ୍ଷକ ଶ୍ରୀନାଥ ମୁର୍ମୁ । ଆଦିବାସୀ ଅଞ୍ଚଳ ହୋଇଥିବାରୁ ପିଲାମାନେ ଠିକରେ ଓଡ଼ିଆ କହି ପାରନ୍ତି ନାହିଁ, ହେଲେ ତାଙ୍କର ନିରନ୍ତର ପରିଶ୍ରମ ପାଇଁ ଆଜି ସେଠାରେ  ପିଲାଏ ଓଡ଼ିଆରେ ଭଲରେ କହି ପାରୁଛନ୍ତି ଆଉ ଲେଖି ପାରୁଛନ୍ତି ମଧ୍ୟ ।

ତେବେ ଦିବ୍ୟାଙ୍ଗ ଶିକ୍ଷକ ଶ୍ରୀନାଥ ମୁର୍ମୁ  ଟ୍ରାଇ ସାଇକେଲ ବି ଚଳାଇବାକୁ ଅକ୍ଷମ । ପୂର୍ବରୁ ସେ ଠିକ୍ ଥିଲେ ହେଲେ ତିନି ବର୍ଷ ହେଲାଣି ସ୍ନାୟୁ ରୋଗରେ ପଡି ଏବେ ଚାଲିବାକୁ ଅସମର୍ଥ । ତେବେ ନିଜେ ଅସହାୟ ହେବା ପରେ ସେ ଶପଥ କରିଛନ୍ତି ଗାଁର ଏହି ପିଲା ମାନଙ୍କୁ କିଭଳି ମଣିଷ କରିବେ । ମାନସିକ ଚିନ୍ତାରେ ଘାରି ହେଉଥିବା ବେଳେ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇ ସେ ଶାନ୍ତି ପାଉଛନ୍ତି । 

 ତାଙ୍କ ଦେଖାରଖାରେ ଛୋଟ ଛୋଟ ପିଲାମାନେ ବସି ଓଡ଼ିଆ, ଇଂରାଜୀ ପାଠ ପଢ଼ୁଛନ୍ତି । ପଣିକିଆ ଡାକିବା ଠାରୁ ଆରମ୍ଭ କରି ସୁନ୍ଦର ଭାବେ ଓଡ଼ିଆ ଲିଖନ ଏବଂ ବିଭିନ୍ନ ପ୍ରାର୍ଥନା ମଧ୍ୟ ଗାଇ ପାରୁଛନ୍ତି  । ଏକ ଅପହଞ୍ଚ ଗାଁରେ ଏଭଳି ସୁନ୍ଦର ପାଠ ପଢୁଥିବା ଦୃଶ୍ୟ ଦେଖିଲେ ସମସ୍ତଙ୍କ ମନରେ ନିଶ୍ଚିତ ଶାନ୍ତି ଆସିବ ।

ଶ୍ରୀନାଥ ବହୁତ ଗରିବ ହେଲେ ମଧ୍ୟ କେବେ ହେଲେ ଭାଙ୍ଗି ପଡିନାହାନ୍ତି । ସେ ଯେ କେବଳ ପାଠ ପଢାନ୍ତି ତାହା ନୁହେଁ ବରଂ ଖୁବ ସୁନ୍ଦର ଭାବେ କେନ୍ଦେରା ବଜାଇ ପିଲାଙ୍କ ମନୋରଞ୍ଜନ ମଧ୍ୟ କରାନ୍ତି । ଏମିତି ଜଣେ ନିଆରା ଶିକ୍ଷକଙ୍କୁ ପାଇ ପିଲା ବି ଖୁସ୍ ଆଉ ଏଇ ବାହାନାରେ ପାଠ ପଢ଼ିବାକୁ ଆଗ୍ରହ ମଧ୍ୟ ବଢ଼ୁଛି । ଶ୍ରୀନାଥ ନିଜେ ଜଣେ ଦିବ୍ୟାଙ୍ଗ ହେଲେ ମଧ୍ୟ ତାଙ୍କର ନିଷ୍ଠା ଅନ୍ୟ ପାଇଁ ଉଦାହରଣ ପାଲଟିଛି।

(ରିପୋର୍ଟ:ମାଣିକ୍ ଲାଲ୍ ପାଣି, ବାରିପଦା)