Advertisment

ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ଓଡ଼ିଆ ପିଲା, ସେମାନଙ୍କ ବିଷୟରେ ଜାଣନ୍ତୁ

ସୋମବାର ଦିନ ସର୍ବଭାରତୀୟ ପ୍ରାଶାସନିକ ସେବା ୨୦୨୧ ବର୍ଷ ପାଇଁ ଅନୁଷ୍ଠିତ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି

author-image
Prangyan Parimita
ଅଦ୍ୟତନ ହୋଇଛି
UPSC civil services

UPSC civil services

୨୦୨୧ ମସିହାର ସିଭିଲ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ଥର ମୋଟ୍ ୬୮୫ ଜଣ ପରୀକ୍ଷାର୍ଥୀ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏଥିମଧ୍ୟରୁ ୧୮୦ ଜଣ ଆଇଏଏସ୍, ୩୭ ଜଣ ଆଇଏଫ୍ଏସ୍‌, ୨ଶହ ଆଇପିଏସ୍, ୨୪୨ ଜଣ ଗ୍ରୁପ୍-ଏ, ୨୪୨ ଓ ୯୦ ଜଣ ଗ୍ରୁପ୍- ବି ଶ୍ରେଣୀଭୁକ୍ତ ହୋଇଛନ୍ତି । ୧୫ ଦିନ ଭିତରେ ପରୀକ୍ଷାର୍ଥୀମାନେ ୟୁପିଏସ୍‌ସି ୱେବ୍‌ସାଇଟ୍‌ରୁ ସେମାନଙ୍କ ନମ୍ବର ପାଇପାରିବେ। ତେବେ ଓଡ଼ିଶାରୁ ଏଥର କେତେ ପିଲା କୃତକାର୍ଯ୍ୟ ହୋଇଛନ୍ତି ସେ ସଂପର୍କିତ ନିର୍ଦ୍ଦିଷ୍ଟ ତଥ୍ୟ ମିଳିନି । ତେବେ କିଛି ପିଲାଙ୍କ ସମ୍ପର୍କରେ ତଥ୍ୟ ମିଳିଛି । 

Advertisment

ସୋନପୁରର କାର୍ତ୍ତିକ ପାଣିଗ୍ରାହୀ UPSCରେ ୬୩ ରାଙ୍କରେ ରହିଛନ୍ତି । ସମୁଦାୟ ୬୮୫ଜଣ ପ୍ରାର୍ଥୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସୋନପୁର ଗଡଭିତର ନିବାସୀ ଶିବଶଂକର ପାଣିଗ୍ରାହୀ ଏବଂ ଜୀତା ପାଣିଗ୍ରାହୀଙ୍କ ପୁଅ କାର୍ତ୍ତିକ ପାଣିଗ୍ରାହୀ ୬୩ ରାଙ୍କ ହାସଲ କରିଛନ୍ତି । କାର୍ତ୍ତିକଙ୍କର ବାପା ଶିବଶଙ୍କର ଦିଲ୍ଲୀ ଏୟାରପୋର୍ଟର ଡିଜିଏମ୍ ଥିବାବେଳେ ମାଆ ଜୀତାରାଣି ଜଣେ ଗୃହିଣୀ । ସଫଳତା ପରେ କାର୍ତ୍ତିକଙ୍କ ପରିବାରରେ ଖୁସିର ମାହୋଲ ଖେଳିଯାଇଛି ।

୮୬ ରାଙ୍କ ଅଧିକାର କରିଛନ୍ତି ସୁନ୍ଦରଗଡ଼ର ଗୌରବ ଅଗ୍ରଓ୍ୱାଲ । ସୁନ୍ଦରଗଡ଼ର ମିଠନ୍‌ ରୋଡ଼ରେ ବାସ କରୁଥିବା ଗୌରବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଉରକେଲା ସେଣ୍ଟ୍‌ ପଲ୍‌ ସ୍କୁଲରେ ପାଠ ପଢ଼ିଛନ୍ତି । ଆଉ ତା’ପରେ ରାଉରକେଲାରୁ ତାଙ୍କ ବାପାଙ୍କ ବଦଳି ହୋଇଯାଇଥିଲା । ପଳରେ ସେ ବଲାଙ୍ଗୀର ଓ ପରେ ରାୟପୁରରେ ଥିବା ରାଷ୍ଟ୍ରିୟ ଆଇନ୍‌ ସ୍କୁଲରେ ଇଣ୍ଟିଗ୍ରେଟେଡ୍‌ ଆଇନ୍‌ ପାଠ ପଢ଼ିଥିଲେ । ତେବେ ବର୍ତ୍ତମାନ ଦ୍ୱିତୀୟ ପ୍ରୟାସରେ UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଗୌରବ ।

Advertisment

ସେହିପରି ରାଉରକେଲାର ଆଉ ଜଣେ ୟୁପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ରାଉରକେଲାର ଅନୁପ ଜଗଦାସ୍ଥ ଏମଜିଏମ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପଢ଼ିଥିଲେ । ପରେ ବେଙ୍ଗାଲୁରୁରେ ଯୁକ୍ତଦୁଇ ଯାଏଁ ଓ ଇଞ୍ଜିନିଅରିଂରେ ବି.ଟେକ୍‌ କରିଥିଲେ । ପରେ ସେ ନୂଆଦିଲ୍ଲୀ ଯାଇ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। କଠିନ ପରିଶ୍ରମ ପରେ ପଞ୍ଚମ ଥରରେ ତାଙ୍କୁ ସଫଳତା ମିଳିଛି ।

ସେହିପରି ଅନୁଗୁଳ ଜିଲ୍ଲାର ସୌମ୍ୟରଞ୍ଜନ ପ୍ରଧାନ ମଧ୍ୟ ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ସେ ୩୦୬ ତମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କ ବାପା ପାଳଲହଡ଼ା ମାଲ୍ୟଗିରି କଲେଜର ପ୍ରାଣୀବିଜ୍ଞାନ ଅଧ୍ୟାପକ ସଂଜୀବ କୁମାର ପ୍ରଧାନ, ମା ଜଣେ ଗୃହିଣୀ ।

ଅନ୍ୟପଟେ ୧୯୯ ସ୍ଥାନରେ ପୂଜା ସାହୁ, ୨୨୮ରେ ମୟଙ୍କ ମିଶ୍ର, ୨୩୨ରେ ବିଶ୍ୱ ବିଶୃତ ତ୍ରିପାଠୀ, ୨୭୩ ରେ ସମୀର କୁମାର ଜେନା, ୩୦୬ରେ ସୌମ୍ୟରଞ୍ଜନ ପ୍ରଧାନ, ୫୧୩ରେ ମାନସ ରଞ୍ଜନ ସାହୁ, ୬୧୪ରେ ନୟନ ରଞ୍ଜନ ଦାସ ରହିଛନ୍ତି।

୨୩୨ ରାଙ୍କ ପାଇଥିବା ବିଶ୍ୱ ବିଶୃତ ଏବେ ଓଡିଶା ପ୍ରଶାସନିକ ସେବା ବା OAS ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏପଟେ ରେଜଲ୍ଟ ବାହାରିବା ପରେ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି।

ତେବେ କ୍ଷୋଭର ବିଷୟ ହେଉଛି, ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡିଆ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ କ୍ରମାଗତ ଅବନତି ଦେଖିବାକୁ ମିଳୁଛି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଆଇଏଏସ୍ କୋଚିଂ ସେଣ୍ଟର ଖୋଲାଯାଇ ପିଲାଙ୍କୁ ପରୀକ୍ଷା ଉପଯୋଗୀ କରିବାକୁ ଚେଷ୍ଟା ଚାଲିଛି। ଏହାସତ୍ତ୍ୱେ ସଫଳତା ହାରରେ ଏଥର ବି ସେଭଳି କିଛି ଉତ୍ସାହଜନକ ପରିବର୍ତ୍ତନ ଦେଖିବାକୁ ମିଳିନି।

UPSC Civil Services
Advertisment
Advertisment