Advertisment

Ayushman Bharat Scheme Challenges: ଆୟୁଷ୍ମାନ ଯୋଜନାରୁ ସୁଫଳ ମିଳୁନଥିବା ଅଭିଯୋଗ: ସ୍ବାସ୍ଥ୍ୟମନ୍ତ୍ରୀ କହିଲେ...

ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପରଠୁ ଚିକିତ୍ସା ସେବା ପାଇବାକୁ ରୋଗୀ ହଇରାଣ ନେଇ ଆସୁଛି ମାଳମାଳ ଅଭିଯୋଗ ।

author-image
Deviprasad Jena
Ayushman Card

Ayushman Card

ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପରଠୁ ଚିକିତ୍ସା ସେବା ପାଇବାକୁ ରୋଗୀ ହଇରାଣ ନେଇ ଆସୁଛି ମାଳମାଳ ଅଭିଯୋଗ । କେଉଁଠି ଡାକ୍ତର ଆୟୁଷ୍ମାନ କାର୍ଡରେ ଚିକିତ୍ସା ପାଇଁ ମନା କରୁଛନ୍ତି ତ, ଆଉ କେଉଁଠି OTP ଯୋଗୁଁ ରୋଗୀ ପଞ୍ଜୀକରଣ ବିଳମ୍ବ ଫଳରେ ଚିକିତ୍ସାରେ ବି ହେଉଛି ବିଳମ୍ବ ।

Advertisment

ଏମିତିକି ଯୋଜନାରେ ବହୁ ସମସ୍ୟା ଥିବା ଅଭିଯୋଗ ଆଣି ସରକାରଙ୍କୁ ମେମୋରାଣ୍ଡମ ଦେଇଛନ୍ତି ହସ୍ପିଟାଲ ସଂଘ । କଟକ ଚୌଦ୍ବାର ଅଞ୍ଚଳର ବିରଞ୍ଚି ମଲ୍ଲ। ବ୍ରେନ୍ ଷ୍ଟ୍ରୋକ୍ ରେ ପଡ଼ିଥିବା ନିଜ ସମ୍ପର୍କୀୟ ଅଜୟ ମଲ୍ଲଙ୍କ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ଧାଇଁ ଆସିଥିଲେ । ଆୟୁଷ୍ମାନ କାର୍ଡ ମିଳି ନଥିଲେ ବି ତାଙ୍କ ପାଖରେ ପୁରୁଣା BSKY କାର୍ଡ ଅଛି । ଆଭା ନମ୍ବର ବି ବାହାର କରିଛନ୍ତି । କିନ୍ତୁ, ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରିବାକୁ ଥିବା ଡାକ୍ତର ଚିକିତ୍ସା ଖର୍ଚ୍ଚର ଏଷ୍ଟିମେସନ୍ କରିବା ସହ କୋଡ୍ ନଦେବା ଯାଏଁ ଚିକିତ୍ସା ହୋଇପାରିବନି ବୋଲି ସିଧା ସିଧା କର୍ତ୍ତୃପକ୍ଷ କହିଥିବା ନେଇ ଆସିଛି ଅଭିଯୋଗ ।

ଏମିତିକି ପରବର୍ତ୍ତୀ ସମୟରେ ଡାକ୍ତର ବି ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ପାଇଁ ମନା କରିଦେଇଥିବା ନେଇ ହୋଇଛି ଅଭିଯୋଗ । ଫଳରେ ନଗଦ ସାଢ଼େ ୪ ଲକ୍ଷ ଟଙ୍କା ଦେଇ ସେଇ ହସ୍ପିଟାଲରେ ସର୍ଜରୀ କରିବାକୁ ବାଧ୍ୟ ହେଲେ ପରିବାର ଲୋକେ । ବିରଞ୍ଚି କହିଛନ୍ତି, ପୂର୍ବରୁ ସେହି BSKY କାର୍ଡରେ ସେ ଅଜୟଙ୍କ ଚିକିତ୍ସା କରାଇଛନ୍ତି । ହେଲେ ସେତେବେଳେ ଏମିତି ଅସୁବିଧା ଦେଖାଦେଇ ନ ଥିଲା ।

Advertisment

କେବଳ ଅଜୟ ନୁହନ୍ତି, ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ଆସୁଛି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ଏଭଳି ଗଦାଗଦା ଅଭିଯୋଗ । ଅପରପକ୍ଷେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀରେ ବିଭିନ୍ନ ପ୍ରକାର ସମସ୍ୟା ଥିବା ଅଭିଯୋଗ ଆଣିଛନ୍ତି ବିଭିନ୍ନ ହସ୍ପିଟାଲ ସଂଘ । କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରେ ସଫ୍ଟୱେୟାର, ଟେକ୍ନିକାଲ ଓ ଅପରେସନାଲ ଭଳି ଅନେକ ସମସ୍ୟା ଦେଖାଦେଉଛି ।

ରୋଗୀ ପଞ୍ଜୀକରଣ ବେଳେ OTP ଜେନେରେସନ ଟାଇମ୍ ଆଉଟକୁ ୧୦ ମିନିଟକୁ କମାଇ ଦିଆଯାଇଛି । ଏହି କାରଣରୁ ଅନେକ ସମୟରେ ରୋଗୀଙ୍କ ପଞ୍ଜୀକରଣ ବିଳମ୍ବ ହେଉଛି । ଏହାଛଡ଼ା ରୋଗୀ ସହ ଚିକିତ୍ସା ଯୋଗାଉଥିବା ଡାକ୍ତରଙ୍କ ଫଟୋ ଦେବା ବାଧ୍ୟତାମୂଳକ କରାଯାଇଥିବାରୁ, ଅନେକ ଡାକ୍ତର ଏହାକୁ ବିରୋଧ କରୁଛନ୍ତି । ସେହିପରି ହସ୍ପିଟାଲ ସଂଘଗୁଡ଼ିକ କହିଛନ୍ତି, BSKYରେ ପ୍ରି-ଆପ୍ରୁଭାଲ ବିକଳ୍ପ ଥିଲା । ତେଣୁ ରୋଗୀଙ୍କ ଚିକିତ୍ସାରେ ଅର୍ଥ ବାଧକ ହେଉନଥିଲା ।

ତେବେ ଆୟୁଷ୍ମାନ ଯୋଜନାର ସବୁଠୁ ବଡ଼ ସମସ୍ୟା ହେଲା, ସର୍ଜରୀ ତଥା ଇଂପ୍ଳାଣ୍ଟରେ କ୍ୟାପିଂ । ଉଦାହରଣସ୍ବରୂପ- ସ୍ପାଇନ୍ ସର୍ଜରୀରେ ଦୁଇ କିମ୍ବା ୩ଟି ନଟ୍ ଲାଗିଥାଏ । କିନ୍ତୁ ,ଏହି ପ୍ୟାକେଜରେ ମାତ୍ର ଗୋଟିଏ ନଟ୍ ଲଗାଇବା ପାଇଁ ଅନୁମତି ମିଳିଛି । ଅନେକ ଇଂପ୍ଳାଣ୍ଟରେ ଥିବା କ୍ୟାପିଂ ଏତେ କମ୍ ଯେ ଚିକିତ୍ସା କରିବା ସମ୍ଭବ ନୁହେଁ ବୋଲି ଅଭିଯୋଗ ଆଣିବା ସହ ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କୁ ମେମୋରାଣ୍ଡମ୍ ଦିଆଯାଇଥିବା କହିଛନ୍ତି ହସ୍ପିଟାଲ ସଂଘ ।

ଏପଟେ ସ୍ବାସ୍ଥ୍ୟ ସଚିବ କହିଛନ୍ତି, ଖୁବ୍ ଶୀଘ୍ର ଏ ପ୍ରସଙ୍ଗରେ ହସ୍ପିଟାଲଗୁଡ଼ିକ ସହ ଆଲୋଚନା କରାଯିବ । ଆଉ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନ ଯୋଜନାକୁ ନେଇ ଭ୍ରମ ଧାରଣା ସୃଷ୍ଟି ହୋଇଛି । ଏନେଇ ତଦନ୍ତ କରାଯାଉଛି । ଯେଉଁ ହସ୍ପିଟାଲ ଏମିତି କରୁଛନ୍ତି, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅଧିକ ପଢ଼ନ୍ତୁ: ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ପରଦା ପଛରେ ଯିଏ ଅଛି ଛଡ଼ାଯିବନି

Ayushman Bharat Odisha Govt Ayushman Bharat Pradhan Mantri Jan Arogya Yojana
Advertisment
Advertisment