• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କିଶୋରୀଟିଏ । ବୟସ ମାତ୍ର ୧୪ ବର୍ଷ । ପାଠ ପଢ଼ୁଥିଲେ ନବମ ଶ୍ରେଣୀରେ । ହେଲେ ପଢୁଆ ଝିଅର ମୃତ୍ୟୁ ଆଜି ପରିବାରକୁ ଶୋକାଭିଭୂତ କରିଦେଇଛି । ଭାଙ୍ଗିଦେଇଛି ବାପା, ମା ଓ ପରିବାରର ସ୍ୱପ୍ନ । କିଏ ଜାଣିଥିଲା, ଟ୍ୟୁସନ ଯାଇଥିବା ଝିଅ ଆଉ ଫେରିବନି ବୋଲି? ପୋଖରୀ କୂଳରେ ସେମିତି ଛିଡ଼ା ହୋଇ ରହିଛି ଝିଅର ସାଇକେଲ, ପଡ଼ିରହିଛି ତା ବସ୍ତାନୀ । ହେଲେ ଝିଅ ଆଉ ନାହିଁ । ମୃତଦେହ ମିଳିଛି ଏହି ପୋଖରୀରୁ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ନନ୍ଦିପୁର ଅଞ୍ଚଳରେ ଘଟିଛି ଏହି ଘଟଣା ।

ପୋଲିସ ମୃତଦେହକୁ ପୋଖରୀରୁ ଉଦ୍ଧାର କରି ବ୍ୟବଛେଦ କରିବା ସହ ଘଟଣାର ତଦନ୍ତ କରୁଛି । ଆଉ ଏହି ତଦନ୍ତ ଭିତରେ ପରିବାର ଲୋକେ ଝିଅକୁ ହତ୍ୟା ଆଶଙ୍କା କରି ଥାନାରେ ଏତଲା ଦେଇଛନ୍ତି । କାରଣ ମୃତ୍ୟୁରର ପୂର୍ବଦିନ ଝିଅକୁ କିଛି ଯୁବକ କମେଣ୍ଟ ମାରିବା ସହ ନାନା ଧମକଚମକ ଦେଇଥିଲେ ବୋଲି ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

୨ ସେପ୍ଟେମ୍ବର । ଅପରାହ୍ନ ପ୍ରାୟ ୪ଟା । ଅଭିଯୋଗ ଅନୁୟାୟୀ ଟ୍ୟୁସନ୍ ଯାଉଥିବାବେଳେ ଝିଅକୁ ରାସ୍ତା ଉପରେ କମେଣ୍ଟ ମାରିଥିଲେ କିଛି ଯୁବକ । ଏହାକୁ ନେଇ ସଂପୃକ୍ତ ଯୁବକଙ୍କ ସହ ପାଟିତୁଣ୍ଡ କରିଥିଲେ ଛାତ୍ରୀ ଜଣକ । ପାଟିତୁଣ୍ଡବେଳେ ଯୁବକମାନେ ଏହାର ପ୍ରତିଶୋଧ ନେବାକୁ ଧମକ ଦେଇଥିଲେ । କିନ୍ତୁ ଏଭଳି ଧମକକୁ ଖାତିର ନକରି ତାପରଦିନ ଅର୍ଥାତ ଗତକାଲି ଅପରାହ୍ନ ପ୍ରାୟ ୪ଟାରେ ପୁଣି ସାଇକେଲରେ ଟ୍ୟୁସନ୍ ଯାଇଥିଲେ ଛାତ୍ରୀ ଜଣକ । ହେଲେ ସଂଧ୍ୟା ୬ଟା ଯାଏଁ ଝିଅ ଘରକୁ ନଫେରିବାରୁ ପରିବାର ଓ ପାଖ ପଡ଼ୋଶୀ ବହୁ ଖୋଜାଖୋଜି କରିଥିଲେ ।

ଶେଷରେ ମଙ୍ଗଳପୁର ଥାନା ନନ୍ଦିପୁର ଛକ ନିକଟ ଏକ ପୋଖରୀ ତୁଠରେ ଛାତ୍ରୀଙ୍କ ବ୍ୟାଗ୍ ଏବଂ ସାଇକେଲ୍ ମିଳିଥିବାବେଳେ ଭାସୁଥିବା ଅବସ୍ଥାରେ ମୃତଦେହ ମିଳିଥିଲା ପୋଖରୀ ଭିତରୁ । ତେଣୁ କମେଣ୍ଟ ମାରିଥିବା ଯୁବକ ମାନେ ହିଁ ଝିଅକୁ ହତ୍ୟା କରିଥାଇପାରନ୍ତି ବୋଲି ମଙ୍ଗଳପୁର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । କିନ୍ତୁ କୌଣସି ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରିନାହାଁନ୍ତି ।

ଛାତ୍ରୀଙ୍କ ମୃତ୍ଯୁ ଛାଡ଼ିଦେଇଯାଇଛି ଅନେକ ପ୍ରଶ୍ନ । ଏଭଳି ରହସ୍ୟଜନକ ମୃତ୍ୟୁ ପଛରେ ଅସଲ କାରଣ କଣ ? ସାଧାରଣ ଏକ କମେଣ୍ଟ ମରାକୁ କେନ୍ଦ୍ର କରି ସତରେ ତାଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କୌଣସି ବିବାଦରୁ ଘଟିଛି ଅଘଟଣ ? କମେଣ୍ଟ ମାରିଥିବା ଯୁବକମାନେ କିଏ ? ଶରୀରରେ କୌଣସି ସ୍ଥାନରେ କ୍ଷତଚିହ୍ନ ନଥିବାବେଳେ କେମିତି ହତ୍ୟା କରାଗଲା ତାଙ୍କୁ ? ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଛି । ରିପୋର୍ଟ ଆସିବା ପରେ ସବୁ ଦିଗକୁ ଧରି ତଦନ୍ତ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ଦେଇଛି ।

ଯାଜପୁରରୁ ସଞ୍ଜୀବ ନାୟକଙ୍କ ରିପୋର୍ଟ