• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପୁଣି ନେପାଳରେ ବିମାନ ଦୁର୍ଘଟଣା, ପୁଣି ଗଲା ଜୀବନ । କାଠମାଣ୍ଡୁ ଏୟାରପୋର୍ଟ ନିକଟରେ ପୋଖରା ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ପାଇଲଟ୍ ବଞ୍ଚି ଯାଇଛନ୍ତି । ଶୌର୍ଯ୍ୟ ଏୟାରଲାଇନ୍ସର ଏହି ବିମାନରେ କେବଳ କ୍ରୁ’ ଓ ଷ୍ଟାଫ୍ ଥିଲେ, କୌଣସି ଯାତ୍ରୀ ନଥିଲେ । ତେବେ କେମିତି ଓ କେଉଁ ପରିସ୍ଥିତିରେ ବିମାନଟି ରନୱେରୁ ଖସିଲା, କାରଣ ଏବେ ବି ଅସ୍ପଷ୍ଟ ରହିଛି ।

ମାତ୍ର କେଇ ସେକେଣ୍ଡ୍ ଭିତରେ ସବୁ ଶେଷ... ନେପାଳରେ ଜଳିଲା ପୁଣି ଗୋଟିଏ ବିମାନର ଚିତା...ଉଡ଼ାଣ ଭରିବା ମାତ୍ରେ ଖାଇରେ ଖସି ଅଗ୍ନିପିଣ୍ଡୁଳା ପାଲଟିଗଲା...। ନେପାଳ ସମୟ ଦିନ ପ୍ରାୟ ୧୧ଟା ୧୫ । କାଠମାଣ୍ଡୁର ତ୍ରିଭୁବନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ପର୍ଯ୍ୟଟନ ସ୍ଥଳ ପୋଖରା ଅଭିମୁଖେ ଉଡ଼ିବା ଆରମ୍ଭ କଲା ଶୌର୍ଯ୍ୟ ଏୟାରଲାଇନ୍ସର ବିମାନ 9N-AME । ୫୦ ସିଟ୍ ବିଶିଷ୍ଟ ଏହି ବୋମ୍ବାର୍ଡିୟର CRJ-200 ବିମାନରେ କୌଣସି ଯାତ୍ରୀ ନଥିଲେ । ଥିଲେ କେବଳ ୨ କ୍ରୁ ମେମ୍ବର ଓ ୧୭ ଜଣ ଷ୍ଟାଫ୍ ।

ଅନୁମାନ କରାଯାଉଛି, ହୁଏତ ମେଣ୍ଟେନାନ୍ସ ପାଇଁ କେବଳ ୧୯ ଜଣ କର୍ମଚାରୀଙ୍କୁ ଧରି ଉଡ଼ିବା ଆରମ୍ଭ କରିଥିଲା ଏହି ବିମାନ । କିନ୍ତୁ ରନୱେ ଛାଡ଼ିବା ମାତ୍ରେ ସବୁକିଛି ଓଲଟପାଲଟ ହୋଇଗଲା । ବିମାନଟି ଭୂଇଁଠୁ ମାତ୍ର କେଇଶହ ଫୁଟ୍ ଉପରେ ଅଚାନକ ଡାହାଣକୁ ମୋଡ଼ିଗଲା, ଆଉ ନିୟନ୍ତ୍ରଣ ହରାଇ ତଳେ ପିଟି ହୋଇ ନିମିଷକେ ଧ୍ବଂସ ହୋଇଗଲା । ଏହି ଭୟଙ୍କର ଦୁର୍ଘଟଣାରେ ୧୫ ଜଣ ଅନ୍ ଦ ସ୍ପଟ୍ ପ୍ରାଣ ହରାଇଥିବା ବେଳେ, ୩ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ୧୮ ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । କେବଳ ଅଳ୍ପକେ ପାଇଲଟଙ୍କ ଜୀବନ ରକ୍ଷା ପାଇଯାଇଛି । ସେ ହେଉଛନ୍ତି ୩୭ ବର୍ଷୀୟ ମନୀଷ ସାକ୍ଷ୍ୟ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ନିକଟସ୍ଥ ସିନାମଙ୍ଗଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ନେପାଳ ସେନା ।

ଏହି ବିମାନ ଦୁର୍ଘଟଣା ପରେ, କାଠମାଣ୍ଡୁ ଏୟାରପୋର୍ଟରୁ ବିମାନ ଉଡ଼ାଣ ସ୍ଥଗିତ ରଖାଯାଇଥିଲା । ତେବେ କିଛି ଘଣ୍ଟା ପରେ ଏହା ପୁଣି ସ୍ବାଭାବିକ ହୋଇଥିବା ସୂଚନା ମିଳିଛି । ସେପଟେ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନିଥିଲେ ବି, ବିମାନ ଭୁଲ ମୋଡ଼ ନେଇଥାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୁହାଯାଉଛି ବିମାନଟି ଉଡ଼ାଣ ଆରମ୍ଭ ପରେ ବାମ ପଟକୁ ମୋଡ଼ିବାର ଥିଲା । କିନ୍ତୁ ତାହା ଡାହାଣକୁ ମୋଡ଼ି ପୁଣି ବାମ ପଟକୁ ମୋଡ଼ିବାକୁ ଚେଷ୍ଟା କରିଥିଲା । ତେବେ ଅଘଟଣର ପ୍ରକୃତ କାରଣ ଖୋଜିବାକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ସେପଟେ ଏହି ଦୁର୍ଘଟଣାଗ୍ରସ୍ତ ବିମାନଟି ୨୧ ବର୍ଷ ପୁରୁଣା ଏବଂ ଭାରତର କୁବେର ଗ୍ରୁପର ବୋଲି କୁହାଯାଉଛି ।

ଆଜିର ଅଘଟଣ ପରେ ବିମାନର ଶ୍ମଶାନ ଭାବେ ପୁଣି ବଦନାମ ହୋଇଛି ନେପାଳ । ୨୦୦୦ ମସିହା ଠାରୁ ନେପାଳରେ ପ୍ରାୟ ୨୦ଟି ବିମାନ ଦୁର୍ଘଟଣା ଘଟିଥିବା ବେଳେ, ୩୬୦ ଜଣଙ୍କ ଜୀବନ ଗଲାଣି । ଜଟିଳ ପାର୍ବତ୍ୟାଞ୍ଚଳ ଓ ଖରାପ ପାଗ ସହିତ ବିପଜ୍ଜନକ ଟେବଲ୍ ଟପ୍ ରନୱେକୁ ଏହା ପଛର ମୁଖ୍ୟ କାରଣ ବୋଲି କୁହାଯାଏ ।

OTV is now on Whatsapp

Join and get latest news update delivered to you via whatsapp

Join Now