Advertisment

Srimandir Security: ଯିଏ ପାରୁଛି ଶ୍ରୀମନ୍ଦିର ଉପରେ ଚଢ଼ି ଯାଉଛି

ନୃସିଂହ ମନ୍ଦିର ଦେଇ ସେବକ ବେଶରେ ଚଢୁଥିବା ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତିକୁ ଧରିଛି ପୋଲିସ୍। ତେଣେ ଭକ୍ତ ଓ ସେବକ କହିଲେଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ କଡ଼ା ଆଇନ୍ ନଥିବାରୁ ବାରମ୍ବାର ଏଭଳି ଦୁଃସାହସ କରୁଛନ୍ତି ଅସାମାଜିକ।

author-image
Debadatta Aryashrestha
Jagannath Temple Security Breach

Jagannath Temple Security Breach

ଶ୍ରୀମନ୍ଦିର ସୁରକ୍ଷା ପ୍ରତି ନୂଆ ବିପଦ। ହଠାତ୍ ମନ୍ଦିର ଉପରକୁ ଚଢ଼ିଯାଉଛନ୍ତି ଅଜଣା ବ୍ୟକ୍ତି। ଆଜି ନୃସିଂହ ମନ୍ଦିର ଦେଇ ସେବକ ବେଶରେ ଚଢୁଥିବା ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତିକୁ ଧରିଛି ପୋଲିସ୍। ଏପଟେ ଏ ଘଟଣା ପରେ ହଠାତ୍ ଚେଇଁଛି ପୁରୀ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ। ସ୍ପଟ୍ ରୋକିବାକୁ ଏଭଳି ସ୍ଥାନରେ ବ୍ୟାରିକେଡ୍ ଓ ସିସିଟିଭି ଲଗାଇବା ସହ ଆନନ୍ଦବଜାରରେ ଏକ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ। ତେଣେ ଭକ୍ତ ଓ ସେବକ କହିଲେଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ କଡ଼ା ଆଇନ୍ ନଥିବାରୁ ବାରମ୍ବାର ଏଭଳି ଦୁଃସାହସ କରୁଛନ୍ତି ଅସାମାଜିକ।

Advertisment

ଶୁକ୍ରବାର ଶ୍ରୀମନ୍ଦିର ଥାନାରେ ଅଟକ ରହିଥିବା ବ୍ୟକ୍ତି ଜଣକ ହେଲେ ଉତ୍ତରପ୍ରଦେଶ ଆଜମଗଡର ମନୋଜ ସିଂ। ସେ ଜଣେ ସାଧାରଣ ସେବକ ବେଶରେ ଆସିଥିଲେ, ପଶ୍ଚିମଦ୍ବାର ସମ୍ମୁଖସ୍ଥ  ନୃସିଂହ ମନ୍ଦିର ଦେଇ ଉପରକୁ ଚଢିଥିଲେ। ଏହା ଦେଖି ଶ୍ରୀମନ୍ଦିର ସୁରକ୍ଷାରେ ଥିବା ପୋଲିସ ତାଙ୍କୁ ତଳକୁ ଆଣି ଥାନାକୁ ନେଇ ପଚରାଉଚରା କରିଛନ୍ତି। କେଉଁ ଉଦ୍ଦେଶ୍ୟରେ ସେ ମନ୍ଦିରକୁ ଚଢୁଥିଲେ ? କିଏ ତାଙ୍କୁ ଚଢ଼ିବାକୁ ପ୍ରବର୍ତ୍ତାଇ ଥିଲା କି ? ସେବକ ବେଶରେ ସେ କାହିଁକି ଆସିଥିଲେ ? ମନୋଜଙ୍କୁ ପୋଲିସ୍ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିବାବେଳେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇ ଚଢ଼ି ଯାଇଥିବା ମାନିଛନ୍ତି। ତେବେ ଏହାକୁ କିନ୍ତୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଶ୍ରୀମନ୍ଦିର ସେବକ ଓ ଭକ୍ତ। ଦେଶର ଅନ୍ୟ ସବୁ ପ୍ରମୁଖ ମନ୍ଦିର ଭଳି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ କଡ଼ା ଆଇନ୍ ଆଣିବାକୁ ଦାବି କରିଛନ୍ତି।

ଶ୍ରୀମନ୍ଦିର ଉପରକୁ ବେଆଇନ୍ ଭାବେ ଭକ୍ତ ଚଢ଼ିଯିବା ନୂଆ ନୁହେଁ, କିଛିଦିନ ତଳେ ଦକ୍ଷିଣୀ ଘର ବାଟେ ଜଣେ ବ୍ୟକ୍ତି ମନ୍ଦିର ଚଢୁଥିବାବେଳେ କାବୁ ହୋଇଥିଲେ। ସେମିତି ଗଞ୍ଜାମର ଜଣେ ଭକ୍ତ ମଧ୍ୟ ଅଁଳା ବେଢ଼ା ଉପରକୁ ଚଢିବାକୁ ଉଦ୍ୟମ କରି ଧରା ପଡ଼ିଥିଲେ। ତେଣୁ ବାରମ୍ବାର ଘଟୁଥିବା ଏଭଳି ଦୁଃସାହସରେ ରୋକ୍ ଦେବାକୁ ତତ୍ପର ହୋଇଛନ୍ତି ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୋଲିସ୍। ଆଜି ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଓ ପୁରୀ ଏସପି ଦାୟିତ୍ବରେ ଥିବା ଡିଆଇଜି ପିନାକ ମିଶ୍ର ଶ୍ରୀମନ୍ଦିର ବେଢ଼ାକୁ ଯାଇ ମିଳିତ ଭାବେ ସୁରକ୍ଷା ଯାଞ୍ଚ କରିଥିଲେ। ଏହାପରେ ମୁଖ୍ୟ ପ୍ରଶାସକ କହିଛନ୍ତି- ଯେଉଁ ବାଟ ଦେଇ ଭକ୍ତ ମନ୍ଦିରକୁ ଚଢ଼ି ଯାଉଛନ୍ତି ସେସବୁ ସ୍ପଟ୍ ଚିହ୍ନଟ କରାଯାଇ ବ୍ୟାରିକେଡ୍ ଲଗାଯିବ। ଏଥିସହ ସେ ସ୍ଥାନ ଗୁଡ଼ିକ ସିସିଟିଭି ସର୍ଭେଲାନସରେ ରହିବ। ଆନନ୍ଦ ବଜାର ଭିତରେ ଏକ ସିସିଟିଭି କଣ୍ଟ୍ରୋଲ୍ ରୁମ୍ ଖୋଲାଯିବା ସହ ପୋଲିସ୍ କ୍ୟାମ୍ପ ରହିବ। ଭକ୍ତଙ୍କୁ ଶ୍ରୀମନ୍ଦିର ସୁରକ୍ଷା ସମ୍ବନ୍ଧିତ ସୂଚନା ଦେବାକୁ ବିଭିନ୍ନ ସ୍ଥାନରେ ସାଇନବୋର୍ଡ ଲଗାଯିବ। ଏଥିସହ ଶ୍ରୀମନ୍ଦିର ସୁରକ୍ଷା ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନ୍ ଆଣିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଥିଲେ ମୁଖ୍ୟ ପ୍ରଶାସକ। 

Advertisment

ନାନା ବାଟରେ ବିପଦରେ ଶ୍ରୀମନ୍ଦିର। କେତେବେଳେ କିଏ ନୀଳଚକ୍ର ଉପରେ ଡ୍ରୋନ୍ ଉଡ଼ାଇଲାଣି ତ କିଏ ମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ପଶିଲାଣି। ପୁଣି କେତେବେଳେ କିଏ ମେଘନାଦ ପାଚେରୀ ଡେଇଁ ପଶିଲାଣି। ତେବେ ହଠାତ୍ ମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ ଏବେ ପୋଲିସ ଓ ପ୍ରଶାସନ ପାଇଁ ନୂଆ ମୁଣ୍ଡବ୍ୟଥା ସୃଷ୍ଟି କରିଛି।

Jagannath Temple Law And Order Puri Police
Advertisment
Advertisment