• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ । ହାତରେ ମାରଣାସ୍ତ୍ର ଧରି ସର୍ବସାଧାରଣରେ ଆତଙ୍କ ଖେଳାଇଲେ । ତେବେ ଯବାନ ଜଣକ କାହାକୁ ଆକ୍ରମଣ କରିନଥିଲେ ବରଂ ଅଭିଯୋଗର ଲମ୍ବା ତାଲିକା ଦେଖାଇ ପୋଲିସ ଓ ପ୍ରଶାସନ ଉପରେ ଖୋଲାଖୋଲି ଅସନ୍ତୋଷ ଝାଡିଥିଲେ । ହେଲେ କାହିଁକି ଏମିତି କରୁଥିଲେ ସେ, ଜାଣିବା ଆସନ୍ତୁ ।

ସ୍ଥାନ- ବାଙ୍କୀ । ସମୟ- ସକାଳ ପ୍ରାୟ ୧୦ଟା । ଗୋଟିଏ ହାତରେ ଖଣ୍ଡା, ଅନ୍ୟ ହାତରେ ହାତୁଡି । ବିଚ୍ ରାସ୍ତାରେ ଘଂଟା ଘଂଟା ଧରି ଆତଙ୍କ ଖେଳାଇ ଚାଲିଲେ ଜଣେ ଅବସରପ୍ରାପ୍ତ ଯବାନ । ବାଙ୍କୀ କଲେଜ ଛକରୁ କଚେରୀ ଛକ ଯାଏଁ, ମାରଣାସ୍ତ୍ର ଧରିଥିବା ଅବସରପ୍ରାପ୍ତ ଯବାନଙ୍କୁ ଯିଏ ଦେଖୁଥିଲା, ଆତଙ୍କିତ ହୋଇପଡୁଥିଲା । ଭୟରେ କେହି ତାଙ୍କ ପାଖ ମାଡୁନଥିଲେ ।

ତେବେ ପୂର୍ବତନ ସେନା କର୍ମଚାରୀ ଜଣକ ସାଧାରଣ ଲୋକଙ୍କୁ କିଛି କ୍ଷତି ପହଞ୍ଚାଇନଥିଲେ । ବରଂ ପୋଲିସ ଓ ପ୍ରଶାସନ ଉପରେ ଶୁଝାଇ ଚାଲିଥିଲେ ରାଗ । ଗାଳି ଦେଉଥିଲେ, ଖୋଲାଖୋଲି ଅସନ୍ତୋଷ ଝାଡୁଥିଲେ । ବେଳେ ବେଳେ ପୋଲିସ ଉପରକୁ ଖଣ୍ଡା ଉଠାଇ ହାଣିବାକୁ ଧମକ ବି ଦେଉଥିଲେ । ଉତ୍ତ୍ୟକ୍ତ ଅବସରପ୍ରାପ୍ତ ଯବାନଙ୍କୁ କାବୁ କରିବାକୁ ନାକେଦମ୍ ହୋଇଥିଲା ପୋଲିସ ।

କାହିଁକି ଅବସରପ୍ରାପ୍ତ ଯବାନ ଜଣକ ଏଭଳି କାଣ୍ଡ ଘଟାଇଲେ ? ମାରଣାସ୍ତ୍ର ଧରି ଏଭଳି ଆତଙ୍କ ଖେଳାଇବା ପଛରେ କାରଣ କ’ଣ ? ପୋଲିସ ଓ ପ୍ରଶାସନ ବିରୋଧରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଥିବା ଏହି ଅବସରପ୍ରାପ୍ତ ଯବାନ ହେଲେ ସରୋଜ ଦାସ । ଏପ୍ରିଲ ୨୦୧୯ରେ ସେ ସେନାରୁ ଅବସର ନେଇଥିଲେ । ତାଙ୍କ ଅଭିଯୋଗ ହେଲା, ଅବସର ବେଳେ ମିଳିଥିବା ଟଙ୍କାରୁ ୬ ଲକ୍ଷ ଟଙ୍କାରେ ଏକ ହାଇୱା କିଣିବାକୁ ସେ ଶିମିଳିପୁରର ଅଜୟ କୁମାର ରାଉତ ଓରଫ ମିଲୁଆଙ୍କୁ ଦେଇଥିଲେ ।

ନୂଆ ଗାଡି ବଦଳରେ ସେ ପୁରୁଣା ଗାଡି କିଣାଇ ଦେଇଥିଲେ ଏବଂ ସେଥିରେ ସରୋଜ ବାଲିଘାଟରୁ ବାଲି ଉଠାଉଥିଲେ । ତେବେ ପୋଲିସ ଅଧିକ ଟଙ୍କା ଦାବି କରି ଟ୍ରାଞ୍ଜିଟ୍ ପାସ ଦେଉନଥିଲା ଏବଂ ତହସିଲଦାର ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ବାରମ୍ବାର ତାଙ୍କ ଗାଡି ସିଜ୍ କରିବା ସହ ହଇରାଣ ହରକତ କରୁଥିବା ଅଭିଯୋଗ କରିଛନ୍ତି ସରୋଜ । ଏଥିସହ ସେନାରୁ ଅବସର ବେଳେ ତାଙ୍କୁ ମିଳିଥିବା ସମସ୍ତ ଟଙ୍କା ବ୍ୟବସାୟୀ ଅଜୟ କୁମାର ରାଉତ ହଡପ କରିନେଇଥିବା ସେ ଅଭିଯୋଗ କରିଛନ୍ତି ।

ସରୋଜ ଆଣିଥିବା ଅଭିଯୋଗ ଉପରେ ବ୍ୟବସାୟୀ ଅଜୟ ରାଉତ, ପୋଲିସ କିମ୍ବା ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଜଣେ ପୂର୍ବତନ ସେନା କର୍ମଚାରୀ ଭାବେ ସରୋଜଙ୍କ କାମ କେତେଦୂର ଠିକ୍ ତା ତ ଭିନ୍ନ ପ୍ରଶ୍ନ । କିନ୍ତୁ ଶୃଙ୍ଖଳିତ ସେନାଜୀବନ ଜୀଇବା ପରେ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ତାଙ୍କୁ ହତାଶ କରିଥିବା ସ୍ପଷ୍ଟ ଅନୁମାନ କରାଯାଇପାରେ ।

  • Reported by:
  • Sanjeeb Nayak