• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆମ ଓଡିଶା ନବୀନ ଓଡିଶା ଯୋଜନାକୁ ଅଦାଲତି ଛାଟ । ଯୋଜନାର କାର୍ଯ୍ୟକାରିତାରେ ପଞ୍ଚାୟତର ସ୍ୱାର୍ଥ ଏବଂ ଗ୍ରାମସଭାକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ଉପରେ ସରକାରଙ୍କୁ ରିପୋର୍ଟ ତଲବ୍ କରିଛନ୍ତି ହାଇକୋର୍ଟ । ଏଥିସହ ଯେଉଁ ଢଙ୍ଗରେ ଯୋଜନା କାର୍ଯ୍ୟକାରୀ ହେଉଛି ତାହା ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ପରିପନ୍ଥୀ ବୋଲି କୋର୍ଟ ମତ ଦେଇଛନ୍ତି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଜନପ୍ରତିନିଧି ଓ ପଲ୍ଲୀସଭାକୁ ବାଇପାସ୍ କରି ଚାଲିଛି କି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ? ଗାଇଡଲାଇନ ଉଲ୍ଲଂଘନ କରୁଛନ୍ତି କି ସରକାରୀ ଅଧିକାରୀ ? ଦଳୀୟ ଭିତ୍ତିରେ ହେଉଛି କି ପ୍ରକଳ୍ପ ଚୟନ ? ଆମ ଓଡିଶା ନବୀନ ଓଡିଶା ଯୋଜନାକୁ ହାଇକୋର୍ଟ ଝଟକା ପରେ ଉଠିଛି ଏମିତି ପ୍ରଶ୍ନ ।

ଯୋଜନାର କାର୍ଯ୍ୟକାରିତା ବେଳେ ପଞ୍ଚାୟତ ଆଇନ ଏବଂ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଘଂନ ଅଭିଯୋଗ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ବାଲେଶ୍ୱର ବସ୍ତା ବ୍ଲକର ୯ଟି ପଞ୍ଚାୟତର ସରପଞ୍ଚ । ସେମାନଙ୍କ ଅଭିଯୋଗ ଥିଲା ଗାଇଡ୍ ଲାଇନ୍ ମୁତାବକ ପଞ୍ଚାୟତ ପ୍ରତିନିଧି ମାନେ ପ୍ରକଳ୍ପ ତାଲିକା ଦେବେ, ଜିଲ୍ଲାପାଳ ପ୍ରକଳ୍ପ ଫାଇନାଲ କରିବେ । ବିଭାଗ କାମ କରିବେ ।

ହେଲେ ବସ୍ତା ବ୍ଲକରେ ସବୁ କିଛି ମନମାନି କରୁଛନ୍ତି ସରକାରୀ ଅଧିକାରୀ । ତେଣୁ ମାମଲାର ଶୁଣାଣି ବେଳେ ଏନେଇ ରାଜ୍ୟ ସରକାରଙ୍କ ସହ ପଞ୍ଚାୟତିରାଜ ବିଭାଗର ସଚିବ, ବାଲେଶ୍ୱର ଜିଲ୍ଲାପାଳ, ଡିପିଓ ଓ ବସ୍ତା ବିଡିଓଙ୍କୁ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ । ୩ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଛି । ଯୋଜନାର କାର୍ଯ୍ୟକାରିତା ବେଳେ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମସଭାକୁ ଗୁରୁତ୍ୱ ଦିଆଯିବା ଉପରେ ଜୋର ଦେଇଛନ୍ତି କୋର୍ଟ । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ସବୁ କିଛି ଗାଇଡଲାଇନ  ଅନୁସାରେ ହୋଇଛି ।

ବଡ କଥା ହେଉଛି ଏମିତି ମାମଲା ନୁଆଁ ନୁହେଁ । ଭଦ୍ରକ ବାସୁଦେବପୁର ବ୍ଲକ ଆର୍ତୁଂ ପଞ୍ଚାୟତରେ ମଧ୍ୟ ସମାନ ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସରପଞ୍ଚ ସୁବାସ ସନ୍ଦି ବିଗ୍ରହ । ଆଉ ଏ ମାମଲାରେ ମଧ୍ୟ ଗ୍ରାମସଭା ସହ ପଞ୍ଚାୟତ ପ୍ରତିନିଧିଙ୍କ ଦ୍ୱାରା ପ୍ରକଳ୍ପ ଚୟନ ପାଇଁ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ଏପଟେ ୨୪ ନିର୍ବାଚନ ପୂର୍ବରୁ ଗାଁ ଭୋଟ୍ ହାତେଇବାକୁ ସରକାରଙ୍କ ଏ ଯୋଜନା ବୋଲି ଅଭିଯୋଗ କରି ଆସୁଥିବା ବିରୋଧୀ, ହାଇକୋର୍ଟଙ୍କ ଛାଟ ପରେ ସରକାରଙ୍କ ଉପରେ ଧୁମ୍ ବର୍ଷିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ କହିଛି ଏଥିରୁ ସ୍ପଷ୍ଟ ହେଲା ନିର୍ବାଚନ ପୂର୍ବରୁ ଦଳୀୟ କର୍ମୀଙ୍କୁ ମାଲେମାଲ କରିବାକୁ ଏହି ଯୋଜନା କରିଛନ୍ତି ସରକାର । ବିଜେପିର ଅଭିଯୋଗ ଯୋଜନାରେ କେବଳ ସରକାରୀ ଅଧିକାରୀ ମାନେ ହିଁ ପ୍ରକଳ୍ପ ଚୟନ କରୁଛନ୍ତି । ଯାହାର ଜବାବ୍ ରଖିଛି ବିଜେଡି ।

ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରକଳ୍ପ ଚୟନକୁ ନେଇ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା । ଏମିତିକି ପ୍ରକଳ୍ପ ଚୟନକୁ ନେଇ ଶାସକ ଦଳର ନେତାଙ୍କ ଭିତରେ ବି ଫାଟ ଫୁଟି ବାହାରିଥିଲା । ଏବେ ଆଇନ ଜାଲରେ ଛନ୍ଦି ହେବା ପରେ ବିଜେଡି ପାଇଁ ଗେମ ଚେଞ୍ଜର କୁହାଯାଉ ଥିବା ଆମ ଓଡିଶା ,ନବୀନ ଓଡିଶା ଯୋଜନା ସରକାରଙ୍କ ପାଇଁ ବୁମେରାଂ ହେବନି ତ ।

  • Reported by:
  • RASHMIRANJAN DAS , SOUMYA RANJAN SAHOO , Suryadoya Biswal , Ajit Das