• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମନରେ ଅସୁମାରୀ ସ୍ୱପ୍ନ, ଭରପୁର ଉତ୍ସାହ । ଦିନେ ଦେଶ ପାଇଁ ସେମାନେ ବି ଖେଳିବେ...ଭାରତର ନେତୃତ୍ୱ ନେବେ । ଆଉ ବିଶ୍ୱକପ ଖେଳିବେ । ଏଇ ବିଶ୍ୱାସରେ ହାତରେ ହକି ଷ୍ଟିକ୍ ଧରି ଧୂଳିରେ ଅଭ୍ୟାସ ଚାଲିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି, ଅନେକ ଜାତୀୟ ଏବଂ ରାଜ୍ୟ ସ୍ତରୀୟ ଖେଳାଳି । ହକି ପାଇଁ ଦେବଗଡ ଜିଲ୍ଲା ର ଏନ୍ତୁଡିଶାଳ କୁହାଯାଉଥିବା କରଡାପାଳ ଗ୍ରାମରେ ସବୁଦିନ ସକାଳ ଓ ସନ୍ଧ୍ୟାରେ ଚାଲିଛି ହକି ପ୍ରାକ୍ଟିସ । ଶହ ଶହ ଆଦିବାସୀ ପିଲା ନିଜ ସ୍ୱପ୍ନ ପୂରଣ ପାଇଁ ଦିନରାତି ଏକ କରିଦେଇଛନ୍ତି । ମାତ୍ର ଅଭାବୀ ଭିତ୍ତିଭୂମି ପିଲାଙ୍କ ଗୋଡରେ ବେଡି ଟାଣିଛି ।

ହକି ଅଭ୍ୟାସ ପାଇଁ ଯେଉଁଠି ଉପଯୁକ୍ତ ପଡିଆ ଟିଏ ନାହିଁ ସେଠି ଜିମ୍ ଦୂର କଥା । ଆବଶ୍ୟକ ହେଉଥିବା ଟ୍ରେନିଂ, ଟେକନିକ୍ ଓ ଟେକ୍ନୋଲୋଜି ଏମାନଙ୍କ ପାଇଁ ସ୍ୱପ୍ନ । କରଡାପାଳରେ ଟାଟା ପକ୍ଷରୁ ରହିଛି ଏକ ଟ୍ରେନିଂ ସେଂଟର । ଯେଉଁଥିରେ ଅସ୍ଥାୟୀ ଭାବେ ନିଯୁକ୍ତ ୩ ଜଣ କୋଚ୍ ପିଲାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ଏଇ ଧୂଳି ମାଟିରେ ଖେଳି ଏକାଧିକ ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ଖେଳିବାକୁ ଯୋଗ୍ୟ ହୋଇଛନ୍ତି । ଏକାଧିକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିଥିବା ଦେବଗଡର ନୂଆ ପ୍ରତିଭା ନିଜର ହକ୍ ପାଇଲେ ଆଗକୁ ବଢିବାର ଆଶା ରଖିଛନ୍ତି ।

ଏଇଠୁ ପ୍ରଶିକ୍ଷଣ ନେଇ ରୋଶନ ମି, ଆଶିଷ ଟୋପ୍ନୋ, ଆନନ୍ଦ ତିର୍କି ଏବଂ ରଶ୍ମିତା ମି ଭଳି ଖେଳାଳି ଭାରତ ପକ୍ଷରୁ ଖେଳି ସାରିଛନ୍ତି । ଏକାଧିକ ଖେଳାଳି ଜାତୀୟ ସ୍ତରରେ ମଧ୍ୟ ଖେଳିଛନ୍ତି । ଏହା ସତ୍ତ୍ୱେ ହକି ପ୍ରତିଭାଙ୍କ ଅଭ୍ୟାସ ପାଇଁ ଏଠାରେ ଏପରି ବ୍ୟବସ୍ଥା।

ସାରା ରାଜ୍ୟରେ ହକିର ଫିଭର। ରାଜ୍ୟ ସରକାର ହକି ଖେଳକୁ ବେସ ପ୍ରାଧାନ୍ୟ ଦେଉଛନ୍ତି । ରାଜ୍ୟରେ ଦ୍ୱିତୀୟ ଥର ପାଇଁ ପୁରୁଷ ହକି ବିଶ୍ୱକପର ଆୟୋଜନ ହୋଇଛି। ହକି ଖେଳ ପ୍ରତି ଧିରେ ଧିରେ ଓଡିଆଙ୍କ ମନ ବଳୁଛି। ସୁନ୍ଦରଗଡ ପରେ ଦେବଗଡ ହକିର ଗଡ ପାଲଟିଛି । ଶହ ଶହ ପିଲା ହକି ଖେଳକୁ ନେଇ ସ୍ବପ୍ନ ଦେଖୁଛନ୍ତି । ମାତ୍ର ଆବଶ୍ୟକ ଭିତ୍ତିଭୂମୀର ଅଭାବ ଯୋଗୁଁ ପ୍ରତିଭାଙ୍କୁ ମିଳିପାରୁନି ପ୍ରୋତ୍ସାହନ ।

ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ କରି ରାଜ୍ୟ ସରକାର ଏବେ ପ୍ରଶଂସା ସାଉଁଟୁଛନ୍ତି । ସାରା ରାଜ୍ୟରେ ହକି ପ୍ରେମୀଙ୍କ ଉତ୍ସାହ ବଢିବାରେ ଲାଗିଛି । ସରକାର ଦେବଗଡ ଜିଲ୍ଲାର ହକି ଖେଳାଳିଙ୍କୁ ମଧ୍ୟ ସହଯୋଗର ହାତ ବଢାଇବାକୁ ଦାବି ହେଉଛି ।

(ରିପୋର୍ଟ -ସିଦ୍ଧାର୍ଥ ଗୁରୁ, ଦେବଗଡ଼)