• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜହ୍ନର ଦକ୍ଷିଣ ମେରୁରେ ଭାରତର ଚନ୍ଦ୍ରଯାନ-୩ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିଥିଲା । ବିଶ୍ବର ପ୍ରଥମ ଦେଶ ଭାବେ ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ଭାରତ। ଏହାପରେ ସଫଳତାର ସହ ୧୪ ଦିନ ଚନ୍ଦ୍ରପୃଷ୍ଠରେ ଅଧିକ ଗବେଶଣା କରିଥିଲା ରୋଭର ପ୍ରଜ୍ଞାନ। ଜହ୍ନରେ ରାତି ହେବା ସହ ଅଚଳ ହୋଇଯାଇଥିଲା ରୋଭର ’ପ୍ରଜ୍ଞାନ’ ଓ ଲ୍ୟାଣ୍ଡର ’ବିକ୍ରମ’। ୧୪ ଦିନର ଅନ୍ଧକାର ପରେ ଚନ୍ଦ୍ରରେ ହୋଇଛି ସୂର୍ଯ୍ୟୋଦୟ। ୨୨ ସେପ୍ଟେମ୍ବରରେ ଦକ୍ଷିଣ ମେରୁରେ ସୂର୍ଯ୍ୟୋଦୟ ହେବା ସହ ’ଶିବଶକ୍ତି’ ପଏଣ୍ଟରେ ପଡ଼ିବ ସୂର୍ଯ୍ୟକିରଣ। ସୂର୍ଯ୍ୟକିରଣ ପଡ଼ିବା ପରେ ପୁଣି ଥରେ ଲ୍ୟାଣ୍ଡର ଓ ରୋଭର କାମ କରିବ ବୋଲି ବୈଜ୍ଞାନିକ ‍ଆଶା ରଖିଛନ୍ତି।

ଚନ୍ଦ୍ରଯାନ-୩ ସହ ପୁଣି ଥରେ ସମ୍ପର୍କ ସ୍ଥାପନ କରିବା ପାଇଁ ଚେଷ୍ଟା ‍ଆରମ୍ଭ କରିସାରିଛନ୍ତି ଇସ୍ରୋର ବୈଜ୍ଞାନିକ। ଗତ ବୁଧବାର ଇସ୍ରୋ ’X’ ରେ ଏହି ସମ୍ପର୍କରେ ଅପଡେଟ୍ ଦେଇସାରିଛି । ଇସ୍ରୋ ପକ୍ଷରୁ କୁହାଯାଇଛି କି ’ଶିବ ଶକ୍ତି ପଏଣ୍ଟରେ ଶୀଘ୍ର ସୂର୍ଯ୍ୟୋଦୟ ହେବ। ସୂର୍ଯ୍ୟକିରଣ ପଡ଼ିବା ପରେ ବିକ୍ରମ ଓ ପ୍ରଜ୍ଞାନକୁ ‍ଆବଶ୍ୟକ ମୁତାବକ ‍ଆଲୋକ ମିଳିବ। ଲ୍ୟାଣ୍ଡର ଓ ରୋଭରକୁ ‍ଆ‍ବଶ୍ୟକ ପରିମାଣର ତାପମାତ୍ରା ମିଳିବା ପରେ ଇସ୍ରୋ ସେପ୍ଟେମ୍ବର ୨୨ ଲ୍ୟାଣ୍ଡର ଓ ରୋଭର ସହ କମ୍ୟୁନିକେସନ ସ୍ଥାପନ କରିବାକୁ ଚେଷ୍ଟା କରିବ । ଇସ୍ରୋ ଅଧ୍ୟକ୍ଷ ଏସ୍.ସୋମନାଥ କହିଛନ୍ତି କି ‍ଆମର ବିଶ୍ବାସ ଅଛି ସୂର୍ଯ୍ୟୋଦୟ ପରେ ଲ୍ୟାଣ୍ଡର ଓ ରୋଭରରେ ଥିବା ପେ-ଲୋଡ୍ସ ପୁଣି ଥରେ କାର୍ଯ୍ୟକ୍ଷମ ହୋଇପାରେ। ଇସ୍ରୋ ଟିମ୍ ୨୧ ଓ ୨୨ ସେପ୍ଟେମ୍ବରରେ ପୁଣି ଥରେ କମ୍ୟୁନିକେସନ କରିବା ପାଇଁ ଚେଷ୍ଟା କରିବ ।

ବିକ୍ରମ ଓ ପ୍ରଜ୍ଞାନ ପୁଣି ଥରେ କାର୍ଯ୍ୟକ୍ଷମ ହେଲେ କ’ଣ ମିଳିବ ଫାଇଦା

ଚନ୍ଦ୍ରରେ ଖଣିଜ ପଦାର୍ଥ ଓ ପାଣିର ସନ୍ଧାନ କରୁଥିବା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ଯଦି ପୁଣି ଥରେ କାର୍ଯ୍ୟକ୍ଷମ ହୁଏ ତେବେ ଭାରତର ସ୍ବଦେଶୀ ଟେକନିକର ଜଲୱା ପୂରା ବିଶ୍ବ ଦେଖିବ । ବିଶେଷକରି ‍ଆର୍ଟଫିସି‍ଆଲ ଇଣ୍ଟେଲିଜେନ୍ସି, ରିମୋଟ ନାଭିଗେସନ, ରିମୋଟ ମାଇନିଂ, ଡିଜିଟାଲ କଣ୍ଟ୍ରୋଲ୍ଡ ଡ୍ରାଇଭିଂ ଏବଂ ହିଟ୍ ସିଲଡିଂ ଭଳି ଅଦୃଶ୍ୟ ଟେକ୍ନୋଲୋଜିର ଦ୍ବାର ଖୋଲିବ । ଏହାଦ୍ବାରା ନୂତନ ଶିଳ୍ପ ଜନ୍ମ ନେବ, ଯାହା ତାପମାତ୍ରା ନିର୍ବିଶେଷରେ ପୃଥିବୀଠାରୁ ଦୂରରେ ଥିବା ଅନ୍ୟ କୌଣସି ଗ୍ରହରେ ଯାନବାହାନ ଅବତରଣ କରିବାରେ ସଫଳ ହେବ ।