• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarojini Sankhua

"ଅଗି ଜଳିଲା, ଶୀତ ଟଳିଲା"- ଏହି ଲୋକବାଣୀଟି ଓଡିଶାରେ ବେଶ୍ ପରିଚିତ, ଯାହାର ଅର୍ଥ ହେଉଛି ଅଗି ଜଳା ଦିନଠାରୁ ଶୀତର ପ୍ରଭାବ କମେ। ଶୀତ ଋତୁର ଶେଷ, ମାଘ ମାସର ପୂର୍ଣ୍ଣମୀକୁ ଅଗିରା ପୁନେଇଁ କୁହାଯାଏ। ଏହି ଦିନଠାର ଶୀତ କମେ ଖରା ବଢ଼େ। ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରା ଆସିବାର ଥାଏ, ପଛରେ ରହିଯାଏ ମଞ୍ଜଥରା ଶୀତର ପ୍ରକୋପ। ଆସନ୍ତା ଗ୍ରୀଷ୍ମ ଓ ଫେରନ୍ତା ଶୀତର ମିଶ୍ରଣରେ ଅନୁଭୂତ ହୁଏ ଋତୁରାଜ ବସନ୍ତ। ଏହି ସମୟକୁ ଆମେ ଉପଭୋଗ କରୁ ବିଭିନ୍ନ ପର୍ବ ପର୍ବାଣୀ ଓ ଖୁସି ଉଲ୍ଲାସରେ। ଏହି ଅଗିରା ପୁନେଇଁ ବେଳକୁ କୃଷି ପ୍ରଧାନ ଓଡ଼ିଶାର ଘରେ ଘରେ ଅମଳ ହେଇ ଖଳାକୁ ଆସିସାରିଥାଏ ଫସଲ। ସେତେବେଳକୁ ପ୍ରତି ଖଳାରେ କୁଟା ନଡ଼ା ପର୍ଯ୍ୟାପ୍ତ ପରିମାଣର ଗଚ୍ଛିତ ଥାଏ। ତେଣୁ ଅଗିରା ପୁନେଇଁର ମୁଖ୍ୟ ଉତ୍ସବ ଅଗିଜଳା ପାଇଁ ସମସ୍ତଙ୍କ ମନରେ ଭରପୁର ଉତ୍ସାହ ଥାଏ।

କାହିଁକି ପାଳନ ହୁଏ ଅଗିରା ପୁନେଇଁ?

ଏହା ମୁଖ୍ୟତଃ ଅଗ୍ନି ଦେବତାଙ୍କ ପୂଜା। ଅଗ୍ନିଦେବତାଙ୍କ ପୂଜା ସାଧାରଣତଃ ଶ୍ରୀ ପଞ୍ଚମୀ ଦିନଠାରୁ ଆରମ୍ଭ ହୋଇଥାଏ। ଏହାର କାରଣ ସରସ୍ୱତୀଙ୍କୁ ବେଦରେ ଅଗ୍ନି ବୋଲି କୁହାଯାଇଛି। ତାଙ୍କ ନିକଟରେ ହେଉଥିବା ହୋମ ହିଁ ପ୍ରଥମ ଅଗ୍ନି ପୂଜା ବୋଲି ବିଚାର କରାଯାଏ। ଅଗିରା ପୁନେଇଁ ଦିନ ଅଗ୍ନିଙ୍କ ଶ୍ରେଷ୍ଠ ଉତ୍ସବ ପାଳନ ହୁଏ।

ଅଗ୍ନି କିଏ? ତାଙ୍କ ସୃଷ୍ଟିର ରହସ୍ୟ କ’ଣ?

ସତ୍ୟଯୁଗରେ ଅଗ୍ନିଦେବ ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥିରେ ମହାବିଷ୍ଣୁଙ୍କ ମୁଖରୁ ଜନ୍ମ ଲଭିଥିଲେ। କଳି ଯୁଗରେ ଅଗ୍ନିଦେଵ ମାଘମାସ ପୂର୍ଣ୍ଣିମାରେ ଜନ୍ମ ହୋଇଥିଲେ। ମେଷ ରୂପରେ କଳିକୁ ବଳି ବାନ୍ଧି ରଖିଥିଲେ। ମାଘ ପୂର୍ଣ୍ଣିମା ଦିନ ହରି ତାକୁ ମୁକ୍ତ କରିଥିଲେ। ଦୁଷ୍ଟ କଳି ପକ୍ଷୀ ରୂପ ହୋଇ ସେଠାରୁ ଉଡିଗଲା ଓ କୃଷ୍ଣ ଯିବା ବାଟରେ ଏକ ବର ଗଛରେ ବସିଲା।ଯେତେବେଳେ କୃଷ୍ଣ ସେ ବର ଗଛ ତଳକୁ ଗଲେ କଳି ତାଙ୍କ ମୁଣ୍ଡ ଉପରେ ପରିସ୍ରା କରିପକାଇଲା। ତେଣୁ ଭଗବାନ କ୍ରୋଧରେ ନିଜ ଶରୀରରୁ ଅଗ୍ନି ଜାତ କରି କଳିକୁ ପୋଡ଼ି ପକାଇଲେ। କଳି ଦରପୋଡା ହୋଇ ଭଗବାନଙ୍କ ପାଦତଳେ ପଡ଼ିଲା। ଅଗ୍ନିକୁ ଭଗବାନ କହିଲେ ଯେ ଆଜି ମୋ ଦେହରୁ ତୁମେ ଜାତ ହୋଇଥିବାରୁ ପ୍ରତି ମାଘ ପୂର୍ଣ୍ଣିମାରେ ତୁମର ଜନ୍ମ ଉତ୍ସବ ମଣିଷମାନେ ପାଳନ କରିବେ।

ପ୍ରଥମେ ଅଗ୍ନି ଉତ୍ସବ ପାଳନ କିଏ କଲେ?

ଭଗବାନ କୃଷ୍ଣ ଅଗ୍ନିଙ୍କୁ ଜାତ କରିବା ପରେ ତାଙ୍କ ଜନ୍ମ ଉତ୍ସବ ପାଳନ କଥା କହି ଏହା କହିଥିଲେ ଯେ, କଳି ଯୁଗରେ ଯେତିକି ସ୍ନାନ, ଦାନ ଶେଷରେ ମଣିଷମାନେ ତୁମର ହୋମ ଯଜ୍ଞ କରିବେ। ତୁମ ମୁହଁରେ କୁଟା କାଠ ଆଦି ଦ୍ରବ୍ୟ ପକାଇ ଯେଉଁ ଲୋକ ତୁମର ଜନ୍ମ ବିଧି ପାଳନ ନକରିବ ତାର ବାସଗୃହ ତୁମେ ଭକ୍ଷଣ କରିବ। ଏହା ପରେ ଭଗବାନ ରାଜା ଯୁଧିଷ୍ଠିରଙ୍କୁ ଆଦେଶ ଦେଲେ ଯେ ନିଜ ରାଜ୍ୟରେ ଅଗ୍ନି ଉତ୍ସବ ପାଳନ କର। କୃଷ୍ଣଙ୍କ ଆଦେଶରେ ଧର୍ମରାଜ ଯୁଧିଷ୍ଠିର ଅଗ୍ନି ଉତ୍ସବ ପାଳନ କଲେ।

ଅଗିରା ପୁନେଇଁ ପାଳନ ବିଧି

ଅଗିରା ପୁନେଇଁ ବା ଅଗ୍ନି ଉତ୍ସବ ପାଇଁ ଗାଁ ମୁଣ୍ଡର ଏକ ଖୋଲା ଜାଗାକୁ ଗୋବରରେ ଲିପି ପରିଷ୍କାର କହିବାକୁ ହୁଏ। ପ୍ରତିଘରୁ ଅଗ୍ନିଭୋଜ୍ୟ କୁଟା କାଠ, ନଡ଼ା ଆଦି ଆଣି ଠୁଳ କରାଯାଏ। ଗୋଟିଏ ଘିଅ ଦୀପ ପ୍ରଥମେ ପୂଜା ପାଇ ସାରିଲା ପରେ ସେହି ଦୀପରୁ ଠୁଳ ହୋଇଥିବା କୁଟା କାଠ ରେ ଅଗ୍ନି ସଂଯୋଗ ହୁଏ। ନିଆଁ ଉପରକୁ ଆଳୁ ସାରୁ ବାଇଗଣ ଆଦି ପକାଇ ପରେ ତାକୁ ପ୍ରସାଦ ରୂପେ ଗ୍ରହଣ କରାଯାଏ । କୁହାଯାଏ ଶୀତ ଦିନେ ବାଇଗଣ ଖାଇବା ଦେହ ପକ୍ଷେ ଅହିତକର। ଏହି ଅଗିରା ପୁନେଇଁ ଠାରୁ ପୁଣି ବାଇଗଣ ଖାଇବା ବିଧେୟ।

ଅଗିରା ପୁନେଇଁରେ ବାଳିକା ମାନଙ୍କ ଭୂମିକା

ଝିଅମାନେ ଏହି ଦିନ ବଜ୍ର ଗଛର ମୂଳି ଓ ହରଡ ଗଛ ଝାଟିରେ ଝାଡୁ ତିଆରି କରିଥାନ୍ତି। ପରଦିନ ଭୋଅରୁ ଉଠି ଘର ପାଖରୁ ରାସ୍ତାକୁ ସେହି ଝାଡୁରେ ସଫା କରି ଅଗି ପର୍ଯ୍ୟନ୍ତ ନିଅନ୍ତି। ସେଠାରେ ଅଗି ଖରକି ପାଉଁଶକୁ ନେଇ ଦୂରରେ ଫିଙ୍ଗି ଦିଅନ୍ତି। ଅଗି ସ୍ଥାନକୁ ଗୋବରରେ ଲିପି ପରିଷ୍କାର କରି ଘରକୁ ଫେରନ୍ତି। ସେମାନଙ୍କୁ ଅଗି ଛୁଅଁନ୍ତା କହି ଅନ୍ୟମାନେ କେହି ଛୁଅଁନ୍ତି ନାହିଁ। ଏହାପରେ ଝିଅମାନେ ତେଲ ହଳଦୀରେ ନଦୀ କିମ୍ଵା ପୋଖରୀରୁ ଗାଧୋଇ ପରିଷ୍କାର ଲୁଗା ପିନ୍ଧି ଅଗିଲିପା ଜାଗାରେ ଭୋଗ କରନ୍ତି ଓ ପରେ ତାକୁ ବାଣ୍ଟି ଦିଅନ୍ତି।

କୃଷି ପରମ୍ପରା

ଅଗିରା ପୁନେଇଁ ଏକ କୃଷଭିତ୍ତିକ ପର୍ବ ଭାବେ ମଧ୍ୟ ଗ୍ରହଣୀୟ। କୃଷି କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ଲଙ୍ଗଳ, ଶାବଳ, ଦାଆ, କୋଡ଼ି, କୋଦାଳ ପରି ଲୁହା ଯନ୍ତ୍ରପାତି କମାରଶାଳର ନିଆଁ ଭିତରେ ପ୍ରସ୍ତୁତ ହୁଏ। ତେଣୁ କମାରଶାଳର ଇଷ୍ଟଦେବ ହେଉଛନ୍ତି ଅଗ୍ନି। ଅଗ୍ନି ଉତ୍ସବ ପରେ ଲୋକ ମାନେ ଘର ଛପର କରନ୍ତି। କୁହାଯାଏ “ ଘର ପୋଡ଼ିଠାରୁ ବିପତ୍ତି ନାହିଁ” ତେଣୁ ଘରକୁ ନିଆଁ ଦାଉରୁ ବଞ୍ଚାଇବା ପାଇଁ ଅଗ୍ନି ଦେବତାଙ୍କୁ ଶାନ୍ତ କରିବା ହେଉଚି ମାଘ ପୂର୍ଣ୍ଣିମା ଦିନ ଅଗ୍ନି ଉତ୍ସବର ଉଦ୍ଦେଶ୍ୟ।

ବିଭିନ୍ନ ଅଞ୍ଚଳରେ ଅଗ୍ନି ଉତ୍ସବ

ଓଡ଼ିଶାରେ ଅଗିରା ପୁନେଇଁ ଦିନ ଅଗ୍ନିତ୍ସୋବ ପାଳନ ହେଉଥିବା ବେଳେ ଅଞ୍ଚଳ ଭେଦରେ ଅନ୍ୟ ସମୟରେ ମଧ୍ୟ ଅଗ୍ନିତ୍ସୋବ ପାଳନ ହୁଏ। ପୁରୀ ଜିଲ୍ଲାରେ ବ୍ରାହ୍ମଣ ଶାସନ ମାନଙ୍କରେ ଠାକୁର ଝୁଲଣ ବିମାନରେ ଯିବାବେଳେ ସବୁ ଘର ଆଗରେ ରହି ଭୋଗ ଖାଇଥାନ୍ତି।ଘର ଲୋକମାନେ ଘର ଦୁଆର ଆଗରେ ନଡ଼ିଆ ବାହୁଙ୍ଗା ଓ ବାଉଁଶରେ କୁଟା ଗୁଡ଼ାଇ ପୋତି ରଖନ୍ତି। ଠାକୁର ଆସିଲେ ସେହି ହୁଳାରେ ନିଆଁ ଲଗାଯାଏ। ଠାକୁର ଗାଁ ମୁଣ୍ଡରେ ପହଞ୍ଚିଲା ବେଳକୁ ଗାଁ ଲୋକଙ୍କ ଦ୍ୱାରା କରାଯାଇଥିବା ନିଆଁ ଚାରିପଟେ ବୁଲି ସେଠାରେ ଭୋଗ ଖାଇ ନିଜ ମନ୍ଦିରକୁ ଫେରନ୍ତି। କଟକ ଜିଲ୍ଲାରେ ଏହି ଉତ୍ସବକୁ ‘ ମେଣ୍ଢାକୁଡିଆ ପୋଡ଼ି’କୁହନ୍ତି। ସେହିପରି ବାଲେଶ୍ଵର ଜିଲ୍ଲାରେ ଏହାକୁ ‘ ମେଣ୍ଢାଘର ପୋଡ଼ି’ କୁହାଯାଏ।

ସାମାଜିକ ଦୃଷ୍ଟିକୋଣରୁ ଅଗିରା ପୁନେଇଁ

ମାଘ ମାସରେ ଗଛ ସବୁ ପତ୍ରଝଡ଼ା ଦେଇ ନୂଆ ନୂଆ କଅଁଳ ପତ୍ରରେ ପରିବେଶକୁ ସବୁଜିମାରେ ଭରି ଦିଅନ୍ତି। ତେଣୁ ଅପରିଷ୍କାର ହୋଇ ପଡ଼ିଥିବା ପତ୍ର, ଧାନ ଅମଳ ପରର କୁଟା ନଡ଼ା ସବୁ ଏକାଠି କରାଯାଇ ଅଗ୍ନି ସଂଯୋଗ କରାଯାଏ। ଫଳରେ ଗାଁ ରାସ୍ତା ପରିଷ୍କାର ପରିଚ୍ଛନ୍ନ ରୁହେ ଓ ଅଗି ଜଳା ପାଉଁଶ ମଧ୍ୟ ସାର ରୂପେ ବ୍ୟବହାର ହେଇଥାଏ। ଏହି ଋତୁରେ ଆମ୍ବ ବଉଳ ସବୁ ଗଛରେ ଭର୍ତ୍ତି ହୋଇଥାଏ ମାତ୍ର କୁହୁଡି ଯୋଗୁଁ ବଉଳ ନଷ୍ଟ ହେବାର ସମ୍ଭାବନା ଅଧିକ ଥାଏ। ଅଗ୍ନି ଉତ୍ସବ ଫଳରେ କୁହୁଡି କମିଯାଏ ଓ ଆମ୍ବ ବଉଳ ନଷ୍ଟ ହେବାରୁ ରକ୍ଷା ପାଏ। ସର୍ବୋପରି ଅଗ୍ନି ଉତ୍ସବ ହେଉଛି ଆମ ସଂସ୍କୃତି ପରମ୍ପରା ଓ ଜନଜୀବନର ଏକ ଅଙ୍ଗ। ହିନ୍ଦୁ ଧର୍ମର ପ୍ରକୃତି ପୂଜା ଓ ପ୍ରକୃତି ସହ ସହାବସ୍ଥାନର ଏକ ଉଦାହରଣ ହେଉଚି ଏହି ଅଗିରା ପୁନେଇଁ ବା ଅଗ୍ନି ଉତ୍ସବ।

(ନିବନ୍ଧରେ ପ୍ରଦତ୍ତ ସମସ୍ତ ତଥ୍ୟ ଓ ସୂଚନା ଲେଖିକାଙ୍କର)

ଫୋନ୍ ନମ୍ବର- 7325 868 455

OTV is now on Whatsapp

Join and get latest news update delivered to you via whatsapp

Join Now