ଆମ ଭାରତ ବର୍ଷ ଏକ ମହାନ ପୁଣ୍ୟ କ୍ଷେତ୍ର। ଏଠି ବହୁ ମୁନିଋଷି ଜନ୍ମନେଇ ନିଜ ନିଜର ଐତିହ୍ୟ ପ୍ରତିଷ୍ଠା କରି ଯାଇଛନ୍ତି। ତା ସହ ଭାରତୀୟ ଜନଜୀବନକୁ ଧର୍ମତାତ୍ତ୍ଵିକ ଆଦର୍ଶ ଓ ଆଧ୍ୟାତ୍ମିକ ଉତ୍ସ ଦ୍ଵାରା ଉଦ୍ଭାସିତ କରିଛନ୍ତି। ଆମର ପର୍ବ ପର୍ବାଣୀ, ପୂଜା, ଆରାଧନା, ମେଳା ଓ ମେଳଣ ଇତ୍ୟାଦିର ପଛରେ ଥାଏ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ପ୍ରଭାବ। ତେତିଶ କୋଟି ଦେବଦେବୀଙ୍କର ବାରମାସରେ ତେର ପର୍ବ ହେଉଛି ଏ ଦେଶର ପରମ୍ପରା। ଏଇ ପର୍ବ ମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ନିକଟରେ ଥିବା ପୌରାଣିକ ପୀଠରେ ବ୍ୟାସ ସରୋବରଠାରେ ପ୍ରତିବର୍ଷ ନିୟମିତ ଭାବେ ପାଳିତ ହୋଇଆସୁଛି 'ବ୍ୟାସ ସରୋବର ମେଳା'।
କେବେ ଓ କାହିଁକି ପାଳନ ହୁଏ ଏ ମେଳା
ଏହି ମେଳା ମାଘ ମାସ ଶୁକ୍ଳ ଏକାଦଶୀଠାରୁ ପ୍ରାୟ ଏକ ସପ୍ତାହ ଯାଏଁ ଅନୁଷ୍ଠିତ ହୁଏ। ଲୋକକଥାରୁ ଜଣାଯାଏ ଯେ ଏହି ପୀଠରେ ମହାମୁନି ବେଦବ୍ୟାସ ଜନ୍ମ ନେଇଥିଲେ ଓ ମହାଭାରତ ପରି ବହୁ ପୁରାଣ ଶାସ୍ତ୍ର ରଚନା କରି ନିଜର ଅମର କୀର୍ତ୍ତି ରଖିଯାଇଥିଲେ। ତାଙ୍କର ସେହି ପବିତ୍ର ସ୍ମୃତିକୁ ମନେ ପକାଇବା ଉଦ୍ଦେଶ୍ୟରେ ଏହି ମେଳାର ଆୟୋଜନ ବହୁ ପୁରାତନ କାଳରୁ ହେଇ ଆସୁଛି।
Also Read
ଏ ପୀଠର ମାହାତ୍ମ୍ୟ
କୁହାଯାଏ ପୂର୍ବରୁ ଏଠାରେ ଗୋଟିଏ ବିରାଟ ସରୋବର ବା ପୋଖରୀ ଥିଲା, ଯାହା ସମୟକ୍ରମେ ପୋତି ହୋଇ ଯାଇଛି। ଏବେ ମଧ୍ୟ ସରୋବରଟି ଅଛି, କିନ୍ତୁ ପୋତି ହୋଇ ସଂକୁଚିତ ହୋଇଯାଇଛି। ସରୋବରର ପଶ୍ଚିମ ପଟରେ ଆମ୍ବ ବଗିଚା ଓ ଗୋଟିଏ ପାଖକୁ ରାଘବ ଜୀଉଙ୍କର ମନ୍ଦିର ରହିଛି। ରାଘବ ଜୀଉ ହେଉଛନ୍ତି ଵ୍ୟାସ ଦେବଙ୍କର ପରମ ଭକ୍ତ ଓ ଉପାସକ। ସେ ଏହି ସ୍ଥାନରେ ସମାଧି ନେଇଥିଲେ। ଏଠାରେ ମହାମୁନି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉ ଏକାଠି ପୂଜା ପାଆନ୍ତି। ଗୋଟିଏ ମନ୍ଦିରରେ ଗୁରୁ ଓ ଉପାସକଙ୍କର ଏକାଠି ପୂଜାର୍ଚ୍ଚନା ହେବାର ନିଆରା ପରମ୍ପରା ଏଠାରେ ଦେଖିବାକୁ ମିଳିଥାଏ। ଏହି ପୋଖରୀ ଚାରି ପାଖରେ ପଞ୍ଚୁ ପାଣ୍ଡବଙ୍କ ସମେତ ଦୁର୍ଯ୍ୟୋଧନ ଓ ଲକ୍ଷ୍ମୀଙ୍କର ପ୍ରତିମା ଶୋଭା ପାଏ। ଏଠାରେ ଥିବା ପାତାଳ ସ୍ପର୍ଶୀ ଗୁପ୍ତଗଙ୍ଗାରେ ବୁଡ ପକାଇ ମନୋସ୍କାମନା ପୂରଣ ହେବାର ବିଶ୍ଵାସ ରହିଚି
ଏଇଠି ଲେଖା ହୋଇଥିଲା ମହାଭାରତର ଶେଷ ପର୍ବ
ଶୁଦ୍ରମୁନି ସାରଳା ଦାସଙ୍କ ‘ମହାଭାରତ’ରେ ଏହି ପୀଠର ମାହାତ୍ମ୍ୟ ସମ୍ପର୍କରେ କୁହାଯାଇଛି। ମହାଭାରତ ଯୁଦ୍ଧର ଶେଷ ସମୟର କଥା। ପାଣ୍ଡବଙ୍କ ପରାକ୍ରମ ପାଖରେ ପରାଜୟ ବରଣ କରିବା ପରେ, ଦୁର୍ଯ୍ୟୋଧନ ଏଠାରେ ଥିବା ଗୁପ୍ତ ଗଙ୍ଗାରେ ଲକ୍ଷ୍ମୀଙ୍କ କୋଳରେ ଲୁଚି ରହିଥିଲେ। ଭୀମ ନିଜର ପ୍ରତିଜ୍ଞା ପୂରଣ କରିବାକୁ ତଥା ମହାଭାରତ ଯୁଦ୍ଧ ଶେଷ କରିବା ପାଇଁ, ଦୁର୍ଯ୍ୟୋଧନଙ୍କୁ ଯୁଦ୍ଧର ଆହ୍ଵାନ ଦେଇ ରଡ଼ି କରି ଡାକୁଥାନ୍ତି। ଭୀମଙ୍କର ଦୁଇଟି ସିଂହ ରଡ଼ି ସହିବା ପରେ ତୃତୀୟ ରଡ଼ି ଶୁଣି ସହି ନପାରି ଦୁର୍ଯ୍ୟୋଧନ ଯୁଦ୍ଧ କ୍ଷେତ୍ରକୁ ବାହାରି ଆସିଥିଲେ। ଭୀମ ଏଠାରେ ଦୁର୍ଯ୍ୟୋଧନର ଜାନୁ ଭାଙ୍ଗି ତାଙ୍କୁ ବଧ କରିଥିଲେ ବୋଲି ବିଶ୍ଵାସ କରାଯାଏ। କୁହାଯାଏ ବ୍ୟାସଦେବ ଏଠାରେ ମହାଭାରତର ଶେଷ ପର୍ବ ରଚନା କରିଥଲେ। ସେଥିପାଇଁ ଏହି ସ୍ଥାନଟିରେ ଥିବା ବିଶାଳ ସରୋବରର ନାମ ବ୍ୟାସଦେବଙ୍କ ନାମ ଅନୁସାରେ ବ୍ୟାସ ସରୋବର ବୋଲି ରହିଆସିଛି।
ବର୍ଷ ସାରା ମେଳାକୁ ଅପେକ୍ଷା କରୁଥିଲେ ଲୋକେ
ବ୍ୟାସ ସରୋବର ଅଂଚଳ ଏବେ ବ୍ୟାସନଗର ପୌରପାଳିକା ଅଧିନରେ ରହିଛି। ଏହା ଏକ ପୌରାଣିକ ପୀଠ ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ପୂର୍ବରୁ ମେଳାର ଗୁରୁତ୍ୱ ଅଧିକ ରହୁଥିଲା। ସେତେବେଳେ ଏହାର ପଚାଶ କିଲୋମିଟର ପାଖାପାଖି ଗାଁ ଗୁଡ଼ିକ ଏହି ମେଳାକୁ ଅପେକ୍ଷା କରି ରହୁଥିଲେ। କାରଣ ନାନାଦି ଘରକରଣା ଜିନିଷପତ୍ର ପାଇଁ ବ୍ୟାସ ସରୋବର ମେଳା ଖୁବ୍ ପ୍ରସିଦ୍ଧ ଥିଲା। ପାଖାପାଖି ଗାଁର ମହିଳାମାନେ ସଂଧ୍ୟାବେଳେ ମେଳାକୁ ଯାଇ ବୁଲାବୁଲି କରିବା ସହିତ ଘରକରଣା ଜିନିଷ କିଣିବା ପାଇଁ ବର୍ଷସାରା କିଛି କିଛି ଅର୍ଥ ଏକାଠି କରି ରଖିଥାନ୍ତି। ମେଲା ବୁଲିବା ପରେ ମିଳୁଥିବା ନାନାଦି ସୁସ୍ୱାଦୁ ଖାଦ୍ୟ ଖାଇ ଘରକୁ ଫେରିଥାନ୍ତି।
ଏବେ କିନ୍ତୁ ବଦଳି ଗଲାଣି ମେଳାର ରୂପ
ବ୍ୟାସ ସରୋବର ମେଳା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସାଙ୍ଗକୁ ସାମାଜିକ ଉତ୍ସବରେ ପରିଣତ ହୋଇଛି। ପ୍ରତିବର୍ଷ ଏହି ସମୟରେ ପାଳିତ ଏହି ମେଳାରେ ଅନେକ ପ୍ରକାରର ଦୋକାନର ଭିଡ ଜମିଥାଏ। ମିଠେଇ ବାଲାଙ୍କର ଆକର୍ଷଣ, ମନୋହରୀ ଦୋକାନର ସୋନ୍ଦର୍ଯ୍ୟ, ଚୁଡି ଦୋକାନର ଚାକଚକ୍ୟ, ସର୍କସ ଖେଳର ମନୋରଞ୍ଜନ ମନ ମୋହିଥାଏ। ତେବେ ଗୃହିଣୀମାନେ ଏ ମେଳାକୁ ଅଧିକ ଉପଭୋଗ କରିଥାନ୍ତି। ଯୁବକ ଯୁବତୀ ମାନେ ଏହାକୁ ମିଳନର କ୍ଷେତ୍ର ରୂପେ ଉପଭୋଗ କରନ୍ତି ତ, ପିଲାମାନେ ଅନେକ ଖେଳଣା ସାମଗ୍ରୀ ପାଇ ବେଶ ଖୁସି ହୁଅନ୍ତି। ପୋଲିସ୍ ପ୍ରଶାସନର ସଜାଗ ଦୃଷ୍ଟି, ଜଳଯୋଗାଣ ଓ ଆଲୋକ ବ୍ୟବସ୍ଥାର ସଦୁପଯୋଗ ଯୋଗୁଁ ମେଳା ସୁରୁଖୁରୁରେ ଅନୁଷ୍ଠିତ ହୁଏ।
କିନ୍ତୁ ଆଧୁନିକତାର ଛାପରେ ବ୍ୟାସ ସରୋବର ପୀଠର ଚାକଚକ୍ୟ ସିନା ବଦଳି ଯାଇଛି, କିନ୍ତୁ ମେଳାର ଚାକଚକ୍ୟ ଫିକା ପଡ଼ିଯାଇଛି। ପୂର୍ବରୁ ଲୋକମାନେ ବର୍ଷସାରା ଏହି ମେଳାକୁ ଅପେକ୍ଷା କରିବାର କାରଣ ହେଲା, ଘରକରଣା ଜିନିଷ କିଣିବା, ଯାହା ଆଉ କେଉଁଠି ମିଳେନାହିଁ। ଏବେ କିନ୍ତୁ ବଜାରିକରଣର ପ୍ରଭାବରେ ମେଳା ଫିକା ପଡ଼ିଯାଇଛି। ତେବେ ସ୍ଥାନୀୟ ପ୍ରଶାସନ କର୍ତୃପକ୍ଷ ଏଠାକୁ ଲୋକଙ୍କୁ ଆକର୍ଷିତ କରିବାକୁ ନାନା ଉପାୟ ଅବଲମ୍ବନ କରୁଛନ୍ତି।
ଏ ପୀଠର ପବିତ୍ରତା ହିଁ ଏ ମେଳାର ସବୁଠୁ ବଡ ମହତ୍ତ୍ଵ। ଏଠାରେ ହନୁମାନ ଥିବା ହନୁମାନ ମନ୍ଦିର, ହେଉଥିବା ନାମ ସଙ୍କୀର୍ତ୍ତନ ଧ୍ଵନୀ, ଏହାର ଚାରିପାଖରେ ଥିବା ଆମ୍ବ ଗଛ ଓ ଛୋଟ ଝରଣା ଦର୍ଶକ ମନରେ ଅପୂର୍ବ ପୁଲକ ଓ ଆନନ୍ଦ ସଂଚାର କରେ। ସବୁ ଦିଗରୁ ବିଚାର କଲେ ଏହା ଏକ ଦର୍ଶନୀୟ ଓ ଉପଭୋଗ୍ୟ ମେଳା।