Advertisment

History of Magha Saptami Mela: ଏଇଠି ପାପ ଧୋଇଥିଲେ ମହାଦେବ, କେମିତି ବଦଳି ଗଲା ଖଣ୍ଡଗିରିର ନାଁ?

ଓଡ଼ିଶାର କେଉଁ କେଉଁ ସ୍ଥାନରେ ହୁଏ ମାଘ ସପ୍ତମୀ ମେଳା, କେଉଁଠି ହୁଏ ମାଘବୁଡ଼? କେମିତି ହୋଇଥିଲା ଖଣ୍ଡଗିରିର ନାମକରଣ? ମାଘ ମାସରେ କେଉଁ ଦେବତାଙ୍କର ପୂଜା କରାଯାଏ?

author-image
Sarojini Sankhua
ଅଦ୍ୟତନ ହୋଇଛି
History of Magha Saptami Mela in Odisha

History of Magha Saptami Mela in Odisha

ଉତ୍କଳ ହେଉଛି ପ୍ରଭୁ ଗଣେଶ, ନାରାୟଣ, ରୁଦ୍ର, ଅମ୍ବିକା, ଭାସ୍କର- ଏହି ପଞ୍ଚ ଦେବତାଙ୍କର ଉପାସନା ସ୍ଥଳୀ। ପ୍ରଭୁ ଗଣେଶଙ୍କ ପୀଠ ହେଉଛି 'ମହାବିନାୟକ', ନାରାୟଣଙ୍କ ପୀଠ ହେଉଛି "ପୁରୁଷୋତ୍ତମ", ରୁଦ୍ରକ୍ଷେତ୍ର ହେଉଛି "ଏକାମ୍ର ପୀଠ", ଅମ୍ବିକା ପୀଠ ହେଲା "ଯାଜପୁର", ଆଉ ଭାସ୍କର ତୀର୍ଥ ରୂପେ "କୋଣାର୍କ" ପ୍ରସିଦ୍ଧି ଅର୍ଜନ କରିଛି। ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ତେଣୁ ପାଞ୍ଚ ଉପାସନା ମଧ୍ୟରେ ସୌର ଉପାସନା ସବୁଠୁ ପୁରୁଣା ବୋଲି ପଣ୍ଡିତମାନେ କୁହନ୍ତି। ସେହି କାରଣରୁ ସୂର୍ଯ୍ୟ ଆଦିଦେବ ବୋଲି ମଧ୍ୟ ପରିଚିତ। ଏହି ଆଦିଦେବ ସୂର୍ଯ୍ୟଙ୍କର ଜନ୍ମୋତ୍ସବ 'ମାଘ ସପ୍ତମୀ' ଭାରତରେ ଏକ ପବିତ୍ର ଦିବସ। ଏହା ବର୍ଷର ଅନ୍ୟତମ ପୁଣ୍ୟମାସ 'ମାଘ'ର ଶୁକ୍ଲ ସପ୍ତମୀ ତିଥିରେ ପାଳିତ ହୁଏ।

Advertisment

ଚନ୍ଦ୍ରଭାଗା ବୁଡ଼

କୁହାଯାଏ ଯେ, ମାଘ ଶୁକ୍ଳ ପଞ୍ଚମୀରେ ସୂର୍ଯ୍ୟଦେବ ଜନ୍ମଗ୍ରହଣ କରିଥିଲେ। ବାଳ ସୂର୍ଯ୍ୟଙ୍କ ଦର୍ଶନ କରି ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କଲେ ମନୁଷ୍ୟ ପାପମୁକ୍ତ ହୁଏ ବୋଲି ବିଶ୍ୱାସ ରହିଛି। ପୁରାତନ କାଳରୁ ଚନ୍ଦ୍ରଭାଗା ଏକ ପୁଣ୍ୟତୀର୍ଥ ରୂପେ ଖ୍ୟାତି ଲାଭ କରିଛି। ମାଘମାସ ଶୁକ୍ଳ ସପ୍ତମୀ ଦିନ ସୂର୍ଯ୍ୟ ଦେବତା ଏହି ସ୍ଥାନରେ ଅର୍କ ନାମକ ଅସୁରକୁ ପାତାଳକୁ ଚାପି ତୀର୍ଥ ସୃଷ୍ଟି କରିଥିବାରୁ, ପ୍ରତିବର୍ଷ ମାଘ ଶୁକ୍ଳ ସପ୍ତମୀ ଦିନ ଏହି ପବିତ୍ର ତୀର୍ଥରେ ସ୍ନାନ ଉତ୍ସବ ଅନୁଷ୍ଠିତ ହୁଏ।

ସୂର୍ଯ୍ୟ ଓ ଶିବଙ୍କ ପାପ ଧୋଇଲେ !

ପଦ୍ମପୁରାଣରେ ଉଲ୍ଲେଖ ଅଛି ଯେ ସ୍ଵୟଂ ସୂର୍ଯ୍ୟ ଦେବ ନିଜର ପାପ ଧୋଇବା ପାଇଁ ଅର୍କକ୍ଷେତ୍ରରେ ତପସ୍ୟା କରିଥିଲେ ଓ ମୁକ୍ତିଲାଭ କରିଥିଲେ। ଆଉ ପୁଣି ଦେବଦେବ ମହାଦେବ ମଧ୍ୟ ଏଠାରେ ତପସ୍ୟା କରି ବ୍ରାହ୍ମଣ ଶିର ଛେଦନ ଜନିତ ବ୍ରହ୍ମହତ୍ୟା ପାପରୁ ମୁକ୍ତି ପାଇଥିଲେ।

Advertisment

ମାଘ ସପ୍ତମୀରେ ଖଣ୍ଡଗିରି ମେଳା, ଖଣ୍ଡଗିରି ନାଁର ଉତ୍ପତ୍ତି

ଏହି ଦିନ ଭୁବନେଶ୍ଵରର ଖଣ୍ଡଗିରିଠାରେ ଏକ ମେଳା ଅନୁଷ୍ଠିତ ହେଇଥାଏ। ଏହି ମେଳାରେ ୯ ଦିନ ବ୍ୟାପି ଜାଗଯଜ୍ଞ ଆୟୋଜନ କରାଯାଏ। ପୁରାଣ କଥା ଅନୁସାରେ, କୃଷ୍ଣଙ୍କ ପୁଅ ଶାମ୍ବ ମାଘସପ୍ତମୀ ତିଥିରେ ସୂର୍ଯ୍ୟ ମୂର୍ତ୍ତି ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରି ଭୁବନେଶ୍ୱରରେ ଥିବା କପିଳ ମୁନିଙ୍କ ଆଶ୍ରମରେ ରହିଥିଲେ। କପିଳ ମୁନି ଶାମ୍ବଙ୍କୁ 'ଖଣ୍ଡଖିରୀ' ଖାଇବାକୁ ଦେଇଥିଲେ। ଏହି ଖଣ୍ଡଖିରି ନାମର ଅପଭ୍ରଂଶ ହୋଇ ଏବେ ଏହି ଜାଗା ଖଣ୍ଡଗିରି ନାମ ହୋଇଥିବା ଲୋକମୁଖରୁ ଜଣାଯାଏ। ଏବେ ଯାଏଁ ଏହି ସ୍ଥାନରେ କପିଳ ମୁନି ପୂଜା କରୁଥିବା ଶିବଲିଙ୍ଗ କପିଳେଶ୍ୱର ନାମରେ ରହିଛନ୍ତି।

ଓଡ଼ିଶାର ଅନ୍ୟ ସ୍ଥାନରେ ମାଘ ସପ୍ତମୀ ମେଳା

ଏହି ମାଘ ସପ୍ତମୀ ତିଥିକୁ ହିନ୍ଦୁଧର୍ମରେ ବହୁତ ପବିତ୍ର ତିଥି ଭାବରେ ଗ୍ରହଣ କରାଯାଏ। ଏହି ତିଥିରେ ସାଧୁସନ୍ଥ ମାନେ ଏକାଠି ହୋଇ ବିଭିନ୍ନ ଧର୍ମ ଆଲୋଚନା କରିବା ସହ ଜାଗଯଜ୍ଞରେ ଭାଗନେଇ ଧାର୍ମିକ ପରିବେଶ ତିଆରି କରନ୍ତି। ଯାଜପୁରରେ ପୁଣ୍ୟତୋୟା ଦଶାଶ୍ୱମେଧ ଘାଟରେ ଏହି ତିଥିରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିବାର ବିଶ୍ୱାସ ମଧ୍ୟ ରହିଛି। ରାଉରକେଲାର ବେଦବ୍ୟାସଠାରେ ଶଙ୍ଖ ଓ କୋଏଲ ନଦୀର ମିଶ୍ରଣ ସ୍ଥାନରେ ମଧ୍ୟ ପବିତ୍ର ବୁଡ଼ ପକାଯାଏ। ଏହାଛଡ଼ା ଏପରି ବହୁତ ସ୍ଥାନରେ ମାଘ ସପ୍ତମୀ ବୁଡ଼ ପକାଇ ଧର୍ମପରାୟଣ ଲୋକେ ମହାପୁଣ୍ୟ ଅର୍ଜନ କରନ୍ତି।

ଚନ୍ଦ୍ରଭାଗା ନଦୀର ମହାତ୍ମ୍ୟ

ବ୍ରହ୍ମ ପୁରାଣରେ ଉଲ୍ଲେଖ ଅଛି ଯେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ପୁରୁଷୋତ୍ତମ କ୍ଷେତ୍ରକୁ ଯିବା ବାଟରେ ପୁଣ୍ୟତୋୟା ଚିତ୍ରୋତ୍ପଳା ଦର୍ଶନ କରିଥିଲେ।ଚିତ୍ରୋତ୍ପଳା ଦକ୍ଷିଣାମୁଖୀ ହୋଇ ସମୁଦ୍ରରେ ମିଶିଥିଲା। ଏହାର ଦୁଇ ପାଖରେ ଅନେକ ପୁଣ୍ୟ ସ୍ଥାନ ଓ ଲୋକବସତି ଥିଲା। ପରବର୍ତ୍ତୀ ସମୟରେ ଏଠାରେ ଚିତ୍ରୋତ୍ପଳା ନଦୀ ଚନ୍ଦ୍ରଭାଗା ନାମରେ ପ୍ରସିଦ୍ଧି ଲାଭ କରିଥିଲା। ପ୍ରାଚୀ ମାହାତ୍ମ୍ୟରେ ଚନ୍ଦ୍ରଭାଗା ଅର୍କତୀର୍ଥ ରୂପରେ ବର୍ଣ୍ଣିତ ହୋଇଛି। ଚନ୍ଦ୍ରଭାଗା ନଦୀର ଧାର ବର୍ତ୍ତମାନ ନିଶ୍ଚିହ୍ନ ହୋଇ ଯାଇଛି। କେବଳ ସମୁଦ୍ର ନିକଟରେ ଏହାର ଅବସ୍ଥିତି ସାମାନ୍ୟ ସୂଚନା ଦିଏ। ମାଘ ସପ୍ତମୀ ବ୍ୟତୀତ ବର୍ଷର ଅନ୍ୟାନ୍ୟ ଦିନ ମାନଙ୍କରେ ମଧ୍ୟ ଅନେକ ଲୋକ ଏହି ତୀର୍ଥରେ ବୁଡ଼ ପକାଇଥାନ୍ତି। ବିଶେଷ କରି ସଂକ୍ରାନ୍ତି, ଶନିବାର ମାନଙ୍କରେ ଏଠାରେ ଜନସମାଗମ ହୁଏ। ଏହି ତୀର୍ଥରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ପିତୃପୁରୁଷମାନେ ବାରବର୍ଷ ପର୍ଯ୍ୟନ୍ତ ସ୍ୱର୍ଗଲୋକରେ ବାସକରନ୍ତି ବୋଲି ବିଶ୍ୱାସ କରାଯାଏ।

କୋଣାର୍କରେ ରଥଯାତ୍ରା

କୋଣାର୍କ ମନ୍ଦିରର ଏକ ରଥର ପ୍ରତିକୃତି ରୂପେ ତିଆରି ହୋଇଛି। ତେଣୁ ଏଠାରେ ରଥଯାତ୍ରାର ମାହାତ୍ମ୍ୟ ବହୁ ପୁରାତନ ବୋଲି ମାନିବାକୁ ପଡିବ। ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ଏହି ସ୍ଥାନରେ ପୌଷମାସ ଦଶମୀଠାରୁ ମାଘ ସପ୍ତମୀ ଯାଏଁ ତପସ୍ୟା କରିଥିଲେ। ଚନ୍ଦ୍ରଭାଗା ନଦୀରେ ଗାଧୋଇବା ସମୟରେ ଶାମ୍ବ ସୂର୍ଯ୍ୟଙ୍କର ଏକ ମୂର୍ତ୍ତି ପାଇ ପୂଜା କରୁଥିଲେ ଓ ସୂର୍ଯ୍ୟଙ୍କ ରଥଯାତ୍ରା ଆରମ୍ଭ କରିଥିଲେ ବୋଲି କୁହାଯାଏ। ପରେ ଓଡ଼ିଶାର ରାଜା ପୁରନ୍ଦର କେଶରୀ ଓ ଲାଙ୍ଗୁଳା ନରସିଂହଦେବ ଏହି ରଥଯାତ୍ରା ପରମ୍ପରାକୁ ବଞ୍ଚାଇ ରଖିଥିଲେ। ପରେ କୋଣାର୍କ ସୂର୍ଯ୍ୟମନ୍ଦିର ଭାଙ୍ଗିଯିବାରୁ ପୂଜାର୍ଚ୍ଚନା ବନ୍ଦ ହେବା ସହ ରଥଯାତ୍ରା ମଧ୍ୟ ବନ୍ଦ ହୋଇଯାଇଥିଲା।

ଫୋନ୍- ୮୨୬୦୬୪୦୬୬୧

Khandagiri Hills Bhubaneswar Magha Mela Magha Saptami Khandagiri Mela Religious Sites Religious Places Odia Parba Parbani
Advertisment
Advertisment