• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦଳରୁ ବିଦା ହେବା ପରେ ବି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି ପ୍ରଶାନ୍ତ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜଣେ ବିଜେପି ନେତ୍ରୀଙ୍କୁ ମାଡ଼ ମାରି ଦଳରୁ ବିଦା ହୋଇଥିଲେ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ  ଦଳରୁ ବହିଷ୍କାର କରିଥିଲେ । ହେଲେ ପ୍ରଶାନ୍ତ କିନ୍ତୁ ଦଳ ଛାଡ଼ି ନଥିଲେ । ପ୍ରଶାନ୍ତ ଯଥା ପୂର୍ବଂ ତଥା ପରଂ । ଦଳରୁ ନିଲମ୍ବନ ହୋଇ ମଧ୍ୟ ସେ ସବୁ ବେଳେ  ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି । ଖାଲି ଯୋଗଦେଉଛନ୍ତି କହିଲେ ହେବ ନାହିଁ । ତାଙ୍କରି ତତ୍ୱାବଧାନରେ ହିଁ ଦଳୀୟ କାର୍ଯ୍ୟକ୍ରମ ଗୁଡ଼ିକ ଆୟୋଜନ କରାଯାଉଛି ।

ଏବେ ନିକଟରେ ଚିଲିକାର ବିଜେପି ନେତ୍ରୀ ତଥା ଚିଲିକା ବ୍ଲକ ଅଧ୍ୟକ୍ଷା ଝରଣା ବାରିକ ବିଜେଡିରେ ସାମିଲ ହେଲେ । ଏଥିପାଇଁ ଏକ ବଡ଼ ମିଶ୍ରଣ ପର୍ବ ମଧ୍ୟ ଆୟୋଜନ ହୋଇଥିଲା । ଯେଉଁଥିରେ ପ୍ରଶାନ୍ତ ସକ୍ରିୟ ଭୁମିକା ଗ୍ରହଣ କରିଥିବା ଦେଖାଯାଇଛି । ସେ ମଞ୍ଚ ଉପରେ ଚଢ଼ିନଥିଲେ ମଧ୍ୟ ମଞ୍ଚ ତଳେ ଥାଇ ସବୁ କାର୍ଯ୍ୟରେ ତାଙ୍କର ସମ୍ପୃକ୍ତି ରହିଛି । ଏହା ସେଠାରେ ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ ଓ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ ଉପସ୍ଥିତ ଥିଲେ ।

ତେବେ ଏନେଇ ପ୍ରଶାନ୍ତ କହିଛନ୍ତି ଯେ, ସେ ଦଳର କୌଣସି ପଦପଦବୀରେ ନଥିଲେ ବି ଦଳ ପାଇଁ କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଯେବେ ଅନୁଭବ ହେବ, ସେତେବେଳେ ସେ ନିଲମ୍ବନ ପ୍ରତ୍ୟାହାର କରିବେ । ହେଲେ ସେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳରେ ରହି କାମ କରୁଥିବା କହିଛନ୍ତି ।

ପ୍ରଶାନ୍ତ କେବଳ ଏହି କାର୍ଯ୍ୟକ୍ରମ ନୁହେଁ ବରଂ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେଇଥାନ୍ତି ଏମିତିକି ସକ୍ରିୟ ଭୂମିକା ବି ନେଇଥାନ୍ତି । ଜେଲରୁ ବାହାରିବା ପରେ ସେ ଏକ ବିଶାଳ ରାଲି ଆୟୋଜନ କରିଥିଲେ । ସେତିକି ବେଳେ ବିଜେଡି ପତାକା ସହ ବିଜେଡି ନେତାମାନେ ମଧ୍ୟ ଏହି ରାଲିରେ ସାମିଲ ହୋଇଥିଲେ । 

ତେବେ ଏଥିରୁ କ’ଣ ସ୍ପଷ୍ଟ ହେଉଛି ? ନବୀନ ପଟ୍ଟନାୟକ କେବଳ ଲୋକ ଦେଖାଣିଆ ଭାବେ ପ୍ରଶାନ୍ତଙ୍କୁ ଦଳରୁ ବିଦା କରିଛନ୍ତି । ନା ଆଉ କିଛି ଉଦ୍ଦେଶ୍ୟ ରହିଛି । ନା ବିଜେପି ମଣ୍ଡଳ ସଭାନେତ୍ରୀଙ୍କୁ ମାଡ଼ ମାରିଥିଲେ ବୋଲି, ବିରୋଧୀଙ୍କୁ ଚୁପ୍‌ କରିବା ପାଇଁ ପ୍ରଶାନ୍ତଙ୍କୁ ଦଳରୁ ବିଦା କରିଛନ୍ତି ନବୀନ ।