ପୋଲାଭରମକୁ ନେଇ ତେଜିଲା ରାଜନୀତି । ପୋଲାଭରମକୁ ନେଇ ଆସନ୍ତା ୨୮ ତାରିଖରେ ବଡ଼ ପ୍ରତିବାଦ ସଭା କରିବ ବିଜେଡି । ଏଥିରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଯୋଗଦେଇପାରନ୍ତି । ଶାସନ କ୍ଷମତାରେ ଥିବାବେଳେ ପୋଲାଭରମକୁ ନେଇ ଆଗ୍ରେସିଭ ଗେମ୍ ଖେଳୁନଥିବା ନବୀନ ଏବେ କାହିଁକି ଆଟାକିଂ ମୁଡ୍ରେ ତାକୁ ନେଇ ଉଠିଛି ପ୍ରଶ୍ନ ।
ବିଜେପି ଏହାକୁ ଡ୍ରାମା କହିଥିବାବେଳେ କଂଗ୍ରେସ ବି ତାଚ୍ଛଲ୍ୟ କରିଛି । ବିଜେଡିର ଆରମ୍ଭ କରିଛି ପୋଲାଭରମ ପଲିଟିକ୍ସ । ଆସନ୍ତା ୨୮ ତାରିଖରେ ମାଲକାନଗିରି ମୋଟୁରେ ବଡ଼ ପ୍ରତିବାଦ ସଭା । ମୁଖ୍ୟମନ୍ତ୍ରୀ ଥିବା ବେଳେ ଗଲେ ନାହିଁ । ଏବେ ବିରୋଧୀ ଦଳ ନେତା ଭାବେ ବିରୋଧ କରିବେ । ସରକାରରେ ଥିବା ବେଳେ ସେଭଳି ପ୍ରଭାବୀ ଢଙ୍ଗରେ ପାଟି ଖୋଲିଲେ ନାହିଁ । କିନ୍ତୁ, ଏବେ କର୍ମୀଙ୍କୁ ଲଗାଇ ପ୍ରତିବାଦ କରିବେ । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୮ରେ ହେବାକୁ ଥିବା ପୋଲାଭରମ ପ୍ରତିବାଦ ସଭାକୁ ନବୀନ ଯାଇପାରନ୍ତି ।
Also Read
ଅଧିକ ପଢ଼ନ୍ତୁ : ଜମି ଦୁର୍ନୀତି ପାହାଡ଼ ଉପରେ ଛିଡ଼ା ହୋଇଛି କିଟ୍ ଓ କିସ୍ !
ଯଦିଓ ଆନ୍ଦୋଳନଟି ପୋଲାଭରମ ବିରୋଧୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହେଉଛି । କିନ୍ତୁ, ପ୍ରତିବାଦ ପ୍ରଚ୍ଛଦପଟ୍ଟରେ ବିଜେଡି ହିଁ ଅଛି । ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ଦୁଇ ଆଦିବାସୀ ନେତା ପ୍ରକଳ୍ପ ବିରୋଧରେ ସ୍ବରକୁ ତୀବ୍ର କରିଛନ୍ତି । ସବୁ ଅନୁଷ୍ଠାନ ଓ ରାଜନୈତିକ ଦଳକୁ ଡାକି ଆନ୍ଧ୍ରର ଏହି ପ୍ରକଳ୍ପକୁ ବିରୋଧ କରିବା ଲାଗି ଶକ୍ତି ଏକଜୁଟ କରୁଛି ବିଜେଡି ।
ଅନ୍ୟପଟେ ପୋଲାଭରମ ନେଇ ଏବେ ବିଜେଡିର ଏତେ ଦରଦ କାହିଁକି? ତାକୁ ନେଇ ଉଠିଛି ପ୍ରଶ୍ନ । ବିଜେଡିର ଅଭିଯୋଗ ହେଲା କେନ୍ଦ୍ର ସରକାର ଆନ୍ଧ୍ରକୁ ପୋଲାଭରମ ପ୍ରକଳ୍ପ ଲାଗି ୧୫ ହଜାର କୋଟି ଟଙ୍କା ଦେଇସାରିଲାଣି । ପ୍ରକଳ୍ପ କାମ ଶେଷ ବେଳକୁ ମାଲକାନଗିରିର କାଲିମେଳା ଓ ମାଥିଲି ଜଳମଗ୍ନ ହୋଇ ମାନଚିତ୍ରରୁ ହଜିଯିବ । ଅପରପକ୍ଷେ ବିଜେପିର ଯୁକ୍ତି ଓଡ଼ିଶାର ଇଞ୍ଚେ ବି କ୍ଷତି ହେବନି । କଂଗ୍ରେସ ସମୟରେ ଘୋଷିତ ଏହି ପ୍ରୋଜେକ୍ଟକୁ ସେତେବେଳେ ତତ୍କାଳୀନ ବିଜେଡି ସରକାର ବିରୋଧ କରିନଥିଲେ । ଏବେ ଶୁଖିଲା ରାଜନୀତି ପାଇଁ ଏଭଳି ଡ୍ରାମା କରୁଛନ୍ତି ।
ଅନ୍ୟପଟେ କଂଗ୍ରେସ କହିଛି, ମୁଖ୍ୟମନ୍ତ୍ରୀ ଥିବାବେଳେ ନବୀନ ବାବୁ ପୋଲାଭରମ ପ୍ରଭାବିତ ଅଞ୍ଚଳ ଗଲେନି । ଏବେ ଯଦି ପ୍ରକୃତରେ ଯା'ନ୍ତି ତାହାଲେ ସ୍ବାଗତ ଯୋଗ୍ୟ, ଆମେ ବି ସମର୍ଥନ କରିବୁ । ଦେଖିବାର କଥା ନବୀନଙ୍କ ପୋଲାଭରମ ପଲିଟିକ୍ସ କ'ଣ ପ୍ରଭାବ ପକାଉଛି ?