ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ କରିବା ନିୟମଗିରିର ଡଙ୍ଗରିଆଙ୍କ ପାଇଁ ସ୍ବପ୍ନ ପାଲଟିଛି । ପିଏମ ଆବାସ ଯୋଜନାରେ ଘର କରିପାରୁନାହାନ୍ତି ବିଲୁପ୍ତପ୍ରାୟ ଏହି ଆଦିବାସୀ ଗୋଷ୍ଠୀ । କାରଣ ଯୋଜନାରେ ମିଳୁଥିବା ଟଙ୍କାକୁ ବଢ଼ି ଯାଉଛି ଖର୍ଚ୍ଚ । ଘାଟିରେ ଘର ତିଆରି ପାଇଁ ଆବଶ୍ୟକ ସାମଗ୍ରୀର ଦର ତିନିଗୁଣ ହୋଇଥିବାରୁ ସହାୟତା ରାଶି ସରିଗଲେ ବି ଘର କାମ ସରିପାରୁନି । ତେଣୁ ବଣ୍ଡା ଘାଟି ଭଳି ନିୟମଗିରି ବାସିନ୍ଦାଙ୍କ ପାଇଁ ବି ଆବାସ ଯୋଜନାରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।
ଯୋଜନାରେ ଘର ମିଳୁଛି, କାର୍ଯ୍ୟାଦେଶ ବି ଆସୁଛି । ହେଲେ କାହାର ଫାଉଣ୍ଡେସନରେ ଅଟକୁଛି ତ ଆଉ କାହାର ଛାତ ପଡିବା ଆଗରୁ ଅଟକିଯାଉଛି । କାରଣ ଘର କରିବାକୁ ଯେତିକି ଟଙ୍କା ମିଳୁଛି ତାଠୁ ତିନି ଗୁଣା ଅଧିକ ଖର୍ଚ୍ଚ ହୋଇଯାଉଛି ।
Also Read
ଆବାସ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ ନିୟମଗିରି ପାହାଡ଼ ପାରସାଳି ପଞ୍ଚାୟତ ଡଙ୍ଗାମାଟି ଗାଁର ପ୍ରମୋଦ ସିକକାଙ୍କର ଭଙ୍ଗା ଘରେ ଜୀବନ ବିତୁଛି । କାର୍ଯ୍ୟାଦେଶ ପାଇ ଦୁଆରବନ୍ଧ ଢଳେଇ ପର୍ଯ୍ୟନ୍ତ ସାରି ଦେଇଛନ୍ତି । ହେଲେ ଆଗକୁ କାମ ବଢେଇବାକୁ ଆଉ ଟଙ୍କା ନାହିଁ । ଖାଲି ପ୍ରମୋଦ ନୁହଁନ୍ତି । ନିୟମଗିରିର ସବୁ ହିତାଧିକାରୀଙ୍କ ଅବସ୍ଥା ସମାନ ।
ଅଭିଯୋଗ ଅନୁସାରେ, ନିୟମଗିରିରେ ଘର ତିଆରି କରିବାକୁ ଆନୁଷଙ୍ଗିକ ଜିନିଷର ଦାମ୍ ଅହେତୁକ । ପାହାଡ଼ ଉପରକୁ ସ୍ଥାନାନ୍ତର ପାଇଁ ହେଉଛି ମାତ୍ରାଧିକ ଖର୍ଚ୍ଚ । ବାଲି, ସିମେଣ୍ଟ, ଇଟା,ମେଣ୍ଟାଲ, ଲୁହାଛଡ଼ ଓ ଚିପ୍ସ ଦାମ୍ ତିନିଗୁଣ ବଢିଯାଉଛି । ପ୍ରଥମ କିସ୍ତିରେ ଫାଉଣ୍ଡେସନ ପଢ଼ିଥିଲେ ୪୦ ହଜାର ଟଙ୍କା ବିଲ୍ ମିଳିବା କଥା । କିନ୍ତୁ ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇସାରିବା ପରେ ବି ଫାଉଣ୍ଡେସନ୍ କାମ ସରୁନି । ସେଥପାଇଁ ବିଲ୍ ବି ମିଳିପାରୁନାହିଁ ।
ରାୟଗଡ଼ାର କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡାର ବ୍ଲକରେ ପ୍ରାୟ ୧୫ ହଜାର ଡ଼ଙ୍ଗରିଆ କନ୍ଧ ବସବାସ କରୁଛନ୍ତି । ୨୦୨୩ - ୨୦୨୪ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୯୧୪ ଜଣ ହିତାଧିକାରୀ ସାମିଲ ହୋଇଛନ୍ତି । ବିଶେଷ ଅନୁନ୍ନତ ଆଦିବାସୀ ଗୋଷ୍ଠୀ ଅନ୍ତର୍ଭୁକ୍ତ ହୋଇଥିବାରୁ ଏମାନଙ୍କୁ ଆବାସ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯାଉଛି । ତଥାପି ଘର କାମ ସମ୍ପୂର୍ଣ୍ଣ ହେବାନେଇ ଆଶଙ୍କା ଦେଖାଦେଇଛି ।
ପୂର୍ବରୁ ସମାନ ସମସ୍ୟା ଭୋଗୁଥିଲେ ମାଲକାନଗିରିର ବଣ୍ଡା ମାନେ । ଏନେଇ ଉପମୁଖ୍ୟମନ୍ତ୍ରୀ ଅବଗତ ହେବାପରେ ଆବାସ ଯୋଜନାରେ ବଣ୍ଡାବାସିନ୍ଦାଙ୍କୁ ଅଧିକ ୫୦ ହଜାର ଟଙ୍କା ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଣୁ ନିୟମଗିରିବାସିନ୍ଦାଙ୍କ ପାଇଁ ବି ସ୍ବତନ୍ତ୍ର ବ୍ୟବସ୍ଥା କରି ଆବାସ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଦାବି ହୋଇଛି ।