• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମତଦାନ ସମୟ ବଢ଼ାଇବା ଓ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି ଦାବି ।

  • ଭୋଟ୍ ଗ୍ରହଣର ସପ୍ତାହେ ପୂର୍ବରୁ ମଦ ବ୍ୟାନ୍ ପାଇଁ ପ୍ରସ୍ତାବ ।

  • ନିର୍ବାଚନ ଆୟୋଗଙ୍କ ସହ ସର୍ବଦଳୀୟ ବୈଠକ ବେଳେ ପ୍ରସ୍ତାବ ।

ଭୁବନେଶ୍ୱର (ରିପୋର୍ଟ-ହରିହର ଚାନ୍ଦ): ଏଥର ପଂଚାୟତ ଭୋଟ୍ ବେଳେ ବଢ଼ିବ ଭୋଟଗ୍ରହଣ ସମୟ । ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ମଧ୍ୟ ବଢିବା ସମ୍ଭାବନା ରହିଛି । ପଂଚାୟତ ନିର୍ବାଚନ ପାଇଁ ଆଜି ବସିଥିବା ସର୍ବଦଳୀୟ ବୈଠକରେ ଏସବୁ ବିଷୟରେ ହୋଇଛି ଆଲୋଚନା । ଓ୍ୱାର୍ଡ ସ୍ତରରୁ ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତି ଏବଂ ନିର୍ବାଚନର ୭ ଦିନ ପୂର୍ବରୁ ମଦ ବିକ୍ରି ବନ୍ଦ କରିବାକୁ ରାଜନୈତିକ ଦଳମାନେ ପ୍ରସ୍ତାବ ଦେଇଛନ୍ତି । 

ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ତତ୍ପରତା । ଆସନ ସଂରକ୍ଷଣର ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହେବାପରେ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଜୋରଦାର କସରତ । ଆଜି ରାଜ୍ୟ ନିର୍ବାଚନ ଆୟୋଗ ଡାକିଥିବା ସର୍ବଦଳୀୟ ବୈଠକରେ ୫୦ରୁ ଅଧିକ ରାଜନୈତିକ ଦଳର ସଦସ୍ୟ ଯୋଗଦେଇ ସେମାନଙ୍କ ପ୍ରସ୍ତାବ ରଖିଛନ୍ତି । ଯେଉଁଥିରେ ଫୋକସ୍‌ରେ ରହିଛି, ଭୋଟ୍‌ ଗ୍ରହଣ ସମୟ ବୃଦ୍ଧି, ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ବଢ଼ାଇବା ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ।

ଆସନ୍ତା ନିର୍ବାଚନରେ ଭୋଟ୍‌ଗ୍ରହଣ ଦିନ ବୁଥ୍‌ରେ ଗଣତି ହେବ ନାହିଁ । ପରେ ବ୍ଳକ୍ସ ଗୁଡ଼ିକରେ ପୂର୍ବ ନିର୍ଦ୍ଧାରିତ ତାରିଖରେ ଭୋଟ୍ ଗଣତି ହେବ । ସେ ଦୃଷ୍ଟିରୁ ଭୋଟଗ୍ରହଣ ସମୟକୁ ବଢାଇବା ଉପରେ ବୈଠକରେ ଆଲୋଚାନ ହୋଇଛି । ପୂର୍ବରୁ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ମତଦାନ ସମୟ ରହୁଥିଲା । ଏହାକୁ ଆଉ ଦୁଇ ଘଣ୍ଟା ଅଧିକ କରିବାକୁ ବିଭିନ୍ନ ଦଳ ମତ ଦେଇଛନ୍ତି । ସେହିପରି ସରପଂଚ, ସମିତି ସଭ୍ୟ ପ୍ରାର୍ଥୀମାନେ ପୂର୍ବରୁ ୮୦ ହଜାର ଟଙ୍କା ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ୨ ଲକ୍ଷ ଟଙ୍କା ଥିଲା । ସରପଂଚ ଓ ସମିତି ସଭ୍ୟଙ୍କ କ୍ଷେତ୍ରରେ ଏହାକୁ ୧ ଲକ୍ଷ ୬୦ ହଜାର କିମ୍ବା ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ଜିଲ୍ଲା ପରିଷଦ ସଦସ୍ୟ ପାଇଁ ୫ ଲକ୍ଷ ଟଙ୍କା କରିବାକୁ ପ୍ରସ୍ତାବ ଆସିଛି । ସେପଟେ ନିର୍ବାଚନର ୭ ଦିନ ପୂର୍ବରୁ ମଦ ବିକ୍ରି ଉପରେ ରୋକ୍ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି । ବୈଠକରେ ଭୋଟର୍ ଲିଷ୍ଟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା ।

 

ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବ ଅନୁସାରେ ୧ ନଭେମ୍ବର ୨୦୨୧ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ହୋଇଥିବ ସେମାନଙ୍କୁ ନିଜ ନାମ ଭୋଟର୍ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ସୁଯୋଗ ଦିଆଯିବ । ସେହିପରି ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ଅପିଲ୍ କରାଯାଇଛି । ପଂଚାୟତ ନିର୍ବାଚନ ପାଇଁ ବିଧାନସଭା ଭୋଟର ତାଲିକାକୁ ଓ୍ୱାର୍ଡ ଅନୁଯାୟୀ ବିଭକ୍ତିକରଣ କରାଯାଇ ପ୍ରସ୍ତୁତ କରାଯିବ ।

ଭୋଟ୍‌ଗ୍ରହଣ କେନ୍ଦ୍ର ଚିହ୍ନଟ ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ବ୍ଲକରେ ଗଣତି ପାଇଁ ଷ୍ଟ୍ରଙ୍ଗରୁମ୍ ଓ ଅଧିକ ବାଲଟ୍ ବକ୍ସ ଆବଶ୍ୟକ ହେବ । ତେଣୁ ସେ ଦିଗରେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ କୁୁହାଯାଇଛି । ଆସନ୍ତା ଫେବ୍ରୁୟାରୀ କିମ୍ବା ମାର୍ଚ୍ଚରେ ପଂଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି ।