• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜିଏସ୍‌ଟି, ଅଗ୍ନିପଥ, ମୁଦ୍ରାସ୍ଫୀତି, ଦରବୃଦ୍ଧି ଓ ଆକ୍ରୋଶମୂଳକ ଭାବେ ନେତାଙ୍କ ଘର ଉପରେ ଇଡିର ଚଢ଼ଉକୁ ନେଇ ସଂସଦରେ ହଟ୍ଟଗୋଳ ଜାରି ରହିଛି । ଏହାକୁ ନେଇ ଗୃହରେ ବିଶୃଙ୍ଖଳା ଆଚରଣ ଅଭିଯୋଗରେ ଆଜି ଆଉ ୩ ଜଣ ସାଂସଦଙ୍କୁ ରାଜସ୍ୟଭାରୁ ନିଲମ୍ବିତ କରାଯାଇଛି । ଗୃହର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଆଜି ଆମ୍ ଆଦମି ପାର୍ଟି ସଦସ୍ୟ ସନ୍ଦୀପ କୁମାର ପାଠକ, ସୁଶିଲ କୁମାର ଗୁପ୍ତା ଓ ସ୍ୱାଧିନ ସାଂସଦ ଅଜିତ କୁମାର ଭୂୟାଁଙ୍କୁ ସପ୍ତାହକ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି । ଏହାକୁ ମିଶାଇ ମୋଟ୍‌ ୨୩ ଜଣ ସାଂସଦଙ୍କୁ ରାଜସ୍ୟଭାରୁ ନିଲମ୍ୱିତ କରାଯାଇଛି ।

ପୂର୍ବରୁ ମଧ୍ୟ ସାଂସଦଙ୍କୁ ନିଲମ୍ବିତ କରାଯାଇଛି:-

ଏହା ପୂର୍ବରୁ ଗତକାଲି ଆମ୍ ଆଦମି ପାର୍ଟି ସଦସ୍ୟ ସଞ୍ଜୟ ସିଂହଙ୍କୁ ରାଜ୍ୟସଭାରୁ ସପ୍ତାହକ ପାଇଁ ନିଲମ୍ବନ କରାଯାଇଥିଲା । ଗୃହରେ ବିଶୃଙ୍ଖଳା ଯୋଗୁଁ ସପ୍ତାହର ବାକି ଦିନ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ମଙ୍ଗଳବାର ୧୯ ଜଣ ସାଂସଦଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଟିଏମ୍‌ସିରୁ ୭, ଡିଏମ୍‌କେରୁ ୬, ଟିଆରଏସ୍, ସିପିଆଇ ଓ ସିପିଏମ୍ ସଦସ୍ୟଙ୍କୁ ନିଲମ୍ବନ କରାଯାଇଥିଲା । ସେହିପରି ଲୋକସଭାରୁ ୪ ଜଣ କଂଗ୍ରେସ ସାଂସଦଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

ନିଲମ୍ବିତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ :-

ଗତକାଲି ସୁଦ୍ଧା ନିଲମ୍ବିତ ହୋଇଥିବା ୨୦ ଜଣ ରାଜ୍ୟସଭା ସାଂସଦ ୫୦ ଘଣ୍ଟିଆ ପ୍ରତୀକ ଆନ୍ଦୋଳନ ଜାରି ରଖିଛନ୍ତି । ସଂସଦ ଭବନ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ସାଂସଦମାନେ ଧାରଣା ଦେଇଛନ୍ତି । ଜୁଲାଇ ୧୮ରେ ସଂସଦର ଅଧିବେଶନ ଆରମ୍ଭ ଦିନରୁ ଜିଏସ୍‌ଟି, ଅଗ୍ନିବୀର, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଭଳି ପ୍ରସଙ୍ଗକୁ ନେଇ ବିରୋଧୀମାନେ ସଦନରେ ସରକାରଙ୍କୁ ଟାର୍ଗେଟ କରି ଆସିଛନ୍ତି ।

ସଂସଦରେ ବିରୋଧୀଙ୍କୁ ନିଲମ୍ବନ ନେଇ ରାହୁଲ ଗାନ୍ଧିଙ୍କ ପ୍ରତିକ୍ରିୟା:-

ସଂସଦରେ ବିରୋଧୀଙ୍କୁ ନିଲମ୍ବନ କରାଯିବାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏନଇ ରାହୁଲ ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଗତ ୮ ବର୍ଷରେ ୨୨ କୋଟି ଯୁବକଯୁବତୀ ଚାକିରି ପାଇଁ ଲାଇନ୍ ଲଗାଇଲେ । ହେଲେ ମାତ୍ର ୭.୨୨ ଲକ୍ଷଙ୍କୁ ନିଯୁକ୍ତି ମିଳିଲା। ଅର୍ଥାତ୍ ପ୍ରତି ହଜାରରେ ମାତ୍ର ୩ ଜଣଙ୍କୁ ଚାକିରି ମିଳିଲା । ହେଲେ ବେରୋଜଗାରୀ ସଂପର୍କରେ ପ୍ରଶ୍ନ ପଚାରିବାରୁ ରାଜା କ୍ରୋଧାନ୍ୱିତ ହେଲେ ବୋଲି ରାହୁଲ ଟ୍ୱିଟରେ ଲେଖିଛନ୍ତି । ଯୁବକ-ଯୁବତୀ ଦେଶର ସଂପଦ ହୋଇଥିବାବେଳେ ବିଜେପି ତାଙ୍କୁ ବୋଝ ଭାବୁଚି ବୋଲି ରାହୁଲ ଲେଖିଛନ୍ତି ।

ବିରୋଧୀଙ୍କୁ ଟାର୍ଗେଟ :-

ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । କେନ୍ଦ୍ର ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ରାଜି ଥିବାବେଳେ ବିରୋଧୀ ଗୃହ ଚଲାଇବାକୁ ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ନିଲମ୍ବିତ ସାଂସଦମାନେ ଯଦି କ୍ଷମା ପ୍ରାର୍ଥନା କରିବେ, ତା ହେଲେ ସେମାନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯିବ ବୋଲି ସେ କହିଥିଲେ ।

ଏହାସହ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ କ୍ଷମା ପ୍ରାର୍ଥନା ଦାବିକୁ ଅଗ୍ରାହ୍ୟ କରି ଦେଇଛନ୍ତି । ନିଲମ୍ବିତ ସାଂସଦ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ । ଆମେ ଗୃହରେ ଦର ବୃଦ୍ଧି ଓ ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗରେ ଆଲୋଚନା ଚାହୁଁଥିଲୁ, ହେଲେ ଆମକୁ ନିଲମ୍ବନ କରି ଦିଆଗଲା ବୋଲି ତୃଣମୂଳ ସାଂସଦ ମୌସମ ନୁର କହିଛନ୍ତି । ସେହିପରି ଟିଏମ୍ସି ସାଂସଦ ଶାନ୍ତା ଛେତ୍ରୀ କହିଛନ୍ତି ଯେ, ଆମେ ଭୁଲ୍ କରି ନଥିବାରୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ।

ସେହିପରି ସାଂସଦଙ୍କୁ ନିଲମ୍ବନ କରି ଗୃହ କାର୍ଯ୍ୟରୁ ଦୂରେଇ ରଖିବାକୁ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ ନାପସନ୍ଦ କରିଛନ୍ତି ସଂସଦରେ ପ୍ରସଙ୍ଗ ଉଠାଇବା ବିରୋଧୀଙ୍କ ଅଧିକାର ବୋଲି ସେ କହିଛନ୍ତି । ଯେତେବେଳେ ସୁଯୋଗ ନ ମିଳି, ସେତେବେଳେ ହୋ ହଲ୍ଲା ହୋଇଥାଏ । ପଛ କଥା ମନେ ପକାନ୍ତୁ, ଯେତେବେଳେ ବିଜେପି ବିରୋଧୀ ଆସନରେ ବସିଥିଲା, ସେତେବେଳେ ସେମାନେ ମଧ୍ୟ ସଂସଦରେ ହଟ୍ଟଗୋଳ କରୁଥିଲେ । ହେଲେ ଏବେ ସେମାନେ ଆମଠାରୁ କ୍ଷମା ପ୍ରାର୍ଥନା ଚାହୁଁଛନ୍ତି ବୋଲି ଖର୍ଗେ କହିଛନ୍ତି ।