/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643512619.jpg)
Odisha Niyamgiri Panchayat Election
ଦୀର୍ଘ ୧୫ ବର୍ଷ ପରେ ଆଦିବାସୀ ଅଧ୍ୟୁଷିତ ନିୟମଗିରିରେ ହେଉଛି ନିର୍ବାଚନ । ଏଥିପାଇଁ ପ୍ରଚାର ଆରମ୍ଭ ହୋଇଛି । କିନ୍ତୁ ପ୍ରାର୍ଥୀଙ୍କ ବେକରେ ନାହିଁ ଫୁଲମାଳ, ହାତରେ କି କାନ୍ଥ ବାଡ଼ରେ ପୋଷ୍ଟର କି ଚିହ୍ନ ମଧ୍ୟ ଲାଗିନି । ପ୍ରାର୍ଥୀମାନେ ଘରକୁ ଘର ବୁଲି ମାଗୁଛନ୍ତି ଭୋଟ୍ । ଏହା ପୂର୍ବରୁ ନିୟମଗିରି ସୁରକ୍ଷା ସମିତି ଦ୍ୱାରା ପ୍ରାର୍ଥୀ ଚୟନ ହେଉଥିଲେ ।
ପ୍ରାର୍ଥୀମାନେ ହାତ ଗଣତି ସମର୍ଥକଙ୍କୁ ଧରି ଘର ଘର ବୁଲି ପ୍ରଚାର କରୁଛନ୍ତି । କିନ୍ତୁ ପ୍ରାର୍ଥୀଙ୍କ ବେକରେ ଫୁଲମାଳ ନାହିଁ କି କୌଣସି କାନ୍ଥ ବାଡ଼ରେ ଲାଗିନି ପୋଷ୍ଟର । ଡୋର ଟୁ ଡୋର ଯାଇ ନିଜ ଡଙ୍ଗରିଆ ଭାଷାରେ ଭୋଟ୍ ଭିକ୍ଷା କରୁଛନ୍ତି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାରସାଲି ପଞ୍ଚାୟତରୁ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ୪ ରୁ ୫ ଜଣଙ୍କୁ ସାଥିରେ ଧରି ପ୍ରଚାର କରୁଛନ୍ତି । କେବେ ଏକା ଏକା ଆଉ କେତେବେଳେ ହାତ ଗଣତି ସମର୍ଥକଙ୍କ ସହିତ ଭୋଟ୍ ଦେଇ ଜିତାଇବାକୁ ଲୋକଙ୍କୁ ନିବେଦନ କରୁଛନ୍ତି । ନିୟମଗିରି ପାହାଡ ପାଦଦେଶରେ ଥିବା ଏହି ପାରସାଲି ପଞ୍ଚାୟତରେ ମୋବାଇଲ୍ ନେଟଓ୍ୱର୍କ ଜମାରୁ ନଥିବାରୁ ଫେଲ୍ ମାରିଛି ଡିଜିଟାଲ କ୍ୟାମ୍ପେନ୍ ।
୧୫ ବର୍ଷ ପୂର୍ବେ ନିୟମଗିରିରେ ଭୋଟ୍ ହେଉନଥିଲା । ଡଙ୍ଗରିଆ କନ୍ଧମାନେ ହିଁ ବାଛୁଥିଲେ ସେମାନଙ୍କ ପ୍ରତିନିଧି । ବର୍ତ୍ତମାନ ନିୟମ ପରିବର୍ତ୍ତନ ହୋଇଛି । ନିୟମଗିରି ପାହାଡ଼ ସୁରକ୍ଷା ସମିତିର ଆବାହକ ଲଦ ସିକାଙ୍କ ନେତୃତ୍ୱରେ ବସିଥିବା ବୈଠକରେ ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେବା ପାଇଁ ହୋଇଛି ନିଷ୍ପତ୍ତି । ପାରସାଲି ପଞ୍ଚାୟତରେ ୩୨ଟି ଗାଁ ରହିଛି । ୧୧ଟି ଓ୍ୱାର୍ଡରୁ ୫ଟି ଓ୍ୱାର୍ଡ଼ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ୬ଟି ଓ୍ୱାର୍ଡ ପାଇଁ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ସେହିପରି ସରପଞ୍ଚ ପ୍ରାର୍ଥୀ ପାଇଁ ୨ ଜଣ ଓ ସମିତି ସଭ୍ୟ ପାଇଁ ୪ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ନିଜ ନିଜ ମତାଧିକାର ସାବ୍ୟସ୍ତ କରି ମନ ମୁତାବକ ପ୍ରାର୍ଥୀ ଚୟନ କରିବାକୁ ମନସ୍ଥ କରିଛନ୍ତି ନିୟମଗିରି ବାସିନ୍ଦା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)