Advertisment

Crime Story: ମହିଳା ଆଇପିଏସଙ୍କୁ ଚଳନ୍ତା କାରରେ ଘୋଷାଡ଼ି ରାସ୍ତା କଡ଼କୁ ଠେଲିଦେଲେ

କାର ଭିତରେ ୩ କନଷ୍ଟେବଳଙ୍କୁ ମାଡ଼ି ବସିବାକୁ ଉଦ୍ୟମ କରିବାରୁ ସେମାନେ ଏହି ମହିଳା ଆଇପିଏସଙ୍କୁ ରାଜପଥରେ ପାଖାପାଖି ୩୦୦ ମିଟର ଘୋଷାରି ନେଇଥିଲେ। ପରେ ରାସ୍ତା ଉପରେ ଠେଲି ଫେରାର ହୋଇଯାଇଥିଲେ। ଏଭଳି ଆଲୋଡ଼ନ ସୃଷ୍ଟିକାରୀ ଘଟଣା ଉତ୍ତରପ୍ରଦେଶରେ ଘଟିଥିଲା। ଏହି ଘଟଣାରେ ବହିଷ୍କୃତ ହୋଇଥିବା ୨ ପୁଲିସ କର୍ମଚାରୀଙ୍କୁ ଶେଷରେ କୋର୍ଟ ୧୪ ବର୍ଷ ପରେ ସଜା ଶୁଣାଇବା ପରେ ପୁଣି ଘଟଣାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।

author-image
Puspanjali Panda
ଅଦ୍ୟତନ ହୋଇଛି
ମହିଳା ଆଇପିଏସ୍‌ଙ୍କୁ ରାସ୍ତାକଡ଼କୁ ଠେଲିଦେଲେ

ମହିଳା ଆଇପିଏସ୍‌ଙ୍କୁ ରାସ୍ତାକଡ଼କୁ ଠେଲିଦେଲେ

ଆଜକୁ ୧୪ ବର୍ଷ ତଳେ ରାତିରେ ଲାଞ୍ଚୁଆ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ଧରିବାକୁ ଘରୁ ଦୌଡ଼ିଯାଇଥିବା ଜଣେ ମହିଳା ଆଇପିଏସଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା। କାର ଭିତରେ ୩ କନଷ୍ଟେବଳଙ୍କୁ ମାଡ଼ି ବସିବାକୁ ଉଦ୍ୟମ କରିବାରୁ ସେମାନେ ଏହି ମହିଳା ଆଇପିଏସଙ୍କୁ ରାଜପଥରେ ପାଖାପାଖି ୩୦୦ ମିଟର ଘୋଷାରି ନେଇଥିଲେ। ପରେ ରାସ୍ତା ଉପରେ ଠେଲି ଫେରାର ହୋଇଯାଇଥିଲେ। ଏଭଳି ଆଲୋଡ଼ନ ସୃଷ୍ଟିକାରୀ ଘଟଣା ଉତ୍ତରପ୍ରଦେଶରେ ଘଟିଥିଲା। ଏହି ଘଟଣାରେ ବହିଷ୍କୃତ ହୋଇଥିବା ୨ ପୁଲିସ କର୍ମଚାରୀଙ୍କୁ ଶେଷରେ କୋର୍ଟ ୧୪ ବର୍ଷ ପରେ ସଜା ଶୁଣାଇବା ପରେ ପୁଣି ଘଟଣାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।

Advertisment

୧୪ ବର୍ଷ ପରେ ସତ୍ୟର ଜୟ

ଫେବ୍ରୁଆରି ୨୧ରେ ଉତ୍ତରପ୍ରଦେଶ ବରେଲି ଜିଲ୍ଲାର ଦୁର୍ନୀତି ନିବାରଣ କୋର୍ଟ-୧ ଉତ୍ତରପ୍ରଦେଶ ପୁଲିସର ତିନି ଜଣ ପୁଲିସ କର୍ମଚାରୀଙ୍କ ସମେତ ଚାରି ଜଣଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ୫୦ ହଜାର ଟଙ୍କା ଲେଖାଏ ଜରିମାନା ଲଗାଇଛନ୍ତି। ଦୋଷୀ ଟ୍ରାଫିକ କନଷ୍ଟେବଳ ହେଉଛନ୍ତି ମନୋଜ କୁମାର ଓରଫ ସୁଲତାନ, ରବିନ୍ଦ୍ର ସିଂହ, ରବିନ୍ଦ୍ର କୁମାର ଓରଫ ଟାଇଗର୍ ଏବଂ ଅଟୋ ଡ୍ରାଇଭର ତଥା ସହଯୋଗୀ ଧର୍ମେନ୍ଦ୍ର କୁମାର।

ଏହି ଅଭିଯୁକ୍ତମାନେ ୧୪ ବର୍ଷ ତଳେ ବରେଲି ଟ୍ରାଫିକ ଏସପି କଳ୍ପନା ସକ୍ସେନାଙ୍କ ଉପରେ ଏକ କାର ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। କୋର୍ଟ ତିନି ଜଣଙ୍କୁ ହତ୍ୟା ଉଦ୍ୟମ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସ୍ୱତନ୍ତ୍ର ସରକାରୀ ଓକିଲ ମନୋଜ ବାଜପେୟୀ କୋର୍ଟରେ ୧୪ ଜଣ ସାକ୍ଷୀଙ୍କୁ ଉପସ୍ଥାପନ କରିଥିଲେ। ସ୍ୱତନ୍ତ୍ର ବିଚାରପତି ସୁରେଶ କୁମାର ଗୁପ୍ତା ସମସ୍ତ ଚାରି ଅଭିଯୁକ୍ତଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଜେଲ ପଠାଇ ଦେଇଛନ୍ତି।

Advertisment

 ୧୪ ବର୍ଷ ପୂର୍ବର ସେ କାଳ ରାତି

୨୦୧୦ ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟା ୫ଟା। ବରେଲି ଏସପି କଳ୍ପନା ସକ୍ସେନା ସୂଚନା ପାଇଲେ ଯେ କିଛି ଟ୍ରାଫିକ୍ ପୁଲିସ କର୍ମଚାରୀ ଫରିଦପୁର ରାଜପଥ ନିକଟରେ ଟ୍ରକଗୁଡ଼ିକରୁ ବଟି ଆଦାୟ କରୁଛନ୍ତି। ଧଳା ମାରୁତି କାରଟି ପାର୍କିଂ କରାଯାଇଥିଲା ବେଳେ କିଛି ଲୋକ କାରରେ ବସିଥିଲେ ଏବଂ କିଛି ବାହାରେ ଠିଆ ହୋଇଥିଲେ। ଶ୍ରୀମତି ସକ୍ସେନା ତାଙ୍କ ସୁରକ୍ଷାକର୍ମୀଙ୍କ ସହିତ ସେଦିନ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ତାଙ୍କ ବ୍ୟକ୍ତିଗତ କାରରେ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ସେହି ଟ୍ରକ ପଛରେ ତାଙ୍କ କାର ରଖି ଅଭିଯୁକ୍ତ ପୁଲିସ କନଷ୍ଟେବଳଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ କର୍ମଚାରୀମାନେ କାରରେ ଖସି ପଳାଇଥିଲେ। ଟ୍ରକ୍ ଡ୍ରାଇଭରମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା। ଏସପି ଟ୍ରାଫିକ୍ ଗାଡ଼ିରେ ବସିଥିବା କନଷ୍ଟେବଳ ମନୋଜଙ୍କ ବେକକୁ ଧରି ପକାଇଲେ। ଅନ୍ୟ ହାତରେ ଗାଡ଼ିର ଡୋର୍ ଧରି ପକାଇଲେ। କିନ୍ତୁ ଏହି ପୁଲିସ କର୍ମଚାରୀମାନେ ଗାଡ଼ି ଚଳାଇ ଆଇପିଏସ୍ ଶ୍ରୀମତୀ ସକ୍ସେନାଙ୍କୁ ପାଖାପାଖି ୩୦୦ ମିଟର ଟାଣି ନେଇଗଲେ। ଯେତେବେଳେ ଗାଡ଼ି ଅଟକାଇବାକୁ କୁହାଗଲା, ସେମାନେ ରାସ୍ତା ଉପରେ ତାଙ୍କୁ ଠେଲିଦେଇଥିଲେ। ତାଙ୍କ ହାତ ଭାଙ୍ଗିଯାଇଥିଲା। ଏହି ସମୟରେ ସେ ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଥିଲେ।

ଲାଞ୍ଚୁଆଙ୍କୁ ସାବାଡ୍ କରିବାକୁ ଅଣ୍ଚା ଭିଡ଼ିଥିଲେ ମହିଳା ଆଇପିଏସ୍

ଉତ୍ତରପ୍ରଦେଶରେ ଟ୍ରାଫିକ୍ ପୁଲିସ କର୍ମଚାରୀମାନେ ଟ୍ରକ୍ ଡ୍ରାଇଭରଙ୍କଠାରୁ ଟଙ୍କା ଆଦାୟ କରୁଥିବାର ଅନେକ ଅଭିଯୋଗ ଆସୁଥିଲା। ଏହି ଦୁର୍ନୀତିକୁ ବନ୍ଦ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀମାନେ ଏକ ବୈଠକ କରିଥିଲେ। ସମସ୍ତ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଏ ନେଇ ସତର୍କ କରାଯାଇଥିଲା। କିନ୍ତୁ ଏହି ତିନି ଜଣ କନଷ୍ଟେବଳ ବରେଲି-ଲକ୍ଷ୍ନୌ ରାଜପଥର ନାଟକାଟିଆ ନିକଟରେ ଟ୍ରକ୍ ଡ୍ରାଇଭରମାନଙ୍କଠାରୁ ଟଙ୍କା ଆଦାୟ କରି ଚାଲିଥିଲେ। ସେମାନଙ୍କୁ ଧରିବାକୁ ବରେଲି ଏସପି କଳ୍ପନା ସକ୍ସେନା ନିଜେ ଯାଇ ଘଟଣା ସ୍ଥଳରେ ଚଢ଼ଉ କରିଥିଲେ।

ଦୁଇ ଥର ବହିଷ୍କାର ହେଲେଣି ତିନି କନଷ୍ଟେବଳ

ମହିଳା ଆଇପିଏସଙ୍କ ଅଭିଯୋଗ ଆଧାରରେ କ୍ୟାଣ୍ଟନମେଣ୍ଟ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଅଭିଯୋଗ ଆଧାରରେ ତିନି କନଷ୍ଟେବଳଙ୍କୁ ତୁରନ୍ତ ପୁଲିସ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଘଟଣା ସ୍ଥଳରୁ ଅଟୋ ଡ୍ରାଇଭର ଧର୍ମେନ୍ଦ୍ର କୁମାର ଗିରଫ ହୋଇଥିବା ବେଳେ ତିନି ଟ୍ରାଫିକ କନଷ୍ଟେବଳ ଫେରାର ହୋଇଯାଇଥିଲେ। ତେବେ ତିନି କନଷ୍ଟେବଳ ଘଟଣାର ୩ ଦିନ ପରେ ଗିରଫ ହୋଇଥିଲେ। ଏହି ତିନି କନଷ୍ଟେବଳ ପ୍ରଥମେ ନିଲମ୍ବିତ ଓ ପରେ ଚାକିରୀରୁ ବହିଷ୍କାର ହୋଇଥିଲେ। ଉଚ୍ଚ ନ୍ୟାୟାଳୟରୁ ଆଶ୍ୱସ୍ତି ପାଇବା ପରେ ସେମାନଙ୍କୁ ଚାକିରିରେ ପୁନଃସ୍ଥାପିତ କରାଯାଇଥିଲା। ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହେବା ପରେ ୨୦୨୧ ଡିସେମ୍ବରରେ ତିନି ଜଣଙ୍କୁ ପୁଣି ଥରେ ଚାକିରିରୁ ବହିଷ୍କାର କରାଯାଇଛି।

 ସେବେର ଟ୍ରାଫିକ୍ ଏସପି ଏବେ ଡିଆଇଜି

ଏକ ସମ୍ପୂର୍ଣ୍ଣ ତଦନ୍ତ ପରେ, ପୁଲିସ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଯାହା ଫଳରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୧୦ ବ୍ୟାଚର ଆଇପିଏସ ଅଧିକାରୀ ଶ୍ରୀମତୀ ସକ୍ସେନା ବର୍ତ୍ତମାନ ଗାଜିଆବାଦ ପୁଲିସ କମିଶନରେଟରେ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ଭାବରେ କାର୍ଯ୍ୟ କରୁଛନ୍ତି। ୨୦୨୪ ଜାନୁଆରି ୩୦ରେ ସେ ଏହି ନିଯୁକ୍ତି ପାଇଥିଲେ। ୧୪ ବର୍ଷ ତଳେ ସେ ଟ୍ରାଫିକ ଏସପି ଭାବେ କାର୍ଯ୍ୟ କରୁଥିଲେ।

Police For Taking Bribe UP Police Bribe Traffic Constable
Advertisment
Advertisment