• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

ସ୍ଥାପିତ ହେବାର ୬୭ ବର୍ଷରୁ କିଛି ଅଧିକ ସମୟ ପରେ NDA ବା ନ୍ୟାସ୍‌ନାଲ୍‌ ଡିଫେନ୍ସ ଏକାଡେମୀର ଇତିହାସରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ। ଚଳିତ ବର୍ଷ ଜୁନ୍ ମାସରେ ପ୍ରଥମ ଥର ପାଇଁ ଏକାଡେମୀ ସ୍ୱାଗତ କରିବାକୁ ଯାଉଛି ତା'ର ମହିଳା କ୍ୟାଡେଟ୍‌ମାନଙ୍କୁ। ଏଇ କ୍ୟାଡେଟ୍‌ମାନଙ୍କ ବୟସ ୧୬ ବର୍ଷ ୬ ମାସରୁ ୧୯ ବର୍ଷ ମଧ୍ୟରେ।

ସର୍ଭିସ୍‌ ହେଡ୍‌କ୍ୱାର୍ଟର୍ସ ପକ୍ଷରୁ ମହିଳା କ୍ୟାଡେଟ୍‌ମାନଙ୍କ ଏହି ପ୍ରଥମ ବ୍ୟାଚ୍ ପାଇଁ ମୋଟ ୧୯ଟି ସିଟ୍ ଆଲଟ୍ କରାଯାଇଛି। ଏଗୁଡିକ ମଧ୍ୟରୁ ସର୍ବାଧିକ ୧୦ଟି ସିଟ୍ ଆର୍ମି ପାଇଁ, ଏୟାର୍‌ ଫୋର୍ସ ପାଇଁ ୬ଟି ଓ ନାଭି ପାଇଁ ୩ଟି ସିଟ୍ ଅନ୍ତର୍ଭୁକ୍ତ। ଆଉ ଏହି ମହିଳା କ୍ୟାଡେଟ୍‌ମାନଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ NDAରେ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଯଦିଓ ଅନୁଷ୍ଠାନର ଭିତ୍ତିଭୂମି କିମ୍ବା ପ୍ରଶାସନିକ ସ୍ତରରେ ଏଥିପାଇଁ ବିଶେଷ କିଛି ପରିବର୍ତ୍ତନର ଆବଶ୍ୟକତା ପଡ଼ିନାହିଁ, ତେବେ ପ୍ରଚଳିତ ପାଠ୍ୟକ୍ରମରେ ସାମାନ୍ୟ ଅଦଳବଦଳ କରାଯାଇଛି।

ବର୍ତ୍ତମାନ ପାଇଁ ଅନୁଷ୍ଠାନର ଗୋଟିଏ ସ୍କ୍ୱାଡ୍ରନକୁ ଏମାନଙ୍କ ପ୍ରଶିକ୍ଷଣ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଉଛି। ପରେ ଦୀର୍ଘମିଆଦି ଯୋଜନାରେ ଏମାନଙ୍କ ପାଇଁ ଆବଶ୍ୟକ ମୁତାବକ ସମସ୍ତ ସୁବିଧା-ସୁଯୋଗ ଥାଇ ଅଲଗା ଭାବେ ଉତ୍ତମ ଆବାସିକ ବ୍ୟବସ୍ଥା ମଧ୍ୟ କରାଯିବ। ଯଦି ପ୍ରଶିକ୍ଷଣ କଥା ବିଚାରକୁ ନିଆଯାଏ ତେବେ ପୁରୁଷ କ୍ୟାଡେଟ୍ ଓ ମହିଳା କ୍ୟାଡେଟ୍‌ମାନଙ୍କ ପ୍ରଶିକ୍ଷଣ ସମୟରେ ସେମାନଙ୍କ ଏକାଡେମିକ୍ସ, ଡ୍ରିଲ୍ ଓ ଆଉଟ୍ ଡୋର୍ ଆକ୍ଟିଭିଟିଜ୍ ଆଦିରେ କୌଣସି ଫରକ ରହିବ ନାହିଁ। କେବଳ ଶାରୀରିକ ଗଠନର ଭିନ୍ନତା ଦୃଷ୍ଟିରୁ ଝିଅ କ୍ୟାଡେଟ୍‌ମାନଙ୍କ ପାଇଁ ଫିଜିକାଲ୍‌ ଟ୍ରେନିଂରେ କିଛିଟା ପରିବର୍ତ୍ତନ କରାଯାଇପାରେ।

ଏହି କ୍ୟାଡେଟ୍‌ମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଭାବେ ମିଲିଟାରୀ ପୋଲିସ୍ କର୍ପସ ଓ ଇନ୍‌ଷ୍ଟ୍ରକ୍ଟର ରହିବେ। ସ୍ଥଳ, ବାୟୁ ଓ ଜଳ ସେନା ପାଇଁ ଉଦ୍ଦିଷ୍ଟ ସମସ୍ତ କ୍ୟାଡେଟ୍ ମାନଙ୍କୁ ପ୍ରାୟ ଅଧିକାଂଶ ଟ୍ରେନିଂ ମିଳିତ ଭାବରେ ହିଁ ଦିଆଯିବ। ଆଉ ଏମାନେ ମଧ୍ୟ ଏଠାରେ ପୁରୁଷ କ୍ୟାଡେଟ୍‌ମାନଙ୍କ ପରି ୩ ବର୍ଷ ପାଇଁ ଟ୍ରେନିଂ ନେବେ।

NDAରେ ମହିଳା କ୍ୟାଡେଟ୍‌ମାନଙ୍କ ଅନ୍ତର୍ଭୁକ୍ତ ହେବାକୁ ନେଇ ବିଭିନ୍ନ ମହଲରେ ଉତ୍ସାହ ଦେଖାଦେଇଛି ତଥା ଯେଉଁ ଝିଅମାନେ ଭାରତୀୟ ସେନା ବାହିନୀରେ ଯୋଗ ଦେବାକୁ ଇଚ୍ଛୁକ, ସେମାନଙ୍କ ମଧ୍ୟରେ ଏହା ବେଶ ଖୁସି ଆଣିଦେଇଛି।

ଗତ ବର୍ଷ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଝିଅମାନେ NDA ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷା ଦେଇପାରିବା ନେଇ ଅନୁମତି ମିଳିବା ପରେ ଏଥିପାଇଁ ପ୍ରାୟ ୧ ଲକ୍ଷ ୭୮ ହଜାର ଝିଅ ଦରଖାସ୍ତ କରିବା ହିଁ ସୂଚାଇ ଦିଏ। ଏନେଇ ସେମାନଙ୍କ ମଧ୍ୟରେ କେତେ ଉତ୍ସାହ ରହିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୮ହଜାର ପ୍ରାର୍ଥୀନୀ ପ୍ରବେଶିକା ପରୀକ୍ଷା ଦେଇଥିବା ଜଣାଯାଏ। ତେବେ କ'ଣ ପାଇଁ ମିଲିଟାରୀ ଅଫିସର୍‌ ହେବାକୁ ଚାହୁଁଥିବା ଏହି ଝିଅମାନଙ୍କ ପାଇଁ NDAରେ ପ୍ରଶିକ୍ଷଣ ନେବା ଏତେ ଗୁରୁତ୍ୱପୂର୍ଣ୍ଣ!

କଥା ହେଉଛି, ପୁନେର ଖଡ଼କୱାସଲାସ୍ଥିତ ନ୍ୟାସ୍‌ନାଲ୍‌ ଡିଫେନ୍ସ ଏକାଡେମୀକୁ ଭାରତୀୟ ସେନା ନେତୃତ୍ୱର ଏନ୍ତୁଡ଼ିଶାଳ ଭାବେ ବିଚାର କରାଯାଏ। ପ୍ରଶିକ୍ଷଣ ପ୍ରଦାନ କ୍ଷେତ୍ରରେ ବିଶ୍ୱର ଏହା ଏକ ପ୍ରମୁଖ ଅନୁଷ୍ଠାନ ମଧ୍ୟ। ତେଣୁ ଏହା ଅନେକ ଯୁବକ(ଏବେ ଯୁବତୀ ମଧ୍ୟ)ଙ୍କ ପାଇଁ ସ୍ୱପ୍ନର ଅନୁଷ୍ଠାନ। ଏହି ଜଏଣ୍ଟ୍ ଡିଫେନ୍ସ ସର୍ଭିସ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ଠାରେ ଭାରତୀୟ ସେନାବାହିନୀ ଅନ୍ତର୍ଗତ ସ୍ଥଳ, ବାୟୁ ଓ ଜଳ ସେନାର କ୍ୟାଡେଟ୍‌ମାନଙ୍କୁ ପ୍ରଥମେ ୩ ବର୍ଷ ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ। ପରେ ଏମାନେ ନିଜ ନିଜ ସେନାର ଏକାଡେମୀକୁ ପ୍ରି-କମିଶନ୍‌ ଟ୍ରେନିଂ ପାଇଁ ଯାଇଥା'ନ୍ତି।

ବର୍ତ୍ତମାନ ସୁଦ୍ଧା ଏହି ଏକାଡେମୀରୁ ବାହାରିଥିବା ଛାତ୍ରଙ୍କ ମଧ୍ୟରୁ ୨୭ ଜଣ ବିଭିନ୍ନ ସେନାର ମୁଖ୍ୟ ପଦ ମଣ୍ଡନ କରିସାରିଛନ୍ତି। ଏବେ ମଧ୍ୟ ଆମ ୩ଟି ଯାକ ସେନାର ମୁଖ୍ୟ ହେଉଛନ୍ତି NDAର ପୂର୍ବତନ ଛାତ୍ର। ୧୯୪୯ ମସିହା ଅକ୍ଟୋବର ମାସ ୬ ତାରିଖରେ ପ୍ରଥମେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦ୍ୱାରା NDAର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ପରେ ୧୯୫୫ ମସିହା, ଜାନୁଆରୀ ମାସ ୧୬ ତାରିଖରେ ଏହାର ଉଦ୍‌ଘାଟନ ହୋଇଥିଲା।

ଏହା ହେଉଛି ବିଶ୍ୱର ପ୍ରଥମ ଟ୍ରାଇ ସର୍ଭିସେସ୍ ଏକାଡେମୀ। ବର୍ତ୍ତମାନ ପ୍ରତି ବର୍ଷ ଏଠାରେ ପ୍ରାୟ ୨ ହଜାର କ୍ୟାଡେଟ୍‌ଙ୍କୁ ପ୍ରଶିକ୍ଷଣ ଦେବାର ସୁବିଧା ଓ କ୍ଷମତା ରହିଛି। ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ କମିଶନ୍‌(UPSC) ଦ୍ୱାରା ପରିଚାଳିତ NDAର ପ୍ରବେଶିକା ପରୀକ୍ଷା ପାଇଁ ପ୍ରତି ବର୍ଷ ପ୍ରାୟ ପାଖାପାଖି ୫ଲକ୍ଷ ପିଲା (ମିଲିଟାରୀ ଅଫିସର ହେବା ପାଇଁ ଇଚ୍ଛୁକ) ଦରଖାସ୍ତ କରିଥା'ନ୍ତି। ଆଉ ସେମାନଙ୍କ ମଧ୍ୟରୁ ମାତ୍ର ୪୦୦ରୁ ୫୦୦ ଜଣ ହିଁ ଏଠାରେ ପ୍ରଶିକ୍ଷଣ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥା'ନ୍ତି। ଏକାଡେମୀର ପାଠ୍ୟକ୍ରମରେ ବିଜ୍ଞାନ(science), କଳା(arts) ଓ ପ୍ରଯୁକ୍ତି (technology) ଅନ୍ତର୍ଭୁକ୍ତ।

ଏହାର କ୍ୟାଡେଟ୍‌ମାନେ ସଦାସର୍ବଦା ନ୍ୟାସ୍‌ନାଲ୍‌ ନଲେଜ ନେଟ୍‌ୱାର୍କ, ଟେକ୍ନିକାଲ୍‌ ଏଜୁକେସନ୍‌ ସମ୍ପର୍କିତ ବିଭିନ୍ନ ୱେବ୍ ପୋର୍ଟାଲ ତଥା ସାଇବର ସିକ୍ୟୁରିଟି, ସାଇବର ୱାର ଫ୍ରେମ୍ ଓ ଇନ୍‌ଫର୍‌ମେସନ୍‌ ସିକ୍ୟୁରିଟି ଆଦି ଡୋମେନ୍‌ର ଇ-ଲର୍ଣ୍ଣିଂ ମୋଡ୍ୟୁଲ୍ ସହ ସମ୍ପର୍କରେ ରହିଥା'ନ୍ତି। ଆଧୁନିକତା ସହ ତାଳ ଦେଇ NDA ନିଜ ପାଠ୍ୟକ୍ରମ ଓ ପ୍ରଶିକ୍ଷଣ ଇତ୍ୟାଦିରେ ପରିବର୍ତ୍ତନ ଆଣିଥାଏ। ଏହାଛଡ଼ା ପ୍ରତି ୫ବର୍ଷରେ ଥରେ ଆଵଶ୍ୟକତାକୁ ଦୃଷ୍ଟିରେ ରଖି ଏକଡେମୀର ପାଠ୍ୟକ୍ରମ, ଶିକ୍ଷାଦାନ ପ୍ରଣାଳୀ ତଥା ପ୍ରଶିକ୍ଷଣର ବିଭିନ୍ନ ଦିଗକୁ ତର୍ଜମା କରାଯାଇ ସେସବୁରେ ଆବଶ୍ୟକ ରିଭିଜନ୍‌ ଓ ଅଦଳବଦଳ କରାଯାଇଥାଏ।

ଏହା ବ୍ୟତୀତ କ୍ୟାଡେଟ୍‌ମାନଙ୍କୁ ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବହୁ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବା ତଥା ସେମାନଙ୍କ ସହ ଯୋଗାଯୋଗରେ ରହିବାର ସୁଯୋଗ ମଧ୍ୟ ମିଳିଥାଏ। ପାଠପଢା ସହ କ୍ୟାଡେଟ୍‌ମାନେ ବିଭିନ୍ନ କ୍ରୀଡ଼ାରେ ମଧ୍ୟ ଭାଗ ନେଇଥା'ନ୍ତି। ପ୍ରଶିକ୍ଷଣ ଶେଷରେ ଏମାନଙ୍କୁ ଜବାହରଲାଲ ନେହରୁ ୟୁନିଭର୍ସିଟି ପକ୍ଷରୁ ଡିଗ୍ରୀ ପ୍ରଦାନ କରାଯାଇଥାଏ।

NDAରେ ମହିଳା କ୍ୟାଡେଟ୍‌ମାନଙ୍କୁ ଅନ୍ତର୍ଭୁକ୍ତ କରାଯିବାକୁ ସ୍ୱାଗତ କରି ଇଣ୍ଡିଆନ୍‌ ଆର୍ମି ଚିଫ୍ ମନୋଜ ମୁକୁନ୍ଦ ନରୱଣେ କହିଛନ୍ତି, "ଏହା ହିଁ ସେନାବାହିନୀରେ ଲିଙ୍ଗଗତ ବୈଷମ୍ୟ ଦୂର କରିବାରେ ପ୍ରଥମ ପଦକ୍ଷେପ ହେବ।" ଆମେରିକା, କାନାଡ଼ା ଓ ଜର୍ମାନୀ ଭଳି ଉନ୍ନତ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତ ବିଳମ୍ବରେ ମହିଳାମାନଙ୍କୁ ନିଜ ସେନାବାହିନୀରେ ଅନ୍ତର୍ଭୁକ୍ତ କରିଛି। ତଥାପି ଆଜି ପ୍ରାୟ ୯,୧୧୮ ଜଣ ମହିଳା ଦେଶର ବିଭିନ୍ନ ସେନାରେ କାର୍ଯ୍ୟରତ (on active duty) ଅଛନ୍ତି।

NDAରେ ମହିଳା କ୍ୟାଡେଟ୍‌ମାନେ ପ୍ରବେଶ କରିବା ପରେ ଆଗକୁ ସେନାବାହିନୀରେ ନାରୀଶକ୍ତିର ପ୍ରବେଶପଥ ଆହୁରି ସୁଗମ ହେବ। ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଶସ୍ତ୍ର ସୈନ୍ୟବାହିନୀଭାବେ ପରିଗଣିତ ଭାରତୀୟ ସେନାରେ ମହିଳାମାନେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ତୁଲାଇ ପାରିବେ।