• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ଚାଷୀର କ୍ଷେତରେ ସୁନା ଫଳୁଛି; ତା’କୁ ତୋଳିନେବା ପାଇଁ ଶକ୍ତି ପାଉନି! ଏ ବର୍ଷ ବି ଅମଳ ଋତୁ ଆରମ୍ଭରୁ ଚାଷୀ ପିଠିରେ ପଡିଛି ଅଭାବୀ ବିକ୍ରିର ପ୍ରହାର। ବନ୍ୟା, ବାତ୍ୟା, ବିପର୍ଯ୍ୟୟରୁ ବଞ୍ଚାଇ ଚାଷୀ ନିଜ ଅସାଧ୍ୟ କଷ୍ଟ ଓ କୌଶଳ ବଳରେ ଯେଉଁ ସୁନା ଫଳେଇଛି ତା’ର ମୂଲ୍ୟ ବୁଝିବାକୁ କେହି ନାହିଁ।

ପୂର୍ବ ବର୍ଷମାନଙ୍କ ଭଳି ଏ ବର୍ଷ ମଧ୍ୟ ସମାନ ସ୍ଥିତି! ଧାନ, ଆଖୁ, କପା ଠାରୁ ଆରମ୍ଭ କରି ଆଳୁ, ପିଆଜ, ଟମାଟୋ, କୋବି ଆଦି ଫସଲରେ ଭରିଯାଉଛି କ୍ଷେତ। ହେଲେ ଏହାକୁ ବିକ୍ରିକରି ଲାଭବାନ ହେବା ପଛ କଥା; ଫସଲର ଉଚିତ ମୂଲ୍ୟ ମିଳୁ ନ ଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି।

ସହରୀ ବଜାରରେ ଟମାଟୋ କିଲୋ ୧୫ରୁ ୨୫ଟଙ୍କା ହୋଇଥିବା ବେଳେ ବନ୍ଧାକୋବି, ଫୁଲକୋବି ଗୋଟା ୨୦ରୁ ୨୫ ଟଙ୍କା ରହିଛି। ହେଲେ ଟଙ୍କାଏ, ଦୁଇଟଙ୍କା ଦରରେ ବେପାରୀ ମାଗୁଛନ୍ତି। ବିକ୍ରି ପାଇଁ ବଜାର ବ୍ୟବସ୍ଥା ନାହିଁ କି ରଖିବା ପାଇଁ ଶୀତଳ ଭଣ୍ଡାର ନାହିଁ; ଫଳରେ ଚାଷୀ ଅଭାବୀ ବିକ୍ରିର ଶୀକାର ହେଉଛି ନଚେତ ଫସଲ କ୍ଷେତରେ ହିଁ ପଚି ଖତ ହେଉଛି।

ଏ ଘଟଣା ଏବକାର ନୁହେଁ, ବର୍ଷ ବର୍ଷ ଧରି ଏମିତି ଚାଲିଆସୁଛି। ଅମଳର ବଜାର ବ୍ୟବସ୍ଥା ନଥିବା, ଶୀତଳ ଭଣ୍ଡାରର ଅଭାବ, ମଣ୍ଡି ଅବ୍ୟବସ୍ଥା କାରଣରୁ ସବୁବେଳେ ଚାଷୀ କ୍ଷତି ହିଁ ସହି ଚାଲିଛି। ଏହାକୁ ନେଇ ଆନ୍ଦୋଳନ, ପ୍ରତିବାଦ ମଧ୍ୟ ହୁଏ ଆଉ ସରକାର ମଧ୍ୟ ତତ୍ପର ପ୍ରତିକ୍ରିୟା ପ୍ରକାଶ କରନ୍ତି, କିନ୍ତୁ ପ୍ରତିକାର ଶୂନ!

ଚଳିତ ଋତୁରେ ଅମଳ ଆରମ୍ଭରୁ ହିଁ ଅଭାବି ବିକ୍ରିର ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି। ଏକର ଏକର କ୍ଷେତରେ ଛନଛନିଆ ବନ୍ଧାକୋବି ଉପରେ ବରଗଡ ଚାଷୀ କାଶୀନାଥ ପ୍ରଧାନ ଯେତେବେଳେ ଟ୍ରାକ୍ଟର ଚଢାଇ ଦଳିଦେଉଥିଲେ, ବଜାରକୁ ଯିବାର ବାଟ ଚାହିଁଥିବା ଟମାଟୋଗୁଡିକ ପାଟଣାଗଡ କ୍ଷେତରେ ହିଁ ପଚି ଯାଉଥିଲା। ଠିକ୍ ଏତିକି ବେଳେ ଝୁଡି ଭରା ଲାଲ୍ ଟହ ଟହ ଟମାଟୋର ଫଟୋ କୃଷିମନ୍ତ୍ରୀଙ୍କ ଟ୍ୱିଟରର ଶୋଭା ବଢାଉଥିବା ଦେଖିବାକୁ ମିଳିଥିଲା।

୧୨ ଡିସେମ୍ବର ୨୦୨୨ ରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉକ୍ତ ଫଟୋକୁ ଟ୍ୱିଟ୍‌ କରି ଉଲ୍ଲେଖ କରିଥିଲେ, ‘ଏହି ଫଟୋଟି ଆମର କୃଷି ବିଭାଗ ସଚିବ ଅରବିନ୍ଦ ପାଢୀଙ୍କ ଠାରୁ ହ୍ୱାଟସ୍ଆପ୍ ମାଧ୍ୟମରେ ପାଇଲ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକର ଏକ ଚାଷ ଜମିରୁ ସ୍ଥାନୀୟ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ପ୍ରଚୁର ପରିମାଣର ଟମାଟୋ ଦେଖି ଆଶ୍ଚର୍ଯ୍ୟ ହେଲି।’

ମନ୍ତ୍ରୀଙ୍କ ଏହି ଟ୍ୱିଟ୍‌ରେ ଅନେକ ପ୍ରତିକ୍ରିୟା ଆସିଥିଲା। @Chittar98944269 ଟ୍ୱିଟ୍‌ରେ ‘ଏହାକୁ ବିକ୍ରି କରିବା ପାଇଁ ଆପଣଙ୍କ ବଜାର କାହିଁ? ବିକ୍ରି ପାଇଁ ସକ୍ରିୟ ପଦକ୍ଷେପ ଆବଶ୍ୟକ; ଅନ୍ୟଥା ଚାଷୀ ରାସ୍ତାରେ ଢାଳିବେ ନହେଲେ ୫୦ପଇସାରେ ବିକ୍ରି କରିବେ’ ବୋଲି ଦେଖିବାକୁ ମିଳିଥିଲା।

ସେହିପରି @SKDAgriMan ଟ୍ୱିଟ୍‌ର ଆକାଉଣ୍ଟରେ ଦେଖିବାକୁ ମିଳିଥିଲା ଯେ “ଏହି ଟାମାଟୋକୁ ଚାଷୀ କିଲୋ ପିଛା କେତେ ଟଙ୍କାରେ ବିକ୍ରି କରୁଛନ୍ତି? ଅମଳ ଋତୁରେ ଏହାକୁ ଗଛିତ ରଖିବା ପାଇଁ ଆମ ପାଖରେ କେତୋଟି ଶୀତଳ ଭଣ୍ଡାର ସଚଳ ଅଛି?”

ସେ ଆଉ ଏକ ଟ୍ୱିଟ୍‌ରେ ଦର୍ଶାଇଛନ୍ତି- “ଦୁଇମାସ ତଳେ କିଲୋ ପ୍ରତି ୫୦-୬୦ ଟଙ୍କା ଦର ଥିଲ। ବାହାରୁ ଆମଦାନୀ ହେଉଥିଲା। ଏବେ ଓଡିଶାରେ ଉତ୍ପାଦନ ହେଉଛି, କିନ୍ତୁ ବଜାରରେ ଦର ନାହିଁ। ଚାଷୀ ଅପେକ୍ଷା ବେପାରୀ ପଇସା କମାଉଛନ୍ତି, ଯେଉଁମାନେ କେବେ କ୍ଷେତ ଦେଖି ନାହାନ୍ତି। ଶୀତଳ ଭଣ୍ଡାର ଥିଲେ ଚାଷୀ ଉପକୃତ ହୁଅନ୍ତା।”


୨୦୨୩ ନୂଆବର୍ଷ ଆରମ୍ଭରୁ ଅଭାବୀ ବିକ୍ରି ଓ ଋଣ ବୋଝ କାରଣରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ପ୍ରକାଶ ପାଇଛି। ମିଡିଆ ରିପୋର୍ଟ ଅନୁସାରେ, ଆନନ୍ଦପୁର ବ୍ୟାରେଜ୍‌ ନିକଟ ନଦୀ ପଠାରୁ ଜାନୁଆରୀ ୪ରେ ୪୨ ବର୍ଷିୟ ଶରତ ସାମଲଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।

ପାଖରେ ପଡିଥିବା ଘାସମରା ବିଷ ବୋତଲ ଓ ପାଟିରୁ ଫେଣ ବାହାରିବା ଦେଖି ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଲା। ଶରତ ଜଣେ ଯୁବ କ୍ଷୁଦ୍ର ଚାଷୀ। ନିଜର ଅଳ୍ପ ଜମି ସମେତ ଭାଗଚାଷରେ ଟମାଟୋ ଚାଷ କରିଥିଲେ। ଟମାଟୋରେ ଝାଉଁଳା ରୋଗ ଲାଗିବା ଦ୍ୱାରା ଫସଲ ନଷ୍ଟ ହେବା ଏବଂ ବଜାରରେ ଟମାଟୋର ଅଭାବୀ ବିକ୍ରିକୁ ନେଇ କିଭଳି ଋଣ ସୁଝିବେ ସେହି ଚିନ୍ତାରେ ଆତ୍ମହତ୍ୟାର ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୃତ ଚାଷୀ ଶରତଙ୍କ ପରିବାର ବର୍ଗଙ୍କ ସହିତ ଆଲୋଚନା କରି ଘଟଣା ବିଷୟରେ ବୁଝିଥିଲେ। ଶ୍ରୀ ସେଠୀ କହିଛନ୍ତି, ଶରତ ରାଜ୍ୟର ଜଣେ ଯୁବ ଚାଷୀ। ଲକ୍ଷାଧିକ ଟଙ୍କା କରଜ କରି ଟମାଟୋ ଚାଷ କରିଥିଲେ। ଅଭାବୀ ବିକ୍ରି ଓ ଫସଲହାନୀ ଯୋଗୁଁ ଋଣ ବୋଝ ସମ୍ଭାଳି ନ ପାରି ଦୁଃଶ୍ଚିନ୍ତାରେ ଆତ୍ମହତ୍ୟା କରିଛନ୍ତି। ସରକାର ୧୦ ଲକ୍ଷ ଟଙ୍କା ତାଙ୍କ ପରିବାରକୁ ଦେବା ପାଇଁ ସେ ଦାବି ବରିଥିଲେ।


ବରଗଡ ଜିଲ୍ଲା ଚାଷୀ ଆତ୍ମହତ୍ୟା ଓ ଅଭାବୀ ବିକ୍ରି ପ୍ରସଙ୍ଗରେ ୨୦୧୭ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ବିଧାନସଭା କମ୍ପାଇଲେ ବିରୋଧୀ। ଏହି ପ୍ରସଙ୍ଗ ଲଗାତର ତିନି ଦିନ ଧରି ବିଧାନସଭାରେ ହଟ୍ଟଗୋଳ ଓ ହଙ୍ଗାମାର ଝଡ ସୃଷ୍ଟି କରିଥିଲା। ବାରମ୍ବାର ଗୃହମୁଲତବୀ ସ୍ଥିତି ଲାଗିରହିଲା।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ସରକାରଙ୍କୁ ମୁକ ଓ କାଲ ବୋଲି କଟୁ ସମାଲୋଚନା ମଧ୍ୟ କଲେ। କୃଷୀମନ୍ତ୍ରୀ ଏ ପ୍ରସଙ୍ଗରେ ବିବୃତ୍ତି ରଖିବାକୁ ତତ୍କାଳୀନ ବାଚସ୍ପତି ନିରଞ୍ଜନ ପୂଜାରୀ ରୁଲିଂ ଦେଇଥିଲେ। ଏହାର ମାସେ ନ ପୁରୁଣୁ ୩୧ ମାର୍ଚ୍ଚ ୨୦୧୭, ଋଣଭାର ସାଙ୍ଗକୁ ଅଭାବୀ ବିକ୍ରୀର ଭୟଙ୍କର ସ୍ଥିତି ଯୋଗୁଁ ଅନୁଗୁଳ ଜିଲ୍ଲା ସରଧାପୁର ପଞ୍ଚା ୟତ ଗୁରୁଡିହି ଅଞ୍ଚଳରେ ଚାଷୀ ପରମା ପଲେଇ କୀଟନାସକ ପିଇ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଲା। ସେ ୨୦ ଏକର ଜମିରେ ପରିବା ଚାଷ କରିଥିଲେ।

ଏଥିପାଇଁ ବ୍ୟାଙ୍କରୁ ୯୦ ହଜାର, ସୁଧରେ ୪୦ ହଜାର, ସାର ଦୋକାନୀ ପାଖରୁ ୧୫ ହଜାର, ଗାଁ ଫଣ୍ଡ୍‌ରୁ ୬୦ ହଜାର ଏହିଭଳି ଦୁଇଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଋଣ ଭାର କାରଣରୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପୁଅ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ଏହାର ଠିକ ବର୍ଷେ ପରେ ଅର୍ଥାତ ୨୭ ମାର୍ଚ୍ଚ ୨୦୧୮ରେ ପୁଣି ସେହି ସମାନ ଘଟଣା ବିଧାନସଭାରେ ଦେଖିବାକୁ ମିଳିଲା। ଚାଷୀର ଅମଳ ପରିବାର ଅଭାବୀ ବିକ୍ରିକୁ ନେଇ ଗୃହରେ ହଟ୍ଟଗୋଳ ଓ ଅଚଳାବସ୍ଥାକୁ ନେଇ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକର ବସିଲା।

ତତ୍କାଳୀନ ଖାଦ୍ୟ ଯୋଗାଣ, ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଗଣମାଧ୍ୟମରେ ଉତ୍ତର ରଖିଲେ - ଟମାଟୋର ଅଭାବୀ ବିକ୍ରି ଦୂର କରିବା ପାଇଁ ବ୍ୟବସ୍ଥା ହେଉଛି। ଓଡିଶାରେ ଟମାଟୋ ସସ୍‌ ବା ଜେଲି ଶିଳ୍ପ ହେବ। ଏଥିପାଇଁ କିଛି ସଂସ୍ଥା ସହିତ ମଧ୍ୟ ପ୍ରାରମ୍ଭିକ ଆଲୋଚନା ହୋଇଛି। ଏ ସଂପର୍କରେ ଏମ୍‌ଏସ୍‌ଏମ୍‌ଇ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ୪ ଦିନ ଭିତରେ ବିଭାଗ ବୈଠକ ଡାକି ସଂପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଲେ।

ହେଲେ ତାପରେ ଏନେଇ କ’ଣ ପଦକ୍ଷେପ ନିଆଗଲା। ସସ୍ ଫ୍ୟାକ୍ଟ୍ରୀ ନିର୍ମାଣ କେତେଦୂର ଗଲା ତାହା ଏବେବି ପ୍ରଶ୍ନବାଚୀ। ସେହିଭଳି ଓଡିଶାକୁ ବାର୍ଷିକ ୧୨ଲକ୍ଷ ମେଟ୍ରିକ୍‌ ଟନ୍‌ ଆଳୁର ଆବଶ୍ୟକତା ଥିବାବେଳେ ରାଜ୍ୟ ୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଉତ୍ପାଦନ କରୁଛି ଏବଂ ଅବଶିଷ୍ଟ ୯ ଲକ୍ଷ ମେଟ୍ରିକ୍‌ ଟନ୍‌ ପାଇଁ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଉପରେ ନିର୍ଭର କରିବାକୁ ପଡୁଛି।

ଅମଳ ସମୟରେ କିଲୋ ୪-୫ ଟଙ୍କାରେ ମିଳୁଥିବା ବେଳେ ଅନ୍ୟ ଦିନରେ ପ୍ରାୟ ୩୦ରୁ ୬୦ ଟଙ୍କା ମଧ୍ୟ ଟପିଯାଉଛି। ଏଥିପାଇଁ ୨୦୧୪-୧୫ରେ ଆଳୁ ମିସନ୍‌ ଗଠନ କରାଯାଇଥିଲ। ୨୦୧୮-୧୯ ସୁଦ୍ଧା ଏ କ୍ଷେତ୍ରରେ ଓଡିଶା ସ୍ୱାବଲମ୍ବୀ ହେବାର ଲକ୍ଷ୍ୟ ରଖାଯାଇଥିଲା। ହେଲେ ଆଜି ବି ସେ ଲକ୍ଷ୍ୟରେ ରାଜ୍ୟ ସଫଳତା ପାଇପାରି ନାହିଁ।


ରାଜ୍ୟରେ ଯେବେ ଯେବେ ଚାଷୀଙ୍କ ଅଭାବୀ ବିକ୍ରି, ମଣ୍ଡି ଅବ୍ୟବସ୍ଥା, ଟୋକନ ସମସ୍ୟା, କଟ୍‌ନି ଛଟ୍‌ନି ପ୍ରସଙ୍ଗ ଗଣମାଧ୍ୟମର ମୁଖ୍ୟ ଖବର ପାଲଟେ, ସରକାର କିଛି ନା କିଛି ବ୍ୟବସ୍ଥା, ଯୋଜନା ଓ ଘୋଷଣା କଥା କହିଥାନ୍ତି। ଓଡିଶାରେ ଶୀତଳଭଣ୍ଡାର ପ୍ରସଙ୍ଗ ମଧ୍ୟ ଆସେ। ହେଲେ ତାହା ବାସ୍ତବିକତା ଠାରୁ ବହୁ ଦୂରରେ।

୧୭ ଜୁଲାଇ ୨୦୧୯ରେ ବିଧାନସଭାରେ ବିଜେଡି ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଏକ ପ୍ରଶ୍ନର ଉତ୍ତର ରଖି ତତ୍କାଳୀନ କୃଷି ମନ୍ତ୍ରୀ ଦାୟିତ୍ୱରେ ଥିବା ନିରଂଜନ ପୂଜାରୀ କହିଥିଲେ, ଓଡିଶାରେ ୧୨୮ଟି ଶୀତଳ ଭଣ୍ଡାର ମଧ୍ୟରୁ ୮୦ଟି ଅଚଳ ଏବଂ ୪୮ଟି ସଚଳ ରହିଛି।

୩୦ ମାର୍ଚ୍ଚ ୨୦୨୨ରେ ତତ୍କାଳୀନ କୃଷି ମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ଉତ୍ତର ରଖିଲେ, ରାଜ୍ୟରେ ମୋଟ ୧୨୩ଟି ଶୀତଳ ଭଣ୍ଡାରୁ ୭୮ଟି ଅଚଳ ଅବସ୍ଥାରେ ରହିଛି। ସଚଳ ଶୀତଳ ଭଣ୍ଡାର ମଧ୍ୟରୁ କୃଷି ବିଭାଗ ହାତରେ ୪ ହଜାର ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ୪ଟି ଶୀତଳ ଭଣ୍ଡାର ଥିବାବେଳେ ସମବାୟ ବିଭାଗ ଅଧୀନରେ ୧୮ଟି ଥିବା ବିଧାନସଭାରେ କହିଥିଲେ।

ଏପଟେ କଂଗ୍ରେସର ବରିଷ୍ଠ କୃଷକ ନେତା ଅମୀୟ ପଟ୍ଟନାୟକ କହିଛନ୍ତି, ଓଡିଶା ସରକାରଙ୍କର ମୋଟ ୧୧୪ଟି ଶୀତଳ ଭଣ୍ଡାର ରହିଥିଲେ ମଧ୍ୟ ସେଥିରୁ ୫ଟି ବି ଚଳନ୍ତି ଅବସ୍ଥାରେ ନାହିଁ। ରାୟଗଡାରେ କୋଟିଏ ଟଙ୍କା ଖର୍ଚ୍ଚ କରି ଶୀତଳ ଭଣ୍ଡାର କରାଗଲା, ସେଠାରେ ବିଜୁଳି ନାହିଁ। ଏହିଭଳି ଅବସ୍ଥାରେ ଅଚଳ ହୋଇପଡିଛି ସବୁ ଶୀତଳ ଭଣ୍ଡାର। ଚାଷୀଙ୍କ ବାସ୍ତବିକ ବେଦନା ସରକାର ବୁଝୁନାହାଁନ୍ତି ବୋଲି କୃଷକ ନେତା ଶ୍ରୀ ପଟ୍ଟନାୟକ କହିଛନ୍ତି।

ସରକାର ବିଶ୍ୱ କପ୍ ହକି ପାଇଁ ୧୫ ମାସ ମଧ୍ୟରେ ରାଉରକେଲାରେ ବିର୍ସାମୁଣ୍ଡା ଷ୍ଟାଡିୟମ ନିର୍ମାଣ କରିଦେଲେ, ଅଥଚ ୨୩ ବର୍ଷ ଶାସନ କାଳରେ ଚାଷୀମାନଙ୍କ ପାଇଁ ଶୀତଳଭଣ୍ଡାର ହୋଇପାରିଲା ନାହିଁ ବୋଲି ଏବେ ସାଧାରଣରେ ପ୍ରଶ୍ନ ହେଉଛି। ରାଜ୍ୟର ପ୍ରତ୍ୟେକ ୩୧୪ ବ୍ଲକ୍‌ରେ ଅନ୍ୟୁନ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଶାସକ ବିଜୁ ଜନତା ଦଳ ୨୦୧୪ ନିର୍ବାଚନୀ ଇସ୍ତହାରରେ ଘୋଷଣା କରିଥିଲା ଯାହା ଏବେ ସୁଦ୍ଧା ଅପୂରଣୀୟ ହୋଇ ରହିଛି।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)