ଏକ ସୁସ୍ଥ ଶରୀର ପାଇବାକୁ ଆମକୁ ପ୍ରଥମେ ଆମ ଖାଦ୍ୟପେୟ ଠିକ୍ ରଖିବାକୁ ପଡ଼ିବ। ଏହା ଆମେ ସମସ୍ତେ ଅଳ୍ପ ବହୁତେ ଜାଣିଛେ। ପ୍ରାଚୀନ କାଳରୁ ଆମ ଜୀବନଶୈଳୀରେ ଆମର ଖାଦ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଖାଦ୍ୟ ଉପରେ ଆମ ମନସ୍ତାତ୍ତ୍ୱିକ ଅବସ୍ଥା ମଧ୍ୟ ନିର୍ଭର କରିଥାଏ। ଏଣୁ ହିପୋକ୍ରେଟିସ୍ କହିଥିଲେ, ଆମର ଖାଦ୍ୟ ଆମର ଔଷଧ ରୂପେ କାମ କରିବା ଦରକାର। ଯଦି ଏହାକୁ ଆମେ ମାନି ଚଳିବା ତେବେ ଔଷଧକୁ ଆମକୁ ଖାଦ୍ୟ ଭଳି ଖାଇବାର ଦୁଃସମୟ ଆସିବନି। ତେବେ ଆସନ୍ତୁ ଜାଣିବା ଆମ ଖାଦ୍ୟ କିପରି ଭାବେ ଆମର ଜୀବନଶୈଳୀକୁ ପ୍ରଭାବିତ କରେ।
ଆମ ଭିତରେ ମୁଖ୍ୟତଃ ଦୁଇ ପ୍ରକାର ଖାଦ୍ୟାଭ୍ୟାସ ଥିବା ଲୋକ ରୁହନ୍ତି। ଆମିଷ ଖାଉଥିବା ଓ ନିରାମିଷ ଖାଉଥିବା ଗୋଷ୍ଠୀ। ଆମେ ବିଭିନ୍ନ ଶାସ୍ତ୍ର, ଧର୍ମ ସହ ଯୋଡ଼ି ଆମିଷ ଖାଇବାକୁ ନେଇ କେତେ ନିୟମ ତିଆରି କରିଛେ, ଯେମିତି କି ଓଷା, ବ୍ରତ, ଉପବାସ ଆଦି ଦିନରେ ଆମିଷ ଖାଇବା ମନା। କିନ୍ତୁ ଅସଲରେ ଏସବୁ ଆମ ଖାଦ୍ୟ ହଜମ ବ୍ୟବସ୍ଥାକୁ ପ୍ରଭାବିତ କରେ। ସେଥିପାଇଁ ପୂଜା ପର୍ବ ଆଳରେ ଆମ ପୂର୍ବଜମାନେ ଆମ ପାଇଁ ଏତେ ନିୟମ ବନେଇଦେଇଛନ୍ତି।
ଆମ ଶରୀରକୁ ଦରକାର ହେଉଥିବା ବିଭିନ୍ନ ଖାଦ୍ୟସାର ମଧ୍ୟରେ ରହିଛି ଶ୍ୱେତସାର ବା କାର୍ବୋହାଇଡ୍ରେଟ୍, ପୁଷ୍ଟିସାର ବା ପ୍ରୋଟିନ୍, ସ୍ନେହସାର ବା ଫ୍ୟାଟ୍ ଏବଂ ଜୀବସାର ବା ଭିଟାମିନସ୍। ଏହା ବ୍ୟତୀତ ଅନେକ ଖଣିଜ ଲବଣ ଯେମିତିକି ମ୍ୟାଗ୍ନେସିୟମ୍, ଲୌହ, ଜିଙ୍କ୍ ଇତ୍ୟାଦି ଆମ ଶରୀରର ଗଠନ ଓ ବିଭିନ୍ନ କାର୍ଯ୍ୟକଳାପ ନିୟନ୍ତ୍ରଣରେ ମୁଖ୍ୟ ଭୂମିକା ନିର୍ବାହ କରେ। ଏସବୁ ଆମେ ନିୟମିତ ଖାଦ୍ୟ ମାଧ୍ୟମରେ ସେବନ ଦ୍ୱାରା ଆମର ଶରୀର ରୋଗମୁକ୍ତ ରହିବା ସହିତ ମନ ସୁସ୍ଥ ରହିଥାଏ।
ତେବେ ଏସବୁ ମଧ୍ୟରୁ କିଛି ଉଦ୍ଭିଦ ଜାତ ହୋଇଥିବା ବେଳେ କିଛି ପ୍ରଣୀମାନଙ୍କଠାରୁ ମିଳେ। ଆମେ ନିୟମିତ ଖାଉଥିବା ଭାତ, ରୁଟି, ମିଠା ଜାତୀୟ ଖାଦ୍ୟ, ମୂଳ ଜାତୀୟ ପରିବା ଯେମିତିକି କନ୍ଦମୂଳ, ଆଳୁ, ଇତ୍ୟାଦିରେ ଶ୍ୱେତସାର ଭରପୂର ଥିବା ବେଳେ ଡାଲି ଜାତୀୟ ଖାଦ୍ୟ ଯେପରିକି ମୁଗ, ବିରି, ହରଡ଼. ମଟର, ବୁଟ ଆଦି, ତା ସହିତ କ୍ଷୀର, ଚୁନା ମାଛ, ଚିକେନ୍, ଅଣ୍ଡା, ସୋୟାବିନ୍ ଆଦି ହେଉଛି ପ୍ରୋଟିନର ଭରପୂର ଭଣ୍ଡାର।
Also Read
ବିଭିନ୍ନ ପ୍ରକାର ମାଛ, ମଟନ୍, କ୍ଷୀର ଜାତୀୟ ଖାଦ୍ୟ ଯେପରିକି ଦହି, ଛେନା, ବଟର,ଓ ଘିଅ ଏବଂ ବିଭିନ୍ନ ପ୍ରକାର ମଞ୍ଜିଜାତୀୟ ଖାଦ୍ୟ ଯେପରିକି ଆଲମଣ୍ଡ, ୱାଲନଟ୍ ଆଦିରେ ସ୍ନେହସାର ପ୍ରଚୁର ମାତ୍ରରେ ଥାଏ। ଏହା ସହ ବିଭିନ୍ନ ସବୁଜ ପନିପରିବା ଓ ଶାଗ ଆଦିରୁ ଆମେ ସବୁ ପ୍ରକାର ଭିଟାମିନ୍ ଓ ଖଣିଜ ଲବଣ ପାଇଥାଉ। ତେଣୁ ଏହି ସବୁକୁ ଆମର ନିୟମିତ ଖାଦ୍ୟରେ ନେଲେ ଆମେ ନିଶ୍ଚୟ କୌଣସି ଖାଦ୍ୟାଭାବଜନିତ ରୋଗରୁ ଦୂରରେ ରହିପାରିବା। ତେବେ ଏସବୁ ହେଉଛି ଆମର ପାରମ୍ପରିକ ଖାଦ୍ୟାଭ୍ୟାସ ଯାହା ଆମେ ଆମ ଚଳଣି ଅନୁସାରେ ଆପଣେଇନେଇଛେ।
କିନ୍ତୁ ଏବର ଟେକ୍ନୋଲୋଜିର ଯୁଗରେ ସବୁକଥାରେ ଆଗୁଆ ରହୁଥିବା ଯୁବପିଢ଼ିମାନେ ଆହୁରି କେତେ ନୂତନ ଖାଦ୍ୟାଭ୍ୟାସ ସହ ପରିଚିତ ହେଲେଣି। ଯେପରିକି ଭେଗାନ୍ ବା ସଂପୂର୍ଣ୍ଣ ନିରାମିଷ ଖାଦ୍ୟାଭ୍ୟାସ, କିଟୋ ଡାଏଟ୍, ଡେରୀ ଫ୍ରୀ ଡାଏଟ୍ ବା ଦୁଗ୍ଧ ରହିତ ଖାଦ୍ୟାଭ୍ୟାସ ଇଟ୍ୟାଦି।
ଭେଗାନ୍ ଅର୍ଥ ଖାଦ୍ୟରେ କୌଣସି ପ୍ରାଣୀଜାତ ଦ୍ରବ୍ୟର ବ୍ୟବହାର ନ ହେବା। ଏହା ଯଦିଓ ଏବେ ପାଶ୍ଚାତ୍ୟ ଦେଶମାନଙ୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଜାଗା ନେଇସାରିଲାଣି କିନ୍ତୁ ଭାରତରେ ଏଯାଏଁ ଏହା ସର୍ବସାଧାରଣରେ ଏକ ଅନାଲୋଚ୍ୟ ବିଷୟ। ଏହା ମଧ୍ୟ ଏକ ପ୍ରକାର ଡେରୀ ଫ୍ରୀ ଡାଏଟ୍ ବୋଲି କୁହାଯାଇପାରେ। କାରଣ ଏହି ଖାଦ୍ୟାଭ୍ୟାସରେ ଗାଈଠାରୁ ଆସୁଥିବା କ୍ଷୀର ମଧ୍ୟ ଖାଇବା ମନା ହୋଇଥାଏ। କେବଳ ଉଦ୍ଭିଦଜାତ ଖାଦ୍ୟ ହିଁ ଖାଇବାକୁ ହୁଏ।
ତେବେ କ୍ଷୀର ପ୍ରତିବଦଳରେ ଏହି ବ୍ୟକ୍ତିମାନେ ସୋୟାବିନ, ପିସ୍ତାବାଦାମ ଆଦିରୁ ପ୍ରସ୍ତୁତ କ୍ଷୀର, ଖାଇପାରିବେ। ଛେନା, ଦହି ଆଦି ବଦଳରେ ସୋୟାକ୍ଷୀରରୁ ପ୍ରସ୍ତୁତ ଟୋଫୁ ଆଦି ଖାଇପାରିବେ। ତେବେ ଏହା ଗାଈ କ୍ଷୀର ପରି ସଂପୂର୍ଣ୍ଣ ପ୍ରୋଟିନ୍ ନଦେଲେ ମଧ୍ୟ ଅପେକ୍ଷାକୃତ ଭାବେ ଶରୀରର ପ୍ରୋଟିନ୍ ଆବଶ୍ୟକତା ପୂରା କରିପାରେ।
ଏହା ବାଦ୍ ଅନ୍ୟ ଏକ ଖାଦ୍ୟାଭ୍ୟାସ ଯାହା ଏବେ ଯୁବପୀଢ଼ିଙ୍କ ପାଇଁ ଆଲୋଚନାର ଶୀର୍ଷରେ ଅଛି, ତାହା ହେଲା କିଟୋ ଡାଏଟ୍ ବା କିଟେଜେନିକ୍ ଡାଏଟ୍। ଏଥିରେ ଆପଣଙ୍କୁ ଅଧିକ ପରିମାଣର ସ୍ନେହସାର ଖାଇବାକୁ ହୁଏ ଏବଂ ଆବଶ୍ୟକ ପରିମାଣର ପୁଷ୍ଟିସାର ମଧ୍ୟ ନେବାକୁ ହୁଏ। କିନ୍ତୁ ଶ୍ୱେତସାର ପରିମାଣ ଖୁବ୍ କମେଇଦେବାକୁ ହୁଏ କାରଣ ଏହା ହେଉଛି ଆମ ଶରୀରର ଶକ୍ତିର ମୁଖ୍ୟ ଉତ୍ସ। କାର୍ବୋହାଇଡ୍ରେଟ୍ ବା ଶ୍ୱେତସାର କମେଇଦେଲେ ସ୍ନେହସାର ଜାତୀୟ ଖାଦ୍ୟରୁ ଆମ ଶରୀର ଆବଶ୍ୟକ ଶକ୍ତି ଆଣିବାକୁ ଚେଷ୍ଟା କରେ।
ଏଥିପାଇଁ ଆପଣ ନିୟମିତ ଅଧିକ ପରିମାଣରେ ଖାଉଥିବା ସ୍ନେହସାର ଅଣୁକୁ ଭାଙ୍ଗି ଶରୀର ଶକ୍ତି ଯୋଗାଡ଼ କରେ। ଏହା ସିଧାସଳଖ ଆମ ଶରୀରର ସ୍ନେହସାର ବା ଫ୍ୟାଟ୍ କଣିକାଗୁଡ଼ିକ ଚୟନ କରୁଥିବାରୁ ଓଜନ ହ୍ରାସରେ ସହାୟକ ହୋଇଥାଏ। କିନ୍ତୁ ଅନ୍ୟପକ୍ଷରେ ଶ୍ୱେତସାର ଜାତୀୟ ଖାଦ୍ୟ କମିଯିବାକୁ ଆମ ଦେହରେ ଅନେକ ପ୍ରକାର ପୋଷଣ ଅଭାବଜନିତ ସମସ୍ୟା ଦେଖାଦେଇପାରେ।
ଆଜିକାଲି ବିଭିନ୍ନ ଜିମ୍ ଓ ଫିଟ୍ନେସ୍ ସେଣ୍ଟରମାନଙ୍କରେ ଏହି କିଟୋ ଡାଏଟ୍ ଫଲୋ କରିବାକୁ କୁହାଯାଉଛି। କିନ୍ତୁ ଆପଣଙ୍କୁ କୌଣସି ନୂତନ ପ୍ରକାର ଖାଦ୍ୟାଭ୍ୟାସ ଆପଣେଇବା ଆଗରୁ ଆପଣଙ୍କ ଶରୀର ତାହା ଖାପଖୁଆଇପାରିବ କି ନା ତାହା ଭାବିବା ଆବଶ୍ୟକ। ତା’ ପରେ ଯାଇ ଆପଣ ଖାଦ୍ୟାଭ୍ୟାସ ବାଛିବା ଉଚିତ।
ଏବେ ସାମାଜିକ ଗଣମାଧ୍ୟମଗୁଡ଼ିକର ବହୁଳ ବ୍ୟବହାର ହେତୁ ଏମିତି କୌଣସି ବିଷୟ ବର୍ତ୍ତମାନର ଯୁବବର୍ଗଙ୍କଠାରୁ ଅଛପା ନାହିଁ। ଭଲ ଦେଖାଯିବା ଓ ଓଜନ କମେଇବାକୁ ଜୀବନର ସର୍ବସ୍ୱ ମନେକରି ଜିମ୍ ପ୍ରଶିକ୍ଷକମାନଙ୍କଠାରୁ କୌଣସି ଡାଏଟିସିଆନ୍ଙ୍କ ବିନା ଅନୁମୋଦନରେ ବିଭିନ୍ନ ପ୍ରକାର ଡାଏଟ୍ ନେଇ ଅସୁସ୍ଥ ହେବାର ନଜିର ଖୁବ ରହିଛି। ତେଣୁ ଆପଣଙ୍କ ଖାଦ୍ୟାଭ୍ୟାସ ଦେଖିଚାହିଁ ଆପଣଙ୍କ ଶରୀରର ସ୍ଥିତିକୁ ଦେଖି ଆପଣେଇବା ପ୍ରଯୁଜ୍ୟ।