ସିଦ୍ଧାର୍ଥ ଶୁକ୍ଲା, କେକେ, ପୁନିତ୍ ରାଜକୁମାର, ଇନ୍ଦର କୁମାର, ଅବିର ଗୋସ୍ୱାମୀ, ଶ୍ରୀଦେବୀ ଏଇ ସବୁ ନା' ପଢି ଆପଣମାନଙ୍କର ନିଶ୍ଚୟ ସେମାନଙ୍କର ହୃଦ୍ଘାତଜନିତ ଅକାଳ ବିୟୋଗ ବିଷୟରେ ପଢିଥିବା ଖବର ମନେପଡିଯାଇଥିବ। ଏଇ ସବୁ ଖବର ପଢି ଅନେକଙ୍କ ମନରେ ପ୍ରଶ୍ନ ମଧ୍ୟ ଆସେ ଯେ ସେମାନେ ନିଜ ଖାଦ୍ୟପାନୀୟ, ବ୍ୟାୟାମ ଆଉ ଫିଟ୍ନେସ୍ ଉପରେ ଏତେ ଧ୍ୟାନ ଦେଲା ପରେ ମଧ୍ୟ କେମିତି ଏତେ କମ ବୟସରେ ହୃଦଘାତ ବା ହାର୍ଟ ଆଟାକ୍ରେ ପ୍ରାଣ ହରାଉଛନ୍ତି?
କେବଳ ଏଇ ସେଲିବ୍ରିଟି ମାନେ ନୁହନ୍ତି, ଏବେ ଏମିତି ଅନେକ କମ୍ ବୟସର ଲୋକମାନଙ୍କର ହୃଦ୍ଘାତରେ ପୀଡିତ ହେବା ବାରମ୍ବାର ଦେଖିବାକୁ ମିଳୁଛି। ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନର ଷ୍ଟାଟିଷ୍ଟିକ୍ସ ଅନୁସାରେ ପୃଥିବୀରେ ପ୍ରତିବର୍ଷ ହାରାହାରି ୧୭.୯ ମିଲିୟନ ଲୋକ ହୃଦ୍ଘାତ ବା କାର୍ଡିଓଭାସ୍କୁଲାର୍ ଡିଜିଜ୍ କାରଣରୁ ପ୍ରାଣ ହରାଉଛନ୍ତି, ଯାହା ପୃଥିବୀରେ ଘଟୁଥିବା ସମସ୍ତ ମୃତ୍ୟୁର ୩୧%।
ହସ୍ପିଟାଲ୍ ଏବଂ ହୃଦ୍ରୋଗର ଚିକିତ୍ସା ଥିବା କେନ୍ଦ୍ରରେ ସଠିକ୍ ସମୟରେ ପହଞ୍ଚିପାରିବା ହିଁ ବିଶ୍ୱବ୍ୟାପି ହୃଦରୋଗର ଚିକିତ୍ସା, ନିରାକରଣ ଓ ମୃତ୍ୟୁର ହାରକୁ ନିର୍ଦ୍ଧାରିତ କରିଥାଏ। ଚିକିତ୍ସାବିଜ୍ଞାନ କ୍ଷେତ୍ରରେ ଆଜି ଏତେ ଉନ୍ନତି ପରେ ମଧ୍ୟ କୌଣସି ଗୋଟିଏ ରୋଗ କାରଣରୁ ପୃଥିବୀର ଏତେ ଲୋକଙ୍କର ପ୍ରାଣହାନି ଘଟିବା ଅନେକ ସମୟରେ ଗ୍ରହଣୀୟ ମନେହୁଏନି। ଖାସ୍ ଏଇଥିପାଇଁ ପ୍ରତିବର୍ଷ ୨୯ ସେପ୍ଟେମ୍ବରକୁ ୱାର୍ଲ୍ଡ ହାର୍ଟ ଡେ ବା ବିଶ୍ୱ ହୃଦୟ ଦିବସ ଭାବରେ ପାଳନ କରାଯାଏ।
୧୯୯୯ ମସିହାରେ ୱାର୍ଲ୍ଡ ହାର୍ଟ ଫେଡେରେସନ୍, ୱାର୍ଲ୍ଡ ହେଲ୍ଥ୍ ଅର୍ଗାନାଇଜେସନ୍ ସହ ମିଶି ପ୍ରଥମଥର ପାଇଁ " ୱାର୍ଲ୍ଡ ହାର୍ଟ ଡେ" ପାଳନ ବିଷୟରେ ଘୋଷଣା କରିଥିଲା। ୧୯୯୭-୯୯ ୱାର୍ଲ୍ଡ ହାର୍ଟ ଫେଡେରେସନ୍ର ପ୍ରେସିଡେଣ୍ଟ୍ ଥିବା ସମୟରେ ପ୍ରଥମେ ଆଣ୍ଟୋନୀ ବାୟେସ୍ ଦେ' ଲୁନା ହିଁ ଏପରି ଏକ ଦିବସର ପରିକଳ୍ପନା କରିଥିଲେ। ୨୦୧୧ ପର୍ଯ୍ୟନ୍ତ ଏହା ସେପ୍ଟେମ୍ବର ମାସର ଅନ୍ତିମ ରବିବାର ଦିନ ପାଳନ କରାଯାଉଥିଲା ଏବଂ ତା' ପର ଠାରୁ ୨୯ ସେପ୍ଟେମ୍ବରରେ ପାଳନ କରାଯାଉଛି।
Also Read
ଏହି ଦିବସ ପାଳନର ଗୋଟିଏ ଏବଂ ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସାଧାରଣ ଲୋକଙ୍କ ଭିତରେ ହୃଦରୋଗ ଏବଂ ଏହାର ପ୍ରତିରୋଧ ଦିଗରେ ସଚେତନତା ସୃଷ୍ଟି କରିବା। ଏହି କ୍ରମରେ ବିଶ୍ୱବ୍ୟାପି ସଚେତନତାମୂଳକ ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ଓ ତାଲିକା ପ୍ରସ୍ତୁତିକୁ ନେଇ ଆଲୋଚନା କରିବା ପାଇଁ ପ୍ରଥମ ଥର ପାଇଁ ସ୍ୱିଜରଲ୍ୟାଣ୍ଡର ଜେନେଭା ଠାରେ ୨୧-୨୨ ମେ', ୨୦୨୨ରେ ୱାର୍ଲ୍ଡ ହାର୍ଟ ଫେଡେରେସନ୍ ଦ୍ୱାରା "ଓ୍ବାର୍ଲ୍ଡ ହାର୍ଟ ସମିଟ୍"ର ଆୟୋଜନ ହୋଇଥିଲା।
ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ହେଉଛି ପୃଥିବୀର ପ୍ରତ୍ୟେକ ଲୋକ ପାଖରେ ହୃଦରୋଗଗୁଡିକୁ ନେଇ ସଚେତନତା, ପ୍ରତିରୋଧର ଉପାୟ ଓ ଉପଲବ୍ଧ ଚିକିତ୍ସା ପଦ୍ଧତିକୁ ପହଞ୍ଚେଇବା।
ସେଥିପାଇଁ ଏହି ସମ୍ମିଳନୀ "କାର୍ଡିଓଭାସ୍କୁଲାର୍ ହେଲ୍ଥ୍ ଫର୍ ଅଲ୍ (ସମସ୍ତଙ୍କ ପାଇଁ ସୁସ୍ଥ ହୃଦୟ)" କୁ ଥିମ୍ ରଖି ଆଲୋଚନା ଓ କାର୍ଯ୍ୟକ୍ରମ କରିଥିଲା। ସିଗାରେଟ୍/ ବିଡି/ ତମ୍ବାଖୁ ତଥା ଆଲ୍କୋହଲ୍ର ଅତ୍ୟଧିକ ବ୍ୟବହାର, ଶାରୀରିକ ପରିଶ୍ରମ ତଥା ବ୍ୟାୟାମର ଅଭାବ ଏବଂ ଅତ୍ୟଧିକ ବ୍ୟାୟାମ କରିବା ବା ଓଭର ଏକ୍ସର୍ସାଇଜ୍, ଫାଷ୍ଟ୍ଫୁଡ୍, ତୈଳୀୟ ଖାଦ୍ୟ ଖାଇବା ଓ ଖାଦ୍ୟଗ୍ରହଣ ପ୍ରଣାଳୀରେ ଅନିୟମିତତା, କାର୍ଯ୍ୟକ୍ଷେତ୍ରରେ କିମ୍ବା ପରିବାରରେ ଅତ୍ୟଧିକ ମାନସିକ ଚାପ, ରାତି ଅନିଦ୍ରା ଏସବୁ ଆମ ପାଇଁ କେବଳ ମଧୁମେହ, ଉଚ୍ଚରକ୍ତଚାପ ଏବଂ ମେଦବହୁଳତା ପରି ସମସ୍ୟା ହିଁ ନୁହେଁ, ହୃଦରୋଗ ମଧ୍ୟ ଆଣିଦେଇଥାଏ।
ଆମ ଦୈନନ୍ଦିନ ଜୀବନରେ ଖାଦ୍ୟପାନୀୟରେ ନିୟନ୍ତ୍ରଣ କରି, ହାଲୁକା ବ୍ୟାୟାମ ଓ ଶାରୀରିକ ପରିଶ୍ରମ କରି, ସ୍ମୋକି° ଏବଂ ନିଶା ସେବନରୁ ନିବୃତ୍ତ ରହି ଆମେ ଅନେକ ମାତ୍ରାରେ ଷ୍ଟ୍ରୋକ୍ ବା ହାର୍ଟ ଆଟାକ୍ ପରି ସମସ୍ୟାକୁ ଟାଳିପାରିବା।
ଦେଶରେ ଏକ ଅଗ୍ରଣୀ ଇ°ରାଜୀ ଖବରକାଗଜରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ବର୍ଷ ୨୦୨୧ରେ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ହାରାହାରି ୩୦୦୦ ଲୋକ ପ୍ରତିମାସରେ ହାର୍ଟ ଆଟାକ୍ ପାଇଁ ପ୍ରାଣ ହରାଇଥିଲେ। ଏବଂ କେବଳ ମୁମ୍ବାଇରେ ଜୁନ୍, ୨୦୨୧ ସୁଧା ହୋଇଥିବା ସମସ୍ତ ୭୫,୧୬୫ଟି ମୃତ୍ୟୁ ମଧ୍ୟରୁ ୨୩.୮% (ପାଖାପାଖି ୧୭,୮୮୦ଟି ମୃତ୍ୟୁ) ମୃତ୍ୟୁର କାରଣ ହାର୍ଟ ଆଟାକ୍ ହିଁ ଥିଲା। ଆଉ ଏହି ଚିନ୍ତାଜନକ ପରିସ୍ଥିତି କେବଳ ମୁମ୍ବାଇ କିମ୍ବା ଆମ ଦେଶର ନୁହେଁ, ସମଗ୍ର ବିଶ୍ୱରେ ମଧ୍ୟ ସମାନ ଭାବରେ କାର୍ଡିଓଭାସ୍କୁଲାର୍ ରୋଗଗୁଡିକର ମାମଲା ବଢିବାରେ ଲାଗିଛି।
ଅନେକ ସମୟରେ କାର୍ଡିଓଭାସ୍କୁଲାର୍ ରୋଗକୁ ବୟସ୍କ, ସାଧାରଣତଃ ୫୦ ପରର ରୋଗ ଭାବି ଅନେକ ଯୁବାବସ୍ଥାରେ ବ୍ୟାୟାମ କିମ୍ବା ଖାଦ୍ୟପାନୀୟ ଉପରେ ଧ୍ୟାନ ଦେବାକୁ ଜରୁରୀ ଭାବନ୍ତି ନାହିଁ। ଏହା ସମ୍ପୂର୍ଣ୍ଣ ଏକ ଭୁଲ ଧାରଣା। କାର୍ଡିଓଭାସ୍କୁଲାର୍ ରୋଗ ଯେକୌଣସି ବୟସରେ ହୋଇପାରେ ଏବଂ ଆମ ଲାଇଫ୍ ଷ୍ଟାଇଲ୍ ଏହାକୁ ବହୁତ ବେଶି ପ୍ରଭାବିତ କରେ।
ସେମିତି ଅନେକ ଭାବିନିଅନ୍ତି ଯେ, ପରିବାରରେ କାହାର କାର୍ଡିଓଭାସ୍କୁଲାର୍ ରୋଗ ଏବଂ ତଦ୍ଜନିତ ମୃତ୍ୟୁ ହୋଇଛି ମାନେ ଅନ୍ୟ ସଦସ୍ୟମାନେ ବି ହାର୍ଟ ଆଟାକ୍ର ନିହାତି ଶିକାର ହେବେ। ଏହା ବି ଏକ ଭୁଲ୍ ଧାରଣା। ଯଦିଓ ଏ କ୍ଷେତ୍ରରେ ଅନ୍ୟମାନଙ୍କ ତୁଳନାରେ ଏଭଳି ସମ୍ଭାବନା ଅଧିକ ଥାଏ, କିନ୍ତୁ ଖାଦ୍ୟପାନୀୟରେ ନିୟନ୍ତ୍ରଣ, ଉଚିତ ବ୍ୟାୟାମ ଏବଂ ମାନସିକ ଚାପମୁକ୍ତ ରହି ମଣିଷ ଏହି ଆଶଙ୍କାକୁ ଅନେକ ମାତ୍ରାରେ କମ କରିପାରେ।
ସେହିପରି ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭୋଗୁଥିବା ବ୍ୟକ୍ତିର ନିହାତି କାର୍ଡିଓଭାସ୍କୁଲାର୍ ରୋଗ ହେବ, ଏହା ମଧ୍ୟ ଗୋଟିଏ ଭୁଲ୍ ଧାରଣା। ଯଦିଓ ଏଇ ସବୁ ସମସ୍ୟା କାର୍ଡିଓଭାସ୍କୁଲାର୍ ରୋଗର ଆଶଙ୍କା ବଢାଇଦିଏ କିନ୍ତୁ ନିୟମିତ ଔଷଧ ସେବନ, ଉଚିତ ଖାଦ୍ୟ ଏବଂ ବ୍ୟାୟାମ ଏହି ଆଶଙ୍କାକୁ ଟାଳିପାରେ।
ଏତିକି ପଢିବା ଭିତରେ ଆପଣ ହୁଏତ ନିହାତି ବୁଝିସାରିବେଣି ଯେ, କାର୍ଡିଓଭାସ୍କୁଲାର୍ ଡିଜିଜ୍ ଏବଂ ହାର୍ଟ ଆଟାକ୍ ଆଦି ହେବା ନ ହେବା ଆମର ଲାଇଫ୍ ଷ୍ଟାଇଲ୍ ଦ୍ୱାରା ହିଁ ମୁଖ୍ୟତଃ ନିୟନ୍ତ୍ରିତ ହୋଇଥାଏ। ଖାସ୍ ଏଇଥିପାଇଁ ଚଳିତ ବର୍ଷ ବିଶ୍ୱ ହାର୍ଟ ଡେ’ରେ ଆମେ ଆମ ହୃଦୟ ବିଷୟରେ ଭାବିବା ପାଇଁ ହିଁ "ୟୁଜ୍ ହାର୍ଟ ଫର୍ ଏଭ୍ରି ହାର୍ଟ" କୁ ଥିମ୍ ରଖାଯାଇଛି।
ଯଦିଓ ବୈଜ୍ଞାନିକ ଦୃଷ୍ଟିରୁ ଆମେ ଜାଣିଛେ ଯେ, ଆମର ମସ୍ତିଷ୍କ ହିଁ ଭାବିବା, ଚିନ୍ତା କରିବା ଏବଂ ନିର୍ଣ୍ଣୟ ନେବାର କାମ କରେ, ତଥାପି ଆମେ ସାହିତ୍ୟ, ପ୍ରେମ, ବନ୍ଧୁତା ଏ ସବୁ କ୍ଷେତ୍ରରେ ମନ ବା ହୃଦୟ କଥା ହିଁ କହିଥାଉ। ସେଥିପାଇଁ ଏଥର ବିଶ୍ୱ ସ୍ବାସ୍ଥ୍ୟ ସ°ଗଠନ ଏବଂ ୱାର୍ଲ୍ଡ ହାର୍ଟ ଫେଡେରେସନ୍, ହୃଦରୋଗକୁ ରୋକିବା ତଥା ନିଜର ସୁନ୍ଦର ଓ ସୁସ୍ଥ ହୃଦୟ ପାଇଁ ଭାବିବା ଉଦ୍ଦେଶ୍ୟରେ ହୃଦୟକୁ ବ୍ୟବହାର କରିବାକୁ ଆହ୍ୱାନ କରିଛନ୍ତି।
"ୟୁଜ୍ ହାର୍ଟ"ର ଅର୍ଥ ମନରୁ ଭାବିବା ଏବଂ କେବଳ ନିଜ ପାଇଁ ନୁହେଁ ଅନ୍ୟମାନଙ୍କ ହୃଦୟର ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ଭାବିବା। "ଫର୍ ଏଭ୍ରି ହାର୍ଟ"ର ଅର୍ଥ ହୃଦରୋଗର ନିୟନ୍ତ୍ରଣ ପାଇଁ କାମ କରିବା। ଏହି ଦିଗରେ ପ୍ରଥମ ପଦକ୍ଷେପ ହେଲା- "ୟୁଜ୍ ହାର୍ଟ ଫର୍ ହ୍ୟୁମାନିଟି", ଅର୍ଥାତ୍ ମାନବିକତା ଏବଂ ମାନବ କଲ୍ୟାଣ ପାଇଁ ହୃଦୟର ବ୍ୟବହାର।
ଅନୁଧ୍ୟାନରୁ ଜଣାଯାଏ ଯେ, ହୃଦଘାତଜନିତ ୭୫% ମୃତ୍ୟୁ ଗରିବ ଏବଂ ଅନ୍ନୁନତ ଦେଶଗୁଡିକରେ ହିଁ ଦେଖାଯାଏ। ଚିକିତ୍ସା ପାଇବାରେ ଏହି ଅବହେଳା ଓ ତାରତମ୍ୟକୁ ଦୂରକରିବା ହେଉଛି ମାନବିକତା ଓ ମାନବ କଲ୍ୟାଣର ରାସ୍ତା। ଏହା ପାଇଁ କେବଳ କୌଣସି ଦେଶର ସରକାର ନୁହେଁ ଆମକୁ ମଧ୍ୟ ନିଜ ନିଜ ସ୍ତରରେ କାମ କରିବାକୁ ପଡିବ। ନିଜେ ସଚେତନ ହୋଇ ଉପଲବ୍ଧ ଚିକିତ୍ସା ବ୍ୟବସ୍ଥା ଓ ପଦ୍ଧତି ବିଷୟରେ ନିଜ ଚାରିପାଖର ଲୋକଙ୍କୁ ସଚେତନ କରାଇବା; ନିଜ ଗାଁ, କମ୍ୟୁନିଟୀରେ ପାରସ୍ପରିକ ସହଯୋଗ ଓ ଉଦ୍ୟମରେ ଆମ୍ବୁଲାନ୍ସ, କାଉନ୍ସେଲି° ସେସନ୍, କ୍ୟାମ୍ପ୍ର ଆୟୋଜନ; ପାଖ ହସ୍ପିଟାଲ ଏବଂ ଡାକ୍ତରଙ୍କ ସହ ଯୋଡିହେବା ହେଉଛି ଏହି ଲକ୍ଷ୍ୟକୁ ପାଇବାର କିଛି ସରଳ ଉପାୟ।
ଆମର ଛୋଟଛୋଟ ସାବଧାନତା ଓ ସଠିକ ସମୟରେ ଡାକ୍ତରଖାନାରେ ପହଞ୍ଚିପାରିବା ପାଖାପାଖି ୮୦% ହାର୍ଟଆଟାକ୍ଜନିତ ମୃତ୍ୟୁକୁ ରୋକିପାରିବ। ଏହାର ଦ୍ୱିତୀୟ ପଦକ୍ଷେପ ହେଉଛି "ୟୁଜ୍ ହାର୍ଟ ଫର୍ ନେଚର୍", ଅର୍ଥାତ ପୃଥିବୀ, ପ୍ରକୃତି ଏବଂ ପରିବେଶ ପାଇଁ ଭାବିବା।
ତଥ୍ୟ ଅନୁସାରେ ବିଶ୍ୱର ହାରାହାରି ୨୫% କାର୍ଡିଓଭାସ୍କୁଲାର୍ ରୋଗ ବାୟୁ ପ୍ରଦୂଷଣ କାରଣରୁ ଦେଖାଯାଏ, ଏବଂ ଏହା ପାଖାପାଖି ୭ ମିଲିୟନ ଲୋକଙ୍କ ମୃତ୍ୟୁର କାରଣ ହୋଇଥାଏ। ତେଣୁ ବୃକ୍ଷରୋପଣ, ବର୍ଷା ଜଳ ସ°ରକ୍ଷଣ, ପ୍ଲାଷ୍ଟିକ୍ ବ୍ୟବହାର କମାଇବା, ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର, କୀଟନାଶକ ଓ ରାସାୟନିକ ସାରର ବ୍ୟବହାରରେ ହ୍ରାସ ଏସବୁ ଦ୍ୱାରା ପରିବେଶ ସୁରକ୍ଷା ଦିଗରେ ମଧ୍ୟ ଆମେ ନିଜ ସ୍ତରରେ ଚେଷ୍ଟା କରିପାରିବା। ଏହି ଥିମ୍ର ତୃତୀୟ ପଦକ୍ଷେପ ହେଉଛି "ୟୁଜ୍ ହାର୍ଟ ଫର୍ ୟୁ", ଅର୍ଥାତ ନିଜକୁ ମାନସିକ ଏବଂ ଶାରୀରିକ ସ୍ତରରେ ସୁସ୍ଥ ରଖିବା। ବିଶେଷଜ୍ଞଙ୍କ ମତରେ ମାନସିକ ଚାପ ବା ଷ୍ଟ୍ରେସ୍ ହୃଦରୋଗର ଆଶଙ୍କାକୁ ଦୁଇଗୁଣ ବଢାଇଦିଏ। ତେଣୁ କେବଳ ଖାଦ୍ୟପାନୀୟ କିମ୍ବା ବ୍ୟାୟାମ ଉପରେ ନୁହେଁ ନିଜର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଧ୍ୟାନଦେବା ଆବଶ୍ୟକ। ଧ୍ୟାନ, ଆସନ, ପ୍ରାଣାୟମ ଏବଂ ରାତିରେ ୫-୬ ଘଣ୍ଟାର ନିଦ ଏ ଦିଗରେ ଆମକୁ ସାହାଯ୍ୟ କରେ।
ହୃଦୟରୁ ହୃଦୟ ବିଷୟରେ ଭାବି ସଚେତନ ହେବା ଜରୁରୀ। ଗୋଟିଏ ସୁସ୍ଥ ହୃଦୟ ହିଁ ନିଜ ପରିବାର ଓ ସମାଜ ପାଇଁ ସୁସ୍ଥ ଚିନ୍ତା କରିପାରେ।
ଭୁବନେଶ୍ୱର