• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ଏଇ ସଦ୍ୟ ପ୍ରକାଶ ପାଇଥିବା NCRB (National Crime Report Bureau)ର ରିପୋର୍ଟ ଅନୁସାରେ ୨୦୨୧ରେ ଭାରତରେ ପାଖାପାଖି ୧୩,୦୮୯ ଛାତ୍ର ଆତ୍ମହତ୍ୟା କରିଛନ୍ତି, ଯାହାକି ଦେଶରେ ହୋଇଥିବା ସମସ୍ତ ଆତ୍ମହତ୍ୟାର ୮%। ଏହା ଗତ ପାଞ୍ଚ ବର୍ଷରେ ସର୍ବାଧିକ ବୋଲି ରେକର୍ଡ କରାଯାଇଛି। ଛାତ୍ର ଆତ୍ମହତ୍ୟାର ସର୍ବାଧିକ ମାମଲା ମହାରାଷ୍ଟ୍ରରେ ୧୮୩୪ ରହିଥିବାବେଳେ, ମଧ୍ୟପ୍ରଦେଶରେ ୧୩୦୮, ତାମିଲନାଡୁରେ ୧୨୪୬, କର୍ଣ୍ଣାଟକରେ ୮୫୫ ଏବଂ ଓଡ଼ିଶାରେ ୮୩୪ ରହିଛି।

ଅଧିକ ପଢ଼ନ୍ତୁ: କାହିଁକି ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା ?

ରେକର୍ଡ ଅନୁସାରେ, ବର୍ଷ ୨୦୨୦ରେ ୧୪୬୯ଟି ଆତ୍ମହତ୍ୟା ସହ, ଓଡ଼ିଶା ଛାତ୍ର ଆତ୍ମହତ୍ୟା ମାମଲାରେ ଦେଶରେ ଦ୍ୱିତୀୟ ସ୍ଥାନରେ ଥିଲା, ଆଉ ସେଇ ବର୍ଷ ଦେଶରେ ସମୁଦାୟ ୧୨,୫୨୬ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ। ଯଦିଓ ୨୦୨୧ ପାଇଁ NCRBର ରିପୋର୍ଟ ଏଇ ଅଳ୍ପ ଦିନ ତଳେ ପ୍ରକାଶ ପାଇଛି, କିନ୍ତୁ ଆମେ ବି ପ୍ରତି ଅଳ୍ପ ଦିନ ବ୍ୟବଧାନରେ ଛାତ୍ରଛାତ୍ରୀମାନଙ୍କର ଆତ୍ମହତ୍ୟାର ଖବର ନ୍ୟୁଜ୍ ଚ୍ୟାନେଲ୍‌ ଏବଂ ଖବରକାଗଜରେ ଦେଖୁଛେ। ହେଲେ ଛାତ୍ର ଆତ୍ମହତ୍ୟାର ଏ ବଢୁଥିବା ମାମଲା କେବଳ ଓଡିଶା କିମ୍ବା ଭାରତ ନୁହେଁ ବର° ସମ୍ପୂର୍ଣ୍ଣ ବିଶ୍ୱ ପାଇଁ ଆଜି ଚିନ୍ତାର ବିଷୟ। ଏଇ ଚିନ୍ତାର ମୁକାବିଲା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନ ବା WHO ୨୦୦୩ ମସିହାରୁ ଇଣ୍ଟର୍‌ନ୍ୟାସ୍‌ନାଲ୍ ଆସୋସିଏସନ୍ ଅଫ୍ ସୁଇସାଇଡ୍ ପ୍ରିଭେନ୍‌ସନ୍ ସ°ସ୍ଥା ସହ ମିଶି ୧୦ ସେପ୍ଟେମ୍ବରକୁ "World Suicide Prevention Day" ବା 'ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧକ ଦିବସ' ହିସାବରେ ପାଳନ କରିଆସୁଛି।

୨୦୨୧-୨୦୨୩ ପାଇଁ "Creating Hope Through Actions" କୁ ଏହି ଦିବସ ପାଳନର ଥିମ୍ ଭାବେ ରଖାଯାଇଛି। ଏହାର ଅର୍ଥ, ଆମେ ଆମ କାର୍ଯ୍ୟକଳାପ ଦ୍ୱାରା ଆତ୍ମହତ୍ୟାର ଭାବନା ରଖୁଥିବା, ମାନସିକ ଅବସାଦରେ ପୀଡିତ ବ୍ୟକ୍ତି ଓ ଆମ ଚାରିପାଖର ଲୋକଙ୍କ ମଧ୍ୟରେ ଆଶା ତଥା ଆଶ୍ୱାସନା ସଞ୍ଚାର କରିବା ଯେ, ଆମେ ସେମାନଙ୍କ ମାନସିକ ସ୍ଥିତି, ଭାବପ୍ରବଣତା, ଦୁଃଖ ଓ କଷ୍ଟକୁ ବୁଝିପାରୁଛୁ।

ସବୁ କଷ୍ଟ ପରେ ବି ସବୁ ସମସ୍ୟାର ସମାଧାନ ଅଛି ଏବଂ ସେମାନଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ। ଏ ଦିଗରେ ଦେଶରେ ଅନେକ NGO ମଧ୍ୟ କାମ କରୁଛନ୍ତି। ହେଲେ ଖାଲି WHO କିମ୍ବା NGO କିମ୍ବା ଦେଶର କୌଣସି ସରକାରୀ ସ°ସ୍ଥା ଅପେକ୍ଷା ଛାତ୍ରଛାତ୍ରୀ ବା ପିଲାଟିଏର ବାପା-ମା'ଙ୍କ ଦାୟିତ୍ୱ ଅନେକ ବେଶି। କାରଣ ପିଲାଟିଏ ନିଜ ସ୍କୁଲ୍-କଲେଜର ସହପାଠୀ ତଥା ଶିକ୍ଷକଙ୍କ ଛଡା ସବୁଠାରୁ ବେଶି ନିଜ ବାପା-ମା'ଙ୍କ ସ°ସ୍ପର୍ଶରେ ହିଁ ଆସିଥାଏ। ବାରମ୍ବାର ଛାତ୍ରଛାତ୍ରୀଙ୍କ ଏ ପ୍ରକାର ଆତ୍ମହତ୍ୟାର ଖବର ପଢି ଅନେକ ପାଠକ ଏହା ଭିତରେ ଅନୁରୋଧ ମଧ୍ୟ କଲେଣି ଯେ, ସେମାନେ କେମିତି ନିଜ ଛୁଆମାନଙ୍କୁ ଏଥିରୁ ରକ୍ଷା କରିପାରିବେ ସେ ବିଷୟରେ ଆଲୋଚନା କରିବା ପାଇଁ।

ରିପୋର୍ଟ ଅନୁସାରେ, ବର୍ଷ ୨୦୨୦-୨୦୨୧ରେ ଓଡ଼ିଶାରେ ଆତ୍ମହତ୍ୟା ହାରରେ ପାଖାପାଖି ୨୧% ବୃଦ୍ଧି ଘଟିଛି। ସରକାରୀ ରିପୋର୍ଟ ଅନୁସାରେ ଏହାର ସବୁଠାରୁ ବଡ଼ କାରଣ ବିଶ୍ୱ ମହାମାରୀ କୋଭିଡ୍ ବୋଲି ଆକଳନ କରାଯାଉଛି।

ଏହା ଛଡା ଛାତ୍ରଛାତ୍ରୀ ବା ଆଡୋଲୋସେଣ୍ଟ୍ ସମୟରେ ଆତ୍ମହତ୍ୟାର ଅନ୍ୟ କାରଣଗୁଡିକ ମଧ୍ୟରେ ପାଠପଢା ଓ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାର ଉଭୟ ଅନୁଷ୍ଠାନ ଏବଂ ପାରିବାରିକ ଚାପ ମଧ୍ୟ ଆଉ ଗୋଟିଏ ବଡ଼ କାରଣ। ଏହାଛଡା ପାରିବାରିକ କଳହ, ବାପା-ମା'ଙ୍କ ମନାନ୍ତର ଓ ମତାନ୍ତର, ଛାଡ଼ପତ୍ର, ଯୌନ କିମ୍ବା ଶାରୀରିକ ଉତ୍ପୀଡ଼ନ, ସ୍କୁଲ୍ ବଦଳିବା ଏବଂ ସହପାଠୀଙ୍କ ଠାରୁ ଦୂର ହେବା, ସ୍ଥାନାନ୍ତରଣ, ସହପାଠୀ କିମ୍ବା ସିନିୟର କିମ୍ବା ଶିକ୍ଷକଙ୍କ ଦ୍ୱାରା ପରିହାସିତ ହେବା, ଆତ୍ମୀୟ ସ୍ୱଜନଙ୍କ ଆକସ୍ମିକ ମୃତ୍ୟୁ, ଘରର ବଡ଼ମାନଙ୍କର ମଦ୍ୟ କିମ୍ବା ଅନ୍ୟ ନିଶା ସେବନ, ସବ୍‌ଷ୍ଟାନ୍ସ ଆବ୍ୟୁଜ୍, ପରିବାରରେ ମାନସିକ ଅବସାଦ ଏବଂ ଆତ୍ମହତ୍ୟା ପ୍ରବଣତା, ପାରିପାର୍ଶ୍ୱିକ ତଥା ଖବରକାଗଜ କିମ୍ବା ନ୍ୟୁଜ୍ କିମ୍ବା ସୋସିଆଲ୍ ମିଡିଆରେ ବାରମ୍ବାର ଆତ୍ମହତ୍ୟାଜନିତ ଖବରର ସ°ସ୍ପର୍ଶରେ ଆସିବା, ଏସବୁ ମଧ୍ୟ ଆଡୋଲୋସେଣ୍ଟ୍ ସମୟରେ ଆତ୍ମହତ୍ୟାର କାରଣ ହୋଇପାରେ।

ବିଶେଷଜ୍ଞଙ୍କ ମତରେ ଯେହେତୁ ମଣିଷ ଶରୀରରେ ଏଇ ବୟସରେ ଅନେକ ହର୍‌ମୋନାଲ୍ ପରିବର୍ତ୍ତନ ଦେଖାଯାଏ, ତା'ର ପ୍ରଭାବ ମାନସିକ ସ୍ତରରେ ମଧ୍ୟ ଦେଖାଯାଏ। ଏ ପ୍ରକାର ପରିବର୍ତ୍ତନକୁ ହଠାତ ଗ୍ରହଣ କରିବା ସହଜ ନ ହୋଇଥିବାରୁ ପିଲାମାନେ ଅତ୍ୟଧିକ ସେନ୍ସିଟିଭ୍ ତଥା ଭାବପ୍ରବଣ ହୋଇଯା'ନ୍ତି ଓ ବିଭିନ୍ନ ହାର୍ସ ଡିସିସନ୍ ନିଅନ୍ତି। ତେଣୁ ବାପା-ମା’ମାନେ କେତୋଟି ବ୍ୟବହାର ଓ ଲକ୍ଷଣ ଉପରେ ଧ୍ୟାନଦେଲେ ଅନେକ ଦୁର୍ଘଟଣାକୁ ରୋକି ମଧ୍ୟ ହେବ।

ଆତ୍ମହତ୍ୟା ପ୍ରବଣ ଆଡୋଲୋସେଣ୍ଟଙ୍କ ମଧ୍ୟରେ ଦେଖାଯାଉଥିବା କିଛି ସାଧାରଣ ଲକ୍ଷଣ ବା ୱାର୍ନି° ସାଇନ୍‌ଗୁଡିକ ହେଲା : ଛୁଆଟିର ଖାଇବା ଏବଂ ଶୋଇବା ବ୍ୟବହାରରେ ହଠାତ ପରିବର୍ତ୍ତନ; ସାମାନ୍ୟ ସ୍କୁଲ୍ ଆକ୍ଟିଭିଟି କିମ୍ବା ଖେଳ କିମ୍ବା ପାରିବାରିକ ଉତ୍ସବରେ ଆଗ୍ରହ ନ ଦେଖେଇବା; ସାଙ୍ଗ ଏବଂ ପରିବାରଜନଙ୍କ ଠାରୁ ଦୂରେଇ ରହିବା; ଦୈନନ୍ଦିନ କର୍ଯ୍ୟରେ ଅନାଗ୍ରହ; ନିଜ ଲୁଗାପଟା ବା ପରିଛନ୍ନ ବା ଲୁକ୍ ଉପରେ ଧ୍ୟାନ ନ ଦେବା; ଅହେତୁକ ଦୁଃସାହସ ଦେଖେଇବା; କାରଣ ନ ଥାଇ ବାରମ୍ବାର ମୁଣ୍ଡବିନ୍ଧା, ପେଟକାଟିବା, ହାଲିଆ ଲାଗିବା ପରି ସମସ୍ୟା ଲାଗିରହିବା; ସହପାଠୀ, ଶିକ୍ଷକ ଓ ସ୍କୁଲ୍‌କୁ ନେଇ ଅଭିଯୋଗ କରିବା; ସବୁ କଥା ଏବଂ କାମରେ ଅନାଗ୍ରହ ଓ ବୋର୍ ଫିଲ୍ କରିବା; କେବଳ ସମସ୍ୟା ଓ ଖରାପ/ନେଗେଟିଭ୍‌ କଥା ଉପରେ ଫୋକସ୍ କରିବା; ପ୍ରଶଂସା ପ୍ରତି ଅନାସକ୍ତ ଭାବ; ଭାଓଲେନ୍ସ କିମ୍ବା ହରର୍ ବହି ପଢିବା ଓ ଫିଲ୍ମ ଦେଖିବା; ବାରମ୍ବାର ମୃତ୍ୟୁ ଓ ଆତ୍ମହତ୍ୟାର ଉପାୟ ବିଷୟରେ ଆଲୋଚନା କରିବା; ନିଶାସକ୍ତ ହେବା।

ସବୁ ଜାଣିଲା ଏବଂ ବୁଝିଲା ପରେ ମଧ୍ୟ ଅନେକ ସମୟରେ ବାପା-ମା'ମାନେ କେମିତି ସମସ୍ୟାଟିକୁ ସମାଧାନ କରିବେ ସେନେଇ ବ୍ୟସ୍ତ ହୋଇପଡନ୍ତି।

କିନ୍ତୁ ଏହାର ସବୁଠାରୁ ସହଜ ଉପାୟ ହେଉଛି, ପ୍ରଥମେ ଆପଣଙ୍କୁ ପିଲାଟିର ବିଶ୍ୱସ୍ତ ବନ୍ଧୁ ହେବାକୁ ପଡିବ। ତା'ସହ ଅଧିକରୁ ଅଧିକ ସମୟ କାଟନ୍ତୁ। ଫିଲ୍ମ/ଆଉଟି°/ପିକ୍‌ନିକ୍‌ ପ୍ଲାନ୍ କରନ୍ତୁ। କେବେହେଲେ ତା'ର ସହପାଠୀ କିମ୍ବା ସାଙ୍ଗ ସହ ତା'ର ତୁଳନା କରନ୍ତୁ ନାହିଁ। ତା'ର ଅସୁବିଧାକୁ ବୁଝନ୍ତୁ, ତା' କଥା ଧୈର୍ଯ୍ୟ ଓ ଧ୍ୟାନର ସହ ଶୁଣନ୍ତୁ। ହାତରେ କିଛି ଖାଲି ସମୟ ରହିବା ଓ ବୋର୍ ହେବା ଗୋଟିଏ ସାଧାରଣ କଥା ବୋଲି ବୁଝାନ୍ତୁ। ଏଥିରେ ବିବ୍ରତ ହେବାର କାରଣ ନଥାଏ ବୋଲି ତାକୁ ଜଣାନ୍ତୁ।

ଯଦି ଆପଣଙ୍କ ସନ୍ତାନ ପ୍ରେମ କିମ୍ବା ବ୍ରୋକେନ୍ ହାର୍ଟର ଶିକାର ହୋଇଛି ଏହାକୁ ନିଜେ ସହଜରେ ଗ୍ରହଣ କରି ତାକୁ ଆଗକୁ ବଢିବା ପାଇଁ ସାହାଯ୍ୟ କରନ୍ତୁ (ପୂର୍ବରୁ କିଶୋରାବସ୍ଥା, ବ୍ରେକ୍ଅପ୍ ଓ ବାପା-ମା'ଙ୍କ ଦାୟିତ୍ୱ', ଏହି ଲେଖାରେ ଏ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଛି)। ପାରିବାରିକ, ସାମାଜିକ ଓ କମ୍ୟୁନିଟି କାର୍ଯ୍ୟକ୍ରମଗୁଡିକରେ ଭାଗ ନେବାକୁ ତାକୁ ଉତ୍ସାହିତ କରନ୍ତୁ। ଯୋଗ ଏବଂ ମେଡିଟେସନ୍ ସେସନ୍‌ରେ ତାକୁ ଯୋଗ ଦେବାକୁ ବୁଝାନ୍ତୁ। ଜୀବନରେ ହାରିବା, କିଛି ଜିନିଷ ନ ପାଇବା ଓ ଅଭାବ ରହିବା ସ୍ୱାଭାବିକ ବୋଲି ତାକୁ ଜଣାନ୍ତୁ।

ଏହା ଛଡ଼ା ଆପଣ ଚାଇଲ୍ଡ କାଉନ୍‌ସେଲ୍‌ର କିମ୍ବା ମନୋରୋଗ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନେଇପାରନ୍ତି। ଏହିସବୁ କ୍ଷେତ୍ରରେ କାଉନ୍‌ସେଲି° ତଥା ଚିକିତ୍ସା ଅନେକ ସମୟରେ ଲମ୍ବା ଅବଧି ପାଇଁ ଦରକାର କରିଥାଏ। ଏମିତି କ୍ଷେତ୍ରରେ ନିଜେ ଧୈର୍ଯ୍ୟ ରଖି ନିଜ ସନ୍ତାନକୁ ସାହାଯ୍ୟ କରନ୍ତୁ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

ଭୁବନେଶ୍ୱର