• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

'ବିଶ୍ୱାସ ଓ ପ୍ରେମର ୩୫ ଖଣ୍ଡ', ଦିଲ୍ଲୀ ମେହେରୋଲିର ଶ୍ରଦ୍ଧା ହତ୍ୟା ମାମଲାର ଏଇଆ ହୁଏତ ସବୁଠାରୁ ପରଫେକ୍ଟ୍ ଟ୍ୟାଗ୍ ଲାଇନ୍ ହେବ (ଅବଶ୍ୟ ଘଟଣାରେ ଅଭିଯୁକ୍ତ ଆଫତାଭ୍ ବାରମ୍ବାର ନିଜ ବୟାନ ବଦଳାଉଛି)। ଏଇ ଘଟଣା ଆମକୁ ବ୍ୟଥିତ କରିଛି, ଆଶଙ୍କିତ କରିଛି। ପୁଣି ଥରେ ମାନବିକତା ଓ ପ୍ରେମ ଉପରେ ଆମ ବିଶ୍ୱାସକୁ ଦୋହଲାଇ ଦେଇଛି। ହେଲେ ଏହି ଘଟଣାଟି ଆଉ ଏକ ଘୃଣ୍ୟ ସତ୍ୟକୁ ଉଜାଗର କରିଛି।

ସତ୍ୟଟି ହେଲା, ସ୍ୱାମୀ, ପ୍ରେମିକ ଓ ଲିଭ୍ ଇନ୍ ପୁରୁଷ ବନ୍ଧୁଙ୍କ ଭଳି ଅତି ଅନ୍ତରଙ୍ଗ ସାଥୀଙ୍କ ପକ୍ଷରୁ ମହିଳାମାନଙ୍କ ପ୍ରତି ବଢ଼ି ଚାଲିଥିବା ବିପଦ ଓ ଅପରାଧ। ପ୍ରତି ବର୍ଷ ମହିଳାମାନଙ୍କ କ୍ଷେତ୍ରରେ ଏଭଳି ଅପରାଧରେ ବହୁଳ ବୃଦ୍ଧି ଘଟୁଥିବା ଦେଖାଯାଏ। ଉପଲବ୍ଧ ତଥ୍ୟ ଅନୁସାରେ, ବିଶ୍ୱରେ ଅନ୍ତତଃ ପ୍ରତି ୩ ଜଣରେ ଜଣେ ମହିଳା ନିଜ ଜୀବନକାଳ ମଧ୍ୟରେ ସ୍ୱାମୀ, ପୁରୁଷ ବନ୍ଧୁ କିମ୍ବା ପାର୍ଟନରଙ୍କ ଦ୍ୱାରା ଶାରୀରିକ, ଯୌନ କିମ୍ବା ମାନସିକ ଅତ୍ୟାଚାରର ଶିକାର ହୋଇଥାନ୍ତି।

ପରିସଂଖ୍ୟାନ କହେ, ଉତ୍ତର ଆମେରିକାରେ ଏଭଳି ମହିଳାଙ୍କ ସଂଖ୍ୟା ୨୧ପ୍ରତିଶତ ହୋଇଥିବା ବେଳେ ୟୁରୋପ ଓ କେନ୍ଦ୍ରୀୟ ଏସିଆରେ ଏଇ ସଂଖ୍ୟା ୨୯%, କାରିବିଆନ୍ ଅଞ୍ଚଳରେ ୩୩% ଓ ଦକ୍ଷିଣ ଏସିଆରେ ଏଭଳି ହିଂସାର ଶିକାର ମହିଳାଙ୍କ ସଂଖ୍ୟା ୪୩% ହୋଇଥାଏ। ଅର୍ଥାତ୍ ଏସବୁ ହିଂସା ଘଟିବା କିମ୍ବା ନ ଘଟିବା ପଛରେ କୌଣସି ଅଞ୍ଚଳର ବା ଦେଶର ସାମାଜିକ ବିଧି ବ୍ୟବସ୍ଥା ତଥା ତା'ର ଲୋକମାନଙ୍କ ସାମୂହିକ ବିକାଶ ଆଦି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଏ।

ତେବେ ସେ ଯାହା ହେଉନା କାହିଁକି, ମହିଳା ଓ ବାଳିକା ବିରୋଧୀ ସମସ୍ତ ହିଂସା (ଭାୟୋଲେନ୍ସ ଏଗେନଷ୍ଟ୍ ୱିମେନ୍ ଆଣ୍ଡ୍ ଗର୍ଲ୍ସ- VAWG) ମଧ୍ୟରୁ ନିଜ ଅନ୍ତରଙ୍ଗ ସାଥୀଙ୍କ ଦ୍ୱାରା ଅତ୍ୟାଚାରିତ ମହିଳାମାନଙ୍କ ମାନସିକ ସ୍ଥିତି ସବୁଠାରୁ ଦୀର୍ଘସ୍ଥାୟୀ ଓ ଗଭୀରଭାବେ ପ୍ରଭାବିତ ହୋଇଥାଏ।

ଏଭଳି ଅପରାଧ କେବଳ ଜଣେ ମହିଳାଙ୍କ ମୌଳିକ ଅଧିକାରର ହନନ କରିନଥାଏ, ବରଂ ଏହା ତାଙ୍କର ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜୀବନକୁ ପ୍ରଭାବିତ କରିଥାଏ। ସାମାଜିକ ସ୍ତରରେ ମଧ୍ୟ ଇଣ୍ଟିମେଟ୍ ପାର୍ଟନର ଭାୟୋଲେନ୍ସ (IPV) ଏକ ବୋଝ ସାବ୍ୟସ୍ତ ହୋଇଥାଏ। ହିସାବ ଅନୁଯାୟୀ, IPV କୌଣସି ଦେଶର ମୋଟ ଘରୋଇ ଉତ୍ପାଦ( GDP)ରେ ୩.୭% ଯାଏ ହ୍ରାସ ଘଟାଇପାରେ।

ଅବଶ୍ୟ ଖୁସିର କଥା ଯେ, ଗତ ୪୦ବର୍ଷ ମଧ୍ୟରେ ଗୋଟିଏରୁ ବଢ଼ି ୧୦୦ଟି ଦେଶରେ ଏବେ IPV ବିରୋଧୀ ଆଇନ ସୃଷ୍ଟି କରାଯାଇଛି। ତଥାପି ଏଯାଏ ବହୁ ଦେଶରେ ମ୍ୟାରିଟାଲ୍ ରେପ୍ ଭଳି ବଳପୂର୍ବକ ଯୌନ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରାଯାଏ ନାହିଁ। ତେଣୁ IPVକୁ ସମ୍ପୂର୍ଣ୍ଣ ପ୍ରତିହତ କରିବା ଏବେବି ଏକ ଅସମ୍ଭବ ବ୍ୟାପାର ହୋଇରହିଛି।

ଆମ ଦେଶରେ ମଧ୍ୟ ଏଭଳି ମହିଳା ବିରୋଧୀ ଅପରାଧର ସ୍ଥିତି ଅତି ସଙ୍ଗୀନ। ନିକଟରେ ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଆମ ଦେଶରେ ବର୍ଷ ୨୦୨୧ରେ ବଳାତ୍କାର, ବଳାତ୍କାର ଓ ହତ୍ୟା, ଯୌତୁକଜନୀତ ଅତ୍ୟାଚାର, ଅପହରଣ, ଜୋର୍ ଜବରଦସ୍ତି ବିବାହ, ମହିଳା ଚାଲାଣ ଓ ଅନ୍‌ଲାଇନ୍ ହାରାସ୍‌ମେଣ୍ଟ୍ ଭଳି ଅନ୍ତତଃ ୪ଲକ୍ଷ ମହିଳା-ବିରୋଧୀ ହିଂସା ମାମଲା ଘଟିଛି।

ବୈଶ୍ୱିକ ସ୍ଥିତି ଭଳି ଭାରତରେ ମଧ୍ୟ ପ୍ରାୟ ପ୍ରତି ୩ ଜଣରେ ଜଣେ ମହିଳା ନିଜ ଅନ୍ତରଙ୍ଗ ସାଥୀଙ୍କ ଦ୍ୱାରା ବିଭିନ୍ନ ମାନସିକ, ଶାରୀରିକ ଓ ଯୌନ ହିଂସାର ଶିକାର ହୋଇଥାନ୍ତି। ତେବେ ଏଇ ତଥ୍ୟ ମଧ୍ୟ ସ୍ଵୟଂସମ୍ପୂର୍ଣ୍ଣ ନୁହେଁ। The Journal of Epidemiology and Community Health ଅନୁଯାୟୀ, IPV ମାମଲା ଏତେ ବ୍ୟାପକ ହୋଇଥିଲେ ମଧ୍ୟ ଏଭଳି ପ୍ରତି ୧୦ଟି ମାମଲାରୁ ମାତ୍ର ଗୋଟିଏ ସମ୍ପର୍କରେ ହିଁ ରିପୋର୍ଟ କରାଯାଇଥାଏ। ଏଥିରୁ ଜଣାପଡ଼େ ଯେ ଏଭଳି ଅଧିକାଂଶ ଘଟଣା ଆଦୌ ଲୋକଲୋଚନକୁ ଆସିପାରେ ନାହିଁ।

କୋଲକାତାର ଶ୍ରୀମୟୀ ପିୟୁ କୁଣ୍ଡୁ(ଯିଏ କି ନିଜେ IPVର ଶିକାର, ଜଣେ ବେଷ୍ଟ୍ ସେଲି° ଲେଖିକା ଓ 'ଷ୍ଟାଟସ୍ ସିଙ୍ଗଲ୍' ନାମକ ଏକ କମ୍ୟୁନିଟିର ପ୍ରତିଷ୍ଠାତା) କହନ୍ତି, ଗୋଟେ ଅନ୍ତରଙ୍ଗ ସମ୍ପର୍କ ମଧ୍ୟରେ ଜଣେ ମହିଳା ଯଦି ନିଜ ସାଥୀଙ୍କ ଦ୍ୱାରା ସବୁବେଳେ ଚରମ ଅବହେଳାର ଶିକାର ହୁଅନ୍ତି ଓ ମେଡିକାଲ ଏମରଜେନ୍ସି ସମୟରେ ନିଜ ସାଥୀଙ୍କ ପକ୍ଷରୁ ଯତ୍ନ ଅଭାବର ଅନୁଭବ କରନ୍ତି ତେବେ ସେ ଏକାକୀତ୍ୱ ଓ ନ୍ୟୂନବୋଧରେ ପୀଡ଼ିତ ହେବାର ଆଶଙ୍କା ବଢ଼ିଯାଏ।

ସେ ଆହୁରି ମଧ୍ୟ କହନ୍ତି ଯେ, 'ଷ୍ଟାଟସ୍ ସିଙ୍ଗଲ୍'ର ବହୁ ସଭ୍ୟ ନିଜ ସାଥୀଙ୍କ ଦ୍ୱାରା ଚାପୁଡ଼ା ମରାଠୁ ଆରମ୍ଭକରି ତାଙ୍କ ଭୀଷଣ କ୍ରୋଧ ବା ଆକ୍ରୋଶକୁ ସହ୍ୟ କରିବା, ପର୍ଣ୍ଣୋଗ୍ରାଫିଭିତ୍ତିକ ଯୌନ ଉତ୍ପୀଡନ (pornography based sexual demands) ଓ ବଡି ସେମି°(ଶାରୀରିକ ଗଠନରେ ଖୁଣ ବାହାର କରିବା) ଆଦିର ଶିକାର ହୋଇସାରିଛନ୍ତି।

ଶ୍ରୀମୟୀଙ୍କ ମତରେ, ଆମ ସମାଜରେ କେହି ବି ଆମ ମହିଳାମାନଙ୍କୁ ଗୋଟିଏ ବିଷାକ୍ତ ସମ୍ପର୍କ(toxic relationship)ରେ ଥିବା ମାନସିକ ନିର୍ଯାତନା (emotional abuse)ର ବିଷ ବଳୟ ମଧ୍ୟରୁ ବାହାରି ଆସିହେବ ସେନେଇ ଶିକ୍ଷା ଦେଇ ନଥାନ୍ତି। ତେଣୁ ମହିଳାମାନଙ୍କୁ ଏଭଳି ଏକ ସମ୍ପର୍କରୁ ପ୍ରମାଣ ସଂଗ୍ରହ ମାଧ୍ୟମରେ କିଭଳି ବାହାରି ଆସିହେବ ସେନେଇ ଏକ ସଠିକ୍ ଏକ୍ଜିଟ୍ ଷ୍ଟ୍ରାଟଜି ଶିଖାଇବାର ଆବଶ୍ୟକତା ରହିଛି।

ଆଣ୍ଟି ସ୍ଲାଭେରି, ସେକ୍ସୁଆଲ୍ ଆଣ୍ଡ୍ ଜେଣ୍ଡର ରାଇଟ୍ସ ଆକ୍ଟିଭିଷ୍ଟ୍ ତଥା 'ଲଭ୍ ମ୍ୟାଟର୍ସ' ସ°ସ୍ଥା(A Sexual and Reproductive Health & Rights Information Platform)ର ସହ ପ୍ରତିଷ୍ଠାତା ବିଥିକା ଯାଦବଙ୍କ କହିବା ଅନୁଯାୟୀ, ଆମ ଲୋକପ୍ରିୟ ଗଣମାଧ୍ୟମଗୁଡ଼ିକ ମଧ୍ୟ ମହିଳାମାନଙ୍କୁ ଏକ ଭ୍ରମାତ୍ମକ ଚିନ୍ତାଧାରାର ଶିକାର କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଉଦାହରଣ ଦେବାକୁ ଯାଇ ସେ କହନ୍ତି, ବହୁସଂଖ୍ୟକ ଧାରାବାହିକରେ ଜଣେ ମହିଳାଙ୍କୁ ନିଜ ସାଥୀଙ୍କ ସଚ୍ଚା ପ୍ରେମ ପାଇବା ପାଇଁ ସମ୍ପୃକ୍ତ ସ୍ୱାମୀ କିମ୍ବା ପ୍ରେମୀଙ୍କ ସବୁ ପ୍ରକାର ଗାଳିମନ୍ଦ ଓ ଅତ୍ୟାଚାର ସହୁଥିବା ଦର୍ଶାଯାଇଥାଏ। ଏହା ସାଧାରଣତଃ ଏକ ଧାରଣା ସୃଷ୍ଟି କରିଥାଏ ଯେ ଜଣେ ମହିଳା ଏଭଳି କରିବା (ଏହାକୁ ତାଙ୍କ ସଚ୍ଚୋଟ ପ୍ରେମ ବୋଲି ଅଭିହିତ କରାଯାଇଥାଏ) ଦ୍ୱାରା ତାଙ୍କ ଅହଙ୍କାରୀ ଓ କ୍ରୋଧୀ ସାଥୀ ଜଣଙ୍କ ବଦଳିଯିବେ ଓ ଏହା ହିଁ ପ୍ରେମର ପରାକାଷ୍ଠା। କିନ୍ତୁ ବାସ୍ତବ କ୍ଷେତ୍ରରେ ଏଭଳି ହୋଇ ନଥାଏ।

ଶ୍ରୀମୟୀ ଓ ବିଥିକାଙ୍କ ଭଳି 'IWWAWGE' (Initiative for What Works to Advance Women & Girls in the Economy)ର ଅଲ୍ପାକ୍ଷୀ କାଶ୍ୟପଙ୍କ ମତରେ ଆମ ଭଳି ଏକ ପୁରୁଷପ୍ରଧାନ ସମାଜରେ ପୁରୁଷମାନଙ୍କୁ ପ୍ରାଧାନ୍ୟ ଦିଆଯିବା ଏକ ଅତି ସାଧାରଣ କଥା। ଆମମାନଙ୍କ ପରିବାର, ସମାଜ ଓ ସା°ସ୍କୃତିକ ବାତାବରଣ ଆମ ଭିତରର ଏଇ ବଦ୍ଧମୂଳ ଧାରଣାକୁ ଦୃଢ଼ୀଭୂତ କରିଥାଏ ଯେ, ପୁରୁଷମାନେ ମହିଳାଙ୍କ ଅପେକ୍ଷା ଶ୍ରେଷ୍ଠ। ଏବେ ବି ଅଧିକାଂଶ ମହିଳାଙ୍କ ନିଜ ସ୍ୱାମୀଙ୍କ ଉପରେ ଅର୍ଥନୈତିକ ଦୃଷ୍ଟିରୁ ନିର୍ଭରଶୀଳ ହେବା ଏଇ ଚିନ୍ତାଧାରାକୁ ଅଧିକ ବଳ ଯୋଗାଇବା ସହ ଅର୍ଥନୀତିକ ନିର୍ଭରଶୀଳତାଜନୀତ ଅପରାଧରେ ମଧ୍ୟ ବୃଦ୍ଧି ଘଟାଇଥାଏ।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରତିଦିନ ଆମ ଦେଶରେ କେବଳ ପ୍ରେମକୁ ନେଇ ପ୍ରାୟ ୮ଟି ହତ୍ୟା ହେଉଥିବା ବେଳେ ପାଖାପାଖି ୨୧ଟି ପ୍ରେମଜନୀତ ଆତ୍ମହତ୍ୟା ମାମଲା ଘଟିଥାଏ। ନ୍ୟାସ୍‌ନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ (NCRB)ର ରିପୋର୍ଟ ଅନୁସାରେ ଗତ ବର୍ଷ ଦେଶରେ ଘଟିଥିବା ମୋଟ ପ୍ରାୟ ୩୦,୦୦୦ ହତ୍ୟା ମାମଲା ମଧ୍ୟରୁ ଅନ୍ତତଃ ୧,୬୦୦ଟି ମାମଲା(ପାଖାପାଖି ୧୧%) ପ୍ରେମ-ପ୍ରତାରଣା ଓ ଅନୈତିକ ସମ୍ପର୍କଜନୀତ ଥିଲା।

ଅର୍ଥାତ୍ ଦେଶରେ ଘଟିଥିବା ପ୍ରତି ୧୦ଟି ହତ୍ୟା ମାମଲା ମଧ୍ୟରୁ ପ୍ରାୟ ଗୋଟିଏ ମାମଲା ଥିଲା ଏଇଭଳି। ସେମିତି ଗତ ବର୍ଷ ୨୮,୦୦୦ ମହିଳାଙ୍କୁ ଜୋର୍ ଜବରଦସ୍ତି ବିବାହ ଉଦ୍ଦେଶ୍ୟରେ ଅପହରଣ କରାଯାଇଥିବା ବେଳେ ୧୩,୦୦୦ ମହିଳା ନିଜ ଇପ୍‌ସିତ ପ୍ରେମ ପାଇ ନ ପାରିବା କାରଣରୁ ଆତ୍ମହତ୍ୟା କରିଛନ୍ତି। ୨୦୧୪ ମସିହାରୁ ଏ ପର୍ଯ୍ୟନ୍ତ ପ୍ରେମ ଓ ପ୍ରତାରଣାଜନୀତ ହତ୍ୟା ମାମଲାରେ ପ୍ରାୟ ୪୮% ବୃଦ୍ଧି ଘଟିଛି।

ଏସବୁ ତ ଗଲା ତଥ୍ୟ ଓ ପରିସଂଖ୍ୟାନର କଥା। ତେବେ ଏସବୁ ଯାହା ହେଉନା କାହିଁକି, ଆମ ସାମାଜିକ ଚିନ୍ତନ ପ୍ରକ୍ରିୟାରେ ପରିବର୍ତ୍ତନ ଆସିବାର ଆବଶ୍ୟକତା ରହିଛି। ପାରିବାରିକ ସ୍ତରରୁ ହିଁ ଝିଅମାନଙ୍କୁ ସଚେତନ କରାଯିବା ଦରକାର ଯେ, ସେମାନେ କାହା ଉପରେ ବୋଝ ନୁହନ୍ତି। ସେମାନେ କିଭଳି ଗୋଟିଏ ଟକ୍ସିକ୍ ରିଲେସନ୍‌ସିପ୍‌ରୁ ବାହାରି ଆସିବେ ତଥା ସେଥିପାଇଁ କିଭଳି ମାନସିକ ସ୍ତରରେ ନିଜେ ସୁସ୍ଥ ରହିବା ଜରୁରୀ, ସେନେଇ ମଧ୍ୟ ସଚେତନତା ବୃଦ୍ଧି ଜରୁରୀ। ଆଉ ସବୁ ପରେ ମହିଳାମାନଙ୍କ ପାଇଁ ପାରିବାରିକ, ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଏକ ବଳିଷ୍ଠ ସପୋର୍ଟ ସିଷ୍ଟମ୍ ଗଠନର ବି ଆବଶ୍ୟକତା ରହିଛି।

ଭୁବନେଶ୍ୱର

(ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)