Advertisment

ଏକବିଂଶ ଶତାବ୍ଦୀରେ ବି ଡାହାଣୀ ସନ୍ଦେହରେ ମହିଳାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର

ଆମ ଦେଶର ବହୁ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଅକଥନୀୟ ଅତ୍ୟାଚାର ସହିବାକୁ ପଡ଼ିଥାଏ। ତେବେ କ'ଣ ପାଇଁ ଆଜି ବି, ବିଜ୍ଞାନର ଏତେ ଅଗ୍ରଗତି ପରେ ବି ମଣିଷ ମନ ଭିତରେ ଘର କରି ରହିଛି ଭୂତ-ପ୍ରେତ, ଡାହାଣୀ-ଚିରୁଗୁଣୀର ଭୟ! କ'ଣ ପାଇଁ ଏବେବି ଅନେକ ମହିଳାଙ୍କୁ ଡାହାଣୀ ସନ୍ଦେହରେ ବାଛନ୍ଦ ଜୀବନ ବିତାଇବାକୁ ପଡୁଛି!

author-image
Preeti Prajna Pradhan
ଅଦ୍ୟତନ ହୋଇଛି
oppression of women by witch suspects

oppression of women by witch suspects

ଏଇ ଅଳ୍ପ ଦିନ ତଳେ ଖବରକାଗଜରେ ଆସିଥିବା ଗୋଟେ ଖବର ଦୋହଲେଇ ଦେଲା ଅନ୍ତରକୁ। ଆଉ ମନକୁ ବିଷାଦରେ ଭରିଦେଲା। ସମ୍ପୃକ୍ତ ଘଟଣାରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ତାଙ୍କ ଗାଁର ଲୋକମାନେ ପିଟି ପିଟି ହତ୍ୟା କରିବା ସହ ତାଙ୍କ ପରିବାର ଲୋକଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଫଳରେ ସେମାନଙ୍କ ମଧ୍ୟରୁ କେତେ ଜଣ ଗୁରୁତର ଆହତ ହୋଇଥିଲେ। ଏ ଘଟଣା ପୁଣି ଥରେ ମୋ' ଭିତରେ ତାଜା କରି ଦେଇଗଲା ପିଲାଦିନେ ମାମୁଁ ଘର ଗାଁରେ ଦେଖିଥିବା ରଜନୀ ଆଈଙ୍କ ସ୍ମୃତିକୁ।

Advertisment

ଦୂରରୁ ହିଁ ରଜନୀ ଆଈଙ୍କୁ ଆସୁଥିବାର ଦେଖିଦେଲେ ଛୋଟ ପିଲାମାନଙ୍କୁ ମା' ମାନେ ଲୁଚେଇ ଦେଉଥିଲେ। ଆଉ କେହି ନବଜାତ ଛୁଆକୁ ଯଦି ସେ କେବେ ଗେହ୍ଲା କରିବାକୁ ନ ହେଲେ କୋଳରେ ଧରିବାକୁ ମାଗୁଥିଲେ ତେବେ କୌଣସି ନା କୌଣସି ବାହାନା ବନେଇ ଘର ଲୋକେ ତାଙ୍କୁ ମନା କରି ଦେଉଥିଲେ। 

କେବେ ଯଦି ବି ତାଙ୍କ ନଜରରେ କେହି ଛୋଟ ପିଲା ପଡ଼ି ଯାଉଥିଲା, ଆଉ ତାକୁ ସେ ଟିକେ ଗେହ୍ଲା କରି ଦେଉଥିଲେ ତା' ହେଲେ ସାଙ୍ଗେ ସାଙ୍ଗେ ଠାକୁରଙ୍କ ଛଡ଼ା ପାଣି ଆଣି ପିଲାଟି ମୁଣ୍ଡରେ ଛିଞ୍ଚି ଦେଉଥିଲେ ଘରର ବଡ଼ମାନେ। ଏପରିକି ଦରକାର ପଡିଲେ ଗୁଣିଆ ଡାକି ଝଡାଉଥିଲେ ବି ଲୋକେ ତାଙ୍କୁ ପଛରେ କଞ୍ଚା ଡାହାଣୀ ବୋଲି କହୁଥିଲେ। ଆଉ ତାଙ୍କ କୁଦୃଷ୍ଟିକୁ ଭାରି ଭୟ କରୁଥିଲେ। 

Advertisment

କ'ଣ ପାଇଁ ଲୋକେ ତାଙ୍କୁ ଡାହାଣୀ ବୋଲି ଡାକୁଥିଲେ ଛୁଆ ବୁଦ୍ଧିରେ କାରଣ ଜାଣି ପାରୁ ନଥିଲି ସେତେବେଳେ। ହେଲେ ରଜନୀ ଆଈଙ୍କ ନାଁରେ କାନରୁ କାନ ହୋଇ ଘୂରି ବୁଲୁଥିଲା କେତେ କାହାଣୀ। ସେ କୁଟା ପକେଇ ରାତିରେ ମଣିଷ ଦେହରୁ ରକ୍ତ ଶୋଷି ଦିଅନ୍ତି। ଆଉ କାଳେ ବିଷ୍ଠା ଚରିବାକୁ ଯା'ନ୍ତି, ଇତ୍ୟାଦି ଇତ୍ୟାଦି।

ଖାଲି ରଜନୀ ଆଈ କିମ୍ବା ସମ୍ପୃକ୍ତ ଘଟଣାର ମୃତ ମହିଳା କେବଳ ନୁହନ୍ତି, ଏବେ ମଧ୍ୟ ଆମ ଦେଶର ବହୁ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଅକଥନୀୟ ଅତ୍ୟାଚାର ସହିବାକୁ ପଡ଼ିଥାଏ। ତେବେ କ'ଣ ପାଇଁ ଆଜି ବି, ବିଜ୍ଞାନର ଏତେ ଅଗ୍ରଗତି ପରେ ବି ମଣିଷ ମନ ଭିତରେ ଘର କରି ରହିଛି ଭୂତ-ପ୍ରେତ, ଡାହାଣୀ-ଚିରୁଗୁଣୀର ଭୟ! କ'ଣ ପାଇଁ ଏବେବି ଅନେକ ମହିଳାଙ୍କୁ ଡାହାଣୀ ସନ୍ଦେହରେ ବାଛନ୍ଦ ଜୀବନ ବିତାଇବାକୁ ପଡୁଛି! 

ନିକଟରେ ଭାରତର ୫ଟି ରାଜ୍ୟର ୧୦୦ରୁ ଊର୍ଦ୍ଧ୍ୱ  କେସ୍ ଷ୍ଟଡିକୁ ନେଇ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ମୁଖ୍ୟତଃ ବୃଦ୍ଧା ଓ ଅସହାୟା ମହିଳା ମାନେ ଡାହାଣୀ ଅଭିଯୋଗର ଶିକାର ହୋଇଥାନ୍ତି, ଯେଉଁ ମାନଙ୍କର କୌଣସି ସୋସିଆଲ ସପୋର୍ଟ ସିଷ୍ଟମ୍ ନଥାଏ। ବହୁ ସମୟରେ ଏଭଳି ମହିଳାମାନଙ୍କ ଅତି ନିକଟ ସମ୍ପର୍କୀୟ ମାନେ ମଧ୍ୟ ଏମାନଙ୍କୁ ଡାହାଣୀ ଚିହ୍ନିତ କରିବାରେ ମୁଖ୍ୟ ଭୂମିକା ତୁଲାଇ ଥାନ୍ତି। 

ଅନେକ ସମୟରେ ସମ୍ପୃକ୍ତ ମହିଳାଙ୍କ ସମ୍ପତ୍ତି (ସ୍ୱଳ୍ପ ହେଉ ପଛେ) ଦଖଲ କିମ୍ବା ସେମାନଙ୍କୁ ଘରର ସମ୍ପତ୍ତିରୁ ବେଦଖଲ କରିବା ଉଦ୍ଦେଶ୍ୟରେ ଏଭଳି କରାଯାଉଥିବା ଜଣା ପଡିଛି। ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଭାବିଥାନ୍ତି ଯେ, ଡାହାଣୀ ମାନେ ହେଉଛନ୍ତି ଏମିତି ମଣିଷ, ଯେଉଁ ମାନଙ୍କର କ୍ଷତିକାରକ ଅତିଭୌତିକ କ୍ଷମତା ଥାଏ, ଯାହା ସାହାଯ୍ୟରେ ସେମାନେ ଅନ୍ୟର କ୍ଷତି କରିଥାନ୍ତି। ଫଳରେ କୌଣସି ପରିବାରର ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ଫସଲହାନୀ ଭଳି ଘଟଣା ଗୁଡ଼ିକ ପାଇଁ ଏଇ ମହିଳାମାନଙ୍କୁ ଦାୟୀ କରାଯାଏ। 

ବହୁ କ୍ଷେତ୍ରରେ ଏଇ ଚିହ୍ନିତ ମହିଳାମାନଙ୍କୁ ଲଣ୍ଡା କରି, ଗଧ ପିଠିରେ ବସାଇ ଗାଁ ବୁଲାଇବା; ଉଲଗ୍ନ କରି ସର୍ବ ସମ୍ମୁଖରେ ଠିଆ କରାଇ ପିଟିବା, ସେମାନଙ୍କ ଗୁପ୍ତାଙ୍ଗରେ ଲଙ୍କାଗୁଣ୍ଡ ଭରି ଦେବା, ଗାଁରୁ ବାଛନ୍ଦ କରି ବାହାର କରିଦେବା ଓ ଆର୍ଥିକ ଜରିମାନା ଭଳି ଦଣ୍ଡ ଦିଆଯାଇଥାଏ। ଏପରିକି ବହୁ ସମୟରେ ସେମାନେ ଗଣବଳାତ୍କାର କିମ୍ବା ହତ୍ୟାର ମଧ୍ୟ ଶିକାର ହୋଇଥାନ୍ତି। 

ଗତ କିଛି ମାସ ତଳେ ଖବରକାଗଜରେ ଆସିଥିବା ଏଇ ଆମ ରାଜ୍ୟର ଆଉ ଏକ ଘଟଣାକୁ ଉଦାହରଣ ସ୍ୱରୂପ ନିଆଯାଇପାରେ। ସମ୍ପୃକ୍ତ ଘଟଣାରେ ଡାହାଣୀ ଚିହ୍ନିତ ପୀଡ଼ିତାଙ୍କୁ ଗାଁ ଲୋକେ ଖୁଣ୍ଟରେ ବାନ୍ଧି ପିଟିବା ସହ ତାଙ୍କୁ ଜୋର୍ ଜବରଦସ୍ତି ବିଷ୍ଠା ଖାଇବାକୁ ବାଧ୍ୟ କରିଥିଲେ।

ଉପଲବ୍ଧ ପରିସ°ଖ୍ୟାନରୁ ଜଣାପଡିଛି ଯେ, ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, ଗଜପତି ଓ ଗଞ୍ଜାମ ଭଳି ୧୨ଟି ଜିଲ୍ଲାରେ ଡାହାଣୀ ସନ୍ଦେହରେ ବହୁ ସଂଖ୍ୟକ ହତ୍ୟା ସ°ଘଟିତ ହୋଇଥାଏ। ମୋଟ ସ°ଘଟିତ ହତ୍ୟା ମଧ୍ୟରୁ ୨୭ପ୍ରତିଶତ ଘଟଣା ଛୁଆମାନଙ୍କଠାରେ ଦେଖାଯାଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଘଟୁଥିବା ବେଳେ ବଡ଼ମାନଙ୍କ ଠାରେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟା ପାଇଁ ୪୩.୫% ହତ୍ୟା ଘଟିଥାଏ।

ସେହିପରି ବିଭିନ୍ନ ଦୁର୍ଭାଗ୍ୟଜନକ ଘଟଣା ଓ ଜମି ହଡ଼ପ ଭଳି ଘଟଣା ପାଇଁ ୨୪.୫ ପ୍ରତିଶତ ହତ୍ୟା ଘଟୁଥିବା ବେଳେ ଫସଲହାନୀ ପାଇଁ ଅନ୍ତତଃ ୫ ପ୍ରତିଶତ ହତ୍ୟା ସ°ଘଟିତ ହୋଇଥାଏ।

ଭାରତରେ ଡାହାଣୀ ସନ୍ଦେହରେ ହତ୍ୟା ମାମଲାର ପ୍ରଥମ ଲିଖିତ ରେକର୍ଡ ମିଳେ ୧୭୯୨ ମସିହାରେ, ଛୋଟା ନାଗପୁରର ସି°ଭୂମ୍ ଅଞ୍ଚଳରେ। ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଅନ୍ଧବିଶ୍ୱାସର ଶିକାର ହୋଇ ଡାହାଣୀ ସନ୍ଦେହରେ ୨ଜଣ ମହିଳାଙ୍କୁ ହତ୍ୟା କରିଥିବାର ସେଇ ରେକର୍ଡରେ ଉଲ୍ଲେଖ ଅଛି। 

ତେବେ ଇଂରେଜ ସରକାର ୧୮୩୪ ମସିହାରେ ଭାରତୀୟ ପେନାଲ୍ କୋଡ୍ ର ପ୍ରତିଷ୍ଠା କଲା ପରେ ଏଇ କୁପ୍ରଥାର ଉଚ୍ଛେଦ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ଓ ଫଳସ୍ୱରୂପ ୧୮୪୦ରେ ବ୍ଲାକ୍ ମ୍ୟାଜିକ୍ ଆକ୍ଟ୍ ଆସିଥିଲା। ତେବେ ଡାହାଣୀ ପ୍ରଥାର ବହୁଳ ପ୍ରସାର ଯୋଗୁଁ ତାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପ୍ରାୟ ଅସମ୍ଭବ ଥିଲା। ତେଣୁ ଏଇ ଆକ୍ଟ୍ ଅନୁଯାୟୀ ଡାହଣୀ ଚୟନ ପ୍ରକ୍ରିୟାକୁ ବେଆଇନ ଘୋଷଣା କରି ଦିଆଗଲା। 

୧୮୫୭ର ସିପାହୀ ବିଦ୍ରୋହ ପରେ ପୁଣି ଥରେ ଭାରତରେ ଡାହାଣୀ ସନ୍ଦେହରେ ହତ୍ୟା ମାମଲା ସ°ଖ୍ୟାରେ ବୃଦ୍ଧି ଘଟିବା ପରିଲକ୍ଷିତ ହେଲା। ପରେ ଅନୁସନ୍ଧାନରୁ ଜଣା ପଡ଼ିଲା ଯେ, ବ୍ରିଟିଶ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ନିୟମ କାନୁନକୁ ବିରୋଧ କରିବା ଉଦ୍ଦେଶ୍ୟରେ ହିଁ ଏପରି କରାଯାଉଥିଲା। ଖାସ୍ କରି ଆଦିବାସୀମାନଙ୍କ ମଧ୍ୟରେ ଏଭଳି ଏକ ଧାରଣା ସୃଷ୍ଟି ହୋଇଥିଲା ଯେ, ବ୍ରିଟିଶ ନିୟମ କାନୁନ କାରଣରୁ ହିଁ ଡାହାଣୀ ମାନଙ୍କୁ ନିଜ ମନ ମୁତାବକ କାମ କରିବାର ସୁଯୋଗ ଓ ସ୍ବାଧୀନତା ମିଳି ଯାଇଛି। 

ଖାଲି ଆମ ଦେଶ ନୁହେଁ, ଆମେରିକା, ଇ°ଲଣ୍ଡ ଠାରୁ ଆରମ୍ଭ କରି ତାଞ୍ଜାନିଆ ଓ ବା°ଲାଦେଶ ପର୍ଯ୍ୟନ୍ତ ବିଶ୍ୱର ବହୁ ସ°ଖ୍ୟକ ରାଷ୍ଟ୍ରରେ ଡାହାଣୀ ସନ୍ଦେହରେ ମହିଳାମାନଙ୍କୁ ଅତ୍ୟାଚାରିତ ଓ ହତ୍ୟା କରାଯିବାର ଇତିହାସ ରହିଛି। ଆଉ ଦୁଃଖର କଥା ହେଲା, ଆଜି ଏଇ ଏକବିଂଶ ଶତାବ୍ଦୀରେ ମଧ୍ୟ ଡାହାଣୀ ସନ୍ଦେହରେ ମହିଳାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଜାରି ରହିଛି। 

ଭାରତର ୮ଟି ରାଜ୍ୟରେ ଡାହାଣୀ ପ୍ରଥାର ଉଚ୍ଛେଦ ପାଇଁ ସ୍ୱତନ୍ତ୍ର ନିୟମ ରହିଥିଲେ ମଧ୍ୟ ନ୍ୟାସ୍‌ନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ ବା NCRBର ରିପୋର୍ଟ ଅନୁଯାୟୀ, ଗତ ୧୫ ବର୍ଷ ଭିତରେ ଭାରତରେ ଅନ୍ତତଃ ୨,୫୦୦ ଜଣ ମହିଳା ଡାହାଣୀ ସନ୍ଦେହରେ ହତ୍ୟାର ଶିକାର ହୋଇଛନ୍ତି।

ବିଶେଷଜ୍ଞଙ୍କ ମତରେ ଏଇ ସଂଖ୍ୟା ଆହୁରି ଅଧିକ ମଧ୍ୟ ହୋଇପାରେ। ମୁଖ୍ୟତଃ ଜାତିଆଣ ଭେଦଭାବ ଓ ପୁରୁଷ ପ୍ରଧାନ ସମାଜର ଏକଚାଟିଆ ନ୍ୟାୟ ଏଭଳି କୁପ୍ରଥା ପାଇଁ ଦାୟୀ ବୋଲି ମତ ପ୍ରକାଶ ପାଏ। ତେବେ ଶିକ୍ଷାର ବିକାଶ, ବୈଜ୍ଞାନିକ ଓ ଉନ୍ନତ ଚିନ୍ତାଧାରା ତଥା ଏଇ କୁପ୍ରଥା ବିରୋଧରେ ସଚେତନତା ବୃଦ୍ଧି ହିଁ ଏଇ ସମସ୍ୟାର ସମାଧାନ କରିପାରିବ।
ଭୁବନେଶ୍ୱର 

Women Empowerment Witchcraft Suspicion
Advertisment
Advertisment