ଏକଦମ ପର୍ଫେକ୍ଟ ହେଡଷ୍ଟାଣ୍ଡ୍। ଦେହକୁ ରବର ଭଳି ବଙ୍କେଇବା। ଅଷ୍ଟାଙ୍ଗ ଯୋଗ। ଏସବୁ ସେ ଅତି ଆରାମରେ କରିପାରନ୍ତି। ଖାଲି ସେତିକି ନୁହେଁ, ଜଣେ ସୁଦକ୍ଷ ଯୋଗ ପ୍ରଶିକ୍ଷକ ଭାବେ ଅନ୍ୟମାନଙ୍କୁ ଯୋଗ ଟ୍ରେନିଂ ମଧ୍ୟ ଦେଇଥା'ନ୍ତି। ଏଥିପାଇଁ ସେ ରୀତିମତ କୋର୍ସ କରିଛନ୍ତି। ପଶ୍ଚିମବଙ୍ଗର ଅର୍ପିତା ରୟ ହେଉଛନ୍ତି ଆନ୍ତର୍ଜାତିକ ସ୍ତରରେ ଜଣେ ଆଡଭାନ୍ସଡ୍ ସାର୍ଟିଫିକେଟ୍ ପ୍ରାପ୍ତ ଯୋଗ ଇନଷ୍ଟ୍ରକ୍ଟର (୫୦୦ ଘଣ୍ଟା ଯୁକ୍ତ)। ଏହା ଛଡ଼ା ସେ ଜଣେ ସ୍ଵୀକୃତିପ୍ରାପ୍ତ ମେଡିଟେସନ୍ ଗାଇଡ୍ ଓ ଟ୍ରେନର୍ ତଥା ଆକ୍ସେସିବଲ୍ ଯୋଗ ପ୍ରଶିକ୍ଷକ ବି।
ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେ ନିୟମିତ ନିଜ ପ୍ରଶିକ୍ଷଣ ସମ୍ପର୍କିତ ଭିଡିଓ ସବୁ ଅପଲୋଡ୍ କରିଥା'ନ୍ତି। ତେବେ ଏଇ ପ୍ରଶିକ୍ଷକଙ୍କ ବିଶେଷତ୍ୱ କ'ଣ? କାହିଁକି ତାଙ୍କ ସମ୍ପର୍କରେ ଏଠାରେ ଆଲୋଚନା କରିବା ତାହା ହିଁ ମୂଳ କଥା। କଥା ହେଲା, ଅର୍ପିତାଙ୍କର ଦୁଇଟି ଯାକ ଗୋଡ଼ ନାହିଁ। ଅନେକ ଦିନ ଆଗରୁ ଏକ ଦୁର୍ଘଟଣାରେ ସେ ନିଜ ଗୋଡ଼ ହରାଇ ସାରିଛନ୍ତି।
୨୦ବର୍ଷର ସ୍ୱପ୍ନ ଛଳଛଳ ବୟସ। ନିଜ ଇଚ୍ଛାଶକ୍ତି ଆଉ ଉଦ୍ୟମ ବଳରେ ଆକାଶକୁ ଅତିକ୍ରମି ଯିବାର ଇଚ୍ଛା। ମାତ୍ର ଗୋଟିଏ ମର୍ମନ୍ତୁଦ ଦୁର୍ଘଟଣା ଅର୍ପିତାଙ୍କ ଦୁନିଆକୁ ସମ୍ପୂର୍ଣ୍ଣ ଓଲଟପାଲଟ କରିଦେଲା। ୨୨ ଏପ୍ରିଲ୍, ୨୦୦୬ ମସିହା। ସେଦିନ ସେ ଜଣେ ବନ୍ଧୁଙ୍କ ସହ କୌଣସି କାମରେ ନିଜ ସହର ବାରାକପୁରରୁ କୋଲକାତା ଆସୁଥିଲେ । ହଠାତ୍ ସେମାନଙ୍କ ବାଇକ୍ ଭାରସାମ୍ୟ ହରାଇ ଗୋଟାଏ ବଡ଼ ଲରିରେ ପିଟିହୋଇ ଯାଇଥିଲା। ଆଉ ତଳେ ପଡ଼ି ଯାଇଥିବା ଅର୍ପିତାଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲା ଲରିଟି।
Also Read
ସେଦିନ କଥାକୁ ମନେ ପକାଇ ଅର୍ପିତା କୁହନ୍ତି, "ମୋର ଖାଲି ମନେ ଅଛି ମୋ ଚାରିକଡେ ପ୍ରବଳ ରକ୍ତ, ବହୁ ଲୋକଙ୍କ ଚିତ୍କାର ଓ ମୋ ଶରୀରରେ ଅନୁଭୂତ ହେଉଥିବା ଅକଥନୀୟ ଯନ୍ତ୍ରଣା।" ତେବେ ସେ ପର୍ଯ୍ୟନ୍ତ ଅର୍ପିତା ଜାଣିପାରୁ ନଥିଲେ ବାସ୍ତବରେ ତାଙ୍କ ଶରୀରର କେଉଁ ଅଂଶରେ ଏ ଅସହ୍ୟ ଯନ୍ତ୍ରଣା ଅନୁଭୂତ ହେଉଛି!
ଟିକେ ପରେ ଜଣାପଡିଥିଲା ଯେ, ଲରି ତଳେ ଚାପି ହୋଇ ତାଙ୍କ ଗୋଡ଼ ଦୁଇଟି ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ସଙ୍ଗେସଙ୍ଗେ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲ୍ ନିଆଯାଇଥିଲା। ସେଠାରେ ତାଙ୍କୁ ପେନ୍ କିଲର୍ ଦିଆଯିବା ପରେ ତାଙ୍କୁ କୋଲକାତାର ଏକ ଭଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଗଲା। ଅର୍ପିତା କୁହନ୍ତି, ଧନୀ ଘରର ପିଲା ହୋଇଥିଲେ ହୁଏତ ତାଙ୍କ ଗୋଡ଼ ଦୁଇଟି ବଞ୍ଚିଯାଇଥାନ୍ତା। କିନ୍ତୁ ଅର୍ଥାଭାବ ଯୋଗୁଁ ତାଙ୍କ ସର୍ଜରୀ ହେବାରେ ୧୨ ଦିନ ବିଳମ୍ବ ହୋଇଗଲା ଓ ଅନିବାର୍ଯ୍ୟ କାରଣ ପାଇଁ ତାଙ୍କ ଗୋଡ଼କୁ କାଟିବାକୁ ପଡ଼ିଲା।

ଅନ୍ୟ କେହି ହୋଇଥିଲେ ହୁଏତ ଜୀବନର ଏଇ ଦୁର୍ଦ୍ଦଶା ପାଖରେ ହାର୍ ମାନି ଯାଇଥାନ୍ତା। କିନ୍ତୁ ହାର୍ ମାନି ନଥିଲେ ଅର୍ପିତା। ଲୋକଙ୍କ ଅନୁକମ୍ପା ଭରା ଦୃଷ୍ଟି ତାଙ୍କ ପାଇଁ ଅସହ୍ୟ ଥିଲା। ତା' ଛଡ଼ା ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ତାଙ୍କ ଭାଇ ସେତେବେଳକୁ ତାଙ୍କ ଔଷଧ ଓ କୃତ୍ରିମ ଅଙ୍ଗ ଉପରେ ବହୁ ଅର୍ଥ ଖର୍ଚ୍ଚ କରି ସାରିଥିଲେ। ତେଣୁ ଅର୍ପିତା ଚାହିଁଲେ କେମିତି ପରିବାର ଉପରେ ବୋଝ ନ ହୋଇ ଯଥାଶୀଘ୍ର ନିଜ ଉଦ୍ୟମରେ ଆର୍ଥିକ ଦୃଷ୍ଟିରୁ ସମର୍ଥ ହୋଇପାରିବେ। ଆଉ ଏଥିପାଇଁ ସେ ନିଜ କୃତ୍ରିମ ଗୋଡ଼ ଉପରେ ହିଁ ସମ୍ପୂର୍ଣ୍ଣ ନିର୍ଭର କରୁଥିଲେ।
ସୁସ୍ଥ ହେବାର ଏ ପ୍ରକ୍ରିୟା ଥିଲା ଦୁର୍ଘଟଣା ଆଉ ଗୋଡ଼ କଟା ହେବା ଠାରୁ ଆହୁରି କଷ୍ଟକର ପ୍ରକ୍ରିୟା। ଡାକ୍ତରମାନେ ତାଙ୍କୁ ପ୍ରତିଦିନ କୃତ୍ରିମ ଗୋଡ଼ ସହାୟତାରେ ଅନ୍ତତଃ ଘଣ୍ଟାଏ ଠିଆ ହେବାକୁ ପରାମର୍ଶ ଦେଇଥିଲେ। ଉଦ୍ଦେଶ୍ୟ ଥିଲା, କୃତ୍ରିମ ଗୋଡ଼ ସହାୟତାରେ ଚାଲିବା କିମ୍ବା ଠିଆହେବା ବେଳେ ତାଙ୍କ ପୋଶ୍ଚର (posture)କୁ ସୁଧାରିବା ଓ ସଠିକ କରିବା। ତେବେ ଏଇ ସମୟରେ ଶରୀରରେ କରାଯାଇଥିବା ବିଭିନ୍ନ ଗ୍ରାଫ୍ଟି°ଜନୀତ ଯନ୍ତ୍ରଣା ବ୍ୟତୀତ ତାଙ୍କ ପାଇଁ ଆଉ ଯାହା ସବୁଠାରୁ ଅସହ୍ୟ ଥିଲା, ତା' ହେଲା, କୃତ୍ରିମ ଗୋଡ଼ରେ ଠିଆ ହେବା ସମୟରେ ସେ ଅନୁଭବ କରୁଥିବା ଫାଣ୍ଟମ୍ ପେନ୍(କୌଣସି ହରାଇଥିବା ଅଙ୍ଗ ସ୍ଥାନରେ ସେହି ଅଙ୍ଗ ଥିବା ଭଳି ଓ ସେଥିରେ ଯନ୍ତ୍ରଣା ହେବା ଭଳି ଅନୁଭବ କରିବା)।
ହେଲେ ଅତ୍ୟନ୍ତ ଦୃଢ଼ ଇଚ୍ଛାଶକ୍ତି ସମ୍ପନ୍ନ ଅର୍ପିତା ସବୁ ବାଧାବିଘ୍ନକୁ ଅତିକ୍ରମ କରି କେବଳ ଯେ କୃତ୍ରିମ ଗୋଡ଼ ସାହାଯ୍ୟରେ ଭଲଭାବେ ଚାଲିବାରେ ସକ୍ଷମ ହେଲେନି, ଜୁଲାଇ ୨୦୦୭ରେ ଏକ କଲ୍ ସେଣ୍ଟରରେ ଚାକିରୀ ମଧ୍ୟ ପାଇ ପାରିଲେ। କର୍ମକ୍ଷେତ୍ରର ପ୍ରଥମ ଦିନଗୁଡ଼ିକ ଅତି କଠିନ ଥିଲା ତାଙ୍କ ପାଇଁ। ତେବେ ନିଜ ଭାଇଙ୍କ ଏକନିଷ୍ଠ ସମର୍ଥନ ଓ ସହଯୋଗ ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କଲା।

ଏ ଭିତରେ ନିଜ ସହ ଘଟିଥିବା ଏତେ ବଡ଼ ଦୁର୍ଘଟଣାକୁ ଧୀରେ ଧୀରେ ସହଜରେ ଗ୍ରହଣ କରିବା ସହ ନିଜ ଦେହର କ୍ଷତଗୁଡ଼ିକୁ ମଧ୍ୟ ଅର୍ପିତା ଭଲ ପାଇବାକୁ ଶିଖିଲେ। ସେଥିପାଇଁ ଯଦି କେହି କେବେ ତାଙ୍କ କୃତ୍ରିମ ଗୋଡ଼କୁ ପୋଲିଓ କିମ୍ବା ଅନ୍ୟ କୌଣସି ଆଘାତଜନୀତ ବୋଲି ଭାବୁଥିଲେ ତେବେ ସେ ଲାଜ ନ କରି କିମ୍ବା ନିଜ କ୍ଷତକୁ ନ ଲୁଚାଇ ତାଙ୍କ ଦୁର୍ଘଟଣାର କାହାଣୀ ସେମାନଙ୍କୁ ଶୁଣାଉଥିଲେ।
ତା' ଛଡା ନିଜ କୃତ୍ରିମ ଗୋଡ଼ ଦୁଇଟିକୁ ନ ଲୁଚାଇ ପାରିବା ଭଳି ପୋଷାକ ମଧ୍ୟ ପିନ୍ଧିବା ଆରମ୍ଭ କଲେ। କାରଣ ଜୀବନରେ ଆଗକୁ ବଢିବା ନିମନ୍ତେ ନିଜ ଭିତରର ଡର ଓ ଅସୁରକ୍ଷିତ ଭାବନା ସବୁକୁ ଦୂରେଇବା ତାଙ୍କ ପାଇଁ ନିତାନ୍ତ ଜରୁରୀ ଥିଲା।
ଜୀବନର ଏଭଳି ସମୟରେ ତାଙ୍କ ପାଇଁ ଏକମାତ୍ର ଶାନ୍ତ୍ୱନା ଥିଲା ବିଭିନ୍ନ ଫିଜିକାଲ୍ ଟ୍ରେନିଂ। ଆଉ ଏହା ହିଁ ତାଙ୍କୁ ନିଜ ଜୀବନର ବାସ୍ତବ ଲକ୍ଷ୍ୟ 'ଯୋଗ' ସହ ଧୀରେ ଧୀରେ ପରିଚିତ କରାଇଥିଲା। ତାଙ୍କୁ ନିଜ କୃତ୍ରିମ ଅଙ୍ଗ ସହ ଫିଟ୍ ରହିବା ପାଇଁ ସବୁ ସମୟରେ ଏକ ନିର୍ଦ୍ଦିଷ୍ଟ ଓଜନ ମଧ୍ୟରେ ଶରୀରକୁ ରଖିବାକୁ ପଡୁଥିବା ଦୃଷ୍ଟିରୁ ସେ ସବୁବେଳେ ଫିଟ୍ ଓ ସେଫ୍ ରେ ରହୁଥିଲେ।
୨୦୧୫ ମସିହାରେ ସେ ଯୋଗ ପ୍ରଶିକ୍ଷଣ ନେବା ଆରମ୍ଭ କଲେ। ଯୋଗ ପାଇଁ ନିହାତି ଆବଶ୍ୟକ ଥିଲା ନମନୀୟ ଅଙ୍ଗପ୍ରତ୍ୟଙ୍ଗ, ସୁସ୍ଥ ଆଣ୍ଠୁ ଓ ସବୁ ପରେ ଦୁଇଟି ସୁସ୍ଥ ଗୋଡ଼। କିନ୍ତୁ ଏସବୁ ନ ଥିବା ସତ୍ତ୍ୱେ ଅର୍ପିତା ହାର୍ ମାନି ନଥିଲେ।
ପ୍ରଥମେ ତ କୃତ୍ରିମ ଗୋଡ଼ ସାହାଯ୍ୟରେ କୌଣସି ଆସନ କରିବା ତାଙ୍କ ପକ୍ଷେ ବହୁ କଷ୍ଟକର ଥିଲା। କାରଣ ଏହା ନିଜ ଆଣ୍ଠୁ ଉପରେ ଦୃଢ଼ ନିୟନ୍ତ୍ରଣ ଆବଶ୍ୟକ କରିଥାଏ। ତେଣୁ ଆରମ୍ଭରୁ କେବଳ ସହଜ ସହଜ ଆସନ ଅଭ୍ୟାସ କରିବା ଆରମ୍ଭ କଲେ ସେ। କିନ୍ତୁ କ୍ରମେ ଅତି କଠିନ ଆସନଗୁଡ଼ିକ ମଧ୍ୟ ସେ ଦକ୍ଷତାର ସହ କରିବାରେ ସକ୍ଷମ ହେଲେ। ଆଉ ଏହା କରିପାରିବା ତାଙ୍କ ପାଇଁ କୌଣସି ପର୍ବତକୁ ଜୟ କରିବା ଠାରୁ କମ୍ ନଥିଲା।

୨୦୧୯ ବେଳକୁ ସମସ୍ତ ପ୍ରକାର ଆସନ କରିବାରେ ସକ୍ଷମ ହେବା ସହ ଅର୍ପିତା ନିଜେ ଜଣେ ଯୋଗ ଇନଷ୍ଟ୍ରକ୍ଟର ହେବା ପାଇଁ ପ୍ରଶିକ୍ଷଣ ନେଲେ। ଏବେ ସେ ଜଣେ ଅତି ଦକ୍ଷ ଯୋଗ ପ୍ରଶିକ୍ଷକ। ସାଧାରଣ ସକ୍ଷମ ଲୋକଙ୍କ ବ୍ୟତୀତ ତାଙ୍କ ଭଳି ଦୁର୍ଘଟଣାଗ୍ରସ୍ତ ହୋଇ ଭିନ୍ନକ୍ଷମ ପାଲଟିଥିବା ଆମ୍ପ୍ୟୁଟିମାନଙ୍କୁ ମଧ୍ୟ ସେ ଯୋଗ ଟ୍ରେନିଂ ଦେଇଥାନ୍ତି।
ତାଙ୍କ ମତରେ ଆମ ସାମାଜିକ ବ୍ୟବସ୍ଥାରେ ଭିନ୍ନକ୍ଷମମାନଙ୍କୁ ସାବଲୀଳ ଭାବେ ବଞ୍ଚିବା ପାଇଁ ସେମାନଙ୍କ ପ୍ରତି ସମସ୍ତଙ୍କର ଏକ ସମ୍ବେଦନଶୀଳ ମନୋଭାବ ତଥା ଗ୍ରହଣୀୟତା ରହିବା ନିହାତି ଦରକାର। ତା' ଛଡ଼ା ସମସ୍ତେ ନିଜର ଅନ୍ତତଃ ଅଳ୍ପ କିଛି ସମୟ ବିଭିନ୍ନ ଫିଜିକାଲ୍ ଆକ୍ଟିଭିଟିଜ୍ ପାଇଁ ଖର୍ଚ୍ଚ କରିବା ଆବଶ୍ୟକ। କାରଣ ଏହା ଆମ ଭିତରେ ହାପି ହର୍ମୋନ୍ ରିଲିଜ୍ କରିବା ସହ ଏକ ସୁସ୍ଥ ଜୀବନ ବଞ୍ଚିବାରେ ମଧ୍ୟ ସହାୟକ ହୋଇଥାଏ।
ଜୀବନରେ ଅଭିଶାପ ଅପେକ୍ଷା ଆଶୀର୍ବାଦକୁ ଗଣି ରଖିବାକୁ ପ୍ରାଥମିକତା ଦେଉଥିବା ଅର୍ପିତା କୁହନ୍ତି, କୃତ୍ରିମ ଅଙ୍ଗ ପାଇ ପାରିବା ତାଙ୍କ ପାଇଁ ବରଦାନ ଥିଲା, ଯାହା ସାହାଯ୍ୟରେ ସେ ଜୀବନକୁ ପୁଣି ଥରେ ନୂଆ କରି ଆରମ୍ଭ କରିପାରିଲେ।
ଭୁବନେଶ୍ଵର
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)