• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ବୈଶ୍ୱିକ ସ୍ତରରେ ନିଜର ନିର୍ମଳ ଓ ଅମଳିନ ଭାବମୂର୍ତ୍ତି ଥିବା ତଥା ସାର୍ବଭୌମକତା, ଏକତା ଓ ଅଖଣ୍ଡତା ବଜାୟ ରଖିଥିବା ଏକମାତ୍ର ବୃହତମ ଗଣତାନ୍ତ୍ରିକ ଦେଶ ହେଉଛି ଭାରତ। ଯୁକ୍ତରାଷ୍ଟ୍ର ଆମେରିକାରେ ଯଦିଓ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରଚଳିତ ତଥାପି ଏହା ସେଠିକାର ପୁଞ୍ଜିବାଦୀ ତଥା ବ୍ୟାପକ ବ୍ୟବସାୟୀକରଣ ଅଧିକାଂଶ ରାଷ୍ଟ୍ରପତିଙ୍କୁ ବିସ୍ତାରବାଦୀ ଓ ସାମ୍ରାଜ୍ୟବାଦୀ ଉନ୍ମତ କରାଇଛି।

ଆନ୍ତର୍ଜାତୀୟ ସ୍ତରରେ ଆମେରିକାର ବିପୁଳ ସାମରିକ ଶକ୍ତି ଓ ସମୃଦ୍ଧି ନିଜକୁ କେବଳ ଏକ ଗଣତାନ୍ତ୍ରିକ ଦେଶ ନୁହେଁ, ନିଷ୍ଠୁର, ନିରଙ୍କୁଶ ରାଷ୍ଟ୍ର ରୂପେ ମଧ୍ୟ ଅବସ୍ଥାପିତ କରିସାରିଛି। ଆନ୍ତର୍ଜାତୀୟ କୂଟନୀତିରେ ବିଭିନ୍ନ କାଳଖଣ୍ଡରେ ପୃଥକ ପୃଥକ ଦେଶଗୁଡିକୁ ପରସ୍ପର ସହିତ ଯୁଦ୍ଧ କରିବା ନେଇ ଉସ୍‌କାଉଥିବା ଆମେରିକା ଦୁର୍ନାମ, ବଦନାମ ଅର୍ଜନ କରୁଛି ଏବଂ ଏହାର କୂଟନୀତିର ସବୁଠୁ ବଡ ତଥା ତତ୍କାଳିକ ଉଦାହରଣ ହେଉଛି।

ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ନିୟନ୍ତ୍ରଣ ଏବଂ ଋଷ୍-ୟୁକ୍ରେନ୍‌ ଯୁଦ୍ଧରେ ୟୁକ୍ରେନ୍‌ ଆମେରିକା ଓ ଆମେରିକା ସମର୍ଥିତ ନାଟୋ ଏବଂ ୟୁରୋପୀୟ ଦେଶ ସମୂହଙ୍କର ସକ୍ରିୟ ଭୂମିକା ରହିଛି। ଅପରପକ୍ଷରେ ଭାରତ ଏକ ବିଶାଳ ଗଣତାନ୍ତ୍ରିକ ଦେଶ ରୂପେ ଉଭା ହେବା ସାଙ୍ଗକୁ ଶାନ୍ତି, ସୌହାର୍ଦ୍ଦ୍ୟ ଓ ଗୋଷ୍ଠୀ ନିରପେକ୍ଷତା ନୀତିର ପକ୍ଷଧର ଓ ଦୃଢ ସମର୍ଥକ। ନିଜର ଅନୁସୃତ ବୈଦେଶିକ ନୀତି ଜରିଆରେ ସର୍ବଦା ବିଶ୍ୱଶାନ୍ତିର ସନ୍ଦେହ ପ୍ରଦାନ କରିଥିବା ବେଳେ ଦେଶ ଭିତରେ ଧାର୍ମିକ, ସାମାଜିକ, ଆର୍ଥିକ ବିବିଧତା ଓ ବୈଷମ୍ୟଜନିତ ବିବାଦ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ଭାରତ ଏକପ୍ରକାର ଅଶାନ୍ତ ରହିବାକୁ ବାଧ୍ୟ ହୋଇଛି।

ଭାରତର ଆଭ୍ୟନ୍ତରୀଣ ନିରାପତା ବି ବିଗତ କୋଡିଏ ବର୍ଷ ଧରି ଭିନ୍ନ ଭିନ୍ନ ସ୍ପର୍ଶକାତର ସହରରେ ଯଥା ସଂସଦ ଭବନ ଉପରେ ଆତଙ୍କବାଦୀଙ୍କ ଘନଘନ ଆକ୍ରମଣ ଓ ସମ୍ବେଦନଶୀଳ କାଶ୍ମିରୀରେ ବିଭିନ୍ନ ସମୟ ଓ ସ୍ଥାନରେ ଦୁର୍ଦ୍ଦଶ ଆତଙ୍କବାଦୀଙ୍କ ପ୍ରଚଣ୍ଡ ଆକ୍ରମଣ ଭାରତର ଆଭ୍ୟନ୍ତରୀଣ ଶାସନ ବ୍ୟବସ୍ଥାରେ ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଥିବାରୁ ଭାରତରେ ଅଶାନ୍ତି ବ୍ୟାପିଚାଲିଛି।

ତେବେ ନିଜର ଶକ୍ତି ସାମର୍ଥ୍ୟ ଏତେ ଅଧିକ ଯେ ସମୟେ ସମୟେ ଆତଙ୍କବାଦୀ ଆକ୍ରମଣର ମୁହଁତୋଡ ଜବାବ ଦେଇଛି ଭାରତ। ବିଶେଷକରି ପଠାନକୋଟ ଓ ପୁଲଓ୍ୱାମା ଆକ୍ରମଣ ସବୁଠାରୁ ଠୋସ୍‌ ଓ ବଳିଷ୍ଠ ପ୍ରସଙ୍ଗ, ଯେଉଁଠୁ ଭାରତ ସେନା ପାକିସ୍ତାନରେ ଅନୁପ୍ରବେଶ କରି ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀଗୁଡିକୁ ନଷ୍ଟବିନଷ୍ଟ କରିଦେଇଥିଲା। ଯଦି ଭାରତ ସୀମା ବିବାଦ କଥା ଦେଖିବା ତେବେ ଭାରତ ଭୌଗୋଳିକ ଦୃଷ୍ଟିରୁ ଏସିଆର ଦକ୍ଷିଣ ଭାଗରେ ଅବସ୍ଥିତ ଏବଂ ଭାରତ ସୀମାରେ ଚୀନ ,ନେପାଳ ମିଆମାର, ଭୁଟାନ, ଶ୍ରୀଲଙ୍କା, ବାଂଲାଦେଶ ଓ ପାକିସ୍ତାନ ଇତ୍ୟାଦି ଦେଶଗୁଡିକ ଅବସ୍ଥିତ।

ଭାରତ ସର୍ବଦା ନିଜର ପ୍ରତିବେଶୀ ଦେଶଗୁଡିକ ସହ ଶାନ୍ତିପୂର୍ଣ୍ଣ ଓ ଘନିଷ୍ଠ ସଂପର୍କ ସ୍ଥାପନ କରିବାକୁ ବେଶ୍ ଆଗ୍ରହୀ। ଭାରତ ସହିତ ପଡୋଶୀ ଦେଶଗୁଡିକ ଯଥା - ଭୁଟାନ, ବାଂଲାଦେଶ, ଶ୍ରୀଲଙ୍କା, ମାଳଦ୍ୱୀପ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ରକ୍ଷାକରି ଆସୁଥିବା ବେଳେ ଚୀନ ଆଉ ପାକିସ୍ତାନ ସର୍ବଦା ଭାରତର ସ୍ୱାର୍ଥ ଓ ହିତ ପ୍ରତି ପ୍ରଭୂତ କ୍ଷତି ପହଞ୍ଚାଉଛନ୍ତି।

ତେବେ ଭୁଟାନ ଓ ବାଂଲାଦେଶ ଭାରତ ସହିତ ମୈତ୍ରୀପୂର୍ଣ୍ଣ ସଂପର୍କ ରକ୍ଷାକରି ପାରସ୍ପରିକ ହିତ ଦୃଷ୍ଟିରୁ ଏକାଧିକ ଗଠନାତ୍ମକ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଦୁଇ ପ୍ରତିବେଶୀ ମିତ୍ରରାଷ୍ଟ୍ରଙ୍କ ମିଳିତ ସାହାଯ୍ୟ ଓ ସହଯୋଗରେ ଅନେକ ବିଦ୍ୟୁତ ଶକ୍ତି ପ୍ଲାଣ୍ଟ, ବିଦ୍ୟୁତ ଶକ୍ତି ସଂଚାଳନ ଲାଇନ୍‌, ପୋର ବନ୍ଦରର ବିକାଶ ପାଇଁ ରେଳଲାଇନ ନିର୍ମାଣ ଇତ୍ୟାଦିରେ ପରସ୍ପରର ସ୍ୱାର୍ଥ ସହିତ ଜଡିତ ରହିଛି। ମାଳଦ୍ୱୀପ ଏଭଳି ଏକ ଦେଶ, ଯାହାକି ଦକ୍ଷିଣ ଓ ଆରବ ସାଗରରେ ନିଜର ମହତ୍ୱ ବଜାୟ ରଖେ। ଏହି ଦୃଷ୍ଟିରୁ ଭାରତ ପାଇଁ ଏହା ବେଶ୍ ମହତ୍ୱପୂର୍ଣ୍ଣ।

ଚୀନ, ଆରବ, ପାକିସ୍ତାନକୁ ବାଦଦେଲେ ନେପାଳରେ ଚୀନ ଓ ପାକିସ୍ତାନର ଅଯଥା ହସ୍ତକ୍ଷେପ ଯୋଗୁଁ ନେପାଳ ଭାରତ ସହ ଆଲୋଚନା କରିବାକୁ ଆଗେଇ ଆସିଛି। ପାକିସ୍ତାନରେ ଇସଲାମ ଧର୍ମର ରୁଢୀବାଦୀ ଓ କଠୋରପନ୍ଥୀ ଏବଂ ସେଠିକାର ସେନା ତଥା ପାକିସ୍ତାନ ସରକାର ଭାରତକୁ ନିଜର ଏକ ନମ୍ବର ଶତ୍ରୁ ରୂପେ ବିଚାର କରୁଛି। ଭାରତ-ନେପାଳ ସୀମା ବିବାଦ ଅମୀମାଂସିତ ହେତୁ ଭାରତ ପ୍ରତି ନେପାଳର ଆଭିମୁଖ୍ୟ ବଦଳି ଯାଇଛି।

ଏହାଛଡା, ଭାରତ-ଚୀନ ସଂପର୍କ ୧୯୬୨ର ପରେ ପରେ ସବୁକିଛି ସ୍ୱାଭାବିକ ହୋଇଥିଲା। ପ୍ରକୃତ ସୀମା ରେଖାରେ ଅବସ୍ଥିତ ଅରୁଣାଚଳ ପ୍ରଦେଶ ଓ ଲଦାଖରେ ବେଆଇନ ଭାବେ ଅନୁପ୍ରବେଶ କରୁଛି ଚୀନ। ଢୋକଲାମ, ପୟୋଗାଂଗ ଓ ଗଲଓ୍ୱାନ ଇଲାକାରେ ସୈନ୍ୟ ମୁତୟନକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ବିବାଦ ଲାଗିରହିଛି।

ପ୍ରକୃତ ସୀମାରେଖାରେ ଚୀନ ଓ ଭାରତ ଆଡୁ ବହୁ ସଂଖ୍ୟାରେ ସେନାବଳ ମୁତୟନ ହୋ‍ଇଛି। ସୁତରାଂ ଆନ୍ତର୍ଜାତୀୟ ସ୍ତରରେ ଏହା ଏକ ବିବାଦୀୟ ପ୍ରସଙ୍ଗ ହୋଇ ମୁଣ୍ଡଟେକିଛି। ଏହି ସମ୍ବେଦନଶୀଳ ମାମଲାରେ ଆମେରିକା ଭାରତକୁ ସମର୍ଥନ କରୁଥିବା ବେଳେ ଋଷିଆ ନିରପେକ୍ଷ ନୀତି ଅନୁସରଣ କରୁଛି। ତେବେ ଋଷିଆ ପାରମ୍ପରିକଭାବେ ଅନ୍ୟ ଭିନ୍ନ ଭିନ୍ନ ଘଟଣା ଓ ଯୁଦ୍ଧରେ ଭାରତକୁ ସହଯୋଗର ହାତ ବଢାଇଛି।

ଏହାବ୍ୟତୀତ ଭାରତକୁ ଏଲ୍‌ଏସି ଓ ଏଲ୍‌ଓସିରେ ଚୀନ ଓ ପାକିସ୍ତାନ ଭଳି ଶତ୍ରୁଦେଶ ସୈନ୍ୟ ସହିତ କଡା ମୁକାବିଲା କରିବାକୁ ପଡିବ। ଘୋର ଅର୍ଥନୈତିକ ସଂକଟ ଯୋଗୁଁ ଦେବାଳିଆ ସ୍ଥିତିରେ ପହଁଚିଥିବା ପାକିସ୍ତାନ ଭାରତକୁ ଘୋର ଶତ୍ରୁ ରୂପେ ବିଚାରୁଛି। ମୋଟାମୋଟି ଭାବେ କହିବାକୁ ଗଲେ ନିଜର ଶକ୍ତି ସାମର୍ଥ୍ୟ ବଳରେ ଭାରତକୁ ଆଭ୍ୟନ୍ତରୀଣ ନିରାପତା ଓ ସୀମା ସୁରକ୍ଷା ବଜାୟ ରଖିବାକୁ ପଡିବ।

୯୯୯-୩, ଜଗମୋହନ ନଗର,

ଜାଗମରା, ଖଣ୍ଡଗିରି, ଭୁବନେଶ୍ୱର, ମୋ-୯୪୩୮୩୩୨୧୩୮