ଭାରତର ପୂର୍ବତନ ବ୍ୟାଟର୍ ତଥା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ମେଣ୍ଟର୍ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍ ହୋଇପାରନ୍ତି ବୋଲି ବେଶ୍ କିଛି ଦିନ ହେଲା ଚର୍ଚ୍ଚା ହେଉଛି।
ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ୨୦୨୪ରେ ମେଣ୍ଟର୍ ଭାବେ କେକେଆର୍କୁ ଚାମ୍ପିଅନ୍ କରାଇବା ପରେ ଗମ୍ଭୀର ମୁଖ୍ୟ କୋଚ୍ ହେବା ଉପରେ ଆପାତତଃ ମୋହର ବାଜିଛି । ଲିଗ୍ର ଫାଇନାଲ୍ ମ୍ୟାଚ୍ ପରେ ଷ୍ଟାଡିୟମ୍ରେ ଗମ୍ଭୀରଙ୍କ ସହ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସାଧାରଣ ସମ୍ପାଦକ ଜୟ ଶାହାଙ୍କ କଥାବାର୍ତ୍ତା ଏହି ଚର୍ଚ୍ଚାକୁ ଇନ୍ଧନ ଯୋଗାଇଛି।
ମେ’ ୨୭ରେ ଏହି ପଦବୀ ପାଇଁ ଆବେଦନ କରିବାର ତାରିଖ ଶେଷ ହୋଇଛି। ବର୍ତ୍ତମାନ ମୁଖ୍ୟ କୋଚ୍ ଥିବା ରାହୁଲ ଦ୍ରାବିଡ଼ଙ୍କ ସମ୍ପ୍ରସାରିତ କାର୍ଯ୍ୟକାଳ ଟି-୨୦ ବିଶ୍ୱକପ୍ ୨୦୨୪ ସହିତ ଶେଷ ହେବ। ସେ ଆଉ ଏହି ପଦବୀରେ ରହିବା ପାଇଁ ଚାହାନ୍ତିନି, ତେଣୁ ଟିମ୍କୁ ନୂଆ କୋଚ୍ ମିଳିବ।
Also Read
ତେବେ ଦୌଡ଼ରେ ସର୍ବାଗ୍ରେ ଥିବା ୪୨ବର୍ଷୀୟ ଗମ୍ଭୀର କ’ଣ ଦ୍ରାବିଡ଼ଙ୍କ ଉପଯୁକ୍ତ ବିକଳ୍ପ ହୋଇପାରିବେ ଏବଂ ଦ୍ରାବିଡ଼ଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍ ଯେଉଁଠି ଅଟକିଥିଲା, ସେଠାରୁ ଆଗକୁ ନେଇ ଟିମ୍କୁ ତୁଙ୍ଗ ଶିଖରରେ ପହଞ୍ଚାଇପାରିବେ?
ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଏଥର ଜଣେ ବିଦେଶୀ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇପାରନ୍ତି। ତେଣୁ ରିକି ପଣ୍ଟିଂ, ଜଷ୍ଟିନ୍ ଲାଙ୍ଗର, ଷ୍ଟିଫେନ୍ ଫ୍ଲେମିଂଙ୍କ ଭଳି ପୂର୍ବତନ କ୍ରିକେଟର୍ଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଶାହାଙ୍କ ମନ୍ତବ୍ୟ ପରେ ଏଭଳି ସମ୍ଭାବନା କ୍ଷୀଣ ହୋଇଯାଇଛି।
ଶାହାଙ୍କ କହିବାନୁଯାୟୀ ବୋର୍ଡ ଏଭଳି ବ୍ୟକ୍ତିଙ୍କ ସନ୍ଧାନରେ ଅଛି, ଯାହାଙ୍କର ଭାରତୀୟ କ୍ରିକେଟ୍ର ଢାଞ୍ଚା ଉପରେ ଗଭୀର ଜ୍ଞାନ ଥିବ ଏବଂ ସେ ଟିମ୍କୁ ପ୍ରକୃତରେ ପରବର୍ତ୍ତୀ ସ୍ତର ପର୍ଯ୍ୟନ୍ତ ନେଇପାରିବେ। ଏଥିରୁ ଜଣେ ଭାରତୀୟ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦବୀ ପାଇବା ନେଇ ସଙ୍କେତ ମିଳୁଛି।
ସେମିତି ଦେଖିବାକୁ ଗଲେ, ଡନ୍କାନ୍ ଫ୍ଲେଚର୍ ଯିବା ପରଠାରୁ ଭାରତୀୟ ହିଁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଦାୟିତ୍ୱ ସମ୍ଭାଳି ଆସୁଛନ୍ତି। ଏହି ଜିମ୍ବାୱେ କୋଚ୍ଙ୍କ ପରେ ରବି ଶାସ୍ତ୍ରୀ (ଦୁଇ ଥର), ଅନିଲ କୁମ୍ବଲେ ଓ ରାହୁଲ ଦ୍ରାବିଡ଼ ଟିମ୍ର ଦାୟିତ୍ୱ ନେଇଥିଲେ। ଅନ୍ତରୀଣ କୋଚ୍ ଭାବେ ସଞ୍ଜୟ ବାଙ୍ଗର ଓ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ଏହି ଦାୟିତ୍ୱ ତୁଲାଇଛନ୍ତି।
ନୂଆ ମୁଖ୍ୟ କୋଚ୍ ପଦବୀ ପାଇଁ ଭାରତର ପୂର୍ବତନ ବ୍ୟାଟର୍ ତଥା ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ) ମୁଖ୍ୟ ଲକ୍ଷ୍ମଣଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଛି। ଏନ୍ସିଏରେ ପ୍ରାୟ ତିନି ବର୍ଷର କାର୍ଯ୍ୟକାଳ ସମୟରେ ସେ ଆବଶ୍ୟକସ୍ଥଳେ ଟିମ୍ ଇଣ୍ଡିଆର ଅନ୍ତରୀଣ କୋଚ୍ ରହିସାରିଛନ୍ତି, ଯାହା ଫଳରେ ଏହି ପୂର୍ବତନ ବ୍ୟାଟର୍ ମୁଖ୍ୟ କୋଚ୍ ପଦବୀ ପାଇଁ ସବୁଠାରୁ ଉପଯୁକ୍ତ ବୋଲି କୁହାଯାଉଥିଲା।
କିନ୍ତୁ ଲକ୍ଷ୍ମଣ ଏହି ପଦବୀ ପାଇଁ ବିଶେଷ ଆଗ୍ରହୀ ନୁହନ୍ତି, ଯେଉଁଠି ବର୍ଷକୁ ପ୍ରାୟ ୧୦ ମାସ ଟିମ୍ ସହ ରହିବାକୁ ପଡ଼ିବ। ଏହାପରେ ଗମ୍ଭୀରଙ୍କ ଛଡ଼ା ଆଉ କୌଣସି ବଡ଼ ନାମ ଶୁଣାଯାଉନି।
ଉଲ୍ଲେଖନୀୟ କ୍ୟାରିଅର୍:
ଖେଳାଳି ଭାବେ ଗମ୍ଭୀରଙ୍କ ଆନ୍ତର୍ଜାତିକ ଏପରିକି ଆଇପିଏଲ୍ କ୍ୟାରିଅର୍ ମଧ୍ୟ ଉଲ୍ଲେଖନୀୟ। ସେ ଜଣେ ଆକ୍ରମଣାତ୍ମକ ବାମହାତି ବ୍ୟାଟର୍ ଥିଲେ, ବିଶେଷକରି ଓପନିଂ କରୁଥିଲେ। ସେ ବିଭିନ୍ନ ସମୟରେ ନିଜ ଟିମ୍ ପକ୍ଷରୁ ଉପଯୋଗୀ ଇନିଂସ୍ ଖେଳିଛନ୍ତି।
ଗମ୍ଭୀର ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍ରେ ୨୦ ଶତକ ସହ ୧୦,୦୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ଏହାଛଡ଼ା ପ୍ରଥମ-ଶ୍ରେଣୀ କ୍ରିକେଟ୍ରେ ତାଙ୍କ ନାମରେ ୪୩ ଶତକ ସହ ୧୫,୦୦୦ରୁ ଅଧିକ ରନ୍ ରହିଛି। ଆଇପିଏଲ୍ରେ ସେ ୪,୦୦୦ରୁ ଅଧିକ ରନ୍ କରିଛନ୍ତି, ଯେଉଁଥିରେ ୩୦ ଅର୍ଦ୍ଧଶତକ ରହିଛି।
ସେ ୨୦୦୭ ଟି-୨୦ ବିଶ୍ୱକପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ୍ ଟିମ୍ର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ଉଭୟ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ସେ ଚମକପ୍ରଦ ବ୍ୟାଟିଂ ପ୍ରଦର୍ଶନ କରିଥିଲେ।
୨୦୦୭ ଟି-୨୦ ବିଶ୍ୱକପ୍ ଫାଇନାଲ୍ରେ ଗମ୍ଭୀର ଓପନିଂ କରି ୫୪ ବଲ୍ରୁ ୭୫ ରନ୍ର ଇନିଂସ୍ ଖେଳିଥିଲେ। ସେହିପରି ୨୦୧୧ ବିଶ୍ୱକପ୍ ଫାଇନାଲ୍ରେ ସେ ତିନି ନମ୍ବରରେ ବ୍ୟାଟିଂ କରି ୧୨୨ ବଲ୍ରୁ ୯୭ ରନ୍ କରିଥିଲେ।
ଗମ୍ଭୀର ୨୦୧୧ରୁ ୨୦୧୭ ଯାଏଁ ସାତ ଆଇପିଏଲ୍ ସିଜନ୍ରେ କେକେଆର୍ର ଅଧିନାୟକତ୍ୱ କରିଥିଲେ। ଏହି ସମୟରେ ଟିମ୍ ପାଞ୍ଚ ଥର ପ୍ଲେଅଫ୍କୁ ଉନ୍ନୀତ ହେବା ସହ ଦୁଇ ଥର - ୨୦୧୨ ଓ ୨୦୧୪ରେ ମୁକୁଟ ଜିତିଥିଲା। ଏହାଛଡ଼ା ତାଙ୍କ ନେତୃତ୍ୱରେ ଟିମ୍ ୨୦୧୪ରେ ଶେଷ ଥର ପାଇଁ ଆୟୋଜିତ ହୋଇଥିବା ଚାମ୍ପିଅନ୍ସ ଲିଗ୍ ଟ୍ୱେଣ୍ଟି୨୦ର ଫାଇନାଲ୍ରେ ପ୍ରବେଶ କରିଥିଲା।
ତେବେ ଗମ୍ଭୀରଙ୍କ ଆନ୍ତର୍ଜାତିକ କି ଘରୋଇ ସ୍ତରରେ କୋଚିଂ ଦେବାର ଅଭିଜ୍ଞତା ନାହିଁ, ହେଲେ ସେ ଦୁଇ ଆଇପିଏଲ୍ ଫ୍ରାଞ୍ଚାଇଜୀରେ ମେଣ୍ଟର୍ ଦାୟିତ୍ୱ ତୁଲାଇଛନ୍ତି। ୨୦୨୪ ସିଜନ୍ ପାଇଁ କେକେଆର୍ରେ ଯୋଗ ଦେବା ପୂର୍ବରୁ ସେ ଆଇପିଏଲ୍ ୨୦୨୨ ଓ ୨୦୨୩ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସର ମେଣ୍ଟର୍ ଥିଲେ। ଉଭୟ ସିଜନ୍ରେ ଲକ୍ଷ୍ନୌ ଟିମ୍ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା।
କ୍ରିକେଟ୍-ଦର୍ଶନ:
ଚଳିତ ବର୍ଷ ମାର୍ଚ୍ଚ ଆଦ୍ୟଭାଗରେ କେକେଆର୍ର ମେଣ୍ଟର୍ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ଗମ୍ଭୀର କୋଲକାତାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ୍ରେ ଟିମ୍ର ଖେଳାଳିମାନଙ୍କ ସହ କଥାବାର୍ତ୍ତା କରିଥିଲେ।
ଗମ୍ଭୀର କହୁଥିଲେ, “ଆପଣମାନେ ଏକ ବହୁତ ସଫଳ ଫ୍ରାଞ୍ଚାଇଜ୍ର ପ୍ରତିନିଧିତ୍ୱ କରୁଛନ୍ତି। ଆପଣମାନେ ସୁନିଶ୍ଚିତ କରନ୍ତୁ ଯେ ସେହିଭଳି ପ୍ରଶିକ୍ଷଣ ନେବେ, ସେହିଭଳି ଖେଳିବେ ଓ ସେହି ଦୃଷ୍ଟିକୋଣକୁ ପଡ଼ିଆକୁ ନେଇକି ଯିବେ।”
ତାଙ୍କ କହିବାନୁଯାୟୀ, “ଏହି ଗ୍ରୁପ୍ରେ ସମସ୍ତଙ୍କ ସହ ସମାନ ବ୍ୟବହାର କରାଯିବ। କେହି ସିନିଅର୍-ଜୁନିଅର୍ ନୁହନ୍ତି, କୌଣସି ଘରୋଇ-ଆନ୍ତର୍ଜାତିକ ନାହିଁ। କାରଣ ଆମର ଗୋଟିଏ ହିଁ ମିଶନ୍ ଏବଂ ତାହା ହେଉଛି ଏହି ଆଇପିଏଲ୍ ଜିତିବା।”
ଖେଳାଳିମାନଙ୍କୁ ଏକ ଗୋଷ୍ଠୀ ରୂପରେ ରଖିବା ଓ ଯୁବ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ହେଉଛି ଗମ୍ଭୀରଙ୍କ କ୍ରିକେଟ୍-ଦର୍ଶନ। ସେ କେକେଆର୍ର ହର୍ଷିତ ରାଣା ଓ ରମଣଦୀପ ସିଂହଙ୍କ ଭଳି ଯୁବ ଖେଳାଳିଙ୍କୁ ନିର୍ଭୟରେ ଖେଳିବା ପାଇଁ ପରାମର୍ଶ ଦେଇଥିଲେ।
କେକେଆର୍ ଟିମ୍ ସହ ତାଙ୍କ କଥାବାର୍ତ୍ତାରେ ଅରେଞ୍ଜ୍ କ୍ୟାପ୍ ଓ ପର୍ପଲ କ୍ୟାପ୍ ପ୍ରସଙ୍ଗ ନ ଥିଲା। ସାମୂହିକ ପ୍ରୟାସକୁ ଗୁରୁତ୍ୱ ଦିଆଯାଉଥିଲା, ଯାହାର ଫଳସ୍ୱରୂପ ଟିମ୍ ତୃତୀୟ ଥର ମୁକୁଟର ଅଧିକାରୀ ହୋଇଥିଲା।
ଗମ୍ଭୀର ଯଦି ଦ୍ରାବିଡ଼ଙ୍କ ସ୍ଥାନରେ ଭାରତୀୟ ଟିମ୍ର ମୁଖ୍ୟ କୋଚ୍ ହୁଅନ୍ତି, ତା’ହେଲେ ଟିମ୍ରେ ସେହି ଦର୍ଶନକୁ ଆଣିବେ।
କ’ଣ ରହିବ ଚାଲେଞ୍ଜ୍:
ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍ଙ୍କ କାର୍ଯ୍ୟକାଳ ୨୦୨୪ ଜୁଲାଇ ୧ରୁ ଆରମ୍ଭ ହୋଇ ୨୦୨୭ ଡିସେମ୍ବର ୩୧ରେ ଶେଷ ହେବ। ମୁଖ୍ୟ କୋଚ୍ ହେବା ସ୍ଥଳେ ଏହି ଦୀର୍ଘ କାର୍ଯ୍ୟକାଳରେ ଗମ୍ଭୀରଙ୍କୁ ଏକ ମଜଭୁତ ଟିମ୍ ଗଢ଼ିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ ସତ, କିନ୍ତୁ ଏହି ସମୟ ମଧ୍ୟରେ ସେ ଅନେକ ଚାଲେଞ୍ଜ୍ର ସମ୍ମୁଖୀନ ହେବେ।
ଏହି ସାଢ଼େ ତିନି ବର୍ଷ ମଧ୍ୟରେ ପାଞ୍ଚ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ସେଥିମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫, ଟି-୨୦ ବିଶ୍ୱକପ୍ ୨୦୨୬, ଦିନିକିଆ ବିଶ୍ୱକପ୍ ୨୦୨୭ ସହିତ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ଦୁଇଟି ଚକ୍ର (୨୦୨୩-୨୦୨୫, ୨୦୨୫-୨୦୨୭) ରହିଛି। ଏହାଛଡ଼ା ଅନେକ ଦ୍ୱିପାକ୍ଷିକ ଶୃଙ୍ଖଳା ବି ରହିଛି, ଯାହା ଦେଶରେ ଓ ବିଦେଶରେ ଖେଳାଯିବ।
ଯଦି ଟିମ୍ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ବିଫଳ ହୁଏ, ତା’ହେଲେ ତାଙ୍କ କୋଚିଂ ଦକ୍ଷତା ଉପରେ ବି ଅଙ୍ଗୁଳି ଉଠିପାରେ। ଘରୋଇ କି ଆନ୍ତର୍ଜାତିକ ସ୍ତରରେ କୋଚିଂରେ ଅନଭିଜ୍ଞତା ତାଙ୍କ ଲକ୍ଷ୍ୟପଥରେ ଅନ୍ତରାୟ ସୃଷ୍ଟି କରିପାରେ।
ମେଣ୍ଟର୍ ଭାବେ କେକେଆର୍କୁ ଆଇପିଏଲ୍ ଜିତାଇବା ଓ ଭାରତୀୟ ଟିମ୍କୁ ବିଶ୍ୱବିଜୟୀ କରାଇବା ସମାନ ଟାସ୍କ ନୁହେଁ। ଖୋଦ୍ ଗମ୍ଭୀର ଏ କଥା ଜାଣନ୍ତି।
ଏହାଛଡ଼ା ଭାରତୀୟ ଟିମ୍ରେ ତାରକା ସଂସ୍କୃତିର ପ୍ରଭାବ ଦେଖିବାକୁ ମିଳେ, ଯାହା ଠାରୁ ଗମ୍ଭୀର ଦୂରେଇ ରହିବାକୁ ପସନ୍ଦ କରନ୍ତି। ପୂର୍ବରୁ ଟିମ୍ ଇଣ୍ଡିଆର ଦୁଇ ମୁଖ୍ୟ କୋଚ୍ - ଗ୍ରେଗ୍ ଚାପେଲ୍ ଓ ଅନିଲ କୁମ୍ବଲେ ଏହି ତାରକା ସଂସ୍କୃତିକୁ ଚାଲେଞ୍ଜ୍ କରିବାକୁ ପ୍ରୟାସ କରିଥିଲେ, ହେଲେ ସଫଳ ହୋଇ ନ ଥିଲେ।
ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କ ବୟସ ୩୫ ବର୍ଷରୁ ଅଧିକ। ଅନେକ ଖେଳାଳିଙ୍କ ବୟସ ୩୦ ଦଶକରେ ଅଛି। ତେଣୁ ଗମ୍ଭୀରଙ୍କୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଟିମ୍ ଗଢ଼ିବାକୁ ହେବ।
ଅନେକଙ୍କ ବିଚାରରେ ଗମ୍ଭୀରଙ୍କ ଭିତରେ ବିଜୟର ମାନସିକତା ଅଛି। ସେ ମୁଖ୍ୟ କୋଚ୍ ହେବା ସ୍ଥଳେ ଭାରତୀୟ ଟିମ୍କୁ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତାଇପାରିବେ।
ତେବେ ଭାରତୀୟ ପ୍ରଶଂସକଙ୍କ ଉଚ୍ଚ ଆଶା, ଟିମ୍ରେ ତାରକା ସଂସ୍କୃତି ଓ ଆଇସିସି ଟୁର୍ଣ୍ଣାମେଣ୍ଟଗୁଡ଼ିକର ଚାଲେଞ୍ଜ୍କୁ ଅତିକ୍ରମ କରି ଆଗକୁ ବଢ଼ିବାରେ ଏହି ପୂର୍ବତନ ବ୍ୟାଟର୍ କେତେ ସଫଳ ହେବେ, ତାହା ସମୟ କହିବ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)