Advertisment

Sports: ୨୦୨୪ ଟି-୨୦ ବିଶ୍ୱକପ୍‌ରେ ଖେଳିବେ କି ରିଷଭ ପନ୍ତ

ପ୍ରାୟ ୧୫ ମାସ ପରେ ଆଘାତରୁ ସୁସ୍ଥ ହୋଇ ଆଇପିଏଲ୍ ଜରିଆରେ କ୍ରିକେଟ୍‌କୁ ଫେରିଛନ୍ତି ୱିକେଟ୍‌କିପର୍‌-ବ୍ୟାଟର୍ ରିଷଭ ପନ୍ତ। ଏହି ଲିଗ୍ ତାଙ୍କ ପାଇଁ ୨୦୨୪ ଟି-୨୦ ବିଶ୍ୱକପ୍ ଟିମ୍‌ରେ ସ୍ଥାନ ପାଇବା ଲାଗି ଶେଷ ସୁଯୋଗ। ଏଥିରେ ତାଙ୍କୁ ନିଜ ଫର୍ମ ଓ ଫିଟ୍‌ନେସ୍ ସାବ୍ୟସ୍ତ କରିବାକୁ ହେବ।

author-image
Biswajit Mohanty
ଅଦ୍ୟତନ ହୋଇଛି
Will Rishabh Pant play in the 2024 T-20 World Cup

Will Rishabh Pant play in the 2024 T-20 World Cup

ଚଳିତ ବର୍ଷ ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ହେବାକୁ ଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ପକ୍ଷରୁ ଖେଳିବେ କି ୱିକେଟ୍‌କିପର୍‌-ବ୍ୟାଟର୍ ରିଷଭ ପନ୍ତ?

Advertisment

କିଛି ମାସ ପୂର୍ବ ଯାଏଁ ଏ ପ୍ରଶ୍ନ ସତେ ଯେମିତି ମୂଲ୍ୟହୀନ ଥିଲା। ଟିମ୍ ମ୍ୟାନେଜ୍‌ମେଣ୍ଟ ହେଉ କିମ୍ବା ଚୟନ କମିଟି ଅଥବା ଭାରତୀୟ କ୍ରିକେଟ୍‌ପ୍ରେମୀ - କେହି ବି ପନ୍ତଙ୍କୁ ନେଇ ଏଭଳି ଚର୍ଚ୍ଚା କରୁ ନ ଥିଲେ। କିନ୍ତୁ ଏବେ ଏହି ଯୁବ ଖେଳାଳିଙ୍କୁ ନେଇ ସମସ୍ତେ ଆଶାବାଦୀ ହୋଇଯାଇଛନ୍ତି।

ପ୍ରାୟ ୧୫ ମାସ ପରେ ପନ୍ତ ଆଘାତରୁ ସୁସ୍ଥ ହୋଇ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ଜରିଆରେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ତାଙ୍କୁ ଫିଟ୍‌ନେସ୍ ସାର୍ଟିଫିକେଟ୍ ଦେଇଥିଲା।

Advertisment

ଅଧିକ ପଢ଼ନ୍ତୁ: ଛକା ଚୌକା ବର୍ଷା ପରେ ବି ପନ୍ତ ଗଣିବେ ୧୨ ଲକ୍ଷ ଫାଇନ୍‌; ଜାଣନ୍ତୁ କାରଣ..

ପନ୍ତଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ଭିନ୍ନ ଭିନ୍ନ ଫର୍ମାଟ୍‌ରେ ଶ୍ରୀକର ଭରତ, ଈଶାନ କିଶନ, ଲୋକେଶ ରାହୁଲ, ସଞ୍ଜୁ ସାମ୍‌ସନ୍‌, ଜିତେଶ ଶର୍ମା, ଧ୍ରୁବ ଜୁରେଲ୍‌ଙ୍କ ଭଳି ୱିକେଟ୍‌କିପର୍‌-ବ୍ୟାଟର୍‌ଙ୍କୁ ନେଇ ପରୀକ୍ଷାନିରୀକ୍ଷା କରିଛି। ଜୁରେଲ୍ ଟେଷ୍ଟରେ ପ୍ରଭାବିତ କରିଛନ୍ତି, ହେଲେ ସୀମିତ ଓଭର୍ ବିଶେଷକରି ଟି-୨୦ କ୍ରିକେଟ୍ ଭିନ୍ନ ଫର୍ମାଟ୍।

ସାମଗ୍ରିକ ଭାବେ ଦେଖିବାକୁ ଗଲେ, କେହି ବି ପ୍ରତିଭା, ପ୍ରଦର୍ଶନ ଓ ନିରନ୍ତରତାର ମାପକାଠିରେ ପନ୍ତଙ୍କ ସମକକ୍ଷ ନୁହନ୍ତି, ଯିଏ ଏ ଯାବତ ୧୨୯ ଆନ୍ତର୍ଜାତିକ ମ୍ୟାଚ୍ ଖେଳିସାରିଛନ୍ତି। ତେଣୁ ବୋର୍ଡ ତାଙ୍କୁ ଫିଟ୍ ଘୋଷଣା କରିବା ଟିମ୍ ପାଇଁ ଆଶ୍ୱସ୍ତିର ବିଷୟ ଥିଲା।

ସଂଘର୍ଷର ସେହି ୧୫ ମାସ:

୨୦୨୨ ଡିସେମ୍ବର ୩୦ରେ ଦିଲ୍ଲୀରୁ ଡେରାଡୁନ୍ ଯିବା ରାସ୍ତାରେ ପନ୍ତଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେତେବେଳେ ଅନୁମାନ କରାଯାଉଥିଲା ଯେ ଅତି କମ୍‌ରେ ଦୁଇ-ତିନି ବର୍ଷ ଯାଏଁ କ୍ରିକେଟ୍‌କୁ ଫେରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହେବ। ଏପରିକି ପନ୍ତଙ୍କ ଆଣ୍ଠୁ ଆଘାତକୁ ଦେଖି କେହି କେହି ତାଙ୍କ ଆନ୍ତର୍ଜାତିକ ପ୍ରତ୍ୟାବର୍ତ୍ତନକୁ ନେଇ ସନ୍ଦିହାନ ହୋଇପଡ଼ିଥିଲେ।

ପନ୍ତ ଫିଟ୍ ହୋଇ ଏଥର ଆଇପିଏଲ୍‌କୁ ଫେରିବେ ଏବଂ ୱିକେଟ୍‌କିପିଂ ସହ ଟିମ୍‌ର ନେତୃତ୍ୱ ବି ନେବେ, ଏ କଥା ଦିଲ୍ଲୀ କ୍ୟାପିଟାଲ୍ ମଧ୍ୟ ଆଶା କରୁ ନ ଥିଲା। ତେଣୁ ଫ୍ରାଞ୍ଚାଇଜୀ ୱିକେଟ୍‌କିପର୍‌-ବ୍ୟାଟର୍ ବିକଳ୍ପ ଭାବେ ୨୦୨୩ ଡିସେମ୍ବରରେ ହୋଇଥିବା ମିନି ନିଲାମୀରେ ଅଭିଷେକ ପୋରେଲ୍‌, କୁମାର କୁଷାଗ୍ର, ଶାଇ ହୋପ୍ ଓ ଟ୍ରିଷ୍ଟାନ୍ ଷ୍ଟବ୍ସଙ୍କ ଚୟନ କରିଥିଲା।

ପନ୍ତଙ୍କ ପାଇଁ ଆଶା ଠାରୁ ଶୀଘ୍ର କ୍ରିକେଟ୍‌କୁ ଫେରିବା କୌଣସି ଚମତ୍କାର ଠାରୁ କମ୍ ନ ଥିଲା। ଏଥିପାଇଁ ତାଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଛି। ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଆଗକୁ ବଢ଼ିଛନ୍ତି।

କ୍ୟାରିଅର୍‌ର ଏହି କଠିନ ସମୟରେ ତାଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀର ମୁଖ୍ୟ ତଥା ପୂର୍ବତନ କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣ ମାର୍ଗଦର୍ଶନ କରିଥିଲେ। ନିଜ ପରିବାର ଛଡ଼ା ତାଙ୍କ ପେସାଦାର ଜୀବନର କୋଚ୍ ଦିବଙ୍ଗତ ତାରକ ସିହ୍ନାଙ୍କ ସହାୟକ (କୋଚ୍‌) ଦେବେନ୍ଦ୍ର ଶର୍ମାଙ୍କ ଅକୁଣ୍ଠ ସମର୍ଥନ ତାଙ୍କୁ ମାନସିକ ଭାବେ ମଜଭୁତ କରିଥିଲା।

ଆଇପିଏଲ୍ ଶେଷ ସୁଯୋଗ:

ପନ୍ତ ଦୀର୍ଘ ଦିନ ହେଲା ଆନ୍ତର୍ଜାତିକ କ୍ରିକେଟ୍ ଖେଳି ନାହାନ୍ତି। ଟି-୨୦ ବିଶ୍ୱକପ୍ ୨୦୨୪ ପୂର୍ବରୁ ଭାରତୀୟ ଟିମ୍ ବି ଆଉ କୌଣସି ଫର୍ମାଟ୍‌ରେ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବନି। ତେଣୁ ପନ୍ତଙ୍କ ପାଖରେ ଆଇପିଏଲ୍ ସପ୍ତଦଶ ସଂସ୍କରଣ ହେଉଛି ଟି-୨୦ ବିଶ୍ୱକପ୍ ଟିମ୍‌ରେ ସ୍ଥାନ ପାଇବା ପାଇଁ ଶେଷ ସୁଯୋଗ, ଯେଉଁଠି ତାଙ୍କୁ ନିଜ ଫର୍ମ ଓ ଫିଟ୍‌ନେସ୍ ସାବ୍ୟସ୍ତ କରିବାକୁ ହେବ।

ଚଳିତ ଆଇପିଏଲ୍ ସିଜନ୍‌ରେ ପନ୍ତ ଅଧିନାୟକ, ବ୍ୟାଟର୍ ଓ ୱିକେଟ୍‌କିପର୍ - ଏହି ତିନି ଭୂମିକାରେ ଅଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବେ ସଫଳତା ନ ପାଇଲେ ବି ବ୍ୟାଟର୍ ଓ ୱିକେଟ୍‌କିପର୍ ଭାବେ ତାଙ୍କୁ ସଫଳତା ମିଳିବ ବୋଲି ଆଶା କରାଯାଉଛି। ଯଦି ସେ ଏହି ଦୁଇ ଭୂମିକାରେ ସଫଳ ହୁଅନ୍ତି, ତା’ହେଲେ ଟି-୨୦ ବିଶ୍ୱକପ୍ ଟିମ୍‌ର ଅଂଶବିଶେଷ ହେବା ଏକପ୍ରକାର ନିଶ୍ଚିତ।

ତେବେ ଉଭୟରେ ବିଫଳତା ସ୍ଥଳେ ସୁଯୋଗ ମିଳିବାର ସମ୍ଭାବନା ନାହିଁ। ଯଦି ସେ ଦୁଇ ଭୂମିକା ମଧ୍ୟରୁ କେବଳ ଗୋଟିଏରେ - ବ୍ୟାଟର୍ କି ୱିକେଟ୍‌କିପର୍ ଭାବେ ସଫଳ ହୁଅନ୍ତି, ତା’ହେଲେ ବି ତାଙ୍କର ଟିମ୍‌ରେ ସ୍ଥାନ ପାଇବା ସମ୍ଭାବନା ସେତେ ଉଜ୍ଜ୍ୱଳ ନୁହେଁ।

ଟି-୨୦ ବିଶ୍ୱକପ୍ ଟିମ୍ ଚୟନ ପାଇଁ ଚୟନକାରୀମାନେ ଖେଳାଳିଙ୍କ ସଦ୍ୟତମ ଆନ୍ତର୍ଜାତିକ ପ୍ରଦର୍ଶନ ସହ ଆଇପିଏଲ୍ ପ୍ରଦର୍ଶନକୁ ବି ବିଚାରକୁ ନେବେ। ତେଣୁ ପନ୍ତଙ୍କ ପ୍ରଦର୍ଶନ ଉପରେ ନଜର ରଖାଯାଇଛି।

ସୂତ୍ରାନୁଯାୟୀ, ଏପ୍ରିଲ୍ ଶେଷ ସୁଦ୍ଧା ଟି-୨୦ ବିଶ୍ୱକପ୍ ପାଇଁ ବିସିସିଆଇ ନିଜର ୧୫ଜଣିଆ ଖେଳାଳି ତାଲିକା ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)ରେ ଦାଖଲ କରିବ। ସେତେବେଳକୁ ଆଇପିଏଲ୍‌ର ଅନେକ ମ୍ୟାଚ୍ ସରିଯାଇଥିବ।

ତେଣୁ ଏହି ସମୟ ମଧ୍ୟରେ ପନ୍ତଙ୍କୁ ସାବ୍ୟସ୍ତ କରିବାକୁ ହେବ ଯେ ଟି-୨୦ ବିଶ୍ୱକପ୍ ଟିମ୍‌ରେ ସ୍ଥାନ ପାଇବା ପାଇଁ ସେ ଯୋଗ୍ୟ ୱିକେଟ୍‌କିପର୍‌-ବ୍ୟାଟର୍। ଅବଶ୍ୟ ମେ’ ୨୫ ମଧ୍ୟରେ ପ୍ରାରମ୍ଭିକ ତାଲିକାରେ ସଂଶୋଧନ କରାଯାଇପାରିବ।

ମାର୍ଚ୍ଚ ୩୧ ସୁଦ୍ଧା ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ସିଜନ୍‌ରେ ତିନି ମ୍ୟାଚ୍ ଖେଳିଛି। ସିଜନ୍‌ର ପ୍ରଥମ ଦୁଇ ମ୍ୟାଚ୍‌ରେ ପନ୍ତଙ୍କ ବ୍ୟାଟିଂ ପ୍ରଦର୍ଶନ ପ୍ରଭାବଶୂନ୍ୟ ଥିଲା। ସେ ୧୮ ଓ ୨୮ ରନ୍‌ର ଇନିଂସ୍ ଖେଳିଥିଲେ। ଟିମ୍ ଉଭୟ ମ୍ୟାଚ୍‌ରେ ଯଥାକ୍ରମେ ପଞ୍ଜାବ କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ ଠାରୁ ମ୍ୟାଚ୍ ହାରିଯାଇଥିଲା।

କିନ୍ତୁ ତୃତୀୟ ମ୍ୟାଚ୍‌ରେ ଦିଲ୍ଲୀ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍‌ସକୁ ହରାଇଥିଲା। ଏହି ମ୍ୟାଚ୍‌ରେ ପନ୍ତ ୩୨ ବଲ୍‌ରୁ ୫୧ ରନ୍‌ର ପ୍ରଶଂସନୀୟ ଇନିଂସ୍ ଖେଳିଥିଲେ, ଯେଉଁଥିରେ ୪ ଚୌକା ଓ ୩ ଛକା ରହିଥିଲା। ୪୬୫ ଦିନ ପରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ ତାଙ୍କୁ ଏହି ଲୟ ବଜାୟ ରଖିବାକୁ ହେବ। ଅନ୍ୟପଟେ, ତାଙ୍କ ୱିକେଟ୍‌କିପିଂ ଏବେ ଠିକ୍‌ଠାକ୍ ଅଛି।

ତେବେ ‘ମିରାକଲ୍ ମ୍ୟାନ୍‌’ ପନ୍ତଙ୍କ ପାଇଁ ପ୍ରତିଟି ଆହ୍ୱାନକୁ ପ୍ରତିହତ କରିବା ଓ ପୁରୁଣା ଫର୍ମ ହାସଲ କରିବା ଏତେ ସହଜ କଥା ନୁହେଁ। ଖୋଦ୍ ପନ୍ତ ଏ କଥା ଜାଣନ୍ତି। ବିସିସିଆଇ ବି ଜାଣେ। କିନ୍ତୁ ତାଙ୍କ ପ୍ରଶଂସକମାନଙ୍କର ଆଶା ଅଛି ଯେ ସେ ନିଜ ପ୍ରଦର୍ଶନରେ ଚମତ୍କାରିତା ଦେଖାଇ ଟି-୨୦ ବିଶ୍ୱକପ୍ ଟିମ୍‌ରେ ସ୍ଥାନ ପାଇବେ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

IPL T20 Indian Cricket Rishabh Pant T 20 World Cup
Advertisment
Advertisment