“ବିଜେପି ଦିନରେ ସ୍ୱପ୍ନ ଦେଖୁଛି।” ନିର୍ବାଚନ ବେଳେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ନବୀନ ପଟ୍ଟନାୟକଙ୍କ ଏହି ମନ୍ତବ୍ୟ ବିଜେଡି ପାଇଁ ହିଁ ‘ଦିବାସ୍ୱପ୍ନ’ ହେବ ବୋଲି କେହି କଳ୍ପନା କରିଥିଲେ? ୨୦୨୪ ନିର୍ବାଚନ ଏଭଳି ଚମତ୍କାର ହେବ ଯେ ବିଜେଡିରୁ ଜଣେ ବି ପ୍ରାର୍ଥୀ ଲୋକସଭାରେ ପାଦ ଦେଇପାରିବେ ନାହିଁ ଏବଂ ନବୀନ ଶାସନର ଅନ୍ତ ଘଟିବ?
ଷଷ୍ଠ ଥର ପାଇଁ ସରକାର କରିବାର ସ୍ପଷ୍ଟ ଚିତ୍ର ମଳିନ ପଡିଯାଇଛି। ୧୪୭ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରେ ବିଜୁ ଜନତା ଦଳ (ବିଜେଡି) ମାତ୍ର ୫୧ଟି ଆସନ ପାଇଛି। ଏହାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପି ୭୮ଟି ସିଟ୍ ହାତେଇ ରାଜ୍ୟରେ ସରକାର ଗଠନ ପାଇଁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ପଶ୍ଚିମ ଓଡ଼ିଶାର କାଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରେ ନବୀନ ପଟ୍ଟନାୟକ ଆଶ୍ଚର୍ଯ୍ୟଜନକ ଭାବେ ପରାସ୍ତ ହୋଇଥିବାବେଳେ ହିଞ୍ଜିଳିରୁ ଅଳ୍ପ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ତେବେ କୌତୁହଳର ବିଷୟ ହେଉଛି, ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବିଜେପି ଲୋକସଭା ନିର୍ବାଚନରେ ୨୧ଟି ଆସନ ମଧ୍ୟରୁ ୨୦ଟି ଏବଂ ଗୋଟିଏ କଂଗ୍ରେସ ଜିତିଛି। ୨୦୧୯ରେ ବିଜେପି ରାଜ୍ୟରୁ ମାତ୍ର ଆଠଟି ଆସନ ଜିତିଥିଲା।
Also Read
ଅପରପକ୍ଷେ, ୨୦୧୯ରେ ୧୨ ଟି ଲୋକସଭା ଆସନ ପାଇଥିବା ବିଜେଡି ଏଥର ଗୋଟିଏ ବି ଆସନ ଜିତିପାରି ନାହିଁ। ବିଜେଡିର ଏହି ବିପର୍ଯ୍ୟୟ ପଛରେ ଗୁରୁତ୍ୱପୂର୍ଣ୍ଣ କାରଣ ଭାବେ ଭି.କେ. ପାଣ୍ଡିଆନ୍ ଏବଂ ତାଙ୍କ ଉପରେ ନବୀନଙ୍କ ପ୍ରଗାଢ଼ ଆତ୍ମବିଶ୍ୱାସ ବୋଲି କୁହାଯାଉଛି। ପାଣ୍ଡିଆନ୍ ଅକ୍ଟୋବର ୨୦୨୩ରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ।
ଏହା ପରେ ସେ ବିଜେଡିରେ ଯୋଗ ଦେଇଥିଲେ ମଧ୍ୟ କୌଣସି ପଦ ପଦବୀ ମିଳି ନ ଥିଲା। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀପାହ୍ୟା ପ୍ରଦାନ କରାଯାଇଥିଲା। ଯାହାଦ୍ୱାରା ସେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଏକ ମୁକ୍ତହସ୍ତ ଥିଲେ। ଆଉ ଏହା ହିଁ ରାଜ୍ୟର ଶାସନ ତଥା ବିଜେଡିର କାର୍ଯ୍ୟକଳାପ ଉପରେ ନିର୍ଣ୍ଣାୟକ ପ୍ରଭାବ ପକାଇଥିଲା।
ତେବେ ପାଣ୍ଡିଆନଙ୍କୁ ପାୱାର ଦେଇଥିଲା କିଏ? ବିଜେଡିର ଶୋଚନୀୟ ପରାଜୟ ପରେ ନବୀନଙ୍କ ପ୍ରତି ଲୋକଙ୍କ ସହାନୁଭୂତି ବହୁ ଗୁଣରେ ବଢିଯାଇଥିବା ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନବୀନ ପଟ୍ଟନାୟକ ଏକାକୀ ରାଜଭବନ ଯିବାର ଚିତ୍ର ରାଜ୍ୟବାସୀଙ୍କ ମଧ୍ୟରେ ଏକ ଦୁଃଖଦ ମୁହୂର୍ତ୍ତ ସୃଷ୍ଟି କରିଛି l
ଏହାକୁ ଭୁଲିବା ଅନୁଚିତ ଯେ, ୨୦୧୨ ମସିହାରୁ ଆଜିଯାଏଁ ବିଜେଡି ସରକାର ଓ ଦଳର ନେତୃତ୍ୱ ନେଇଥିଲେ ପାଣ୍ଡିଆନ। ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ସ୍ୱର୍ଗତଃ ପ୍ୟାରୀ ମୋହନ ମହାପାତ୍ରଙ୍କୁ ଏକ ବିବାଦୀୟ ପରିସ୍ଥିତିରେ ଦଳରୁ ବିଦାୟ କରାଯିବା ପରେ ପାଣ୍ଡିଆନଙ୍କ ରଣକୌଶଳ ଦ୍ୱାରା ବିଜେଡିକୁ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ଅଭୂତପୂର୍ବ ବିଜୟ ମିଳିଥିଲା।
ତେବେ ବିରୋଧୀଙ୍କ ଆହ୍ୱାନ କ୍ରମେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବା ଏବଂ ଚଳିତ ନିର୍ବାଚନରେ ଚାରିଆଡେ ବୁଲି ଦଳ ପାଇଁ ପ୍ରଚାର କରିବା ପରେ ପାଣ୍ଡିଆନ ବିଜେଡିର ଉତ୍ତରାଧିକାରୀ ବୋଲି ଲୋକଙ୍କ ମଧ୍ୟକୁ ବାର୍ତ୍ତା ଯାଇଥିଲା। ଯାହାର ସ୍ପଷ୍ଟୀକରଣ ବହୁ ବିଳମ୍ବରେ ଦେଇଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।
ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ହିଁ ଲୋକଙ୍କ ମଧ୍ୟରେ ଏହି 'ଆଶଙ୍କା' ଦେଖାଦେଇଥିଲେ ମଧ୍ୟ ସେହି ସମୟରେ ହିଁ ସ୍ପଷ୍ଟ କରାଗଲା ନାହିଁ କାହିଁକି? ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ଦଳର ବିଭିନ୍ନ ସମୀକ୍ଷା ଓ ଆଲୋଚନା କାର୍ଯ୍ୟକ୍ରମ ପାଣ୍ଡିଆନଙ୍କ ଅନୁପସ୍ଥିତିରେ ଖୋଦ ନବୀନ ପଟ୍ଟନାୟକ କରିଛନ୍ତି। ତେବେ ନବୀନଙ୍କ ଏଭଳି ସକ୍ରିୟତା ରାଜ୍ୟର ଚାରିଟିଯାକ ନିର୍ବାଚନୀ ପର୍ଯ୍ୟାୟରେ ଦେଖିବାକୁ ମିଳିଲା ନାହିଁ। ଏହି ବିଷୟ ମଧ୍ୟ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି।
ପୂର୍ବରୁ ପ୍ୟାରୀ ମୋହନ ଏବଂ ନବୀନଙ୍କ ବୟସାଧିକ ସମୟରେ ଏବେ ପାଣ୍ଡିଆନ ଦଳର କାର୍ଯ୍ୟଭାର ତୁଲାଇ ଶେଷରେ ଅପ୍ରିୟ ହୋଇଥିଲେ ହେଁ ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ଓ ଲୋକପ୍ରିୟତା ଅକ୍ଷୁଣ୍ଣ ରହିଛି। ମେଂଟ ହୋଇଥିଲେ କ’ଣ ହୋଇଥାନ୍ତା: ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ମିଳିତ ମେଣ୍ଟ ହେବା ନେଇ ଚର୍ଚ୍ଚା ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଚର୍ଚ୍ଚାରେ ଶୁଣାଯାଇଥିଲା ଯେ ବିଜେପି କାଳେ ବିଧାନସଭାସଭା ଏବଂ ଲୋକସଭା କ୍ଷେତ୍ରରେ ଅଧିକ ଆସନ ଚାହୁଁଛି।
ଯଦି ବିଜେଡି ଏଥିରେ ରାଜି ହୋଇଥାନ୍ତା ତାହେଲେ ନବୀନ ଷଷ୍ଠ ଥର ପୁଣି ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ ବୋଲି ଏବେ ଚର୍ଚ୍ଚା ହେଉଛି। ଓଡ଼ିଶା ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରି ବିଜେଡି ଯଦି ସରକାର କରିବାକୁ ସକ୍ଷମ ହୋଇଥାନ୍ତା ତାହେଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ଦେଶର ସର୍ବାଧିକ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିବା ତାଲିକାରେ ସର୍ବାଗ୍ରେ ନବୀନଙ୍କ ସ୍ଥାନ ଥାଆନ୍ତା। ସେ ଭାରତ ରାଜନୀତିରେ ସୃଷ୍ଟି କରିଥାନ୍ତେ ସ୍ୱର୍ଣ୍ଣିମ ଇତିହାସ।
ତେବେ ଏହାର ସମସ୍ତ ଶ୍ରେୟ ପାଣ୍ଡିଆନଙ୍କୁ ଯାଇଥାନ୍ତା! ଦଳର ନିର୍ବାଚନୀ ପରିଚାଳନା ମୁଖ୍ୟ ଦାୟିତ୍ୱ ତୁଲାଇଥିବା କାର୍ତ୍ତିକେୟନ ପାଣ୍ଡିଆନ ହୋଇଥାନ୍ତେ ହିରୋ! ହେଲେ ହାର୍ ପରେ ଦୁଇଦିନ ଧରି ନବୀନ ନିବାସରେ ବିନା କାହାରି ମାଧ୍ୟମରେ ବର୍ତ୍ତମାନ ନବୀନ ପଟ୍ଟନାୟକ ନେତାଙ୍କ ସହିତ ଯେଉଁ ସମୀକ୍ଷା କରୁଥିବା ଚିତ୍ର ସାମ୍ନାକୁ ଆସୁଛି ବୋଧେ ସେଭଳି ସୁଯୋଗ ଆସିନଥାଆନ୍ତା।
ସିଧାସଳଖ ମିଡ଼ିଆ ସାମ୍ନାକୁ ଆସି ନବୀନ ପଟ୍ଟନାୟକ କହିଛନ୍ତି, "ମୁଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ସମୟରେ ଓଡ଼ିଶାର ଗରିବୀ ୭୦% ଥିଲା। ୨୪ବର୍ଷର ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ୧୦% ରହିଛି l" ବୋଧେ ଏଭଳି ଘଟଣା ମନେପକାଇବାର ସ୍ଥିତି ମଧ୍ୟ ସୃଷ୍ଟି ହୋଇ ନ ଥାନ୍ତା। ଦଳ, ନେତା, କର୍ମୀ ଏବଂ ରାଜନୈତିକ ସ୍ଥିତିକୁ "ଅଣଦେଖା" କରି ସୁନିଶ୍ଚିତ ବିଜୟକୁ ଆହ୍ୱାନ କରିବା ମହଙ୍ଗା ପଡ଼ିଲା? ବିଜେଡି ଭଳି ରାଜ୍ୟର ତୃଣମୂଳସ୍ତରରେ ସଂଗଠନ ସଜାଡି ନ ଥିବା ବିଜେପିକୁ ଲୋକେ ଅଧିକ ବିଶ୍ୱାସ କଲେ। ଆଉ ଯେଉଁ ଜନାଦେଶ ସାମ୍ନାକୁ ଆସିଲା ତାହା ବି ସମସ୍ତଙ୍କୁ ଚମକାଇଦେଲା।
ଇମେଲ୍: dksawat@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)