• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବର୍ଷା ଥମିଛି, ମହାନଦୀ ତଳମୁଣ୍ଡରେ ଜଳ ପ୍ରବାହ ସାମାନ୍ୟ ହ୍ରାସ ବି ପାଇଛି। କିନ୍ତୁ, ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା। କାରଣ ମହାନଦୀ, ବୈତରଣୀ, ବ୍ରାହ୍ମଣୀର ଶାଖାନଦୀର ବନ୍ୟାପାଣି ଗାଁ ଗାଁରେ ପଶିଛି। ଫଳରେ ୨ଦିନ ହେଲା ଜଳବନ୍ଦୀ ଜୀବନ ଜୀଉଁଛନ୍ତି ଲୋକେ। ଏପରିକି କେଉଁଠି ଘାଇ ହୋଇଛି, ତ ଆଉ କେଉଁଠି ଜୀବନ ନେଇଛି ବର୍ଷର ଏହି ପ୍ରଥମ ବନ୍ୟା। ଏସବୁ ଭିତରେ ଜଳସ୍ତର ବଢୁଥିବାରୁ ହୀରାକୁଦ ଡ୍ୟାମର ଆଜି ୧୨ଟି ଗେଟକୁ ଖୋଲିଦିଆଯାଇଛି।

କେଉଁଠି ଧସିପଡ଼ିଲାଣି ସୁରକ୍ଷାର ବାଡ଼...ତ କେଉଁଠି ଘାଇ ହୋଇ ମାଡ଼ିଗଲାଣି ବନ୍ୟା ପାଣି..ରାସ୍ତାଘାଟ, ଗାଁ ଗଣ୍ଡା, ଚାଷବାସ...ଜଳପ୍ରଳୟରେ ବାରି ହେଉନି ଥଳକୂଳ। ମହାନଦୀର ଶାଖା ନଦୀରେ ମାଡ଼ି ଆସିଥିବା ଆଣ୍ଠୁଏ ଉଚ୍ଚର ପାଣି ଭିତରେ ଏମାନେ କଷ୍ଟକର ଜୀବନ ଜୀଉଁଛନ୍ତି। ପୁରୀ ଜିଲ୍ଲା ଦୋକନ୍ଦା ଗାଁରେ ଗତ ରାତିରେ ପାଣି ପଶିଛି। ଦୟା, ମକରା ଏବଂ ରାଜୁଆ ନଦୀର ଉଚ୍ଛୁଳା ପାଣି ଉବୁଟୁବୁ କରିଛି ସମସ୍ତଙ୍କୁ। ତେଣେ ଦେବୀନଦୀର ଶାଖା ଭଉଁରିଆ ନଦୀରେ ଘାଇ। ଅସ୍ତରଙ୍ଗ ପୁଇଁ ଚାନ୍ଦିଆଠାରେ ୨୫ ଫୁଟର ଘାଇ ଯୋଗୁ ଜଳାର୍ଣ୍ଣବ ହୋଇଯାଇଛି ପୂଇଁଚାନ୍ଦିଆ, ଅନତା, ବରାଙ୍ଗ, ଆଳସାହି ଗାଁ। 

ଜଗତସିଂପୁର ଜିଲ୍ଲାରେ ବି ତାଉ ଦେଖାଇଛି ମହାନଦୀର ବଢ଼ିପାଣି। ଏଠି ବି ବୁଡ଼ିଛି ଗାଁ ଭୂଇଁ। ଜଳାର୍ଣ୍ଣବ ହୋଇଯାଇଛି ଚାଷବାସ। କୁଜଙ୍ଗ ବ୍ଲକ ତେରମାଣପୁର ଗାଁ ନିକଟରେ ସୃଷ୍ଟି ହୋଇଛି ୨୦ ଫୁଟର ଘାଇ। ବ୍ୟାପକ ଅଞ୍ଚଳକୁ ପାଣି ମାଡ଼ିଯାଇଥିବାବେଳେ ଜଳବନ୍ଦୀ ହୋଇ ରହିଛି କୋଟସାହି ଇଲାକା। ମହାନଦୀର ଜଳସ୍ତର ସାମାନ୍ୟ କମିଥିଲେ ବି କଟକ ଜିଲ୍ଲା ବାଙ୍କୀର ତଳିଆ ଅଂଚଳର ଲୋକଙ୍କୁ କିନ୍ତୁ ତ୍ରାହି ନାହିଁ। ଡମପଡା ବ୍ଲକର କାଇଁମୁଣ୍ଡି ଗାଁ, ଶିମିଳିପୁର ପଂଚାୟତର ଶୁଖୁଆଖଳା ଗାଁରେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। 

ସେପଟେ ଭଦ୍ରକ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ଖସିଥିଲେ ବି ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପ୍ରଭାବିତ ହୋଇଛି ଧାମନଗର, ଭଣ୍ଡାରୀପୋଖରୀ, ତିହିଡ଼ି, ଚାନ୍ଦବାଲି ବ୍ଲକ। ବନ୍ୟାରେ ନିଖୋଜ ଧାମନଗର ବ୍ଲକର ଜଣେ ନାବାଳକ ଓ ଜଣେ ବୃଦ୍ଧାଙ୍କ ମୃତଦେହ ମିଳିଥିବାବେଳେ ଭଣ୍ଡାରୀପୋଖରୀ ବ୍ଲକରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସରକାରୀ ଭାବେ କୁହାଯାଇନାହିଁ।

ଅପରପକ୍ଷେ ଜଳବନ୍ଦୀ ସମସ୍ୟା ଭିତରେ ଔଷଧ ଏବଂ ଖାଦ୍ୟ ପାଇଁ ହଇରାଣ ହେଉଛନ୍ତି ଗର୍ଭବତୀ, ରୋଗୀ ଏବଂ ଗୃହପାଳିତ ପଶୁ। ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କନ୍ତିଆରେ ଘାଇ ଯୋଗୁ ୩୫ରୁ ଅଧିକ ପରିବାର ଜଳବନ୍ଦୀ ଅବସ୍ଥାରେ। ବ୍ରାହ୍ମଣୀର ଜଳସ୍ତର ଖସୁଥିଲେ ବି ବନ୍ୟା ପୀଡିତଙ୍କ ଦୁର୍ଦ୍ଦଶା କମୁନି। ଅନେକ ପରିବାର ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି। ତେଣେ ଗତରାତିରେ ମହାନଦୀର ବଢ଼ିପାଣି କେନ୍ଦ୍ରାପଡ଼ା ଏବଂ ନୟାଗଡ଼ ଜିଲ୍ଲାର ବହୁ ଗାଁକୁ ମାଡ଼ିଯାଇଥିବାରୁ ବଢ଼ିଯାଇଛି ଲୋକଙ୍କ ଯନ୍ତ୍ରଣା। 

ତେବେ ଉପରମୁଣ୍ଡରେ ବର୍ଷା ଯୋଗୁ ମନ୍ଦିରା ଡ୍ୟାମର ୧୧ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଥିବାବେଳେ ଶଙ୍ଖ ଏବଂ ବ୍ରାହ୍ମଣୀ ନଦୀରେ ମାଡ଼ିଆସିଛି ବଢ଼ି ପାଣି। ଅପରପକ୍ଷେ ଆଜି ହୀରାକୁଦ ଡ୍ୟାମରୁ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ କରାଯାଇଛି। ଫଳରେ ତଳମୁଣ୍ଡରେ ଜଳସ୍ତର ବଢ଼ିବାର ଆଶଙ୍କା ଥିଲେ ବି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ସେଭଳି କୌଣସି ସମସ୍ୟା ହେବନି।