Advertisment

ଗବ୍ବର ସିଂହ କିଏ ? ଟନେଲରୁ ବାହାରିବା ପରେ କାହିଁକି କୁଣ୍ଢେଇ ପକେଇଲେ ଧାମୀ ?

ଉତ୍ତରକାଶୀ ସଫଳ ଟନେଲ୍ ଅପରେସନକୁ ନେଇ ଆଶ୍ୱସ୍ତ ଦେଶ । 'ଚିନୁକ'ରେ ଶ୍ରମିକଙ୍କୁ ନିଆଗଲା ରିଷିକେଶ AIIMS ।

author-image
Satyendu Shekher Mishra
Tunnel Tragedy

Tunnel Tragedy

ଉତ୍ତରକାଶୀ ସଫଳ ଟନେଲ୍ ଅପରେସନକୁ ନେଇ ଆଶ୍ୱସ୍ତ ଦେଶ । ଦୀର୍ଘ ୧୭ ଦିନ ପରେ ସମସ୍ତ ୪୧ ଶ୍ରମିକ ସୁରକ୍ଷିତ ଉଦ୍ଧାର ହେବା ପରେ ଚାରିଆଡ଼େ ଖୁସିର ଲହରି। ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାୟୁସେନା ହେଲିକପଟର ଚିନୁକରେ ରିଷିକେଶ AIIMSକୁ ନିଆଯାଇଛି । 

Advertisment

ଏମାନଙ୍କ ଅଦମ୍ୟ ସାହସକୁ ସଲାମ୍... ଅସୀମ ଧୈର୍ଯ୍ୟକୁ ସଲାମ୍... ଆଶଙ୍କାର ଅନ୍ଧାରୀ ସୁଡ଼ଙ୍ଗରେ ଆଶାର ଦୀପକୁ ଜାଳି ରଖିଥିବା ମନୋବଳକୁ ଶତ ଶତ ସଲାମ୍। ଯେଉଁ ଟନେଲର ଗୋଟିଏ ଅଂଶ ଭୁଶୁଡ଼ି ସାରିଛି, ସେଭଳି ଟନେଲ ଭିତରେ ୧୭ ଦିନ ଓ ୧୬ ରାତି କାଟିବା ପରେ ବି ସେମାନଙ୍କ ମୁହଁରେ ହସ । ଟନେଲରୁ ବାହାରିବା ପରେ, ଆଜି କ୍ୟାମେରା ସାମ୍ନାରେ ନିଜର ଅନୁଭୂତି ବଖାଣିଛନ୍ତି କିଛି ଶ୍ରମିକ। 

କହିଛନ୍ତି, ୧୨ ତାରିଖ ଦିନ ଅଚାନକ୍ ଯେତେବେଳେ ଟନେଲ୍ ଭିତରେ ପଥର ଭୁଶୁଡ଼ିବାର ଶବ୍ଦ ଗର୍ଜି ଉଠିଲା, ସମସ୍ତେ ଭାବିଥିଲେ ଆଜି ହିଁ ହୁଏତ ସେମାନଙ୍କ ଜୀବନର ଶେଷଦିନ। ପ୍ରଥମ ୧୮-୨୦ ଘଣ୍ଟା ଥିଲା ଅତ୍ୟନ୍ତ ଆତଙ୍କ ଓ ଦୁଶ୍ଚିନ୍ତାର ମୁହୂର୍ତ୍ତ। ତେବେ ବାହାରୁ ଅକ୍ସିଜେନ୍, ଖାଦ୍ୟ, ପାନୀୟ ଓ ଆବଶ୍ୟକ ସାମଗ୍ରୀ ସହିତ ୨୪ ଘଣ୍ଟିଆ ରେସ୍କ୍ୟୁ ଅପରେସନର ସୂଚନା ମିଳିବା ପରେ ଯାଇ ସେମାନେ ଆଶ୍ୱସ୍ତ ହୋଇଥିଲେ।

Advertisment

ଏଥିସହ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଆଶ୍ୱାସନା ସେମାନଙ୍କ ମନୋବଳକୁ ଆହୁରି ଦୃଢ଼ କରିଥିଲା। ତେଣେ ଟନେଲ୍ ଭିତରେ ଆହୁରି ୨୫ ଦିନର ଖାଦ୍ୟ ବଳିଥିବା ସୂଚନା ମିଳିଛି।  

ଗତକାଲି ଉଦ୍ଧାର ହେବା ପରେ ନିକଟସ୍ଥ ଚିନ୍ୟାଲିସୌରରେ ନିର୍ମିତ କାମଚଳା ହସ୍ପିଟାଲରେ ହୋଇଥିଲା ୪୧ ଶ୍ରମିକଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା। ସ୍ପଷ୍ଟ ହୋଇଥିଲା ଯେ, କାହାକୁ ବାହ୍ୟ ଆଘାତ ଲାଗିନି କି କେହି ଗୁରୁତର ନାହାନ୍ତି। ତେବେ ସେମାନେ ୧୭ ଦିନ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଏକ ଆବଦ୍ଧ ପରିବେଶରେ ରହିଥିବାରୁ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି ସରକାର। ତେଣୁ ଅଧିକ ତଥା ତ୍ୱରିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସମସ୍ତଙ୍କୁ ବାୟୁସେନାର ଚିନୁକ ଚପରରେ ଦେଢ଼ ଶହ କିଲୋମିଟର ଦୂର ରିଶିକେଶ ଏମ୍ସକୁ ଏୟାର ଲିଫ୍ଟ କରାଯାଇଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଜି ସମସ୍ତ ଶ୍ରମିକଙ୍କୁ ଭେଟି ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ସେପଟେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ସହ ଫୋନରେ କଥା ହୋଇଥିବା ବେଳେ, ଖୁବ୍ ଶୀଘ୍ର ସେମାନଙ୍କୁ ଭେଟିବା ଲାଗି ଉତ୍ତରାଖଣ୍ଡ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

ଗବ୍ବର ସିଂ ନେଗି, ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ମଧ୍ୟରୁ ଜଣେ। ଏଭଳି ବିପଦ ବେଳାରେ ଭାଙ୍ଗି ନପଡ଼ି ଗବ୍ବର ସିଂ ଟନେଲ ଭିତରେ ନେଇଥିଲେ ସାଥୀ-ଶ୍ରମିକଙ୍କ ନେତୃତ୍ୱ । ସମସ୍ତଙ୍କ ମନୋବଳ ବଢ଼ାଇଥିଲେ ଏବଂ ସେ ହିଁ ସେମାନଙ୍କ ସୁବିଧା ଅସୁବିଧା କଥା ୱାକିଟକିରେ ପ୍ରଶାସନକୁ ନିୟମିତ ଜଣାଉଥିଲେ। ଖାଲି ଏତିକି ନୁହେଁ, କାଲି ଉଦ୍ଧାରକାର୍ଯ୍ୟ ବେଳେ ସମସ୍ତଙ୍କୁ ଆଗ ପାଇପ ବାଟେ ପଠାଇ ନିଜେ ସବୁଠୁ ଶେଷରେ ବାହାରିଥିଲେ। କହିଥିଲେ ଯେ, ମୁଁ ସବୁଠୁ ସିନିୟର, ତେଣୁ ମୁଁ ସବା ଶେଷରେ ଯିବି। ଗତକାଲି ଗବ୍ବରଙ୍କୁ ଫୁଲମାଳ ଦେଇ କୁଣ୍ଢାଇ ପକାଇଥିଲେ ଧାମି । ଆଉ ମୋଦି ମଧ୍ୟ ଫୋନରେ ତାଙ୍କ ସହ ପ୍ରଥମେ କଥା ହୋଇ ସାବାସୀ ଦେଇଥିଲେ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଅଗର୍ ମେସିନ ଫେଲ୍ ମାରିବା ପରେ ଧିରେ ଧିରେ ପଥର ଖୋଳିଲେ ସଫଳତା ମିଳିପାରେ ବୋଲି ପରାମର୍ଶ ଦେଇଥିଲେ ଅନ୍ତର୍ଜାତୀୟ ଟନେଲ୍ ଏକ୍ସପର୍ଟ ଆର୍ନଲ୍ଡ ଡିକ୍ସ। ଏହାପରେ ଉଦ୍ଧାରକାରୀଙ୍କ ମନକୁ ଆସିଥିଲା ଦିଲ୍ଲୀ ଜଳବୋର୍ଡର ରାଟ୍-ହୋଲ ମାଇନରଙ୍କ କଥା। ନିଜ ଅଭିଜ୍ଞତାର କମାଲ୍ ଦେଖାଇଥିବା ଏହି ରାଟ୍-ମାଇନର୍ ମାନଙ୍କ ପାଇଁ ଧାମି ୫୦ହଜାର ଟଙ୍କା ଲେଖାଏଁ ରସ୍କାର ରାଶି ଘୋଷଣା କରିଥିବା ବେଳେ, ସେପଟେ ୪୧ ଜୀବନ ମୃତ୍ୟୁର ମୁହଁରୁ ଫେରିଆସିଥିବାରୁ ଟନେଲ୍ ବାହାରେ ପ୍ରତିଷ୍ଠିତ ଅସ୍ଥାୟୀ ମନ୍ଦିରରେ ଭଗବାନଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଦେଶୀ ବିଶେଷଜ୍ଞ ଡିକ୍ସ।

Advertisment
Advertisment