/odishatv-khabar/media/post_attachments/uploadimage/library/16_9/16_9_0/Vastu_1755944126.jpg)
Vastu
ପରମେଶ୍ୱର ଜଗତରେ ଯେତେ ପ୍ରାଣୀ ସୃଷ୍ଟି କରିଛନ୍ତି ତାହା ମଧ୍ୟରେ ମାନବ ସର୍ବଶ୍ରେଷ୍ଠ । ଗୃହପାଳିତ ପଶୁ ବ୍ୟତୀତ ଅନ୍ୟ ପ୍ରାଣୀମାନେ ରହିବା ପାଇଁ ନିଜର ବୁଦ୍ଧି ବଳରେ ନିଜର ବାସସ୍ଥାନ ନିର୍ମାଣ କରି ରହୁଛନ୍ତି । ଯେମିତି ପକ୍ଷୀମାନେ ନିଜ ପାଇଁ ବସା ବାନ୍ଧି ରହୁଛନ୍ତି । ମନୁଷ୍ୟମାନେ ନିଜର ବୁଦ୍ଧି ଓ ଜ୍ଞାନ ବଳରେ ଗୃହ ନିର୍ମାଣ କରି ରହୁଛନ୍ତି । ଏହି ଗୃହ ନିର୍ମାଣର ନିୟମ ସବୁ ବାସ୍ତୁଶାସ୍ତ୍ରରେ ଲେଖାଯାଇଛି । ବାସ୍ତୁବିଦ୍ୟା ଆମ ପ୍ରାଚୀନ ଶାସ୍ତ୍ର ବିଦ୍ୟା ଭିତରୁ ଅନ୍ୟତମ ଏବଂ ବହୁତ ଉପଯୋଗୀ ମଧ୍ୟ । ଏହା ଏକ ଗୁପ୍ତ ବିଦ୍ୟା । ଏହାର ମହାନତା ଉପରେ ତିଳେ ହେଲେ ବି ସନ୍ଦେହ ନାହିଁ । ଏହା ପ୍ରାଚୀନ କାଳରୁ ସର୍ବବ୍ୟାପି, ସ୍ୱୟଂସିଦ୍ଧ ଏବଂ ସର୍ବସ୍ୱୀକୃତ ପ୍ରାପ୍ତ । ଏହାର ମୂଳ ଜ୍ଞାନ ବେଦରୁ ହିଁ ଆସିଛି । ଆମର ମୁନିଋଷିମାନେ ବେଦ ଓ ପୁରାଣ ଶାସ୍ତ୍ରରୁ ଏହି ବିଦ୍ୟାକୁ ଆଣି ବାସ୍ତୁଶାସ୍ତ୍ର ରଚନା କରିଛନ୍ତି ।
ଏହି ବିଦ୍ୟା ଭିତରେ ତତ୍ତ୍ୱ ଯଥା ଅଗ୍ନି, ଜଳ, ବାୟୁ, ପୃଥିବୀ ଓ ଆକାଶ ତ୍ୱର ସମ୍ପୁର୍ଣ୍ଣ ଜ୍ଞାନ ସହିତ ଗୃହ ମଧ୍ୟରେ ଏହି ତ୍ୱର ବ୍ୟବହାର ଏବଂ ଏହି ତ୍ୱଗୁଡ଼ିକ ସନ୍ତୁଳନ ରକ୍ଷା କରିବାର ଉପାୟ ଆଦି ଦେଇଛନ୍ତି । ତା’ ସହିତ ଆତ୍ମା, ପରମାତ୍ମା, ମନୁଷ୍ୟର ଜନ୍ମ, ମୃତ୍ୟୁ, କର୍ମଫଳ, ପ୍ରାରବ୍ଧ ଆଦି ସବୁର ଜ୍ଞାନ ରହିଛି । ଏଣୁ ଏହି ଶାସ୍ତ୍ରକୁ ଆମେ ଯଦି ଠିକ୍ ଭାବରେ ବୁଝି ନିଜ ଜୀବନରେ ବ୍ୟବହାରକୁ ଆଣି ପାରିଲେ ତେବେ ଅନେକ ଶୁଭଫଳ ଆମକୁ ପ୍ରାପ୍ତ ହେବ ।
ବାସ୍ତୁଶାସ୍ତ୍ରରେ ଐଶାନ୍ୟ କୋଣ ଓ ନୈଋତ୍ୟ କୋଣର ବିଶେଷ ମହତ୍ୱ ରହିଛି । ଏହି ଦୁଇ କୋଣ ମଧ୍ୟରୁ ଐଶାନ୍ୟ କୋଣର ମହିମା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯଦି ଏହି ଦୁଇ କୋଣରେ କିଛି ବି ଦୋଷତୃଟି ଥାଏ । ତେବେ ଗୃହର ଅନ୍ୟସ୍ଥାନ ଯେତେ ବାସ୍ତୁ ଅନୁକୂଳ ନିର୍ମିତ ହୋଇଥିଲେ ମଧ୍ୟ ଗୃହବାସୀଙ୍କର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ । ଏଥି ପାଇଁ ବାସ୍ତୁଶାସ୍ତ୍ରରେ ଐଶାନ୍ୟ କୋଣରେ ପୂଜାସ୍ଥଳ କରିବା ପାଇଁ ପରାମର୍ଶ ରହିଛି । ବାସ୍ତୁ ପୁରୁଷଙ୍କର ସ୍ଥିତିକୁ ବିଚାର କଲେ, ଐଶାନ୍ୟ କୋଣରେ ବାସ୍ତୁ ପୁରୁଷଙ୍କ ମସ୍ତକର ଅବସ୍ଥିତି ରହିଛି । ଶିବଙ୍କର ଅନେକ ନାମ ମଧ୍ୟରୁ ଏହି ସ୍ଥାନ ଶିବଙ୍କର ଇଶାନ ନାମରେ ମଧ୍ୟ ପ୍ରସିଦ୍ଧ । ଆପଣମାନେ ଶୁଣିଥିବେ ପ୍ରାୟତଃ ଗାଁ ଗହଳର ଲୋକମାନେ ମୁଏହାକୁ ଇଶାନ କୋଣ ମଧ୍ୟ କହିଥାନ୍ତି ।
ଯେହେତୁ ଐଶାନ୍ୟ କୋଣ ମହାଦେବଙ୍କ ସ୍ଥାନ ଏବଂ ଏହି ସ୍ଥାନକୁ ଦେବତାଙ୍କ ଗୁରୁ ବୃହସ୍ପତିଙ୍କ ସ୍ଥାନ ମଧ୍ୟ କୁହାଯାଏ । ଏଣୁ ଏହି ସ୍ଥାନକୁ ଆମ ଶାସ୍ତ୍ରରେ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଛି । ଏଣୁ ଏହି ସ୍ଥାନକୁ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏବେ ଜାଣିବା କ’ଣ କ’ଣ ଭୁଲ୍ ହୋଇଥିଲେ ଐଶାନ୍ୟ କୋଣରେ ବାସ୍ତୁଦୋଷ ଅଛି ବୋଲି ଜାଣିବା ।
୧. ଏହି ସ୍ଥାନରେ ସିଡି ଗୃହ ନିର୍ମାଣ ହୋଇଥିଲେ ଅତ୍ୟନ୍ତ ଖରାପ ପ୍ରଭାବ ଘର ଲୋକଙ୍କ ଉପରେ ପଡ଼ିଥାଏ ।
୨. ଏହି ସ୍ଥାନ ଗୃହର ଅନ୍ୟ ସ୍ଥାନ ଅପେକ୍ଷା ଉଚ୍ଚା ହୋଇଥିଲେ ମଧ୍ୟ ବହୁତ ଖରାପ ପ୍ରଭାବ ପଡ଼ିଥାଏ ।
୩. ଏହି ସ୍ଥାନରେ ଷ୍ଟୋର ରୁମ କରି ଅଳିଆ ଆବର୍ଜନା ଆଦି ଅବ୍ୟବହୃତ ଜିନିଷ ଆଦି ପଡ଼ି ରହୁଥିଲେ ଏହି ସ୍ଥାନରେ ଘୋର ବାସ୍ତୁଦୋଷ ସୃଷ୍ଟି ହୋଇଥାଏ ।
୪. ଏହି ସ୍ଥାନରେ ନାଲି ରଙ୍ଗ ହୋଇଥିଲେ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ।
୫. ଏହି ସ୍ଥାନରେ ରୋଷେଇ କାର୍ଯ୍ୟ ହେଉଥିଲେ ମଧ୍ୟ ଅତ୍ୟନ୍ତ ଅଶୁଭ ଫଳ ଭୋଗିବାକୁ ପଡ଼ିଥାଏ ।
୬. ଏହି ସ୍ଥାନରେ ଶୌଚାଳୟ ଥିଲେ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।
୭. ଏହି ସ୍ଥାନରେ ଅଳିଆ ଆବର୍ଜନା ଆଦି ଜମା କରୁଥିଲେ ଏହା ଗୃହବାସୀଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।
ଏଣୁ ଆମେ ଗୃହ ନିର୍ମାଣ ସମୟରେ ଏହି ଐଶାନ୍ୟ କୋଣ ପ୍ରତି ବିଶେଷ ଧ୍ୟାନ ଦେଲେ ଗୃହ ଏବଂ ଗୃହବାସୀଙ୍କ ପାଇଁ ଶୁଭ ହେବ । ଉପରୋକ୍ତ ଦୋଷ ତୃଟିକୁ କେବେ ବି ଐଶାନ୍ୟ କୋଣରେ କରିବେ ନାହିଁ । ଯଦି ଐଶାନ୍ୟ କୋଣରେ ଏହିପରି ଦୋଷଯୁକ୍ତ ନିର୍ମାଣ କରିଥାନ୍ତି, ତେବେ ବାସ୍ତୁବିତ୍ଙ୍କର ପରାମର୍ଶ ନେଇ ଉପଚାର କରାଇ ନେବା ଦରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)