Advertisment

୩ ମାସରେ ଥାଲାସେମିଆ, ୬ ମାସରେ ବ୍ଲଡ କ୍ୟାନ୍ସର, ତଥାପି ପାସ୍ କଲେ ନିଟ୍‌ ପରୀକ୍ଷା

୩ ମାସର ହୋଇଥିଲେ ସେତେବେଳେ ଜଣାପଡ଼ିଥିଲା ସେ ଥାଲାସେମିଆ ଆକ୍ରାନ୍ତ । ପରିବାର ଲୋକେ ତାଙ୍କର ଚିକିତ୍ସା ଆରମ୍ଭ କରିଦେଲେ। ତାଙ୍କୁ ଯେତେବେଳେ ୬ ମାସ, ସେତେବେଳେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର କହିଥିଲେ ସେ ରକ୍ତ କର୍କଟରେ ଆକ୍ରାନ୍ତ। ୭ ବର୍ଷ ବୟସରେ ବୋନ ମ୍ୟାରୋ ଟ୍ରାନ୍ସ ପ୍ଲାଣ୍ଟ। ତଥାପି ହାରି ନ ଥିଲେ। ଶେଷରେ ମିଳିଲା ସଫଳତା।

author-image
Otv Khabar Bureau
ଅଦ୍ୟତନ ହୋଇଛି
thalassaemia, blood cancer detected urvish passed neet

thalassaemia, blood cancer detected urvish passed neet

ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସବୁବେଳେ ସୁଯୋଗର ଆବଶ୍ୟକତା ନ ଥାଏ। ପ୍ରତିକୂଳ ସ୍ଥିତି ସତ୍ତ୍ୱେ ଯଦି ଆନ୍ତରିକ ଉଦ୍ୟମ ଆଉ ନିଷ୍ଠା ଥାଏ ତେବେ ମଣିଷ ପାଇଁ ଳକ୍ଷ୍ୟ କେବେ ଅପହଞ୍ଚ ହୋଇ ନ ଥାଏ। ସେଥିପାଇଁ କବି କହିଛନ୍ତି ‘ଲହରୋଁ ସେ ଡର କର ନୌକା ପାର ନହିଁ ହୋତି...କୋଶିଶ କରନେ ବାଲୋଁ କି କଭି ହାର ନହିଁ ହୋତି...।’ ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଅହମଦାବାଦର ଉର୍ବିଶ ଭବସର। ଆୟୁଷ ଟିକିଏ ପାଇଁ ଜନ୍ମରୁ ସଂଘର୍ଷ କରି ଆସୁଛନ୍ତି ଉର୍ବିଶ। ତଥାପି ହାର ମାନି ନାହାନ୍ତି। ଆଜି ସମୟ ତାଙ୍କ ପାଖରେ ଯେମିତି ହାର ମାନି ଯାଇଛି। ତାଙ୍କ ପାଦ ତଳେ ଅଜାଡି ଦେଇଛି ଖୁସି ଆଉ ସଫଳତା।

Advertisment

ଉର୍ବିଶ ଯେତେବେଳେ ମାତ୍ର ୩ ମାସର ହୋଇଥିଲେ ସେତେବେଳେ ଜଣାପଡ଼ିଥିଲା ସେ ଥାଲାସେମିଆ ଆକ୍ରାନ୍ତ । ପରିବାର ଲୋକେ ତାଙ୍କର ଚିକିତ୍ସା ଆରମ୍ଭ କରିଦେଲେ। ତାଙ୍କୁ ଯେତେବେଳେ ୬ ମାସ, ସେତେବେଳେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର କହିଥିଲେ ସେ ରକ୍ତ କର୍କଟରେ ଆକ୍ରାନ୍ତ। ପ୍ରଥମେ ତ ଉର୍ବିଶ ନିଜ ଜୀବନ..ଭବିଷ୍ୟତ ବିଷୟରେ ଜାଣି ନ ଥିଲେ। ହେଲେ ୧୦ ବର୍ଷ ବୟସରେ ସେ ଜାଣି ସାରିଥିଲେ ଡାକ୍ତରଖାନା ତାଙ୍କ ପାଇଁ ଆଉ ଏକ ଘର। ନିୟମିତ ଡାକ୍ତରଖାନା ଯିବା, ମେଡିସିନ ଖାଇବା, ସ୍କୁଲ ବନ୍ଦ କରିବା ତାଙ୍କ ପାଇଁ ଏକ ସ୍ୱାଭାବିକ ଘଟଣା ଥିଲା । ତେଣୁ ସେ ଆଗକୁ ବଢି ଚାଲିଥିଲେ। ଏବେ ଉର୍ବିଶ ନିଟ ପରୀକ୍ଷାରେ ୬୭୫ ନମ୍ବର ରଖି ମେଡିକାଲ କଲେଜରେ ପଢିବା ପାଇଁ ମନୋନୀତ ହୋଇଛନ୍ତି। ଏବେ ଉର୍ବିଶ ବଡ ହେଲେଣି। ଜୀବନକୁ ଚିହ୍ନିଲେଣି। ତେଣୁ ତାଙ୍କ ଜୀବନର ଏବେ ଗୋଟିଏ ଲକ୍ଷ୍ୟ ରୋଗୀଙ୍କ ମୁହଁରେ ହସ ଫୁଟାଇବା।

ମଣିପୁର ନିବାସୀ ଉର୍ବିଶ ଖାଲି ଥାଲାସେମିଆ ଏବଂ ଲ୍ୟୁକୋମିଆ ପୀଡିତ ନ ଥିଲେ। ବରଂ ୭ ବର୍ଷ ବୟସରେ ତାଙ୍କର ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ବି ହୋଇଥିଲା। ତାଙ୍କ ଭଉଣୀ ତାଙ୍କୁ ବୋନ ମ୍ୟାରୋ ଦେଇଥିଲେ। ସେତେବେଳେ ତାଙ୍କ ଭଉଣୀଙ୍କ ବୟସ ଥିଲା ମାତ୍ର ଅଢେଇ ବର୍ଷ। ଏହା ପରେ ସେ ପୂରା ଏକ ବର୍ଷ ଆଇସୋଲେସନରେ ରହିଥିଲେ। ସେଇ ଆଇସୋଲେସନ ସମୟରେ ସେ ନିଷ୍ପତ୍ତି ନେଇଥିଲେ ବଡ ହେଲେ ପାଠ ପଢି ଡାକ୍ତର ହେବେ। ଆଉ ସତରେ ତାଙ୍କର ସେହି ସ୍ୱପ୍ନ ଏବେ ସତ ହେବାକୁ ଯାଉଛି।

Advertisment

ଏତେ ସବୁ ରୋଗ ସତ୍ତ୍ୱେ ବି ଉର୍ବିଶ ସବୁବେଳେ ପାଠପଢାରେ ଆଗୁଆ ଥିଲେ। ୧୦ମ ପରୀକ୍ଷାରେ ୮୯ ପ୍ରତିଶତ ରଖିବା ପରେ ଦ୍ୱାଦଶ ପରୀକ୍ଷାରେ ୮୮ ପ୍ରତିଶତ ନମ୍ବର ରଖି ପାସ କରିଥିଲେ। ୪ ଭାଇ ଭଉଣୀଙ୍କ ମଧ୍ୟରେ ଉର୍ବିଶ ୩ ନମ୍ବର। ଯାହା ବି ହେଉ, ଉର୍ବିଶଙ୍କର ଏହି ସଫଳତା ସାରା ପରିବାରରେ ଖୁସି ଆଣି ଦେଇଛି। ଉର୍ବିଶଙ୍କ ମା’ ସୁନନ୍ଦାଙ୍କ କହିବା ଅନୁଯାୟୀ, ପ୍ରଥମ କିଛି ବର୍ଷ ଆମର ଭୟ ଭୟରେ କଟିଗଲା। କ୍ୟାନ୍ସର ଆକ୍ରାନ୍ତ ହେବା ପରଠାରୁ ନିୟମିତ ରକ୍ତ ଦେବାକୁ ପଡ଼ୁଛି। ଏହା ବ୍ୟତୀତ ୨ ବର୍ଷ ଧରି ତାଙ୍କୁ କେମୋଥେରାପି ଦେବାକୁ ପଡୁଥିଲା। ତେବେ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ପରେ ଉର୍ବିଶ ଭଲ ଅଛନ୍ତି। ଏବେ ପାଠ ପଢିବା ସହ ସେ ବ୍ୟାଡମିଣ୍ଟନ ଏବଂ କ୍ରିକେଟ ବି ଖେଳୁଛନ୍ତି। ଯାହା ବି ହେଉ, ଏ ସବୁ ସତ୍ତ୍ୱେ ଉର୍ବିଶ ଆଜି ସଫଳତାର ପ୍ରଥମ ସୋପାନରେ ପହଞ୍ଚି ସାରିଛନ୍ତି।

Thalassaemia NeetExam BloodCancer
Advertisment
Advertisment